ରବି ଦାସ
ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାର ଲୁଣାପାଣି ଅଂଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖରସ୍ରୋତା ନଦୀରୁ ଜଳ ନେବା ପାଇଁ ଯେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହାକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିବା ଫଳରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ପାଇଁ କନିକାର ବରୁଣଡିହା ନିକଟରେ ଖରସ୍ରୋତା ନଦୀ ଉପରେ ବିରାଟ କୂଅ ଖୋଳାଯିବା କାର୍ଯ୍ୟ ଆରମ୍ଭ ଦିନ ସାଧାରଣ ଲୋକମାନେ ତୀବ୍ର ବିରୋଧ କରିବା ସହିତ ପୋଲିସ ସହିତ ଗଣ୍ଡଗୋଳ ହେବାରୁ ପ୍ରାୟ ଦୁଇ ଡଜନ୍ ଲୋକଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ୩୦୭ ଓ ୩୯୫ ଭଳି ମାରାତ୍ମକ ଦଫାରେ ମାମଲା କରାଯାଇଥିବାରୁ ସେମାନଙ୍କର ତୁରନ୍ତ ଜାମିନ ମଧ୍ୟ ହୋଇପାରିନାହିଁ।
ସାଧାରଣ ଲୋକମାନଙ୍କର ମୁଖ୍ୟ ଅଭିଯୋଗ ହେଲା ଯେ, ଭଦ୍ରକ ଜିଲ୍ଲାର ଯେଉଁ ୯୧ଟି ଗ୍ରାମ ପଂଚାୟତ ପାଇଁ ମଧୁର ଜଳ ଖରସ୍ରୋତାରୁ ନେବାର ବନ୍ଦୋବସ୍ତ କରାଯାଉଛି ତାହା ଦ୍ୱାରା ସ୍ଥାନୀୟ ଜନସାଧାରଣ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଅସୁବିଧାର ସମ୍ମୁଖୀନ ହେବେ। ଖରସ୍ରୋତା ନଦୀରେ ଲୁଣାପାଣି ଏବେ ଯେଉଁ ପର୍ଯ୍ୟନ୍ତ ଆସୁଛି ତାହାର ଉପରମୁଣ୍ଡରେ ମଧୁର ଜଳଥିବା ଅଂଚଳରୁ ବଡ଼ କୂଅ କରି ଉଠା ପାଇପ୍ ଜରିଆରେ ଯେଉଁ ପାଣି ନିଆଯିବ ସେଥିରେ ଭବିଷ୍ୟତରେ ସାଧରଣ ଅଂଚଳବାସୀ କ୍ଷତିଗ୍ରସ୍ତ ହେବେ। ଏହି ପ୍ରକଳ୍ପ ପାଇଁ ପ୍ରଥମେ ସାଳନ୍ଦୀ ନଦୀରୁ ଓ ପରେ ଆଖୁଆପଦାଠାରୁ ପାଣି ଉଠାଇ ପାଇପ୍ ଯୋଗେ ପାଣି ନେବାର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ବୈଷୟିକ କାରଣରୁ ତାହା ସଫଳ ନହେବାରୁ ଅଧିକ ଗଭୀର ପାଣି ରହୁଥିବା ଖରସ୍ରୋତା ନଦୀର ସ୍ରୋତ ନିକଟରେ ଏହି ପ୍ରକଳ୍ପ କରାଯାଉଛି। ବ୍ରାହ୍ମଣୀ ନଦୀର ପ୍ରାୟ ୭୨ ଭାଗ ଜଳ ଖରସ୍ରୋତାରେ ପ୍ରବାହିତ ହୋଇପାରେ। ସରକାରଙ୍କର ସର୍ଭେ ଓ ବାସ୍ତବତାକୁ ଦେଖିଲେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ଯାକ ବ୍ଲକରେ ଭୂତଳ ଜଳରେ ଲୁଣା ପାଣି ରହୁଥିବାରୁ ଏହିସବୁ ଅଂଚଳରେ ପାନୀୟ ଜଳ ପାଇଁ ସବୁବେଳେ ସଂକଟ ରହିଛି। ଏପରିକି ଏବେ ଭଦ୍ରକ ଜିଲ୍ଲାର ୯୧ଟି ପଂଚାୟତ ପାଇଁ ଯେଉଁଠାରୁ ଜଳ ନିଆଯାଉଛି ତାହାରି ପାଖ ପଂଚାୟତଗୁଡ଼ିକରେ ମଧ୍ୟ ୬୦/୭୦ଫୁଟ୍ ଖୋଳିଲେ ମଧ୍ୟ ମଧୁର ଜଳ ମିଳୁନାହିଁ। ଏଣୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଓ ପାଖ ଅଂଚଳଗୁଡ଼ିକୁ ଗୁରୁତ୍ୱ ନଦିଆଯାଇ ଭଦ୍ରକ ଜିଲ୍ଲା ପ୍ରତି ଗୁରୁତ୍ୱ ଦେବା ପଛରେ ଧାମରାସ୍ଥିତ ଆଦାନୀ କମ୍ପାନୀକୁ ଜଳ ଯୋଗାଇବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜନସାଧାରଣ ବିଶ୍ୱାସ କରୁଛନ୍ତି।
କିନ୍ତୁ ସରକାରଙ୍କ ଯୁକ୍ତି ହେଲା ଯେ, ଖରସ୍ରୋତା ନଦୀର ସେହି ସ୍ଥାନରୁ ମାତ୍ର ଶତକଡ଼ା ୨.୫ ଭାଗ ପାଣି ନିଆଯାଉଛି ଓ ସେଗୁଡ଼ିକ ଜଳକ୍ଳୀଷ୍ଟରେ ଥିବା ଭଦ୍ରକ ପଂଚାୟତଗୁଡ଼ିକୁ ପାନୀୟ ଜଳ ଯୋଗାଇବାରେ ବ୍ୟବହୃତ ହେବ। ଲୋକମାନଙ୍କ ଦାବି ହେଲା ଯେ, ପ୍ରଥମେ ବ୍ୟାରେଜ ନିର୍ମାଣ କରାଯାଉ, ତା’ପରେ ପାନୀୟ ଜଳ ନେବା ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ ହେଉ। ବ୍ୟାରେଜ ନିର୍ମାଣ ପାଇଁ ବାସ୍ତବରେ ସେପରି ଅସୁବିଧା ନାହିଁ ଓ ଜିଲ୍ଲାପାଳ ମଧ୍ୟ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ବିଚାରାଧୀନ ଥିବା କହୁଛନ୍ତି। କିନ୍ତୁ ଜନସାଧାରଣଙ୍କ ବିଶ୍ୱାସ ଯେ, ଥରେ ପ୍ରକଳ୍ପ କାର୍ଯ୍ୟ ସରି ପାଇପ ନିର୍ମାଣ ହୋଇଗଲେ ବ୍ୟାରେଜ ନିର୍ମାଣକୁ ସରକାର ଭୁଲିଯିବେ। ଅବଶ୍ୟ ସ୍ଥାନୀୟ ଲୋକମାନଙ୍କର ବିରୋଧକୁ ଦେଖି ପ୍ରକଳ୍ପ ନିକଟସ୍ଥ ତିନୋଟି କନିକା ପଂଚାୟତରେ ଏହି ପାନୀୟ ଜଳ ଯୋଗାଇବା ପାଇଁ କାମ କରୁଥିବା କମ୍ପାନୀ ରାଜି ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସଂପୂର୍ଣ୍ଣ ଭାବରେ ପାନୀୟ ଜଳ ଦୃଷ୍ଟିରୁ ଘୋର ଅସୁବିଧାର ଥିବା ସମୟରେ ଖରସ୍ରୋତାରୁ ଯେଉଁ ପ୍ରକଳ୍ପ ଏବେ କରାଯାଉଛି ସେଥିରେ ୮୯୨ କୋଟି ଟଙ୍କା ଅର୍ଥାତ୍ ପାଖାପାଖି ହଜାରେ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏତେବଡ଼ ପ୍ରକଳ୍ପ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଛନ୍ତି ନା ଆଦାନୀ କମ୍ପାନୀ ଏଥିପାଇଁ ସହାୟତା କରୁଛି ତାହା ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଚାଲିଛି। ପରିସ୍ଥିତିକୁ ଦେଖି ନଦୀର ଅନ୍ୟପାଶ୍ୱର୍ରେ ଆଳି ଓ ରାଜନଗର ପାଇଁ ଦୁଇଟି ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ହୋଇଛି। କିନ୍ତୁ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଭିତରକନିକା ଅଭୟାରଣ୍ୟ ଓ ଜୈବମଣ୍ଡଳ ଉପରେ କି ପ୍ରଭାବ ପକାଇବ ତାହା ନେଇ ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏହି ପ୍ରକଳ୍ପ ନେଇ ଜଣେ ସ୍ଥାନୀୟ ବାସିନ୍ଦା ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ଯେଉଁ ମାମଲା କରିଥିଲେ ସେଥିରେ ଏହି ପ୍ରକଳ୍ପ ଦ୍ୱାରା ଅଭୟାରଣ୍ୟର କିଛି କ୍ଷତି ହେବ ନାହିଁ ବୋଲି କୁହାଯାଇଛି। ଏପରିକି ଲୁଣାପାଣି ଅଧିକ ଭାବରେ ନଦୀରେ ଆଗକୁ ଆସିବ କି ନାହିଁ ସେ ସଂପର୍କରେ କୌଣସି ଅଧ୍ୟୟନ ନଥିବାରୁ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏହା ନେଇ କୌଣସି ପ୍ରକଳ୍ପ ବିରୋଧୀ ମନ୍ତବ୍ୟ ଦେଇନାହାନ୍ତି। ମାମଲା ଦାୟର କରିଥିବା ଦରଖାସ୍ତକାରୀଙ୍କ ପାଖରେ ଏହି ନଦୀରେ ଓ ଭିତରକନିକା ଅଭୟାରଣ୍ୟ ଓ ଜୈବମଣ୍ଡଳ ନେଇ ଯଥେଷ୍ଟ ତଥ୍ୟ ନଥିବାରୁ ସରକାଙ୍କ ଜବାବରେ ଗ୍ରୀନ୍ ଟ୍ରିବ୍ୟୁନାଲ ରାଜି ହୋଇଛନ୍ତି। ଏହି ପ୍ରକଳ୍ପ ପାଇଁ ଯେତେ ଲୋକଙ୍କୁ ପାନୀୟ ଜଳ ଯୋଗାଯିବ ସେଥିପାଇଁ ପ୍ରକଳ୍ପରୁ ଦୈନିକ ୮୮ ନିୟୁତ ଲିଟର ପାଣି ଉଠାଯିବ। ଜଣ ପିଛା ୮୦ ଲିଟର ପାଣି ହିସାବରେ ବିଚାର କରାଯାଇ ଏହି ତଥ୍ୟ ଦିଆଯାଇଛି। କିନ୍ତୁ ଏତେ ପରିମାଣରର ପାଣି ଭଦ୍ରକର ପାନୀୟ ଜଳ ପାଇଁ କେତେଦୂର ଆବଶ୍ୟକ ତାହା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ଜାଣିଶୁଣି ଆଦାନୀକୁ ପାଣି ବିକ୍ରି କରିବା ପାଇଁ ଅଧିକ ଜଳ ଉଠାଣର ବ୍ୟବସ୍ଥା କରାଯାଉଥିବା ଅନୁମାନ କରାଯାଉଛି। ଏହିସବୁ ପ୍ରଚାରକୁ ଖଣ୍ଡନ କରିବାକୁ ହେଲେ ପ୍ରଥମେ ପ୍ରକଳ୍ପ ନିକଟରେ ବ୍ୟାରେଜ ନିର୍ମାଣକୁ ଗୁରୁତ୍ୱ ଦିଆଯିବା ଉଚିତ। ଭଦ୍ରକ ଜିଲ୍ଲା ସହିତ ସବୁଠାରୁ ଅଧିକ ଜଳକଷ୍ଟରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ବ୍ଲକ ପାଇଁ ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ।
ଘଟଣାସ୍ଥଳରେ ଯେଉଁ ଧରଣର ଉତେଜନା ସୃଷ୍ଟି ହୋଇଛି ଓ ଯେପରି ଭାବରେ ପ୍ରତିବାଦକାରୀମାନଙ୍କୁ ମାରାତ୍ମକ ଦଫାରେ ଗିରଫ କରାଯାଇଛି ତାହାର ଅବସାନ ପାଇଁ ସେମାନଙ୍କୁ ପ୍ରଥମେ ଖଲାସ କରାଯିବା ଉଚିତ। ପ୍ରତିବାଦ କରିବା ଏକ ଗଣତାନ୍ତ୍ରିକ ଅଧିକାର। ପରିବେଶ ପ୍ରତି ବିପଦ ନାହିଁ ବୋଲି କୁହାଯାଇ ସେଠାରେ କୌଣସି ଜନଶୁଣାଣି କରାଯାଇନାହିଁ। ଲୋକତନ୍ତ୍ରରେ ପ୍ରଶାସନ ଜନଶୁଣାଣିକୁ ଏଡ଼ାଇଯିବା ଉଚିତ ନୁହେଁ। ସେହି ଦୃଷ୍ଟିରୁ ଜିଲ୍ଲାପାଳ ଓ ଆରଡିସି ଲୋକମାନଙ୍କୁ ଡକାଇ ସେମାନଙ୍କର ଅଭଯୋଗ ଓ ଉଦବେଗକୁ ଶୁଣି ତାହାର ସମାଧାନ କରିବା ନିହାତି ଆବଶ୍ୟକ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।