- ପ୍ରଦୀପ ପ୍ରଧାନ
ବିଗତ କିଛି ବର୍ଷ ଧରି ରାଜ୍ୟରେ ସୂଚନାଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ, ହତ୍ୟା, ମିଛ ପୋଳିସ୍ କେସ୍ କରି ଜେଲରେ ଭର୍ତ୍ତି କରିବା ଇତ୍ୟାଦି ବଢ଼ିବଢ଼ି ଚାଲିଛି। ମୁଖ୍ୟତଃ ଭାବେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ବା ତଥ୍ୟ ଆଣି ଦୁର୍ନୀତିର ଖୋଲାସା କଲେ ସେମାନଙ୍କୁ ଟାର୍ଗେଟ୍ କରାଯାଉଛି। ଡିସେମ୍ବର ୧୦, ୨୦୧୯ରେ କନ୍ଧମାଳ ଜିଲ୍ଳାର ସୂଚନାଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଓ ଜାନୁଆରୀ ୩୧, ୨୦୨୦ରେ କେନ୍ଦ୍ରାପଡ଼ା ଜିଲ୍ଳାର ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେବା ଓ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଏକାଧିକ ସୂଚନାଧିକାର କର୍ମୀଙ୍କ ଉପରେ ଆକ୍ରମଣ, ହତ୍ୟା ଧମକ ଏ ପ୍ରସଙ୍ଗରେ ଆଲୋଚନାକୁ ଖୋରାକ ଯୋଗାଇଛି। ହତ୍ୟାକାଣ୍ଡର ବା ଆକ୍ରମଣର ଶିକାର ହୋଇଥିବା ପ୍ରତ୍ୟେକ ସୂଚନାଧିକାର କର୍ମୀ ସୂଚନା ଆଇନକୁ ବ୍ୟବହାର କରି ଅନେକ ଦୁର୍ନୀତିର ଖୋଲାସା କରିଥିଲେ ଓ ଏହି ତଥ୍ୟକୁ ନେଇ ଲୋକାୟୁକ୍ତଙ୍କଠାରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟରେ କେସ୍ କରିବା ସହିତ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଜାରି ରଖିଥିଲେ। ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ଠିକାଦାରମାନେ ସୁପାରି କିଲର ବା ଗୁଣ୍ଡାମାନଙ୍କୁ ଲଗାଇ ଏହିପରି ହତ୍ୟାକାଣ୍ଡ ଘଟାଇବା ବା ଆକ୍ରମଣର ଷଡ଼ଯନ୍ତ୍ର କରାଉଥିବାର ଦେଖିବାକୁ ମିଳୁଛି। ସୂଚନା ଆଇନରେ ଦୁର୍ନୀତିର ଯେତିକି ଖୋଲାସା ହେଉଛି ସୂଚନାଧିକାର କର୍ମୀଙ୍କ ଉପରେ ଆକ୍ରମଣ ସେତିକି ବଢ଼ିବାରେ ଲାଗିଛି।
ସ୍ୱାଧୀନୋତ୍ତର ଭାରତବର୍ଷରେ ନାଗରିକମାନେ ସେମାନଙ୍କ ଅର୍ଥରେ ପରିଚାଳିତ ସରକାରୀ ବ୍ୟବସ୍ଥା, ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ଇତ୍ୟାଦି ସମ୍ପର୍କରେ ତଥ୍ୟ ପାଇଥିବାର ଅଧିକାର ୨୦୦୫ ମସିହାରେ ପ୍ରଣୀତ ସୂଚନା ଅଧିକାର ଆଇନ ବଳରେ ପାଇଲେ। କାରଣ ଏହା ପୂର୍ବରୁ ବ୍ରିଟିଶ ଅମଳରେ ପ୍ରଣୀତ ସରକାରୀ ଗୋପନୀୟତା ଆଇନ, ୧୯୨୩ ଆଧାରରେ କୌଣସି ସରକାରୀ ଅଧିକାରୀ ନାଗରିକମାନଙ୍କୁ କୌଣସି ତଥ୍ୟ ପ୍ରଦାନ କରୁନଥିଲେ। ସରକାରୀ ଦପ୍ତରରେ ତଥ୍ୟ ମାଗିବା ବା ତଥ୍ୟ ପାଇଁ ଦାବି କରିବା ଏକ ବଡ଼ ଅପରାଧ ବୋଲି ଧରାଯାଉଥିଲା। ଯାହା ହେଉ ୨୦୦୫ ମସିହାରେ ପ୍ରଣୀତ ଏହି ସୂଚନା ଆଇନ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରଖିବା ପାଇଁ ଘୋଷଣା କରିବା ସହ ନାଗରିକମାନଙ୍କୁ ସରକାରୀ ଦପ୍ତରରୁ ସମସ୍ତ ସୂଚନା ପାଇବାର ଅଧିକାହର ଦେଲା। ସରକାରୀ ବ୍ୟବସ୍ଥାରେ ଚାଲିଥିବା ଦୁର୍ନୀତିକୁ ହଟେଇବା ଏହି ଆଇନର ଲକ୍ଷ୍ୟ ବୋଲି ଘୋଷଣା କରାଗଲା। ତେଣୁ ଏହି ଆଇନକୁ ବ୍ୟବହାର କରି ଦେଶ ତମାମ ସାମାଜିକ କର୍ମୀ, ସାଧାରଣ ନାଗରିକ ଓ ସୂଚନାଧିକାର କର୍ମୀମାନେ ସେମାନଙ୍କ ଅଞ୍ଚଳର ସରକାରୀ କାର୍ଯ୍ୟରେ ହେଉଥିବା ଦୁର୍ନୀତି, ଅନିୟମିତତାର ଖୋଲାସା ପାଇଁ ବିଭିନ୍ନ ସରକାରୀ ଦପ୍ତରରେ ସୂଚନା ପାଇଁ ଆବେଦନ କଲେ। ଅନେକ କ୍ଷେତ୍ରରେ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ବା ସରକାରୀ କର୍ମଚାରୀଙ୍କ ପକ୍ଷପାତ ନୀତି ଯୋଗୁ ନିଜ ଅଧିକାରରୁ ବଂଚିତ ହୋଇଥିବା ସାଧାରଣ ଲୋକେ ସୂଚନା ଆଇନକୁ ମଧ୍ୟ ବ୍ୟବହାର କଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା, ଏନ୍.ଆର୍.ଇ.ଜି.ଏ. କାମରେ ଟଙ୍କା ହେରଫେର, ମିଥ୍ୟା ବିଲ୍ କରି ଅର୍ଥ ହଡ଼ପ, ଆଇ.ସି.ଡି.ଏସ୍. ଯୋଜନାରେ ଛତୁଆ ଆବଣ୍ଟନରେ ଅନିୟମିତତା, ବିଭିନ୍ନ ରାସ୍ତା ନିର୍ମାଣ, ପୋଖରୀ ଖନନରେ ଦୁର୍ନୀତି, ପି.ଡି.ଏସ୍. ହିତାଧିକାରୀ ଚୟନରେ ଅନିୟମିତତା ଇତ୍ୟାଦି ସୂଚନା ଆଇନରେ ଲୋକଲୋଚନକୁ ଆସିବାରେ ଲାଗିଛି। ସେହିଭଳି ରାଜ୍ୟସ୍ତରରେ ସୂଚନା ଆଇନକୁ ଆୟୂଧ କରି ବହୁ ବଡ଼ବଡ଼ ଦୁର୍ନୀତି ଯଥା ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଜମି ଆବଣ୍ଟନରେ କେଳେଙ୍କାରୀ, କମ୍ପାନୀମାନଙ୍କ ଦ୍ୱାରା ଜଳକର, ବିଦ୍ୟୁତ୍ କର ଫାଙ୍କିବା, ବଡ଼ବଡ଼ ସରକାରୀ ନିଯୁକ୍ତିରେ ଘୋଟାଲା, କିଟ୍ ଜମି କେଳେଙ୍କାରୀ, ଘଙ୍ଗାପାଟଣା ଜମି ଦୁର୍ନୀତି ଲୋକଲୋଚନକୁ ଆସିପାରିଛି। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ସୂଚନା ଆଇନ ଏକ ଅମୋଘ ଅସ୍ତ୍ରରେ ପରିଣତ ହୋଇଛି।
ତେଣୁ ସୂଚନା ଅଧିକାର ଆଇନକୁ କିପରି ଅକାମୀ କରି ଦିଆଯିବ ବା ଏହାର ବ୍ୟାପକ ବ୍ୟବହାରରେ କିପରି ରୋକ ଲାଗଯିବ, ସେଥିପାଇଁ ସରକାରୀ ଅଧିକାରୀମାନେ ଯାବତୀୟ ଷଡ଼ଯନ୍ତ୍ର କରିଚାଲିଛନ୍ତି। ସୂଚନା ପ୍ରଦାନ ନ କରିବା, ସୂଚନା ପାଇଁ ଆବେଦନ କରିବାକୁ ଆସୁଥିବା ଲୋକମାନଙ୍କୁ ନିରୁତ୍ସାହିତ କରିବା, ଧମକ ଦେବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଅନେକ ଅଭିଯୋଗ ସୂଚନା କମିଶନରେ ହୋଇଛି। ସେହିପରି ଦୁର୍ନୀତିର ଖୋଲାସା ଉଦ୍ଦେଶ୍ୟରେ ସୂଚନା ପାଇଁ ଆବେଦନ କରୁଥିବା ବ୍ୟକ୍ତିବିଶେଷ ବା ସାମାଜିକ କର୍ମୀମାନଙ୍କୁ ଟାର୍ଗେଟ୍ କରିବା, ସେମାନଙ୍କୁ ଅର୍ଥ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରିବା, ନହେଲେ ଆକ୍ରମଣ ନଚେତ୍ ହତ୍ୟା ଧମକ ଇତ୍ୟାଦି ଆମ ରାଜ୍ୟରେ ସାଧାରଣ ଘଟଣା ହୋଇଯାଇଛି। କେତେକ ଉଦାହରଣ ଏଠାରେ ଅବତାରଣା କରାଯାଇପାରେ। ତା ୧୩.୦୫.୨୦୨୦ରେ ପୁରୀ ଜିଲ୍ଲା ଗୋପ ବ୍ଲକର ଗଡ଼ଭିଙ୍ଗୁରା ପଞ୍ଚାୟତର ସୂଚନାଧିକାର କର୍ମୀ ସପନ ସ୍ୱାଇଁଙ୍କୁ ସେ ଘରକୁ ଫେରୁଥିବା ରାସ୍ତାରେ ସ୍ଥାନୀୟ ସରପଞ୍ଚ ତାଙ୍କର ସହଯୋଗୀଙ୍କ ସହ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କର ଦୋଷ ହେଲା ସେ ସୂଚନା ଆଇନ ବଳରେ ବ୍ଲକକୁ ତାଙ୍କ ପଞ୍ଚାୟତର ପି.ଡି.ଏସ୍. ସାମଗ୍ରୀ ଆବଣ୍ଟନରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ତଥ୍ୟ ମାଗିଥିଲେ। ତଥ୍ୟ ନ ମିଳିବାରୁ ସେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିଥିଲେ। ସେହିଦିନ ଅପିଲ ଶୁଣାଣୀ ସାରି ସେ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ସେ ବାଲିସାହି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ସାମାଜିକ କର୍ମୀ ଅବସରପ୍ରାପ୍ତ ସୈନିକ ମହେଶ୍ୱର ମହାନ୍ତି, ଜିରାଳ ଗ୍ରାମ ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନମୂଳକ କାମ ଯଥା ଏନ୍.ଆର୍.ଇ.ଜି.ଏ. କାମରେ ହୋଇଥିବା ବିଭିନ୍ନ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିବା ସହ ସୂଚନା ଆଇନରେ ତଥ୍ୟ ମାଗିଥିଲେ। ଏଥିପାଇଁ ଠିକାଦାର ଗୋଷ୍ଠୀ ସମ୍ମିଳିତ ହୋଇ ତା ୦୮.୦୮.୨୦୨୧ରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାଧିକାରୀ କୌଣସି ପଦକ୍ଷେପ ନେଇନଥିଲେ। ଏହାପରେ ସେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତା ୧୬.୦୮.୨୦୧ରେ କେସ୍ ଦାଖଲ କରିଥିଲେ।
ସେହିପରି ଗତ ମାର୍ଚ୍ଚ, ୨୦୨୧ରେ ଯାଜପୁର ଜିଲ୍ଲାର ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ବୋମା ଫିଙ୍ଗି ହତ୍ୟା କରାଯିବାର ଷଡ଼ଯନ୍ତ୍ର ହୋଇଥିଲା। ସେ ଅଳ୍ପକେ ବଂଚି ଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସେ ସୂଚନା ଅଧିକାର ଆଇନରେ ତଥ୍ୟ ଆଣି ଧର୍ମଶାଳା ତହସିଲରେ ଚାଲିଥିବା ବ୍ୟାପକ ଖଣିଜ ଦ୍ରବ୍ୟ ଯଥା କଳାପଥର, ବାଲି ହରିଲୁଟ୍, ଲୋକଲୋଚନକୁ ଆଣିବା ସହ ଲୋକାୟୁକ୍ତ ତଦନ୍ତ କରାଇଥିଲେ। ଫଳରେ ବାଲି ମାଫିଆ, ଖଣି ମାଫିଆମାନେ ସୁପାରି କିଲର ଲଗେଇ ତାଙ୍କୁ ହତ୍ୟା କରିବାର ଚକ୍ରାନ୍ତ କରିଥିଲେ।
ସମଗ୍ର ରାଜ୍ୟରେ ଯେଉଁମାନେ ଦୁର୍ନୀତିର ଖୋଲାସା କଲେ ବା ଦୁର୍ନୀତିକୁ ଲୋକଲୋଚନକୁ ଆଣିଲେ, ସେମାନେ ଆକ୍ରମଣର ସମ୍ମୁଖୀନ ହେଲେ। ଏ ସମ୍ପର୍କରେ ସେମାନଙ୍କ ପରିବାର ତରଫରୁ ଥାନାରେ ହେଉଥିବା ଅଭିଯୋଗକୁ ପୋଲିସ୍ ଅନେକ ସମୟରେ ପଞ୍ଜିକୃତ କରେନାହିଁ ବା ଯଦି ପଞ୍ଜିକୃତ କରେ ତେବେ ତଦନ୍ତ କରେନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେନାହିଁ। କିନ୍ତୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କଠାରୁ ସୂଚନାଧିକାର କର୍ମୀମାନଙ୍କ ବିରୁଦ୍ଧରେ ଦାଖଲ ହେଉଥିବା ମିଥ୍ୟା ଅଭିଯୋଗକୁ ତୁରନ୍ତ ରେଜିଷ୍ଟ୍ରେସନ୍ କରି ସେମାନଙ୍କୁ ଆରେଷ୍ଟ କରିବା ପାଇଁ ପୋଲିସ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥାଏ। ଏଠାରେ ଏହିପରି ଦୁଇଟି ମିଥ୍ୟା କେସର ଉଦାହରଣ ଦିଆଯାଇପାରେ। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ପୂବାଗଡ଼ ଗ୍ରାମର ଜଣେ ଦଳିତ ମହିଳା ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ ବିରୁଦ୍ଧରେ ବାଲିପାଟଣା ଥାନାରେ ତା ୩୧.୦୩.୨୦୨୧ ଅପରାହ୍ନ ୫ଟା ୩୦ ମିନିଟରେ ନାରୀ ନିର୍ଯ୍ୟାତନା ନେଇ ମିଥ୍ୟା ମାମଲା ଦାଖଲ କଲେ। ଦାଖଲ କରିବାର ମାତ୍ର ୨ ଘଣ୍ଟା ମଧ୍ୟରେ ଅର୍ଥାତ୍ ୭ଟା ୩୮ ମିନିଟରେ ପୋଲିସ୍ ମାମଲା ପଞ୍ଜିକୃତ କରିଥିଲେ। କିନ୍ତୁ ଏହା ଏକ ମିଥ୍ୟା ମାମଲା ଥିବାରୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କଲାନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସୁନେଇ ଭୋଇ ଏପରି ଲୋକକୁ ଜାଣିନାହାନ୍ତି ଏବଂ ସେ ଏହି କେସ୍ କରିନାହାନ୍ତି ବୋଲି ତା ୧୦.୦୯.୨୦୨୧ରିଖରେ ଏକ ତଥ୍ୟାନୁସନ୍ଧାନକାରୀ ଦଳ ନିକଟରେ ପ୍ରକାଶ କରିଥିଲେ। ସେହିପରି ଉକ୍ତ ବାଲିପାଟଣା ବ୍ଲକର ଅନ୍ୟ ଜଣେ ଦଳିତ ମହିଳା ଶ୍ରୀମତୀ ଲିପ୍ସି ନାୟକ ଭୁବନେଶ୍ୱର ମହିଳା ଥାନାରେ ତିନିଜଣ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ଅନୁରୂପ ଦଳିତ ନାରୀ ନିର୍ଯ୍ୟାତନା ମିଥ୍ୟା ମାମଲା ତା ୦୫.୦୯.୨୦୨୧ରିଖରେ ଅପରାହ୍ନ ୩ଟା ୩୦ ମିନିଟରେ ଦାଖଲ କରିଥିଲେ ଏବଂ ପୋଲିସ୍ ଘଣ୍ଟାକ ଭିତରେ କେସ ପଞ୍ଜିକୃତ କରାଇଥିଲେ। ଏହା ଧରାପଡ଼ିଯିବାରୁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ନିବୃତ୍ତ ରହିଥିଲା।
ଯେହେତୁ ସୂଚନାଧିକାର କର୍ମୀମାନଙ୍କ ଲଗାତର ପ୍ରୟାସ ଯୋଗୁ ସରକାରୀ ଯୋଜନାରେ ଚାଲିଥିବା ଅନେକ ଦୁର୍ନୀତି ଲୋକଲୋଚନକୁ ଆସିବାର ଲାଗିଛି ସେଥିପାଇଁ ସରକାରୀ ବ୍ୟବସ୍ଥାରେ ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଶାସକ ଦଳର ନେତା ଏବଂ ଠିକାଦାରୀ ସଂସ୍ଥାମାନେ କଳେବଳେ କୌଶଳେ ଏମାନଙ୍କୁ ନିପାତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ପୋଲିସ୍ ପ୍ରଶାସନକୁ ମଧ୍ୟ ବ୍ୟବହାର କରାଯାଉଛି। ସୂଚନାଧିକାର କର୍ମୀମାନଙ୍କ ସୁରକ୍ଷା ପାଇଁ କୌଣସି ବିଧିବିଦ୍ଧ ଆଇନ ମଧ୍ୟ ନାହିଁ। କେନ୍ଦ୍ର ସରକାର ୨୦୧୪ ମସିହାରେ ସୂଚନାଧିକାର କର୍ମୀମାନଙ୍କ ସୁରକ୍ଷା ପାଇଁ ଅନ୍ୟ ଏକ ଆଇନ ପ୍ରଣୟନ କରିଥିଲେ। କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଏହି ଆଇନକୁ କାର୍ଯ୍ୟକାରୀ କଲେନାହିଁ। ସୂଚନାଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ କେବଳ ଓଡ଼ିଶାରେ ସୀମିତ ନୁହେଁ। ସମଗ୍ର ଭାରତବର୍ଷରେ ଏହି ଅବସ୍ଥା ଜାତୀୟ ସ୍ତରରେ ୧୬ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି ଏବଂ ୫୦୦ ଜଣଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା, ମରଣାନ୍ତକ ଆକ୍ରମଣ ହୋଇଛି। ଯଦି ଏହି ଧାରା ଚାଲୁରହେ, ତେବେ ଦୁର୍ନୀତି ବିରୋଧୀ ସ୍ୱର ଆସ୍ତେଆସ୍ତେ ଲୋପ ପାଇଯିବ ଏବଂ ସୂଚନା ଆଇନ ମଧ୍ୟ ଅକାମୀ ହୋଇଯିବ। ତେଣୁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସାଧାରଣ ଜନତା, ସାମାଜିକ କର୍ମୀ ଓ ସୂଚନାଧିକାର କର୍ମୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କୁ ସେମାନଙ୍କ କାମ କରେଇବା ପାଇଁ ସୁଯୋଗ ଦେବା ରାଷ୍ଟ୍ରର ଦାୟିତ୍ୱ ଓ ସିଭିଲ ସୋସାଇଟିର ଦାୟିତ୍ୱ ମଧ୍ୟ। କାରଣ ଏମାନେ ଭିନ୍ନଭିନ୍ନ ଏକ ମୁକ୍ତିଯୁଦ୍ଧର ଜଣେ ଜଣେ ସୈନିକ।
ସୂଚନାଧିକାର କର୍ମୀ
ମୋ : ୯୯୩୭୮୪୩୪୮୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।