Advertisment

ଭିଜିଲାନ୍ସ ଚଢ଼ାଉ ସତ୍ତ୍ୱେ ଦୁର୍ନୀତି ବନ୍ଦ ହେଉନି କାହିଁକି?

ଗୋଲକ ବିହାରୀ ନାଥ, ଦେବ ରଞ୍ଜନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ନିଜ ଆୟର ୨୧୬% ଅଧିକ ସମ୍ପତ୍ତି ଠୁଳ କରିବା ଭିଜିଲାନ୍ସ ଚଢ଼ାଉ ପରେ ଜଣାପଡ଼ିବା ଆଦୌ ଆଶ୍ଚର୍ଯ୍ୟ ଜନକ ନୁହେଁ। ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ଗଲା କିଛି ବର୍ଷ ହେଲା ଯେ ନିଯୁକ୍ତିପତ୍ରର ଖୋଲା ନିଲାମ ହେଉଥିଲା, ଏହା ତାହାର ଉଦାହରଣ। ଗଲା ନଭେମ୍ବର ୨୦୨୦ ମସିହାରେ ୧୯୮୭ ମସିହା ବ୍ୟାଚ […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଚଢ଼ାଉ ସତ୍ତ୍ୱେ ଦୁର୍ନୀତି ବନ୍ଦ ହେଉନି କାହିଁକି?

Vigilance

Advertisment
  • ଗୋଲକ ବିହାରୀ ନାଥ, ଦେବ ରଞ୍ଜନ

ବିଭିନ୍ନ ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ନିଜ ଆୟର ୨୧୬% ଅଧିକ ସମ୍ପତ୍ତି ଠୁଳ କରିବା ଭିଜିଲାନ୍ସ ଚଢ଼ାଉ ପରେ ଜଣାପଡ଼ିବା ଆଦୌ ଆଶ୍ଚର୍ଯ୍ୟ ଜନକ ନୁହେଁ। ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ଗଲା କିଛି ବର୍ଷ ହେଲା ଯେ ନିଯୁକ୍ତିପତ୍ରର ଖୋଲା ନିଲାମ ହେଉଥିଲା, ଏହା ତାହାର ଉଦାହରଣ।

Advertisment

ଗଲା ନଭେମ୍ବର ୨୦୨୦ ମସିହାରେ ୧୯୮୭ ମସିହା ବ୍ୟାଚ ଆଇଏଫଏସ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ଅଫିସର ଅଭୟ ପାଠକ ଓ ଗୋପାଳପୁରର ବିଜେଡ଼ି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ଭଳି ଏକ ଚଢ଼ାଉ ପରେ ଗିରଫ ହୋଇ ଦୀର୍ଘ ଛଅ ମାସ ଜେଲରେ ରହିବା ପରେ ଏବେ ଜାମିନରେ ଆସିଛନ୍ତି। ଶ୍ରୀ ପାଠକଙ୍କଠାରୁ ଜବତ ହୋଇଥିବା ସମ୍ପତ୍ତି ଭିଜିଲାନ୍ସ ବିଭାଗର ଇତିହାସରେ ସବୁଠାରୁ ଅଧିକ ଥିଲା ବୋଲି ମିଡିଆରେ ପ୍ରକାଶିତ ହୋଇଛି।

ଏହି ଦୁର୍ନୀତିର ଉତ୍ସ ହେଲା ରାଜନୈତିକ ଦଳମାନଙ୍କୁ ଦିଆଯାଉଥିବା ନିର୍ବାଚନୀ ଚାନ୍ଦା। ଏହାର ସଦ୍ୟତମ ଉଦାହରଣ ହେଉଛି ଇଲେକ୍ଟୋରାଲ ବଣ୍ଡ। ଆମ ଗଣତନ୍ତ୍ରରେ ସାଧାରଣ ଭୋଟର ଉତ୍ତମ ଶାସନର ଆଶା ରଖି ଏକ ରାଜନୈତିକ ଦଳକୁ ନିର୍ବାଚିତ କରିବେ, ଅଥଚ ସିଏ କାହାଠାରୁ କେତେ ନିର୍ବାଚନୀ ଚାନ୍ଦା ସଂଗ୍ରହ କଲେ ତାହାର ହିସାବ ନଦେବା ହେଲା ବର୍ତ୍ତମାନର ଇଲେକ୍ଟୋରାଲ ବଣ୍ଡ। ମିଡିଆ ତଥ୍ୟ ଅନୁସାରେ, ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ନିର୍ଦ୍ଦିଷ୍ଟ ଏକ ଦଳକୁ ୩୦୦୦ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହି ପରିମାଣର ଅର୍ଥ ଏକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାରେ ଦାତାମାନଙ୍କ ସୁବିଧା ଲାଗି ନୂଆ ଆଇନ ଆଣିବା ବା ପୁରୁଣାକୁ ବଦଳାଇଦେବାରେ ସମର୍ଥ ହୋଇପାରେ।

Advertisment

ରାଜ୍ୟ ସରକାର ହୁଅନ୍ତୁ ଅଥବା କେନ୍ଦ୍ର ସରକାର, ଭୋଟଦାତାଙ୍କ ଗତିବିଧିକୁ ନିୟନ୍ତ୍ରିତ କରିବା ଓ ତୁରନ୍ତ ‘ଦେଶଦ୍ରୋହୀ’ ଆରୋପ ଲଗାଇବା ଉଦ୍ଦେଶ୍ୟରେ ଯେଉଁଭଳି ‘ଆଧାର’, ଗଳିକନ୍ଦିରେ ସିସିଟିଭି କ୍ୟାମେରା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ଵାରା ଠାବ କରିବା ପଦ୍ଧତି, ପେଗାସସ ସଫ୍ଟୱେର ଆଣିବା ଇତ୍ୟାଦି ପଦକ୍ଷେପ ନେଉଛନ୍ତି ଓ ନୂଆ ଆଇନ ପ୍ରଣୟନ କରିଚାଲିଛନ୍ତି ସେହି ଗତିରେ ନିଜର କର୍ମଚାରୀ ଓ ଦଳୀୟ ନେତାଙ୍କର କାର୍ଯ୍ୟ ନିୟନ୍ତ୍ରିତ କରିବା ଓ ସ୍ୱଚ୍ଛତା ଆଣିବା ଲାଗି ଆବଶ୍ୟକ ତତ୍ପରତା ଦେଖାଉନାହାନ୍ତି।

ମାନବିକ ଅଧିକାର ସଂଗଠନମାନେ ଦୁର୍ନୀତି ବିରୁଦ୍ଧରେ କ୍ଵଚିତ ମନ୍ତବ୍ୟ ଦେଇଥାନ୍ତି। କାରଣ ସରକାରଙ୍କ ମୂଳନୀତି ଯେଉଁଠି ଜନବିରୋଧୀ ସେଠାରେ ପ୍ରଚଳିତ ନୀତିରେ ଦୁର୍ନୀତି ହେବା ସ୍ଵାଭାବିକ, ଏ କଥା ମନେକରାଯାଇଥାଏ। କିନ୍ତୁ ବିରୋଧୀ ଦଳର କର୍ମୀମାନେ ସରକାରଙ୍କୁ ‘ଘେରିବା’ ଉଦ୍ଦେଶ୍ୟରେ ଦୁର୍ନୀତିକୁ ସର୍ବଦା ମୁଖ୍ୟ ପ୍ରସଙ୍ଗ କରିଆସିଛନ୍ତି। ଏହାର ପ୍ରତିକ୍ରିୟାରେ, କ୍ଷମତାସୀନ ନିର୍ବାଚିତ ରାଜନୈତିକ ଦଳ ଦୁର୍ନୀତି ପ୍ରସଙ୍ଗରେ ଦୁଇଟି ପରସ୍ପର ବିରୋଧୀ ପଦକ୍ଷେପ ସର୍ବଦା ନେଇଆସିଛି।

ପ୍ରଥମରେ, କାଳେ କ୍ଷମତା ହରାଇବାକୁ ପଡ଼ିବ ସେଥିଲାଗି ସରକାରୀ ଦଳର କର୍ମୀ ଆରଟିଆଇ କର୍ମୀ ବା ଦୁର୍ନୀତିକୁ ଦର୍ଶାଉଥିବା ବ୍ୟକ୍ତିଙ୍କୁ (ପ୍ରାୟତଃ ବିରୋଧୀ ଦଳର) ହତ୍ୟା କରିଥାନ୍ତି ଓ ତୁରନ୍ତ ପୁଲିସ ଦ୍ଵାରା ଅପରାଧୀକୁ ଧରିବାର ପ୍ରକ୍ରିୟାକୁ କୋହଳ କରିଦିଅନ୍ତି। ଦ୍ଵିତୀୟରେ, ନିଜର ଭିଜିଲାନ୍ସ ବିଭାଗ ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ଅଧିକାରୀର ଆୟ ବହିର୍ଭୂତ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରିବାର ଉଦ୍ୟମ କରିଥାନ୍ତି। (ସରକାରୀ ନୀତିରେ ଥିବା ଭୁଲକୁ ଦର୍ଶାଉଥିବା ହେତୁ ମାନବିକ ଅଧିକାର କର୍ମୀଙ୍କୁ ‘ଦେଶଦ୍ରୋହୀ’, ‘ବିକାଶ ବିରୋଧୀ’, ‘ବିଶୃଙ୍ଖଳାକାରୀ’ ଇତ୍ୟାଦି ଆଖ୍ୟା ଦେଇ ଗିରଫ କରିବା ଓ ବିନା ବିଚାରରେ ବର୍ଷ ବର୍ଷ ଜେଲରେ ରଖିବା ଓ ହତ୍ୟା କରିବାର ଅନେକ ଉଦାହରଣ ରହିଛି।)

ଭିଜିଲାନ୍ସ ଦ୍ଵାରା ହୋଇଥିବା ଚଢ଼ାଉର ଉଦ୍ଦେଶ୍ୟ କଦାପି ଦୁର୍ନୀତିକୁ ବନ୍ଦ କରିବା ଲାଗି ହୋଇନଥାଏ। ମୂଳ ଉଦ୍ଦେଶ୍ୟ ହେଲା ଜଣେ କେହି ଅଧିକାରୀଙ୍କୁ (ସାଧାରଣତଃ ନିମ୍ନ ପାହ୍ୟାର) ଅନ୍ୟ ସମସ୍ତ ଉଚ୍ଚ ଅଫିସରଙ୍କଠାରୁ ପୃଥକ କରିଦିଆଯିବା ଯାହା ଦ୍ଵାରା ଉଚ୍ଚ ଅଧିକାରୀମାନେ ସୁରକ୍ଷିତ ହୋଇଯିବେ। ଉକ୍ତ ‘ଲାଞ୍ଚୁଆ’ ଅଧିକାରୀ ଧରାପଡ଼ିବା ମାତ୍ରେ ତାଙ୍କଠାରୁ ଉଚ୍ଚ ଅଧିକାରୀମାନେ ତୁରନ୍ତ ନିଜେ ‘ଅନ୍ଧାରରେ ରହିଥିବାର’ ସୁନ୍ଦର ଅଭିନୟ କରନ୍ତି। ହେଲେ ସରକାରଙ୍କ କୌଣସି ବିଭାଗର କୌଣସି ନିଷ୍ପତ୍ତି କୌଣସି ଜଣେ ଅଫିସର ବା ଅଧିକାରୀ ଦ୍ଵାରା ନିଆଯାଇନଥାଏ ଅଥବା କାର୍ଯ୍ୟକାରୀ ହୋଇନଥାଏ ଯେ ଲାଞ୍ଚ ନେବାର ବା ସମ୍ପତ୍ତି ଠୁଳ କରିବାର ଦୋଷ କେବଳ ଜଣେ ଅଧିକାରୀକୁ (ଯାହାର ଘର ଚଢ଼ାଉ ହୋଇଥିବ) ଦିଆଯାଇପାରିବ।

ଭିଜିଲାନ୍ସ ଚଢ଼ାଉର ଅନ୍ୟତମ ଉଦ୍ଦେଶ୍ୟ ହେଲା କୌଣସି ବି କର୍ମଚାରୀ ନିଜ ଆୟଠାରୁ ସେତେ ଅଧିକ ସମ୍ପତ୍ତି ଠୁଳ କରିନଦିଅନ୍ତୁ ଯାହା ପୁଣି ଦିନେ ସରକାରୀ ଦଳ ବା ଅନ୍ୟ ଅଧିକାରୀଙ୍କ ଲାଗି ବିପଦ ହୋଇଯିବ। ଯଦି ତାହା କରାନଯାଏ ତେବେ ସେମାନେ କେତେ ଜଣ ମିଶି କେଉଁ ଅଫିସରେ କିଏ ଅଫିସର ନିଯୁକ୍ତି ହେବ, କିଏ ମନ୍ତ୍ରୀ ହେବ ଏପରିକି କିଏ ସରକାର ଗଢ଼ିବ ତାହାର ନିଷ୍ପତ୍ତି ମଧ୍ୟ ନେଇଯାଇପାରନ୍ତି। ତେଣୁ ସେଭଳି ସ୍ଥିତି ନଆସିବା ଲାଗି ସତର୍କ ରହିବା ଭିଜିଲାନ୍ସ ବିଭାଗର ଦ୍ଵିତୀୟ ଉଦ୍ଦେଶ୍ୟ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଧରିବା ଓ ଦୁର୍ନୀତିକୁ ରୋକିବା ନୁହେଁ।

ଭିଜିଲାନ୍ସରେ ଚଢ଼ାଉର ଇତିହାସ ହେଲା ଯେ ଆୟ ବହିର୍ଭୂତ ସମ୍ପତ୍ତିର ଏକ ବିଶାଳ ତାଲିକା ମିଡିଆ ସାମ୍ନାରେ ଏଭଳି ରଖିଦିଆଯାଏ ଯେମିତି ଏକ ଗୁପ୍ତଧନର ସନ୍ଧାନ ମିଳିଗଲା। ଲୋକେ ଏଥିରେ ପ୍ରଭାବିତ ହୋଇ ଆଲୋଚନା କରିଥା’ନ୍ତି ଓ ସରକାରୀ ତତ୍ପରତାକୁ ପ୍ରଶଂସା କରନ୍ତି। କିନ୍ତୁ ବେଶ କିଛି ବର୍ଷ ପରେ ଭିଜିଲାନ୍ସ କୋର୍ଟରେ ସରକାର ହାରିଯିବାର କ୍ଷେତ୍ର ତିଆରି ହୁଏ ଓ ପୁଣି ସେହି ସମ୍ପତ୍ତି ସେହି ଅଫିସରଙ୍କ ନିକଟକୁ ଚାଲିଯାଏ। ଲାଞ୍ଚୁଆ ଅଫିସର କାହିଁକି କୋର୍ଟ ଦ୍ଵାରା ନିର୍ଦ୍ଦୋଷ ପ୍ରମାଣିତ ହେଲେ ସେ ସୂଚନା ଗଣମାଧ୍ୟମ ପାଖରେ ନଥାଏ ବା ଜାଣିକରି ଦିଆଯାଇନଥାଏ।

ଏ କ୍ଷେତ୍ରରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା (ଗାସ) ନିମ୍ନ ଲିଖିତ ଦାବି କରୁଛି।

୧) ଯେଉଁ ଅଧିକାରୀଙ୍କୁ ଗିରଫ କରାଯାଉଛି ସେ ଗଲା ଦୁଇ କି ତିନିବର୍ଷ ମଧ୍ୟରେ ନେଇଥିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେଇ ନୂତନ ନିଷ୍ପତ୍ତି ନିଆଯାଉ।

୨) ଗିରଫ ଅଧିକାରୀଙ୍କ ବିଭାଗର ଅନ୍ୟ ଅଫିସର ଯେଉଁମାନେ ସିଧାସଳଖ ତାଙ୍କ ସହିତ ସମ୍ପୃକ୍ତ ସେହି ସମସ୍ତଙ୍କ କାର୍ଯ୍ୟର ସମୀକ୍ଷା କରାଯାଉ।

୩) ସରକାର କୋର୍ଟରେ କାହିଁକି କେସ ହାରୁଛନ୍ତି ତାହାର ସମୀକ୍ଷା ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଉ।

୪) ତଥ୍ୟ ଜାଣିବା ଆଇନର ମୂଳ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯାଉ।

୫) ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ତୁରନ୍ତ ରବ୍ଦ କରାଯାଉ।

୬) ଭିଜିଲାନ୍ସ ବିଭାଗକୁ ସ୍ଵୟଂଶାସିତ କରିଦିଆଯାଉ।

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

ଯୋଗାଯୋଗ: gassbhubaneswara@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe