Advertisment

କାହିଁକି ‘ଆଫଗାନିସ୍ତାନ’ ଆମର ଚର୍ଚ୍ଚାର ବିଷୟ ହେଲା ନାହିଁ?

ଦେବ ରଞ୍ଜନ ୨୦୧୨-୧୩ ମସିହାରେ ଆମେ ପୁରୀ ସହରର ପାଞ୍ଚ ଜଣ ସାଥୀ ‘ଚିତ୍ର ଦର୍ପଣ’ ଫିଲ୍ମ କ୍ଲବ କରିଥିଲୁ। ଅନେକ ବୃତ୍ତଚିତ୍ର ଭିତରେ ଏକ ବୃତ୍ତଚିତ୍ର ଥିଲା ‘ବୁଦ୍ଧ କୋଲାପ୍‌ସ୍‌ଡ ଆଉଟ୍‌ ଅଫ୍‌ ଶେମ୍‌ (Buddha Collapsed Out of Shame)। ଆମେ ମାସର ଏକ ରବିବାର ବା କୌଣସି ଛୁଟିଦିନରେ ଏକା ଥରକେ ଦୁଇ ତିନୋଟି ଫିଲ୍ମ ଏକ କ୍ଳାସ ରୁମରେ ଅଧ୍ୟକ୍ଷଙ୍କ ସହଯୋଗରେ କରୁଥାଉ। ହାନ୍ନା ମଖମଲବାଫ(Hana Makhmalbaf)ଙ୍କ ଦ୍ଵାରା ନିର୍ମିତ ଏହି […]

author-image
Debendra Prusty
ଅଦ୍ୟତନ ହୋଇଛି
କାହିଁକି ‘ଆଫଗାନିସ୍ତାନ’ ଆମର ଚର୍ଚ୍ଚାର ବିଷୟ ହେଲା ନାହିଁ?

yio1

ଦେବ ରଞ୍ଜନ

୨୦୧୨-୧୩ ମସିହାରେ ଆମେ ପୁରୀ ସହରର ପାଞ୍ଚ ଜଣ ସାଥୀ ‘ଚିତ୍ର ଦର୍ପଣ’ ଫିଲ୍ମ କ୍ଲବ କରିଥିଲୁ। ଅନେକ ବୃତ୍ତଚିତ୍ର ଭିତରେ ଏକ ବୃତ୍ତଚିତ୍ର ଥିଲା ‘ବୁଦ୍ଧ କୋଲାପ୍‌ସ୍‌ଡ ଆଉଟ୍‌ ଅଫ୍‌ ଶେମ୍‌ (Buddha Collapsed Out of Shame)।

Advertisment

ଆମେ ମାସର ଏକ ରବିବାର ବା କୌଣସି ଛୁଟିଦିନରେ ଏକା ଥରକେ ଦୁଇ ତିନୋଟି ଫିଲ୍ମ ଏକ କ୍ଳାସ ରୁମରେ ଅଧ୍ୟକ୍ଷଙ୍କ ସହଯୋଗରେ କରୁଥାଉ।

ହାନ୍ନା ମଖମଲବାଫ(Hana Makhmalbaf)ଙ୍କ ଦ୍ଵାରା ନିର୍ମିତ ଏହି ଫିଲ୍ମଟି ସ୍କ୍ରିନିଙ୍ଗ ସମୟରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ହତବାକ ହୋଇ ଶେଷ ପର୍ଯ୍ୟନ୍ତ ଦେଖୁଥିଲେ। କାରଣ ଫିଲ୍ମର ବିଷୟବସ୍ତୁ ବି ସେହିଭଳି ଗମ୍ଭୀର ଥିଲା।

Advertisment

ପ୍ରାୟ ସାତ ଆଠ ବର୍ଷର ଆଦିବାସୀ ବାଳିକାଟି ସ୍କୁଲରେ ପାଠ ପଢ଼ିବା ଲାଗି ଆଗ୍ରହୀ। କିନ୍ତୁ ସେହି ସମାଜର ପୁଅ ପିଲାମାନେ ତାକୁ ବାରମ୍ବାର ଭୟଭୀତ କରାଇଚାଲିଛନ୍ତି। ଶେଷରେ ସେୟା ହୋଇଛି ଯାହା ଆଜି ପୃଥିବୀର ଜନଗଣଙ୍କୁ ଚିନ୍ତିତ କରୁଛି। ଶେଷରେ ବାଳିକାଟି ପୁଅମାନଙ୍କ ହାତରେ ଶିକାର ହେଉଛି ଯେମତି ବାମିୟାନ ବୁଦ୍ଧ ତାଲିବାନ ଦ୍ଵାରା ଦିନେ ଧ୍ଵଂସ ହୋଇଥିଲେ। ଏହି ହେତୁ ଫିଲ୍ମର ନାମ ଏହି ଭଳି ଥିଲା।

ଆମେମାନେ ଆଫଗାନିସ୍ତାନର ସ୍ଥିତିକୁ ନେଇ କଷ୍ଟ ପାଉଥିଲୁ। ପୁଣି ନିଜ ଚାରିପାଖରେ ଥିବା ମୌଳବାଦୀଙ୍କ ଆକ୍ରମଣ ଦେଖି ସ୍ତମ୍ଭୀଭୂତ ହେଉଥିଲୁ।

ଆମେ ସେ ସମୟରେ ଦେଖିଥିଲୁ ସେମିତି ଏକ ବୃତ୍ତଚିତ୍ର, ସେଦିକ୍‌ ବାର୍‌ମାକ(Sedigh Barmak)ଙ୍କ ଦ୍ଵାରା ନିର୍ମିତ ଓସାମା। ଏହି ଫିଲ୍ମରେ ଦଶ ବାର ବର୍ଷର ଝିଅଟିକୁ ବଞ୍ଚାଇ ରଖିବାକୁ ମା’ ତାର ବାଳ ପୁଅ ଭଳି କାଟିଦେଇଛି, ପୁଅ ପୋଷାକ ପିନ୍ଧାଇଛି। କିନ୍ତୁ ଶେଷରେ ସେ ଧାରା ପଡ଼ିଯାଉଛି। ତାକୁ ଫାଶୀ ଦେବାର ବ୍ୟବସ୍ଥା ହେଲା ବେଳେ ଜଣେ ୯୦ ବର୍ଷର ମୁଲ୍ଲା ଝିଅକୁ ବିବାହ କରି ନିଜର ପୂର୍ବରୁ ତିନି ସ୍ତ୍ରୀ ଗୃହବନ୍ଦୀ ଥିବା କୋଠାରେ ଛାଡ଼ିଦେଉଛି।

ମୁଲ୍ଲା ଜଣକ ଶେଷରେ କୋଡ଼ିଏ କି ତିରିଶଟି ତାଲା ଦେଖାଇ ସେହିଭିତରୁ ‘ତୋ ପସନ୍ଦର’ ତାଲାଟିଏ ବାଛିବାକୁ କହୁଛି। ଦାନିଶ୍‌ ସିଦ୍ଦିକ୍‌(Danish Siddique)ଙ୍କ ପୂର୍ବରୁ ତାଲିବାନମାନେ ଇଉରୋପର ସାମ୍ବାଦିକଙ୍କୁ ପଥର ମାରି ହତ୍ୟା କରୁଥିଲେ ଓ ତାହା ମଧ୍ୟ ଓସାମାରେ ସ୍ଥାନିତ ହୋଇଥାଏ। ଏହି ଦୁଇ ଫିଲ୍ମ ୟୁଟ୍ୟୁବରେ ଅଛି।

ପୃଥିବୀର ଅନେକ ଫିଲ୍ମମେକର, ସାମ୍ବାଦିକ, ଲେଖକ ଆଫଗାନିସ୍ତାନର ଏହି ସ୍ଥିତି ସମ୍ପର୍କରେ ନିଜର ଜୀବନକୁ ବାଜି ଲାଗାଇ ପୃଥିବୀବାସୀଙ୍କୁ ଜଣାଇ ଆସିଛନ୍ତି। ଅଥଚ ପୃଥିବୀର ଶାସକମାନେ ଏହାକୁ ଏକ ବଫର ଷ୍ଟେଟ୍‌ ବା ଢାଲ ରାଷ୍ଟ୍ର ଭାବରେ ବ୍ୟବହାର କରୁଥିଲେ। ପରେ ଆମେରିକା ନିର୍ଦ୍ଧାରିତ ଆସ୍ରଫ ଘାନି ସରକାର ଆସିବା ପରେ ଏହାର ସୁନା, କୋଇଲା, ପ୍ରାକୃତିକ ଗ୍ୟାସ ଇତ୍ୟାଦି ଖଣିଜ ଦ୍ରବ୍ୟ ଉପରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା।

ଆମେ ଭାରତୀୟ ମିଡିଆରେ ଗଲା କିଛି ବର୍ଷ ହେଲା କୌଣସି ଖବର ଆଫଗାନିସ୍ତାନ ସମ୍ପର୍କରେ ପାଉନଥିଲେ, କେବଳ ଗଣତନ୍ତ୍ର ଫେରିଆସିଥିବାର ସୂଚନା ବ୍ୟତୀତ। କାରଣ ରିଲାଏନ୍ସ ପାୱାର ଗୃପ ବହୁତ ବଡ଼ ପୁଞ୍ଜି ସେଠାରେ ଖଟାଇସାରିଥିଲା।

ଆମେମାନେ ସୀମାନ୍ତ ଗାନ୍ଧୀ ବା ଖାଁ ଅବଦୁଲ ଗଫର ଖାଁକୁ ବହୁତ ଦୂରରେ ଛାଡ଼ିଆସିଥିଲେ। ସେ ମୌଳବାଦୀଙ୍କ (ଆଜିର ତାଲିବାନ ଗୋଷ୍ଠୀ) ସହିତ ନିଜର ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ିଥିଲେ। ଆଫଗାନିସ୍ତାନକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଦେଖିବାକୁ ଚାହୁଁଥିବା ଗଫର ଖାନ ବା ବଚ୍ଚା ଖାଁ ସର୍ବଦା କହୁଥିଲେ, “ମୋର ଜୀବନରେ ଦୁଇ ଜଣ ଗୁରୁ ମୋତେ ବାଟ କଢ଼ାଇନେଇଛନ୍ତି। ପ୍ରଥମରେ ଖ୍ରୀଷ୍ଟିୟାନ ସ୍କୁଲ ଶିକ୍ଷକ ଓ ଦ୍ୱିତୀୟରେ ମହାତ୍ମା ଗାନ୍ଧୀ। ହିନ୍ଦୁ ମନ୍ଦିରମାନଙ୍କର ସୁରକ୍ଷା ଆମର ଦାୟିତ୍ଵ।“

ଗଫର ଖାଁ ୧୯୫୬ ମସିହା ପରଠାରୁ ବାରମ୍ବାର ନିଜ ଦେଶରେ ଗିରଫ ହୋଇଛନ୍ତି। ୱିକିପିଡିଆ ତଥ୍ୟ ଅନୁସାରେ ୧୯୮୮ ମସିହାରେ ଗୃହବନ୍ଦୀ ଥିଲା ବେଳେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଦ୍ଵାରା ଗଠିତ ଖୁଦାଇ ଖିଦମତଗାର ତାଙ୍କର ମୃତ୍ୟୁ ପରେ ଭାଙ୍ଗିଗଲା ଓ ଏହା ସହିତ ସାମାଜିକ ଆନ୍ଦୋଳନ ମଧ୍ୟ ସେହି ଦେଶରେ ନଷ୍ଟ ହୋଇଗଲା।

ଆମେ ପୁରୀରେ ଯେତେବେଳେ ଆନନ୍ଦ ପଟବର୍ଦ୍ଧନଙ୍କ ଦ୍ଵାରା ନିର୍ମିତ ‘ରାମ କେ ନାମ’ ଫିଲ୍ମଟି ସ୍କ୍ରିନିଙ୍ଗ କଲୁ ଏହା ପରେ ଅନ୍ୟ ଫିଲ୍ମ ପ୍ରଦର୍ଶନ ପାଇଁ କଲେଜର ମାଲିକ ମନା କରିଦେଲେ। ଏହା ପରେ ପୁରୀରେ ବିକଳ୍ପ ସ୍ଥାନଟିଏ ଆଉ ପାଇଲୁ ନାହିଁ। ବୋଧହୁଏ ଦୁଇ ବର୍ଷ ଚାଲିବା ପରେ ଏହି ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା।

ଆମେ ପୁରୀ ସହରକୁ ମୌଳବାଦୀଙ୍କ ହାତରେ ଛାଡ଼ିଦେଲୁ।

Email : [email protected]