- ସରଳ କୁମାର ଦାସ
ନୀତି ଆୟୋଗ ଦ୍ୱାରା ଗତ ତିନି ବର୍ଷ ଧରି ଦେଶରେ ଏକ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ସୂଚକାଙ୍କ ତାଲିକା ପ୍ରସ୍ତୁତ ହୋଇ ଆସୁଛି ଓ ସେହି ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କର ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କର ରାଙ୍କିଙ୍ଗ ପ୍ରସ୍ତୁତ ହେଉଛି। ୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ସୂଚକାଙ୍କ ତାଲିକାରେ ୨୮ଟି ରାଜ୍ୟ ମଧ୍ୟରେ ଓଡିଶା ୬୧ ନମ୍ୱର ପାଇ ୨୧ଶ ସ୍ଥାନରେ ରହିବା ପରେ ଓଡ଼ିଶାର ଏହି ନିମ୍ନ ପ୍ରଦର୍ଶନ ପାଇଁ ଆଲୋଚନା ହେଉଛି। ଏହି ତାଲିକାରେ ଓଡ଼ିଶା ତଳକୁ ଯେଉଁ ୭ଟି ରାଜ୍ୟ ରହିଛନ୍ତି ସେଗୁଡିକ ହେଲେ ବିହାର, ଝାରଖଣ୍ଡ, ଆସାମ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ। ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ତାଲିକାରେ ଓଡ଼ିଶା ତଳକୁ ଥିବା ୧୦ଟି ରାଜ୍ୟ ମଧ୍ୟରୁ ଏ ବର୍ଷ ତାଲିକାରେ ଛତିଶଗଡ଼, ହରିଆଣା ଓ ନାଗାଲାଣ୍ଡ ରାଜ୍ୟ ଓଡ଼ିଶା ଉପରକୁ ଉଠି ଯାଇଥିବାରୁ ଓଡ଼ିଶାର ସ୍ଥାନ ତଳକୁ ଖସି ଆସିଛି। ତେବେ ଏହି ତାଲିକାଟିର ପ୍ରସ୍ତୁତି ପ୍ରକ୍ରିୟା ସହ ଓଡ଼ିଶାର ପ୍ରଦର୍ଶନ କାହିଁକି ଆଶାନୁରୂପ ହୋଇ ପାରୁନାହିଁ ତାହା ବୁଝିବାର ଆବଶ୍ୟକତା ରହିଛି।
ଜାତିସଙ୍ଘର ୧୯୩ଟି ସଭ୍ୟ ଦେଶଙ୍କ ଅନୁମୋଦନ କ୍ରମେ ଜାନୁଆରୀ ୧, ୨୦୧୬ଠାରୁ ଆଗାମୀ ୧୫ ବର୍ଷ ମଧ୍ୟରେ ୧୭ଟି ଲକ୍ଷ୍ୟ ଓ ୧୬୯ଟି ଉଦ୍ଦେଶ୍ୟ ହାସଲ କରିବା ଲାଗି ଏକ ନିରନ୍ତର ବିକାଶ ଲକ୍ଷ୍ୟ (ସସଟେନେବଲ ଡେଭଲପମେଣ୍ଟ ଗୋଲ) ଘୋଷିତ ହେଲା। ଭାରତ ମଧ୍ୟ ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତ ଆଜେଣ୍ଡା ୨୦୩୦ର କାର୍ଯ୍ୟପନ୍ଥା ପ୍ରତି ସମ୍ପୂର୍ଣ୍ଣ କଟିବଦ୍ଧ। ଏଥିପାଇଁ ପ୍ରଚଳିତ ସରକାରୀ ଯୋଜନାଗୁଡିକୁ ନୀତି ଆୟୋଗ ଦ୍ୱାରା ଚିହ୍ନିତ କରା ଯାଇଛି। ତେବେ ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ସକ୍ରିୟ ଅଂଶଗ୍ରହଣ ଅପରିହାର୍ଯ୍ୟ ହୋଇଥିବାରୁ ସେଥି ପ୍ରତି ବିଶେଷ ଧ୍ୟାନ ଦିଆ ଯାଇ ପ୍ରତି ରାଜ୍ୟର ପ୍ରତିଟି ଲକ୍ଷ୍ୟ ହାସଲରେ ଅଗ୍ରଗତିକୁ ଲିପିବଦ୍ଧ କରିବା ପାଇଁ ତିନି ବର୍ଷ ଧରି ପ୍ରତି ବର୍ଷ ନୀତି ଆୟୋଗ ଦ୍ୱାରା ଏକ ଏସଡିଜି ସୂଚକାଙ୍କ ପୁସ୍ତିକା ପ୍ରକାଶ ପାଇ ଆସୁଛି। ୨୦୧୮ ଡିସେମ୍ୱର ମାସରେ ପ୍ରକାଶିତ ପ୍ରଥମ ପୁସ୍ତିକାଟିରେ ବେସ୍ ଲାଇନ ତଥ୍ୟ ଆଧାରରେ ସୂଚକାଙ୍କ ପ୍ରସ୍ତୁତ ହୋଇଥିବା ବେଳେ ୨୦୧୯-୨୦ ଓ ୨୦୨୦-୨୧ ପାଇଁ ପ୍ରକାଶିତ ପୁସ୍ତିକାରେ ବାର୍ଷିକ ସୂଚକାଙ୍କ ସ୍ଥାନିତ। ବିଭିନ୍ନ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରତିଟି ରାଜ୍ୟର ପ୍ରଦର୍ଶନ ଅନୁଯାୟୀ ସେମାନେ ପାଇଥିବା ଅଙ୍କ ଆଧାରରେ ସେଗୁଡ଼ିକୁ ଚାରିଟି ଶ୍ରେଣୀରେ ବିଭକ୍ତ କରା ଯାଇଥାଏ। ୦ରୁ ୪୯ ଅଙ୍କ ପାଇଥିବା ରାଜ୍ୟ ‘ଆକାଂକ୍ଷୀ’ (ଆସ୍ପିରାଣ୍ଟ), ୫୦ରୁ ୬୪ ଅଙ୍କ ପାଇଥିବା ରାଜ୍ୟ ‘ନିର୍ବାହକ’ (ପରଫର୍ମର), ୬୫ରୁ ୯୯ ଅଙ୍କ ପାଇଥିବା ରାଜ୍ୟ ‘ଅଗ୍ରଣୀ’ (ଫ୍ରଣ୍ଟ ରନର) ଓ ୧୦୦ ଅଙ୍କ ପାଇଥିବା ରାଜ୍ୟ ‘ଅର୍ଜନକାରୀ’ (ଆଚିଭର) ଶ୍ରେଣୀଭୁକ୍ତ ହୋଇଥାଆନ୍ତି। ସମସ୍ତ ଲକ୍ଷ୍ୟରେ ମିଳିଥିବା ଅଙ୍କକୁ ଏକୀକୃତ କରି ଚୂଡାନ୍ତ ସୂଚକାଙ୍କ ତାଲିକାଟି ପ୍ରସ୍ତୁତ ହୋଇଥାଏ। ୨୦୧୮ରେ ସମୁଦାୟ ୧୭ଟି ଲକ୍ଷ୍ୟ ମଧ୍ୟରୁ ୧୩ଟି ଲକ୍ଷ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆ ଯାଇଥିବା ବେଳେ ପରବର୍ତ୍ତୀ ଦୁଇ ବର୍ଷ ଧରି ୧୫ଟି ଲକ୍ଷ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି। ଏସଡିଜିର ୧୪ ନମ୍ୱର ଲକ୍ଷ୍ୟ ମହାସାଗର, ସାଗରର ସଂରକ୍ଷଣ ଓ ସାମୁଦ୍ରିକ ସମ୍ୱଳର ବିକାଶ ସବୁ ରାଜ୍ୟ ପ୍ରତି ପ୍ରଯୁଜ୍ୟ ହୋଇ ନ ଥିବାରୁ ଓ ୧୭ ନମ୍ୱର ଲକ୍ଷ୍ୟ (ଭାଗିଦାରୀ) ରାଜ୍ୟ ସ୍ତରରେ ଉପଯୁକ୍ତ ତଥ୍ୟ ଅଭାବରୁ, ସେ ଦୁଇଟିକୁ ବିଚାରକୁ ନିଆଯାଇ ନାହିଁ। ୨୦୧୮ରେ ଜାତୀୟ ସ୍ତରରେ ପ୍ରଦର୍ଶନ ୫୭ ଅଙ୍କ ଥିବା ବେଳେ ତାହା ଏ ବର୍ଷ ୬୬କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ୫୧ରୁ ବଢ଼ି ୬୧ରେ ପହଞ୍ଚିଥିଲେ ମଧ୍ୟ ତାହା ଏ ଯାଏଁ ଜାତୀୟ ପ୍ରଦର୍ଶନର ସମକକ୍ଷ ହୋଇ ପାରି ନାହିଁ। ଅର୍ଥାତ୍ ଓଡ଼ିଶା ଲଗାତର ଭାବେ ନିର୍ବାହକ ଶ୍ରେଣୀରେ ରହିଛି। ଏହି ତାଲିକାରେ ୫୨ ଅଙ୍କ ସହ ବିହାର ସବା ତଳେ ଥିବା ବେଳେ ୭୫ ଅଙ୍କ ସହ କେରଳ ସର୍ବୋଚ୍ଚ ସ୍ଥାନରେ ରହିଛି।
ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଯେଉଁ ୬ଟି ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ‘ଆକାଂକ୍ଷୀ’ ଶ୍ରେଣୀରେ ରହି ଅତି ପଛରେ ପଡ଼ିଛି ସେଗୁଡ଼ିକ ହେଲା ଲକ୍ଷ୍ୟ ୧ (ଦାରିଦ୍ର୍ୟମୁକ୍ତି), ଲକ୍ଷ୍ୟ ୨ (କ୍ଷୁଧାମୁକ୍ତି). ଲକ୍ଷ୍ୟ ୪ (ଗୁଣାତ୍ମକ ଶିକ୍ଷା), ଲକ୍ଷ୍ୟ ୫ (ଲୈଙ୍ଗିକ ସମାନତା), ଲକ୍ଷ୍ୟ ୮ (ଆର୍ଥିକ ଅଭିବୃଦ୍ଧି) ଓ ଲକ୍ଷ୍ୟ ୯ (ଉଦ୍ୟୋଗ, ନବ ଉନ୍ମେଷ ଓ ସୁବିଧା)। ଏସଡିଜିର ପ୍ରଥମ ଲକ୍ଷ୍ୟ ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ। ଏଥିପାଇଁ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ)କୁ ଆଧାର କରି ଦାରିଦ୍ର୍ୟ ଚିହ୍ନିତ କରା ଯାଇଥାଏ, ଯେଉଁଥିରେ ଆୟ ଆଧାରିତ ଦାରିଦ୍ର୍ୟ ସହିତ ଅଣ-ଆୟ ଆଧାରିତ ଦାରିଦ୍ର୍ୟକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଥାଏ। ତଦନୁଯାୟୀ ଜଣେ ସର୍ବନିମ୍ନ ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ନିଯୁକ୍ତି ସୁଯୋଗ ଆଦି ପାଇବାରୁ ବଞ୍ଚିତ ହେଉଛି କି ନାହିଁ ତାହାକୁ ଭିତ୍ତି କରି ତାର ଦାରିଦ୍ର୍ୟର ନିର୍ଦ୍ଧାରଣ କରା ଯାଇଥାଏ। ଏହି ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ୪୧ ଅଙ୍କ ପାଇ ତଳ ଆଡୁ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ତଳକୁ ରହିଛନ୍ତି ଝାରଖଣ୍ଡ ଓ ବିହାର। କ୍ରମାଗତ ଭାବେ ଓଡ଼ିଶା କମ ଅଙ୍କ ପାଇବା (୨୦୧୮, ୨୦୧୯-୨୦, ଓ ୨୦୨୦-୨୧ରେ ଓଡ଼ିଶା ଏଥିରେ ଯଥାକ୍ରମେ ୫୯, ୪୭ ଓ ୪୧) ବାସ୍ତବିକ ଉଦବେଗଜନକ, କାରଣ ଏଥିରୁ ସ୍ଥିତିରେ ଉନ୍ନତି ନ ହୋଇ ଅବନତି ହେଉଥିବା ଜଣା ପଡୁଛି। ଏଠାରେ ୩୨.୫୯ ପ୍ରତିଶତ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବେଳେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ ଆଧାରରେ ଦରିଦ୍ର ଲୋକଙ୍କ ପ୍ରତିଶତ ୩୫.୯୦। ଏଥି ସହିତ ସାରା ଦେଶରେ ହାରାହାରି ୪ ପ୍ରତିଶତ ଲୋକ କଚ୍ଚା ଘରେ ରହୁଥିବା ବେଳେ ଓଡ଼ିଶାରେ ପ୍ରାୟ ୧୪ ପ୍ରତିଶତ ଲୋକ କଚ୍ଚା ଘରେ ରହନ୍ତି। ବାତ୍ୟା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତରିତ କଲା ବେଳେ କେତେ ଲୋକ ଯେ ଏବେ ବି କଚ୍ଚା ଘରମାନଙ୍କରେ ରହୁଛନ୍ତି, ତା’ର ଏକ ଝଲକ ଦେଖିବାକୁ ମିଳିଥାଏ। ଏହା ହିଁ ଏଠିକାର ଉତ୍କଟ ଦାରିଦ୍ର୍ୟର ନିଦର୍ଶନ। ଆଶ୍ରୟହୀନତାର ସମସ୍ୟାରୁ ରାଜ୍ୟର ଦାରିଦ୍ର୍ୟ ଜଳଜଳ ହୋଇ ଦିଶୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଯଦି ମିଶନ ମୋଡ଼୍ରେ କାମ ହୁଅନ୍ତା, ତେବେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କରେ ହୁଏତ ଓଡ଼ିଶାର ସ୍ଥିତି ତୁରନ୍ତ କିଛିଟା ସୁଧୁରି ପାରନ୍ତା।
ଏସଡିଜିର ଦ୍ୱିତୀୟ ଲକ୍ଷ୍ୟଟିରେ କ୍ଷୁଧାମୁକ୍ତି ସହିତ ଖାଦ୍ୟ ନିରାପତ୍ତା ହାସଲ, ଖାଦ୍ୟପୁଷ୍ଟିରେ ଉନ୍ନତି ସାଧନ ଓ ନିରନ୍ତର କୃଷିକୁ ପ୍ରୋତ୍ସାହନ ଦେବା ଅନ୍ତର୍ଭୁକ୍ତ। ଏହି ଲକ୍ଷ୍ୟଟିରେ ବି ଓଡ଼ିଶାର ସ୍ଥିତି ପୂର୍ବାପେକ୍ଷା ଖରାପ ହୋଇଛି। ୨୦୧୮ରେ ଏଥିପାଇଁ ଓଡ଼ିଶାକୁ ୪୬ ଅଙ୍କ ମିଳିଥିଲା ବେଳେ ଏ ବର୍ଷ ତାହା ୪୨ରେ ପହଞ୍ଚିଛି। ରାଜ୍ୟଗୁଡ଼ିକର ପ୍ରଦର୍ଶନ ମାପିବା ପାଇଁ ଯେଉଁ ସୂଚକଗୁଡ଼ିକର ସାହାରା ନିଆ ଯାଇଛି ତନ୍ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କେତେ ପ୍ରତିଶତ ଲାଭାର୍ଥୀ ସାମିଲ, ୫ ବର୍ଷରୁ କମ ବୟସର ଶିଶୁଙ୍କ ଅଳ୍ପ ଓଜନ, ବାଙ୍ଗରା ହେବା, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ସୂଚକଗୁଡିକରେ ଓଡ଼ିଶା ଜାତୀୟ ପ୍ରଦର୍ଶନ ତୁଳନାରେ ଭଲ ସ୍ଥିତିରେ ଅଛି। ତେବେ କ୍ଷୁଧାମୁକ୍ତି ଲକ୍ଷ୍ୟ ହାସଲରେ ଅନେକ ରାଜ୍ୟଙ୍କ ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜାତୀୟ ହାରାହାରି ଅଙ୍କ ମଧ୍ୟ ମାତ୍ର ୪୭। ଏହି ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରିତ ଅନ୍ୟ ତିନିଟି ସୂଚକ ୧୦ରୁ ୧୯ ବର୍ଷର କିଶୋରଙ୍କ ମଧ୍ୟରେ ରକ୍ତହୀନତା, ଧାନର ଏକର ପିଛା ଉତ୍ପାଦନ ଓ ମୁଣ୍ଡପିଛା ଶ୍ରମିକଙ୍କ ଅନୁପାତରେ କୃଷି ଉତ୍ପାଦର ମୋଟ ମାନ ସଂଯୁକ୍ତି (ଗ୍ରସ ଭାଲ୍ୟୁ ଆଡେଡ)ରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରାହାରିଠାରୁ କମ ହୋଇଥିବାରୁ ସେଥି ପ୍ରତି ବିଶେଷ ଧ୍ୟାନ ଦିଆ ଯିବାର ଆବଶ୍ୟକତା ରହିଛି।
ସବୁ ପିଲାଙ୍କୁ ସମାବେଶୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏସଡିଜିର ଚତୁର୍ଥ ଲକ୍ଷ୍ୟ ଯେଉଁଥିରେ ଜାତୀୟ ହାରାହାରି ୫୭ ଅଙ୍କ ହୋଇଥିବା ବେଳେ ଓଡ଼ିଶା ୪୫ ଅଙ୍କ ପାଇ ତଳ ଆଡୁ ୬ଷ୍ଠ ସ୍ଥାନରେ ଅଛି। ୨୦୧୮ରେ ଓଡ଼ିଶା ୪୬ ଅଙ୍କ ପାଇଥିଲା। ଏହି ଲକ୍ଷ୍ୟରେ କେରଳ ସର୍ବାଧିକ ୮୦ ଅଙ୍କ ପାଇଛି। ଏହି ଲକ୍ଷ୍ୟ ହାସଲକୁ ମାପିବା ପାଇଁ ବ୍ୟବହୃତ ୧୧ଟି ସୂଚକ ମଧ୍ୟରୁ ୮ଟି ସୂଚକରେ ଓଡ଼ିଶା ଜାତୀୟ ହାରାହାରିଠାରୁ ପଛାଇ ରହିଥିବାରୁ, ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରୀ ସ୍ତରରେ ଅଧିକ ବଜେଟ ଓ ଧ୍ୟାନ ଦିଆ ଯିବାର ଆବଶ୍ୟକତା ଅନୁଭୂତ ହେଉଛି। ଲୈଙ୍ଗିକ ସମାନତା ଓ ମହିଳା ସଶକ୍ତିକରଣ ଏସଡିଜିର ପଞ୍ଚମ ଲକ୍ଷ୍ୟ, ଯେଉଁଥିରେ ଓଡ଼ିଶା ୨୦୧୮ରେ ୪୩ ଅଙ୍କ ପାଇଥିଲା ବେଳେ ଏବେ ତାହା ସାମାନ୍ୟ ବଢ଼ି ୪୬ରେ ପହଞ୍ଚିଛି। ଏ କ୍ଷେତ୍ରରେ ଅଧିକାଂଶ ରାଜ୍ୟଙ୍କ ପ୍ରଦର୍ଶନ ଭଲ ହୋଇ ନ ଥିବାରୁ ଜାତୀୟ ହାରାହାରି ମଧ୍ୟ ମାତ୍ର ୪୮ ଅଙ୍କ ରହିଛି। ଲିଙ୍ଗ ଅନୁପାତରେ ଓଡ଼ିଶାର ସ୍ଥିତି ଜାତୀୟ ସ୍ଥିତିଠାରୁ ଭଲ ହୋଇଥିଲେ ବି ମହିଳାଙ୍କ ଉପରେ ହେଉଥିବା ଅପରାଧ ଜାତୀୟ ହାରଠାରୁ ଅଧିକ। ସେହିପରି ମାତ୍ର ୪.୦୬ ପ୍ରତିଶତ ଜମିର ମାଲିକାନା ମହିଳାଙ୍କ ନାମରେ ଥିବା ବେଳେ ଜାତୀୟ ସ୍ତରରେ ତାହା ୧୩.୯୬। ଓଡ଼ିଶାରେ ମିଶନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ରୂପେ କାମ କରିବା ଆରମ୍ଭ କରିଥିବାରୁ ଏଠାରେ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ଥିତିରେ ଶୀଘ୍ର ପରିବର୍ତ୍ତନ ହେବ ବୋଲି ଆଶା କରାଯାଏ।
ନିରନ୍ତର ଭାବେ ସମାବେଶୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ସହ ଲୋକଙ୍କୁ ଉତ୍ପାଦନକ୍ଷମ ନିଯୁକ୍ତି ଓ ସୁସଭ୍ୟ କର୍ମ ସଂସ୍ଥାନ ଯୋଗାଇ ଦେବା ହେଉଛି ଏସଡିଜିର ଅଷ୍ଟମ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବାକୁ ଯାଇ ଓଡ଼ିଶା ୨୦୧୮ର ୫୦ ଅଙ୍କରୁ ଏ ବର୍ଷ ୪୮ ଅଙ୍କକୁ ଖସି ଆସିଛି, ଯାହା ଜାତୀୟ ସ୍ତରଠାରୁ ୧୩ ଅଙ୍କ କମ। ଏ କ୍ଷେତ୍ରରେ ଓଡ଼ିଶା ପଛକୁ କେବଳ ଗୋଟିଏ ରାଜ୍ୟ ମଣିପୁର ରହିଥିବା ବେଳେ ହିମାଚଳ ପ୍ରଦେଶ ସର୍ବାଧିକ ୭୮ ଅଙ୍କ ସହ ସବା ଉପରେ ରହିଛି। ଓଡ଼ିଶାର ଜିଡିପି ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ସାମାନ୍ୟ ଅଧିକ ହୋଇଥିଲେ ବି ବେକାରି ହାର ୭.୬ ପ୍ରତିଶତ ଯାହା ଜାତୀୟ ହାର ୬.୩ ତୁଳନାରେ ଅଧିକ। ଭିତ୍ତିଭୂମି ନିର୍ମାଣ, ସମାବେଶୀ ନିରନ୍ତର ଶିଳ୍ପୀକରଣ ତଥା ନବୋନ୍ମେଷର ପ୍ରୋତ୍ସାହନ ଏସଡିଜିର ନବମ ଲକ୍ଷ୍ୟ ହୋଇଥିବା ବେଳେ ଏ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ପେଣ୍ଡୁଲମ ପରି ୨୦୧୮ରେ ୩୨ ଅଙ୍କରୁ ୨୦୧୯-୨୦ରେ ୭୨କୁ ବଢ଼ି ପୁଣି ଏ ବର୍ଷ ୪୬କୁ ଖସି ଆସିଛି। ଏ କ୍ଷେତ୍ରରେ ଓଡିଶାର ସ୍ଥାନ ମଝାମଝି ଥିଲା ବେଳେ ଜାତୀୟ ହାରାହାରି ୫୫ ଅଙ୍କରେ ରହିଛି। ଓଡ଼ିଶାରେ ସମୁଦାୟ ନିଯୁକ୍ତିର ମାତ୍ର ୮.୧୫ ପ୍ରତିଶତ ଶିଳ୍ପ କ୍ଷେତ୍ରରେ ହୋଇଥିବା ବେଳେ ଏହା ଜାତୀୟ ସ୍ତରରେ ୧୨.୦୭ ପ୍ରତିଶତ। ସେହିପରି ନବୋନ୍ମେଷ (ଇନୋଭେସନ) ସୂଚକାଙ୍କରେ ଓଡ଼ିଶା ୧୮.୯୪ ପାଇଥିବା ବେଳେ ଜାତୀୟ ସ୍ତରରେ ତାହା ୩୫.୫୯। ଉଭୟ ମୋବାଇଲ ଫୋନ ଓ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ସ୍ତରରୁ ପଛରେ ପଡ଼ିଛି। ଏହି ଦିଗଗୁଡ଼ିକୁ ତୁରନ୍ତ ଲକ୍ଷ୍ୟ ଦେବାର ଆବଶ୍ୟକତା ରହିଛି। ଏତଦଭିନ୍ନ ଅନ୍ୟ ଲକ୍ଷ୍ୟ ହାସଲଗୁଡ଼ିକରେ ରାଜ୍ୟର ପ୍ରଦର୍ଶନ ଅପେକ୍ଷାକୃତ ଭଲ ଓ ତନ୍ମଧ୍ୟରୁ ଲକ୍ଷ୍ୟ ସଂଖ୍ୟା ୬ (ସ୍ୱଚ୍ଛ ଜଳ ଓ ପରିମଳ), ୭ (ପରିଷ୍କାର ଇନ୍ଧନ) ଓ ୧୧ (ସହର ଓ ଗୋଷ୍ଠୀଗୁଡିକୁ ବହନଯୋଗ୍ୟ କରିବା) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଅବଶ୍ୟ ଏ କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମଗୁଡିକ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଜାତୀୟ ସ୍ତରଠାରୁ ତଳେ ଥିବା ଲକ୍ଷ୍ୟ ସଂଖ୍ୟା ୩ (ଉତ୍ତମ ସ୍ୱାସ୍ଥ୍ୟ), ୭, ୧୧ ଓ ୧୬ (ଶାନ୍ତି, ନ୍ୟାୟ ଓ ସଶକ୍ତ ଅନୁଷ୍ଠାନ)ର ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବା ପାଇଁ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ।
ଦୀର୍ଘ ଦିନ ଧରି ‘ଓଡ଼ିଶା ଗୋଟିଏ ଗରିବ ରାଜ୍ୟ’, ‘ଓଡ଼ିଶା ଗୋଟିଏ ପଛୁଆ ରାଜ୍ୟ’, ‘ଓଡ଼ିଶା ଲୋକ ଭାରି ଗରିବ’ ଇତ୍ୟାଦି କଥା ଶୁଣି ଶୁଣି କ୍ଷୋଭ ହେଉଥିଲେ ବି ତାହା ଯେମିତି କ୍ରମଶଃ ଦେହସୁହା ହୋଇଗଲାଣି। ତେଣୁ ବ୍ୟକ୍ତିଗତ ଭାବେ କୌଣସି ଓଡ଼ିଆ ସର୍ବ ଭାରତୀୟ ବା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ବା ସମ୍ମାନିତ ହେଲେ ଅବା ଉଚ୍ଚ ପଦରେ ଅଧିଷ୍ଠିତ ହେଲେ ମଧ୍ୟବିତ୍ତ ଶ୍ରେଣୀର ଓଡ଼ିଆମାନେ ଅଲିମ୍ପିକ ପଦକ ବା ନୋବେଲ ପୁରସ୍କାର ପାଇଲା ଭଳି ବିହ୍ୱଳିତ ହୋଇ ପଡ଼ନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ୱର ବୋଲି ସାର୍ଟିଫିକେଟ ଦିଆଗଲେ, କି ଜଣେ ଓଡ଼ିଆ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଗଲେ ତାହା ଚର୍ଚ୍ଚାର ବିଷୟ ପାଲଟେ। ଟିକେ ଗହୀରେଇ ଦେଖିଲେ ଜଣା ପଡ଼େ ଯେ ସାଧାରଣ ଓଡ଼ିଆଟିଏ ପାଇଁ ତାହା କୁଆ ପାଇଁ ପାଚିଲା ବେଲ ସଦୃଶ ଅର୍ଥହୀନ। ବ୍ୟକ୍ତିଗତ ଉତ୍କର୍ଷ ଓ ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିଲେ ବି ତାହା ସାଧାରଣ ଜନତାଙ୍କ ଦୈନନ୍ଦିନ ତେଲ ଲୁଣର ସଂସାରରେ ପରିବର୍ତ୍ତନ ଆଣି ପାରୁ ନ ଥିବାରୁ ସେମାନଙ୍କର ସେଥିରେ ରୁଚି ନ ଥାଏ। ଅନ୍ୟ ପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ୱର ହୋଇ ଓଡ଼ିଶା ଏକ ନମ୍ୱର ହେଲେ ଆମେ ଯେତିକି ଆନନ୍ଦିତ ହୁଅନ୍ତେ ରାଜ୍ୟ ୨୧ ନମ୍ୱରରେ ରହିଲେ ସେତିକି ହୋଇ ପାରିବା କି? ଅନେକେ ନିଜ ପିଠି ଥାପୁଡ଼େଇ କହିଥାଆନ୍ତି, “ଆଗ ଅପେକ୍ଷା ଓଡ଼ିଶା ତ କେତେ ଆଗେଇଛି!” ଏସଡିଜି ସୂଚକାଙ୍କରୁ ବି ଠିକ ସେଇୟା ଜଣାପଡୁଛି। ହେଲେ ଇତିମଧ୍ୟରେ ଅନ୍ୟ ରାଜ୍ୟଗୁଡିକ ବି ଆହୁରି ଅଧିକ ଆଗେଇ ଯାଇଥିବାରୁ ଆମେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇ ନ ପାରି ସେହି ପଛରେ ପଡ଼ି ରହିଛନ୍ତି। ଓଡ଼ିଶାକୁ ସୀମିତ ସମୟ ମଧ୍ୟରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ହେଲେ ନିଜ ପିଠି ନିଜେ ଥାପୁଡ଼େଇବାରୁ ନିବୃତ୍ତ ହୋଇ ଆମ ପ୍ରଗତିର ବେଗକୁ ବଢ଼ାଇବାକୁ ହେବ। ବିକାଶ ଯେପରି ଏକ ପାଖିଆ ହୋଇ ନ ଯାଏ ସେଥିପାଇଁ ଆମ ପ୍ରାଥମିକତାକୁ ସ୍ଥିର କରି ସେହି ଅନୁସାରେ ଅଗ୍ରସର ହେବା ଆବଶ୍ୟକ। ତେଣୁ ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ ଆନ୍ତରିକ ଉଦ୍ୟମ କରିବେ ବୋଲି ଆଶା କରାଯାଏ। ଯେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାଧାରଣ ଜନତାଙ୍କୁ ଅର୍ଥପୂର୍ଣ୍ଣ ଢଙ୍ଗରେ ସାମିଲ କରା ନ ଯାଇ ଏହା ସରକାରୀ କଳ ଭିତରେ ସୀମିତ ଥିବ, ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହେବା ସମ୍ଭାବନା କ୍ଷୀଣ।
ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫