ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ହେବ କି?

  • ସରଳ କୁମାର ଦାସ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ ମାର୍ଚ୍ଚରେ କୋଭିଡ-୧୯କୁ ମହାମାରୀ ଘୋଷଣା କରିବା ପରେ ଏହାକୁ ପ୍ରତିରୋଧ କରିବା ପାଇଁ ଟିକା ବିକାଶ କରିବା ଲାଗି ବିଶ୍ୱର ବିଭିନ୍ନ ଦେଶରେ ଗବେଷଣା ଆରମ୍ଭ ହୋଇ ବର୍ଷକ ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ପ୍ରାୟ ୮ଟି ଟିକା ଉପଲବ୍ଧ ହେଲା। ତଥାପି ଟିକାଗୁଡିକର ବିତରଣ ଓ ବିକାଶଶୀଳ ଦେଶଗୁଡିକୁ ଉପଲବ୍ଧ କରାଇବା ନେଇ ନୂତନ ଆହ୍ୱାନ ସୃଷ୍ଟି ହେଲା। ଟିକା ବିକାଶ ପ୍ରକ୍ରିୟା ଜାରି ଥିବା ବେଳେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବିକଶିତ ଦେଶମାନେ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଡୋଜ ଟିକା ଆଗତୁରା ବୁକିଂ କରି ରଖିଲେ। ଫଳରେ ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶ ଠିକ ସମୟରେ ଟିକା ପାଇବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ ହୋଇଗଲା। ଏହି ଅନ୍ୟାୟପୂର୍ଣ୍ଣ ପରିସ୍ଥିତିର ଉଚିତ ମୁକାବିଲା କରିବା ପାଇଁ ୨୦୨୦ ଅକ୍ଟୋବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱର ଅଧିକାଂଶ ଦେଶରେ ଟିକାକରଣ ନ ସରିବା ପର୍ଯ୍ୟନ୍ତ କୋଭିଡ ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବଲ୍ୟୁଟିଓ) ନିକଟରେ ପ୍ରସ୍ତାବ ରଖିଲେ। ଡବଲ୍ୟୁଟିଓ ଦ୍ୱାରା ବୌଦ୍ଧିକ ସ୍ୱତ୍ୱାଧିକାରର ବାଣିଜ୍ୟ ସମ୍ପର୍କିତ ପ୍ରସଙ୍ଗ (ଟ୍ରିପସ) ଉଚ୍ଛେଦ ହେଲେ ଉତ୍ପାଦନକାରୀଙ୍କୁ ଆଉ ପ୍ୟାଟେଣ୍ଟ ବାବଦକୁ ରୟାଲଟି ଦେବାକୁ ପଡିବ ନାହିଁ। ତେଣୁ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧିକ ଆବଶ୍ୟକତା ଥିବା ବିକାଶଶୀଳ ଦେଶଗୁଡିକରେ ଶୀଘ୍ର ଓ ସୁଲଭ ମୂଲ୍ୟରେ ଟିକା ଉପଲବ୍ଧ କରାଇବା ସହଜ ହେବ ବୋଲି ବିଶ୍ୱାସ।

ଆମେରିକା ଓ ୟୁରୋପୀୟ ୟୁନିଅନର ଦେଶମାନଙ୍କ ବିରୋଧ ଫଳରେ ପ୍ରସ୍ତାବଟି ଆଗକୁ ବଢି ପାରୁ ନ ଥିଲା। ମଇ ୫, ୨୦୨୧ରେ ଆମେରିକା ସାମୟିକ ଭାବେ ଟ୍ରିପସକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ସପକ୍ଷରେ ମତ ଦେବା ପରେ ପ୍ରାୟ ୧୨୦ଟି ଦେଶ ପ୍ରସ୍ତାବକୁ ସମର୍ଥନ ଜଣାଇ ସାରିଲେଣି। ତେବେ କିଛି ବିକଶିତ ଦେଶ ପ୍ରସ୍ତାବକୁ ବିରୋଧ କରୁଛନ୍ତି। ସ୍ୱାଭାବିକ ଭାବେ ଫାର୍ମା କମ୍ପାନୀମାନଙ୍କ ଅନ୍ତର୍ଜାତୀୟ ସଂଗଠନ ଇଫମା, ଟିକା ବିକାଶ କରିଥିବା ଅନୁଷ୍ଠାନ ଓ ପ୍ରସ୍ତୁତକର୍ତ୍ତାମାନେ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପ୍ରସ୍ତାବର ଘୋର ବିରୋଧ କରୁଛନ୍ତି। ସେମାନଙ୍କ ମତରେ ଏହାର ଫଳ ଓଲଟା ହେବ, କାରଣ ବୌଦ୍ଧିକ ସ୍ୱତ୍ୱାଧିକାର ସୁରକ୍ଷିତ ନ ରହିଲେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିବାକୁ ଆଗ୍ରହୀ ହେବେ ନାହିଁ କି ସେଥିପାଇଁ ବିନିବେଶକ ଆଗେଇ ଆସିବେ ନାହିଁ। ତା’ ଛଡା କୋଭିଡ-୧୯ ଟିକା ଉତ୍ପାଦନ ପ୍ରକ୍ରିୟା ଜଟିଳ ହୋଇଥିବାରୁ କେବଳ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ହୋଇଗଲେ ଏହାର ଉତ୍ପାଦନ ଛାଏଁ ଛାଏଁ ବୃଦ୍ଧି ପାଇବ ନାହିଁ। ପ୍ରସ୍ତାବଟି ଉପରକୁ ମାନବତାର ବୃହତ୍ତର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା ପରି ମନେ ହେଉଥିଲେ ବି ଏହା ସପକ୍ଷରେ ଓ ବିପକ୍ଷରେ ଥିବା ଦେଶଗୁଡିକର ଅନ୍ତର୍ନିହିତ ସ୍ୱାର୍ଥ ସେମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରି କିପରି ଛକାପଞ୍ଝା ଚାଲିଛି, ତାହା ବୁଝିବାର ବିଷୟ।

କୋଭିଡ ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦର ଅର୍ଥ ଟିକା ତିଆରି କରୁଥିବା କମ୍ପାନୀଗୁଡିକୁ ମଧ୍ୟମ ଆୟ ବର୍ଗର ଦେଶଗୁଡିକରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି (ଇୟୁଏ) ପ୍ରଦାନ ମାଧ୍ୟମରେ ଟିକା ଉତ୍ପାଦନକୁ ବ୍ୟାପକ କରିବା। କେବଳ ଭାରତକୁ ବାଦ ଦେଲେ ଅଧିକାଂଶ ଟିକାର ବିକାଶ ଓ ଉତ୍ପାଦନ ଏବେ ଉଚ୍ଚ ଆୟ ବର୍ଗର ଦେଶଗୁଡିକରେ କେନ୍ଦ୍ରିତ। ଅନ୍ୟ ପକ୍ଷରେ ସେହି ସବୁ ଦେଶର ଟିକା ଉତ୍ପାଦକଙ୍କଠାରୁ ଲାଇସେନ୍ସ ବା ବୈଷୟିକ ଜ୍ଞାନକୌଶଳ ଆହରଣ କରି କିଛି ମଧ୍ୟମ ଆୟ ବର୍ଗର ଦେଶରେ ବି ଟିକା ଉତ୍ପାଦନ ହେଉଛି।

ନିଜ ଦେଶର ଲୋକଙ୍କ ଲାଗି ଟିକାକରଣ ସୁନିଶ୍ଚିତ କରିବା ପାଇଁ ଆମେରିକା ପ୍ରଥମେ ଏତେ ବ୍ୟଗ୍ର ଥିଲା ଯେ ଅନ୍ୟ ବିକାଶଶୀଳ ଦେଶର ଲୋକଙ୍କ ଟିକାକରଣ ସମ୍ପର୍କରେ ଚିନ୍ତା କରିବାକୁ ବି ତା’ ନିକଟରେ ସମୟ ବା ଆଗ୍ରହ ନ ଥିଲା। ଏହି ମନୋଭାବ ଯୋଗୁ ବିକାଶଶୀଳ ଦେଶଙ୍କ ନିକଟରେ ଆମେରିକାର ଛବି ଖରାପ ହେଲା। ସେହି ସମୟରେ ଚୀନ ଓ ରୁଷିଆ ସେମାନଙ୍କୁ ସାହାଯ୍ୟର ହାତ ବଢାଇ କୂଟନୈତିକ ଦୃଷ୍ଟିରୁ ନିଜକୁ ଭଲ ସ୍ଥିତିରେ ରଖି ପାରିଲେ। ଦେଶରେ ଟିକାକରଣ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିବା ପରେ ଏବେ ଆମେରିକା ତା’ର ଧ୍ୟାନ ହୃତ ଖ୍ୟାତିର ପୁନରୁଦ୍ଧାର ପାଇଁ କେନ୍ଦ୍ରିତ କରିଥିଲା ପରି ଜଣାପଡୁଛି। ପ୍ରସ୍ତାବକୁ ସମର୍ଥନ କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଲକ୍ଷ୍ୟ ରଖିଛି – (୧) ବିକାଶଶୀଳ ଦେଶଗୁଡିକୁ ଟିକା ସହଜରେ ମିଳି ପାରିବା ଲାଗି ଉଦ୍ୟମ କରି ନିଜକୁ ସେମାନଙ୍କ ହିତୈଷୀ ବୋଲି ପ୍ରତିପାଦିତ କରିବା, (୨) ଟିକାକରଣ ମାଧ୍ୟମରେ ଚୀନ ଯେଉଁ କୂଟନୈତିକ ଲାଭ ହାସଲ କରି ସାରିଛି, ସେଥିରେ ବ୍ରେକ୍ ଲଗାଇବା।

ସାରା ବିଶ୍ୱରେ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ଥାନ ଆମେରିକା ପଛକୁ ଦ୍ୱିତୀୟ। ଏଠାରେ ଆଷ୍ଟ୍ରାଜେନିକାଠାରୁ ଲାଇସେନ୍ସ ପ୍ରାପ୍ତ ହୋଇ ତିଆରି ହେଉଥିବା କୋଭିସିଲ୍ଡ ଟୀକା ଯେଉଁ ସିରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହେଉଛି ତାହା ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନ କେନ୍ଦ୍ର। ଭାରତ ବାଇଓଟେକ ନିଜ କାରଖାନାରେ କୋଭାକ୍ସିନ ଟୀକା ତିଆରି କରୁଥିବା ବେଳେ ଦେଶରେ ଆହୁରି ପ୍ରାୟ ୨୫ଟି ଟିକା ଉତ୍ପାଦନକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି, ଯେଉଁଗୁଡିକ ପ୍ୟାଟେଣ୍ଟ ଉଚ୍ଛେଦ ହେଲେ ବିଭିନ୍ନ ଟିକା ଉତ୍ପାଦନ କରିବାକୁ ଆଗ୍ରହ ଦେଖାଇ ପାରନ୍ତି। ଫଳରେ ଦେଶରେ ଟିକା ଆବଶ୍ୟକତାକୁ ପୂରଣ କରିବା ସହ ଏହି ଉତ୍ପାଦନକାରୀମାନେ ଟିକା ରପ୍ତାନୀ କରିବାର ମଧ୍ୟ ସମ୍ଭାବନା ରହିଛି। ଫଳରେ ତାହା ବିଭିନ୍ନ ଦେଶ ସହ ଭାରତର କୂଟନୈତିକ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହୋଇପାରେ। ତେଣୁ ପ୍ରସ୍ତାବ ଗୃହୀତ ହେଲେ ତଦ୍ଦ୍ୱାରା ସର୍ବାଧିକ ଲାଭାନ୍ୱିତ ହେବାକୁ ଯାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ହେବ। ଦକ୍ଷିଣ ଆଫ୍ରିକାର ଟିକା ଉତ୍ପାଦନ ଶିଳ୍ପ ପ୍ରାରମ୍ଭିକ ଅବସ୍ଥାରେ ଥିବା ବେଳେ ଏହାର ଉତ୍ପାଦନ କ୍ଷମତା ମଧ୍ୟ ସେତେ ଅଧିକ ନୁହେଁ। ସେଠାକାର ଆସ୍ପେନ ଫାର୍ମାକେୟାର ସଂସ୍ଥା ଜନସନ ଆଣ୍ଡ ଜନସନଠାରୁ ଲାଇସେନ୍ସ ନେଇ ଟିକା ଉତ୍ପାଦନ କରୁଛି। ପ୍ୟାଟେଣ୍ଟ ଉଚ୍ଛେଦକୁ ଏକ ଅବକାଶ ରୂପେ ଗ୍ରହଣ କରି ଦକ୍ଷିଣ ଆଫ୍ରିକା ଟିକା ଉତ୍ପାଦନକୁ ବ୍ୟାପକ କରିବାର ଆଶା ପୋଷଣ କରିଛି।

ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପ୍ରସ୍ତାବକୁ ନେଇ ୟୁରୋପୀୟ ଦେଶମାନେ ବିଭାଜିତ। ଫ୍ରାନ୍ସ, ଇଟାଲି, ପୋଲାଣ୍ଡ ଭଳି ଦେଶ ପ୍ରସ୍ତାବ ସପକ୍ଷରେ ଥିଲା ଭଳି ସୂଚନା ମିଳୁଥିଲେ ବି ଜର୍ମାନୀ ପ୍ରସ୍ତାବକୁ ବିରୋଧ କରୁଛି। ବ୍ରିଟେନ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ସେଠାକାର ଶିକ୍ଷାବିଦ୍, ବୁଦ୍ଧିଜୀବୀ ଓ ଅନ୍ୟମାନଙ୍କ ତରଫରୁ ସରକାରଙ୍କ ଉପରେ ଚାପ ପଡ଼ିଲାଣି। ବୌଦ୍ଧିକ ସ୍ୱତ୍ୱାଧିକାର ସୁରକ୍ଷିତ ରହିଲେ ନବ ପ୍ରବର୍ତ୍ତନ (ଇନୋଭେସନ) ଅବ୍ୟାହତ ରହିବ, ତେଣୁ ତାକୁ ନିଶ୍ଚିତ ରୂପେ ସୁରକ୍ଷିତ କରି ରଖିବା ଦରକାର ବୋଲି ଜର୍ମାନୀର ଯୁକ୍ତି। ନ ହେଲେ ଭବିଷ୍ୟତରେ ଦରକାର ବେଳେ ଆଉ କେହି ନୂଆ କିଛି ବିକାଶ କରିବା ପାଇଁ ଆଗ୍ରହ ଦେଖାଇବେ ନାହିଁ। ତା’ଛଡ଼ା ଆଜି ସ୍ୱତ୍ୱାଧିକାର ଉଚ୍ଛେଦ ହୋଇଗଲେ ଯେ କାଲିଠାରୁ ଗୋଟେ କାରଖାନାରେ ଉତ୍ପାଦନ ଆରମ୍ଭ ହୋଇ ଯାଇ ପାରିବ, ତାହା ନୁହେଁ। ବାଇଓଏନଟେକ-ଫାଇଜର ପ୍ରସ୍ତୁତ ଏମଆରଏନଏ ଭଳି ଏମିତି କିଛି ଟୀକା ଅଛି, ଯାହାର ପ୍ରସ୍ତୁତି ପ୍ରକ୍ରିୟା ଏତେ ଜଟିଳ ଯେ ସେଗୁଡିକ ଯେ କୌଣସିଠାରେ ଉତ୍ପାଦନ କରା ଯାଇପାରିବନି। ଏ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଓ ଉପଯୁକ୍ତ ମାନବ ସମ୍ୱଳର ଉପଲବ୍ଧତା ସହ କାରଖାନାର ଉତ୍ପାଦନ କ୍ଷମତା କେତେ ଅଧିକ ତାହା ମଧ୍ୟ ଗୁରୁତ୍ୱ ବହନ କରିଥାଏ। ଉତ୍ପାଦନ ଅପେକ୍ଷା ବିତରଣ ହିଁ ଟିକାକରଣ ପ୍ରକ୍ରିୟାକୁ ଗତି ପ୍ରଦାନ କରିବାରେ ବାଧା ସୃଷ୍ଟି କରୁଛି, କାରଣ ଅନେକ ଟିକାର ପରିବହନ ଓ ଭଣ୍ଡାରଣ ପାଇଁ ଯେଉଁ ନିମ୍ନ ତାପମାନର ଯୋଗାଣ ଶୃଙ୍ଖଳ ପରିଚାଳନା ବ୍ୟବସ୍ଥା ଆବଶ୍ୟକ, ତାହା ଅନେକ ଦେଶରେ ଉପଲବ୍ଧ ନାହିଁ। ତେଣୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ହେଲେ ତାହା ହୁଏତ ଭ୍ୟାକସିନ ଅନୁପଲବ୍ଧତା ସମସ୍ୟାକୁ କିଛି ମାତ୍ରାରେ ଲାଘବ କରିପାରେ, ହେଲେ ସମ୍ପୂର୍ଣ୍ଣ ନୁହେଁ।

ଇତିମଧ୍ୟରେ ଉଭୟ ଚୀନ ଓ ରୁଷିଆ ପ୍ରସ୍ତାବ ସପକ୍ଷରେ ମତ ରଖିଲେଣି। ତେବେ ଉଭୟ ଦେଶ ନିଜ ନିଜ ଟିକା ଉତ୍ପାଦନ ପାଇଁ ବିଭିନ୍ନ ଦେଶରେ କାରଖାନାମାନ ପ୍ରତିଷ୍ଠା କରିବାକୁ ଅଗ୍ରସର ହୋଇ ସାରିଥିବାରୁ ସ୍ୱତ୍ୱାଧିକାର ଉଚ୍ଛେଦ ହେଲେ ସେମାନଙ୍କ ବାଇଓଟେକ କ୍ଷମତା ଅଧିକ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତାହା ଆମେରିକା ସ୍ୱାର୍ଥର ପରିପନ୍ଥୀ ହୋଇଥିବାରୁ ତାକୁ କିପରି ପ୍ରତିହତ କରିହେବ ସେ ନେଇ ବାଇଡେନ ପ୍ରଶାସନ ଚିନ୍ତିତ। ସ୍ୱତ୍ୱାଧିକାର ଉଚ୍ଛେଦ ହେଲେ ଚୀନ ଟିକା ଗବେଷଣା ଉପରେ ଗୁରୁତ୍ୱ ନ ଦେଇ ପାଶ୍ଚାତ୍ୟ ଦେଶମାନଙ୍କରେ ବିକଶିତ ଟିକାକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ନିଜ କାରଖାନା ମାଧ୍ୟମରେ ଉତ୍ପାଦନ କରିବା ଉପରେ ଗୁରୁତ୍ୱ ଦେବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ଟିକା ତିଆରିରେ ବିଭିନ୍ନ ଉପାଦାନ ଆବଶ୍ୟକ ହୋଇଥାଏ ଓ ତନ୍ମଧ୍ୟରୁ ପ୍ରମୁଖ ଉପାଦାନଗୁଡିକ ହେଲା ବାଇଓରିଆକ୍ଟର ବ୍ୟାଗ, ଫିଲଟର, ସେଲ କଲଚର ମିଡିଆ, ଲିପିଡ ନାନୋପାର୍ଟିକଲସ୍, ମାଇକ୍ରୋକ୍ୟାରିଅର ଇତ୍ୟାଦି। ଉପାଦାନ ଓ କଞ୍ଚାମାଲର ଏକ ବଡ ଭାଗ ଆମେରିକୀୟ କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଏଗୁଡିକର ଯୋଗାଣ ପାଇଁ ସାରା ବିଶ୍ୱରେ ସୀମିତ ସଂଖ୍ୟକ ଯୋଗାଣକାରୀଙ୍କ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଓ ଏହାର ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଏହି ଉପାଦାନ ଓ କଞ୍ଚାମାଲଗୁଡିକର ନିରନ୍ତର ଯୋଗାଣ ଉପରେ ଟୀକା ଉତ୍ପାଦନର ନିରନ୍ତରତା ଅନେକାଂଶରେ ନିର୍ଭର କରିଥାଏ। ତେଣୁ ଏହି ଉପାଦାନଗୁଡ଼ିକ ପାଇଁ ବିଭିନ୍ନ ଦେଶ ଆମେରିକା ଉପରେ ନିର୍ଭରଶୀଳ ରହିବା ସ୍ୱାଭାବିକ। ୟୁଏସ ଡିଫେନ୍ସ ପ୍ରଡକ୍ସନ ଆକ୍ଟ, ୧୯୫୦ରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ନିଜ ଦେଶବାସୀଙ୍କ ସ୍ୱାର୍ଥରେ ଆମେରିକାରେ ଟିକା ଉତ୍ପାଦନକୁ ଗତି ପ୍ରଦାନ କରିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଜାନୁଆରି ୨୧, ୨୦୨୧ରେ ଟିକା ପାଇଁ ‘ଜରୁରୀ’ ଉପାଦାନ ଓ କଞ୍ଚାମାଲଗୁଡିକର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଅବଶ୍ୟ ସେଠାରେ ଟିକାକରଣ ସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଥିବା କଟକଣାକୁ ଉଠାଇ ଦିଆଗଲା। ଅର୍ଥାତ୍, ଜାତୀୟ ସ୍ୱାର୍ଥ ସୁରକ୍ଷାକୁ ପ୍ରାଥମିକତା ଦେଇ କଞ୍ଚାମାଲ ରପ୍ତାନୀ ଉପରେ କଟକଣା ଲଗାଇବାକୁ କୁଣ୍ଠାବୋଧ କରୁ ନଥିବା ବିକଶିତ ଦେଶମାନେ ଯେ ଟିକା ଉପରୁ ପ୍ୟାଟେଣ୍ଟ ଉଚ୍ଛେଦ ପୂର୍ବରୁ ନିଜ ନିଜ ଜାତୀୟ ସ୍ୱାର୍ଥ ରକ୍ଷା କରି ନିଷ୍ପତ୍ତି ନେବେ, ସେଥିରେ ସନ୍ଦେହ ନାହିଁ।

ଟିକା ପ୍ରସ୍ତୁତି ପାଇଁ ଉତ୍ପାଦକଙ୍କ ନିକଟରେ ଅତି ଉଚ୍ଚ ସ୍ତରର ଜୈବ ସୁରକ୍ଷା ମାନକ (ବାଇଓସେଫଟି ଷ୍ଟାଣ୍ଡାର୍ଡ) ରହିବା ଅପରିହାର୍ଯ୍ୟ। ଉଦାହରଣ ସ୍ୱରୂପ, ଭାରତରେ ପ୍ରସ୍ତୁତ ‘କୋଭାକ୍ସିନ’ ଏକ ନିଷ୍କ୍ରିୟ (ଇନଆକ୍ଟିଭେଟେଡ) ଟିକା ଯେଉଁଥିପାଇଁ ତୃତୀୟ ସ୍ତରର ଜୈବ ସୁରକ୍ଷା ମାନକ ଆବଶ୍ୟକ, ଯାହା ଭାରତରେ ଅଳ୍ପ କିଛି ଉତ୍ପାଦକଙ୍କ ନିକଟରେ ଉପଲବ୍ଧ। କୋଭାକ୍ସିନର ପ୍ୟାଟେଣ୍ଟ ଭାରତ ବାଇଓଟେକ ସମେତ ଭାରତ ସରକାରଙ୍କ ଆଇସିଏମଆର ନିକଟରେ ଥିବାରୁ ଅନ୍ୟ କମ୍ପାନୀଙ୍କୁ ଏହାର ତିଆରି ପାଇଁ ଅନୁମତି ଦିଆଗଲେ ବି ସେମାନଙ୍କଠାରେ ନିର୍ଦ୍ଧାରିତ ଜୈବ ସୁରକ୍ଷା ମାନକ ନ ଥିବାରୁ ସେମାନେ ତତ୍ପରତା ପ୍ରକାଶ କରୁନାହାନ୍ତି। ଭାରତ ଭଳି ଅଗ୍ରଣୀ ଟିକା ଉତ୍ପାଦନକାରୀ ଦେଶରେ ଯଦି ସ୍ଥିତି ଏଇୟା, ତେବେ ପ୍ୟାଟେଣ୍ଟ ଉଚ୍ଛେଦ ହୋଇଗଲେ ଅନ୍ୟ ଦେଶଗୁଡିକ ଯେ ତୁରନ୍ତ ଉତ୍ପାଦନ ଆରମ୍ଭ କରି ପାରିବେ ନାହିଁ, ତାହା ସହଜରେ ଅନୁମେୟ। ଅଧିକନ୍ତୁ, ଏହି ଦେଶଗୁଡିକରେ ନିର୍ଦ୍ଧାରିତ ଜୈବ ସୁରକ୍ଷା ମାନକ ସୁନିଶ୍ଚିତ ପୂର୍ବକ ଟିକା ତିଆରି କାରଖାନା ପ୍ରତିଷ୍ଠା କରି ଉତ୍ପାଦନ ଆରମ୍ଭ କରିବାକୁ ଅନ୍ତତଃ ବର୍ଷେ ଲାଗିଯିବ। ଅନେକ ଦେଶ କାରଖାନା ପ୍ରତିଷ୍ଠା କରିବା ଅପେକ୍ଷା ଆମଦାନୀ କରି ଟୀକାକରଣ କରିବାକୁ ହୁଏତ ଅଧିକ ବ୍ୟାବହାରିକ ମନେ କରିପାରନ୍ତି। ଅବଶ୍ୟ ପ୍ୟାଟେଣ୍ଟ ଉଚ୍ଛେଦ ହେଲେ ବଙ୍ଗଳାଦେଶ, ଦକ୍ଷିଣ କୋରିଆ ଓ କାନାଡା ପରି ଦେଶମାନେ ଟିକା ଉତ୍ପାଦନ ପାଇଁ ଆଗ୍ରହୀ ବୋଲି ଇଙ୍ଗିତ ମିଳିଲାଣି।

ପ୍ୟାଟେଣ୍ଟସ ଆଇନ ଓ ଡ୍ରଗ ପ୍ରାଇସ କଣ୍ଟ୍ରୋଲ ଅର୍ଡର ଅନୁଯାୟୀ ଭାରତ ସରକାର ଚାହିଁଲେ ଦେଶ ଭିତରେ କୌଣସି ଔଷଧ ବା ଟିକାର ଉତ୍ପାଦନ ବଢାଇବାକୁ ଓ ଦର ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇ ପାରିବେ। ପ୍ୟାଟେଣ୍ଟସ ଆଇନର ଧାରା ୯୨ ଅନୁଯାୟୀ ଜନସ୍ୱାସ୍ଥ୍ୟର ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ର ସରକାର ପ୍ୟାଟେଣ୍ଟ ଥିବା ଔଷଧଗୁଡିକର ଅନ୍ୟତ୍ର ଉତ୍ପାଦନ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ କରି ପାରିବେ। ସେହିପରି ସେହି ଆଇନର ଧାରା ୧୦୦ ଅନୁଯାୟୀ ଏଭଳି ବିଶେଷ ସ୍ଥିତିରେ ପ୍ୟାଟେଣ୍ଟ ଥିବା ଉଦ୍ଭାବନର ବ୍ୟବହାର ପାଇଁ ସରକାର ଅଧିକୃତ। ମହାମାରୀ ସତ୍ତ୍ୱେ ସରକାର ତାଙ୍କର ଏହି କ୍ଷମତାର ଉପଯୋଗ କରିବାକୁ ରାଜି ନ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ହଲଫନାମା ଦାଖଲ କରିଛନ୍ତି। ତେବେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ କୋଭିଡ ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପାଇଁ ଦାବି କରୁଥିବା ସରକାର ରେମଡେଜିଭିର ଭଳି ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଇଁ କ୍ଷମତାର ଉପଯୋଗ ନ କରିବା ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠାଇବ ନାହିଁ କି?

ଟୀକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ନିଷ୍ପତ୍ତି ଡବଲ୍ୟୁଟିଓରେ ସଭ୍ୟ ଥିବା ୧୬୪ଟି ଦେଶଙ୍କୁ ସହମତି ଭିତ୍ତିରେ ନେବାକୁ ହେବ। ପ୍ରସଙ୍ଗଟିର ଜଟିଳତା ଯୋଗୁ ଦେଶମାନଙ୍କୁ ସହମତିରେ ପହଞ୍ଚିବାକୁ ଦୀର୍ଘ ସମୟ ଲାଗି ଯାଇପାରେ। ବିଭିନ୍ନ ଦେଶର ପରସ୍ପର ବିରୋଧୀ ସ୍ୱାର୍ଥ ପ୍ରସ୍ତାବ ସପକ୍ଷରେ ସହମତି ସୃଷ୍ଟି କରିବାରେ ଅନ୍ତରାୟ ହୋଇପାରେ। ଗୋଟିଏ ଦେଶ ବି ପ୍ରସ୍ତାବକୁ ବିରୋଧ କଲେ ତାହା ଗୃହୀତ ହୋଇ ପାରିବନି। ହୁଏତ ଏଥିପାଇଁ ଦେଶଗୁଡିକ ମଧ୍ୟରେ ସହମତି ଦେଖା ଦେଲା ବେଳକୁ ପ୍ୟାଟେଣ୍ଟ ଉଚ୍ଛେଦ ଜନିତ ଲାଭ ବିକାଶଶୀଳ ଦେଶର ନାଗରିକମାନଙ୍କ ନିକଟରେ ଈପସିତ ଢଙ୍ଗରେ ପହଞ୍ଚିବାକୁ ଯଥେଷ୍ଟ ବିଳମ୍ୱ ହୋଇ ଅନେକ କ୍ଷତି ସାଧିତ ହୋଇ ସାରିଥିବ। ତେଣୁ ଏ ନେଇ ତୁରନ୍ତ ଉଚିତ ନିଷ୍ପତ୍ତି ନିଆଯିବା ବାଞ୍ଛନୀୟ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।