- ସରଳ କୁମାର ଦାସ
ନୀତି ଆୟୋଗ ଦ୍ୱାରା ୨୦୧୮-୧୯କୁ ମୂଳ ବର୍ଷ ବୋଲି ଧରି ୨୦୧୯-୨୦୨୦ ପାଇଁ ଡିସେମ୍ୱର ୨୭,୨୦୨୧ରେ ପ୍ରକାଶିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ୧୯ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ରେ ରହିବା ଉଦବେଗର କାରଣ ହୋଇଛି। ଏହି ସୂଚକାଙ୍କ ପ୍ରାକ୍ କୋଭିଡ କାଳର ସ୍ୱାସ୍ଥ୍ୟସେବା ସ୍ଥିତି ଆଧାରରେ ପ୍ରସ୍ତୁତ। ଓଡ଼ିଶା ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କର ପ୍ରଥମ ସଂସ୍କରଣ (୨୦୧୫-୧୬)ରେ ୩୯.୪୩ ଅଙ୍କ ସହ ୨୧ଟି ବଡ଼ ରାଜ୍ୟ ମଧ୍ୟରେ ୧୮ଶ, ଦ୍ୱିତୀୟ ସଂସ୍କରଣ (୨୦୧୭-୧୮)ରେ ୩୫.୯୭ ଅଙ୍କ ସହ ୨୧ଟି ବଡ଼ ରାଜ୍ୟ ମଧ୍ୟରେ ୧୯ଶ, ତୃତୀୟ ସଂସ୍କରଣ (୨୦୧୮-୧୯)ରେ ୪୬.୧୮ ଅଙ୍କ ସହ ୨୦ଟି ବଡ଼ ରାଜ୍ୟ ମଧ୍ୟରେ ୧୨ଶ ସ୍ଥାନରେ ଥିଲା। ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ଓଡ଼ିଶାର ସ୍ଥାନ କ୍ରମାଗତ ଭାବେ ତଳେ ରହିବାର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ। ଅବଶ୍ୟ ଏ ଥର ପ୍ରଥମ ୫ଟି ସ୍ଥାନରେ ଥିବା କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ତାଲିକାର ସବା ତଳେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଥିବାରୁ ତାହା ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଃସ୍ଥିତିକୁ ରେଖାଙ୍କିତ କରୁଛି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ମାପିବା ପାଇଁ ନୀତି ଆୟୋଗ ଦ୍ୱାରା ପ୍ରତି ବର୍ଷ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କ ପ୍ରକାଶିତ ହୋଇଥାଏ। ଏହି ସୂଚକାଙ୍କ ସମୁଦାୟ ୩ଟି କ୍ଷେତ୍ର (ଡୋମେନ)ର ଯଥା ସ୍ୱାସ୍ଥ୍ୟ ପରିଣାମ (ହେଲଥ ଆଉଟକମ) କ୍ଷେତ୍ର ଅନ୍ତର୍ଗତ ୧୧ଟି ସୂଚକ, ଶାସନ ଓ ସୂଚନା (ଗଭର୍ଣ୍ଣାନ୍ସ ଆଣ୍ଡ ଇନଫର୍ମେସନ) କ୍ଷେତ୍ର ଅନ୍ତର୍ଗତ ୪ଟି ସୂଚକ ଏବଂ ମୂଳ ନିବେଶ ଓ ପ୍ରକ୍ରିୟା (କିଇ ଇନପୁଟସ ଆଣ୍ଡ ପ୍ରୋସେସସ) କ୍ଷେତ୍ର ଅନ୍ତର୍ଗତ ୯ଟି ସୂଚକ ଏହିପରି ସମୁଦାୟ ୨୪ଟି ସୂଚକକୁ ଆଧାର କରି ପ୍ରସ୍ତୁତ ହୋଇଥାଏ। ଏହି ସ୍ୱାସ୍ଥ୍ୟ ସୂଚକାଙ୍କ ଏପରି ଏକ ସାଧନ ଯାହା ମାଧ୍ୟମରେ ପ୍ରତି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡିକର ସ୍ଥାନ ସ୍ଥିରୀକୃତ ହେବା ସହ ସ୍ୱାସ୍ଥ୍ୟ ପରିଣାମ ହାସଲକୁ ଗତି ପ୍ରଦାନ କରିବା ସମ୍ଭବ ହୋଇଥାଏ। ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ସଂକ୍ରାନ୍ତୀୟ ତୃତୀୟ ଲକ୍ଷ୍ୟରେ ସ୍ଥାନିତ ସୂଚକଗୁଡିକୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଗ୍ରହଣ କରାଯାଇଛି। ୨୦୧୯-୨୦ରେ ୮୨.୨୦ ଅଙ୍କ ସହ କେରଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୦.୫୭ ଅଙ୍କ ସହ ଉତ୍ତର ପ୍ରଦେଶ ସବା ତଳେ ରହିଛି। ୨୦୧୫-୧୬ରୁ ଲଗାତାର ପ୍ରତି ବର୍ଷ କେରଳ ପ୍ରଥମ ସ୍ଥାନରେ ଓ ଉତ୍ତର ପ୍ରଦେଶ ଶେଷ ସ୍ଥାନରେ ରହି ଆସିଛନ୍ତି। ୪୪.୩୧ ଅଙ୍କ ସହ ଓଡ଼ିଶା ୧୪ଶ ସ୍ଥାନରେ ରହିଛି। ୨୦୧୮-୧୯ ତୁଳନାରେ ୧୦ଟି ରାଜ୍ୟ ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ୪ଟି ରାଜ୍ୟଙ୍କ ସ୍ଥାନରେ ଉନ୍ନତି ହୋଇଛି ଓ ଓଡ଼ିଶା ସମେତ ୫ଟି ରାଜ୍ୟଙ୍କ ସ୍ଥାନ ତଳକୁ ଖସିଛି।
ସ୍ୱାସ୍ଥ୍ୟ ସୂଚକାଙ୍କରେ ପ୍ରତିଟି କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ କିଛି ଅଙ୍କର ପ୍ରାବଧାନ ଥିବା ବେଳେ ବଡ଼ ରାଜ୍ୟରେ ସ୍ୱାସ୍ଥ୍ୟ ପରିଣାମ କ୍ଷେତ୍ରକୁ ସର୍ବାଧିକ ୭୦ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ଯେଉଁ ୪ଟି ମୂଳ ପରିଣାମର ସୂଚକକୁ ପ୍ରାୟ ୩୭ ପ୍ରତିଶତ ଗୁରୁତ୍ୱ ଦିଆଯାଇଛି ସେଗୁଡ଼ିକ ହେଲା ନବଜାତକଙ୍କ ମୃତ୍ୟୁ ହାର, ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ହାର, ଜନ୍ମ ସମୟରେ ଲିଙ୍ଗ ଅନୁପାତ ଓ ମାତୃ ମୃତ୍ୟୁ ହାର। ଏହି ୪ଟି ପରିମାପକରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ ନୁହେଁ। ଓଡ଼ିଶାରେ ନବଜାତକଙ୍କ ମୃତ୍ୟୁ ହାର ୩୧ ଯାହା ପୂର୍ବ ବର୍ଷର ୩୨ ତୁଳନାରେ ୧ କମିଛି। କେରଳରେ ନବଜାତକଙ୍କ ମୃତ୍ୟୁ ହାର ସର୍ବନିମ୍ନ ୫ ଥିଲା ବେଳେ ମଧ୍ୟ ପ୍ରଦେଶରେ ସର୍ବୋଚ୍ଚ ୩୫ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ପରେ ତଳ ଆଡୁ ତୃତୀୟ। ଓଡ଼ିଶାରେ ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ହାର ୪୪ ଯାହା ପୂର୍ବ ବର୍ଷ ତୁଳନାରେ ୩ କମ। ଏହି ସୂଚକରେ କେରଳର ପ୍ରଦର୍ଶନ ସର୍ବୋତ୍ତମ (୧୦) ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ଏହା ସର୍ବନିମ୍ନ (୫୬) ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଓ ଛତିଶଗଡ଼ ପରେ ତଳ ଆଡୁ ପଞ୍ଚମ। ଓଡ଼ିଶାରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ୧୦୦୦ ପୁଅରେ ୯୩୩ ଝିଅ। ଏହି ସୂଚକରେ ଛତିଶଗଡ଼ର ପ୍ରଦର୍ଶନ ସର୍ବୋତ୍ତମ (୯୫୮) ହୋଇଥିବା ବେଳେ ଉତ୍ତରାଖଣ୍ଡର ପ୍ରଦର୍ଶନ ସର୍ବନିମ୍ନ (୮୪୦) ରହିଛି। ଓଡ଼ିଶାର ପ୍ରଦର୍ଶନ ଛତିଶଗଡ଼, କେରଳ ପଛକୁ ଉପର ଆଡୁ ତୃତୀୟ, ଯାହା ଉତ୍ସାହଜନକ। ତେବେ ୨୦୧୨-୧୩ ମୂଳ ବର୍ଷରେ ଏହି ଅନୁପାତ ୯୫୩ ଥିଲା ବେଳେ ତାହା କ୍ରମାଗତ ଭାବେ ହ୍ରାସ ପାଇ ୯୩୩ରେ ପହଞ୍ଚିବା ଉଦବେଗଜନକ। ଅର୍ଥାତ୍ କନ୍ୟା ଭ୍ରୁଣ ହତ୍ୟାର ହାର ବୃଦ୍ଧି ପାଇଥିବାର ଆଶଙ୍କା କରାଯାଇପାରେ। ତେଣୁ ଏହାର ନିରାକରଣ ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ମାତୃ ମୃତ୍ୟୁ ହାର ୧୫୦। ଏହି ସୂଚକରେ କେରଳର ପ୍ରଦର୍ଶନ ସର୍ବୋତ୍ତମ (୪୩) ହୋଇଥିବା ବେଳେ ଆସାମର ପ୍ରଦର୍ଶନ ସର୍ବନିମ୍ନ (୨୧୫)। ଏ କ୍ଷେତ୍ରରେ ଆସାମ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ପଛକୁ ଓଡ଼ିଶାର ସ୍ଥାନ ତଳ ଆଡୁ ପଞ୍ଚମ। ଅବଶ୍ୟ ପୂର୍ବ ବର୍ଷ (୧୬୮) ତୁଳନାରେ ମାତୃ ମୃତ୍ୟୁ ହାର ଯଥେଷ୍ଟ କମ ହୋଇଥିଲେ ବି କେରଳ ଭଳି ରାଜ୍ୟର ସମକକ୍ଷ ହେବାକୁ ଆହୁରି ଅଧିକ ଉଦ୍ୟମ କରିବାକୁ ହେବ। ଏହି ୪ଟି ସୂଚକ ଉପରେ ଧ୍ୟାନ କେନ୍ଦ୍ରିତ କରି ଉଚିତ ପଦକ୍ଷେପ ଗ୍ରହଣ କରାଗଲେ ଓଡ଼ିଶା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉପରକୁ ଉଠିପାରିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟବର୍ତ୍ତୀ ପରିଣାମରେ ଥିବା ୭ଟି ସୂଚକ ପାଇଁ ସୂଚକାଙ୍କରେ ୩୩ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହି ସୂଚକଗୁଡ଼ିକ ମଧ୍ୟରେ ଆଧୁନିକ ଗର୍ଭନିରୋଧକ ଗ୍ରହଣୀୟତା ହାର, ସମ୍ପୂର୍ଣ୍ଣ ଟିକାକରଣ, ପ୍ରାକ୍ ପ୍ରସୂତୀ ଯତ୍ନ ପାଇଁ ପଞ୍ଜିକୃତ ପ୍ରସୂତୀଙ୍କ ଅନୁପାତ, ୪ ବା ଅଧିକ ଥର ପ୍ରାକ୍-ପ୍ରସୂତୀ ଯତ୍ନ ପାଇଥିବା ପ୍ରସୂତୀଙ୍କ ଅନୁପାତ, ଆନୁଷ୍ଠାନିକ ପ୍ରସବର ଅନୁପାତ, ସମୁଦାୟ ଟିବି ରୋଗର ବିଜ୍ଞପ୍ତି, ଟିବି ଉପଚାରର ସାଫଲ୍ୟ ହାର, ଆଣ୍ଟିରେଟ୍ରୋଭାଇରାଲ ଉପଚାରରେ ଥିବା ଏଚଆଇଭି ରୋଗୀଙ୍କ ପ୍ରତିଶତ ରହିଛି। ଏହି ସୂଚକଗୁଡ଼ିକ ମଧ୍ୟରୁ ସମ୍ପୂର୍ଣ୍ଣ ଟିକାକରଣ, ଟିବି ରୋଗର ସମୁଦାୟ ବିଜ୍ଞପ୍ତି ଓ ଆଣ୍ଟିରେଟ୍ରୋଭାଇରାଲ ଉପଚାରରେ ଥିବା ଏଚଆଇଭି ରୋଗୀଙ୍କ ପ୍ରତିଶତ ସୂଚକଗୁଡିକରେ ଓଡ଼ିଶାର ପ୍ରଦର୍ଶନ ଅନ୍ୟ ଅନେକ ରାଜ୍ୟ ତୁଳନାରେ ନିରୁତ୍ସାହଜନକ।
ଶାସନ ଓ ସୂଚନା କ୍ଷେତ୍ରରେ ଥିବା ୪ଟି ସୂଚକ ପାଇଁ ମାତ୍ର ୧୩ ପ୍ରତିଶତ ଗୁରୁତ୍ୱ ଦିଆଯାଉଛି ଯେଉଁଥିରେ ସ୍ୱାସ୍ଥ୍ୟ ନିରୀକ୍ଷଣ ଓ ତଥ୍ୟ ଶୁଚିତା, ସ୍ୱାସ୍ଥ୍ୟ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ତିନିଟି ମୁଖ୍ୟ ପଦବୀରେ ପଦାଧିକାରୀଙ୍କ ହାରାହାରି କେତେ ମାସର ଅବସ୍ଥାନ, ବିଭିନ୍ନ ଜିଲ୍ଲାରେ ଥିବା ସିଡିଏମଓମାନଙ୍କର ହାରାହାରି ପୂର୍ଣ୍ଣକାଳୀନ ଅବସ୍ଥାନ ଓ ରାଜ୍ୟ କୋଷାଗାରରୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ବିଭାଗ ବା ଅନୁଷ୍ଠାନଗୁଡିକୁ କେନ୍ଦ୍ରୀୟ ଏନଏଚଏମ ପାଣ୍ଠି ହସ୍ତାନ୍ତର ହେବାରେ ଲାଗୁଥିବା ସମୟକୁ ବିବେଚନାକୁ ନିଆଯାଇଥାଏ। ତଥ୍ୟ ଶୂଚିତା, ୩ଟି ମୁଖ୍ୟ ପଦବୀରେ ହାରାହାରି ଅବସ୍ଥାନ ଓ ପାଣ୍ଠି ହସ୍ତାନ୍ତରଣ ସୂଚକ ତିନିଟିରେ ଓଡ଼ିଶାର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ବି ଜିଲ୍ଲାମାନଙ୍କରେ ସିଡିଏମଓଙ୍କ ହାରାହାରି ପୂର୍ଣ୍ଣ କାଳୀନ ଅବସ୍ଥାନ ସୂଚକରେ ସ୍ଥିତି ଚିନ୍ତାଜନକ। ଓଡ଼ିଶାରେ ପାଣ୍ଠି ହସ୍ତାନ୍ତରଣ ଲାଗି ହାରାହାରି ମାତ୍ର ୧୮ ଦିନ ଲାଗିବା ବାସ୍ତବିକ ପ୍ରଶଂସାଯୋଗ୍ୟ ଯାହା ସାରା ଭାରତରେ ସର୍ବୋତ୍ତମ ପ୍ରଦର୍ଶନ। ୨୦୧୯-୨୦ରେ ଓଡ଼ିଶାରେ ସିଡିଏମଓମାନଙ୍କ ହାରାହାରି ପୂର୍ଣ୍ଣକାଳୀନ ଅବସ୍ଥାନ ମାତ୍ର ୫.୨ ମାସ ଥିଲା ଯାହା ସାରା ଦେଶରେ ସବୁଠାରୁ କମ। କେବଳ ସେତିକି ନୁହେଁ, ପୂର୍ବ ବର୍ଷ ତୁଳନାରେ ଓଡ଼ିଶାରେ ଏହି ଅବସ୍ଥାନର ପ୍ରତିଶତ ସର୍ବାଧିକ (୪୭.୯ ପ୍ରତିଶତ) ହ୍ରାସ ପାଇଛି। ଏହା ରାଜ୍ୟରେ ସ୍ୱାସ୍ଥ୍ୟସେବା ଶାସନ ବ୍ୟବସ୍ଥାର ଦୁର୍ବଳତା ଦର୍ଶାଉଛି ଓ ଏହି ପରିହାର୍ଯ୍ୟ ଅପାରଗତାକୁ ଦୂର କରି ସହଜରେ ସୂଚକାଙ୍କରେ ଉନ୍ନତି ଅଣା ଯାଇପାରିବ।
ମୂଳ ନିବେଶ ଓ ପ୍ରକ୍ରିୟା (କିଇ ଇନପୁଟସ ଆଣ୍ଡ ପ୍ରୋସେସେସ) କ୍ଷେତ୍ରରେ ଥିବା ୯ଟି ସୂଚକ ପାଇଁ ମାତ୍ର ୧୭ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଛି, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଅଭାବ, ଆଇଟି ଆଧାରିତ ସମନ୍ୱିତ ମାନବ ସମ୍ୱଳ ପରିଚାଳନା ସୂଚନା ବ୍ୟବସ୍ଥା (ଏଚଆରଏମଆଇଏସ) ଅଧୀନସ୍ଥ ସମୁଦାୟ କର୍ମଚାରୀଙ୍କ ଅନୁପାତ, କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟ ଓ କଲ୍ୟାଣ (ୱେଲନେସ) କେନ୍ଦ୍ରଗୁଡ଼ିକର ଅନୁପାତ, କାର୍ଯ୍ୟକ୍ଷମ ହୃଦ୍ ଯତ୍ନ ଏକକ (କାର୍ଡିଆକ କେଆର ୟୁନିଟ) ଥିବା ଜିଲ୍ଲା ଡାକ୍ତରଖାନାଗୁଡ଼ିକର ଅନୁପାତ, ଜନ୍ମ-ମୃତ୍ୟୁ ପଞ୍ଜିକରଣର ପ୍ରତିଶତ, ରାଜ୍ୟର ସମୁଦାୟ ବ୍ୟୟରେ ସ୍ୱାସ୍ଥ୍ୟ ବାବଦ ବ୍ୟୟର ଅନୁପାତ ଆଦି ସୂଚକଗୁଡିକୁ ବିବେଚନାକୁ ନିଆଯାଇଥାଏ। ଓଡ଼ିଶାର ପିଏଚସି ଓ ସିଏଚସିଗୁଡିକରେ ୬୨.୪୮ ପ୍ରତିଶତ ଷ୍ଟାଫ ନର୍ସଙ୍କର ଅଭାବ ରହିଛି ଯାହା ପୂର୍ବ ବର୍ଷ (୬୭.୮୨ ପ୍ରତିଶତ) ତୁଳନାରେ ଅପେକ୍ଷାକୃତ ଭଲ ହୋଇଥିଲେ ବି ଅନ୍ୟ ଅନେକ ରାଜ୍ୟ ତୁଳନାରେ ଚିନ୍ତାଜନକ। ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ଅଭାବ ୩୩.୬୨ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲା ଡାକ୍ତରଖାନା ଗୁଡ଼ିକରେ ବିଶେଷଜ୍ଞଙ୍କ ଅଭାବ ପ୍ରାୟ ୧୧ ପ୍ରତିଶତ। କାର୍ଯ୍ୟକ୍ଷମ ହୃଦ୍ ଯତ୍ନ ଏକକ (କାର୍ଡିଆକ କେଆର ୟୁନିଟ) ଥିବା ଜିଲ୍ଲା ଡାକ୍ତରଖାନା ଗୁଡ଼ିକର ଅନୁପାତ ମାତ୍ର ୩୧.୨୫ ରହିଛି। ରାଜ୍ୟରେ ମୃତ ବ୍ୟକ୍ତିଙ୍କ ପଞ୍ଜିକରଣ ଶତ ପ୍ରତିଶତ ହୋଇଥିବା ବେଳେ ଜନ୍ମ ପଞ୍ଜିକରଣ ପୂର୍ବ ବର୍ଷ (୮୩ ପ୍ରତିଶତ) ତୁଳନାରେ ମଧ୍ୟ କମ ହୋଇ ୮୨.୨୦ ପ୍ରତିଶତରେ ପହଞ୍ଚିବା କିଛି ଭଲ ଲକ୍ଷଣ ନୁହେଁ। ଏକାଧିକ ରାଜ୍ୟରେ ଜନ୍ମ ପଞ୍ଜିକରଣ ଶତ ପ୍ରତିଶତ ହୋଇଥିବା ବେଳେ କେବଳ ମଧ୍ୟ ପ୍ରଦେଶକୁ (୭୮.୮୦ ପ୍ରତିଶତ) ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ଓଡ଼ିଶା ଅପେକ୍ଷା ଜନ୍ମ ପଞ୍ଜିକରଣ ହାର ଅଧିକ ହୋଇଥିଲା। ଜନ୍ମର ସଠିକ ପଞ୍ଜିକରଣ ନ ହେଲେ ତାହା ଯୋଜନା ପ୍ରକ୍ରିୟାକୁ ବ୍ୟାହତ କରୁଥିବାରୁ ତାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ୨୦୧୯-୨୦ରେ ରାଜ୍ୟରେ ସମୁଦାୟ ବଜେଟର ମାତ୍ର ୪.୯୫ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟ ହୋଇଛି, ଯାହା ପୂର୍ବ ବର୍ଷ (୪.୪୨ ପ୍ରତିଶତ) ତୁଳନାରେ ସାମାନ୍ୟ ଅଧିକ। ତେବେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ପ୍ରତିଶତ ରାଶି ବ୍ୟୟ କରୁଥିବା ରାଜ୍ୟ ମଧ୍ୟ ପ୍ରଦେଶ (୪.୩୧), ଝାଡ଼ଖଣ୍ଡ (୪.୬୨), ବିହାର (୪.୭୧), ହରିଆଣା (୪.୮୧) ପରେ ଓଡ଼ିଶା ରହିଛି। ସ୍ୱାସ୍ଥ୍ୟ ସୂଚକାଙ୍କରେ ଶୀର୍ଷରେ ଥିବା କେରଳ ରାଜ୍ୟ ବଜେଟର ସର୍ବାଧିକ ୭.୪୩ ପ୍ରତିଶତ ରାଶି ସ୍ୱାସ୍ଥ୍ୟସେବାରେ ବ୍ୟୟ କରିଛି।
ପୂର୍ବ ବର୍ଷ ତୁଳନାରେ ୧୪ଟି ରାଜ୍ୟରେ କ୍ରମବର୍ଦ୍ଧମାନ ଉନ୍ନତି (ଇନକ୍ରିମେଣ୍ଟାଲ ଚେଞ୍ଜ) ପରିଲକ୍ଷିତ ହୋଇଥିବା ବେଳେ ୫ଟି ରାଜ୍ୟରେ ଅବନତି ଦେଖା ଦେଇଥିଲା। ଏ କ୍ଷେତ୍ରରେ ଉତ୍ତର ପ୍ରଦେଶରେ ସର୍ବାଧିକ ୫.୫୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଓଡ଼ିଶାରେ ସର୍ବନିମ୍ନ ୦.୧୩ ପ୍ରତିଶତ ବୃଦ୍ଧି ହୋଇଥିଲା। ତେବେ କର୍ଣ୍ଣାଟକରେ ସର୍ବାଧିକ ୧.୩୭ ପ୍ରତିଶତ ଅବନତି ହୋଇଥିଲା। ଏ କଥା ସତ ଯେ ଉତ୍ତର ପ୍ରଦେଶ, ଓଡ଼ିଶା ପରି ଅତି କମ ଅଙ୍କ ସହ ସୂଚକାଙ୍କର ତଳେ ଥିବା ରାଜ୍ୟଗୁଡ଼ିକରେ ବାର୍ଷିକ କ୍ରମବର୍ଦ୍ଧମାନ ଉନ୍ନତିର ଅବକାଶ ଅଧିକ। କେରଳ ପରି ରାଜ୍ୟରେ ଯେଉଁଠି ସୂଚକାଙ୍କ ୮୨ ପ୍ରତିଶତ ହୋଇ ସାରିଲାଣି ସେଠାରେ ବାର୍ଷିକ ବୃଦ୍ଧି ଖୁବ ବେଶି ସମ୍ଭବ ନୁହେଁ।
ଦିଲ୍ଲୀର ମୋହଲା କ୍ଲିନିକ ବ୍ୟବସ୍ଥା ହେଉ ବା ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ନେଉଥିବା ପଦକ୍ଷେପଗୁଡ଼ିକ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଚିତ ଢଙ୍ଗରେ ପ୍ରତିଫଳିତ ହେଉନାହିଁ ବୋଲି କେତେକ ସମାଲୋଚକଙ୍କ ମତ। ସୂଚକାଙ୍କରେ ସ୍ୱାସ୍ଥ୍ୟ ପରିଣାମ ଉପରେ ଗୁରୁତ୍ୱ ଦିଆ ଯାଉଥିବାରୁ କେଉଁ ରାଜ୍ୟ କି ଉନ୍ନତ ପଦକ୍ଷେପ ଗ୍ରହଣ କଲେ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ସେହି ପଦକ୍ଷେପ ଦ୍ୱାରା ବିଭିନ୍ନ ସୂଚକରେ କି ଉନ୍ନତି ପରିଲକ୍ଷିତ ହେଲା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ରାଜ୍ୟ ଗ୍ରହଣ କରିଥିବା କୌଣସି ପଦକ୍ଷେପ ଦ୍ୱାରା ଉନ୍ନତ ପରିଣାମ ମିଳିଲା ତାହା ସୂଚକାଙ୍କରେ ରାଜ୍ୟର ସ୍ଥିତିକୁ ଉନ୍ନତ କରିବା ସହ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ସର୍ବୋତ୍ତମ ପ୍ରଣାଳୀ (ବେଷ୍ଟ ପ୍ରାକ୍ଟିସ) ଭାବେ ଅନୁକରଣୀୟ ହେବ।
ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ବିବୃତି ଦେଲେ ଯେ ନୀତି ଆୟୋଗ ପ୍ରସ୍ତୁତ କରିଥିବା ସୂଚକାଙ୍କଟି ଭୁଲ କାରଣ କେନ୍ଦ୍ର ସରକାର ଏଥି ପୂର୍ବରୁ ଓଡ଼ିଶାକୁ ଏକ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ପୁରସ୍କୃତ କରି ସାରିଛନ୍ତି। ମନେ ରଖିବାକୁ ହେବ ଯେ ସୂଚକାଙ୍କଟି କୌଣସି ନିର୍ଦ୍ଦିଷ୍ଟ ରୋଗ ବା କ୍ଷେତ୍ର ପାଇଁ ନୁହେଁ ବରଂ ସାମଗ୍ରିକ ଭାବେ ବିଭିନ୍ନ ପରିମାପକ (ପାରାମିଟର)ରେ ପ୍ରଦର୍ଶନକୁ ଆଧାର କରି ପ୍ରସ୍ତୁତ ହୋଇଥାଏ। ତା’ ଛଡ଼ା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅନବରତ ଅନଲାଇନରେ ପ୍ରଦତ୍ତ ତଥ୍ୟ ଆଧାରରେ ଏହା ପ୍ରସ୍ତୁତ ହେଉଥିବାରୁ ଏହାକୁ ଭୁଲ କହିବାର ଅର୍ଥ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା। ତେଣୁ ସୂଚକାଙ୍କରେ ତ୍ରୁଟି ଖୋଜିବା ଅପେକ୍ଷା ପ୍ରତିଟି ସୂଚକକୁ ତର୍ଜମା କରି ଯେଉଁ ସବୁ ସୂଚକରେ ଓଡ଼ିଶାର ପ୍ରଦର୍ଶନ ଅନ୍ୟାନ୍ୟ ରାଜ୍ୟର ପ୍ରଦର୍ଶନ ତୁଳନାରେ ନିରାଶାଜନକ ରହିଛି ସେଗୁଡ଼ିକୁ ସୁଧାରିବାକୁ ଆନ୍ତରିକତାର ସହିତ ଉଦ୍ୟମ ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେ ଅନ୍ୟ ରାଜ୍ୟର ସମକକ୍ଷ ହୋଇପାରିବ ଓ ଭବିଷ୍ୟତରେ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ଉନ୍ନତତର ପ୍ରଦର୍ଶନ କରି ଉପରକୁ ଉଠିପାରିବ, ସେଥିରେ ସନ୍ଦେହ ନାହିଁ।
ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।