ଦେବେନ୍ଦ୍ର ପୃଷ୍ଟି
କରୋନା ଚହଳ ସମୟରେ ସରକାରଙ୍କ ତରଫରୁ ଗୋଟିଏ ବାର୍ତ୍ତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତାହା ହେଲା, ଘରେ ରହନ୍ତୁ ସୁସ୍ଥ ରହନ୍ତୁ। ଲୋକଙ୍କୁ ଘରେ ରହିବା ପାଇଁ ସରକାର ଏକରକମ ବାଧ୍ୟ କରିଛନ୍ତି। ଏଇ ଉଦ୍ଦେଶ୍ୟରେ ତାଲାବନ୍ଦ ବା ଲକ୍ ଡାଉନ୍ ଘୋଷଣା କରାଯାଇଛି। ତାଲାବନ୍ଦକୁ ସଫଳ କରିବା ପାଇଁ ସରକାରଙ୍କ ତରଫର ବିଭିନ୍ନ କଟକଣା ଜାରି କରାଯାଇଛି। ସଂକ୍ରାମକ ରୋଗ ଆଇନ ଅନୁସାରେ ଗିରଫଦାରି ଓ ଦଣ୍ଡ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ତ ଲୋକଙ୍କୁ କହୁଛନ୍ତି, ଏବେ ସଜ ପରିବା ଖାଇବା ମନା। ପୋକରା ବାଇଗଣ କିଣନ୍ତୁ ପଛେ କରୋନା ଭୂତାଣୁ କିଣନ୍ତୁ ନାହିଁ।
ଲୋକଙ୍କୁ ଗୃହାବଦ୍ଧ ରଖିବା ପାଇଁ ଓଡ଼ିଶା ସରକାର ପ୍ରଥମେ ପାଞ୍ଚ ଜିଲ୍ଲା, ତା’ପରେ ୯ ଜିଲ୍ଲା ଓ ଶେଷରେ ଭାରତ ସରକାରଙ୍କ ଘୋଷଣା ଅନୁସାରେ ସବୁ ଜିଲ୍ଲାରେ ତାଲାବନ୍ଦ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହି ତାଲାବନ୍ଦ ଏପ୍ରିଲ ୧୪ ତାରିଖରେ ଶେଷ ହେବା କଥା। ମାତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଇତିମଧ୍ୟରେ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ପଞ୍ଜାବରେ ମେ ପହିଲା ଯାଏଁ ତାଲାବନ୍ଦ ଅବଧି ବଢ଼ାଇ ଦିଆଯାଇଛି। କର୍ଣ୍ଣାଟକ ସରକାର ମଧ୍ୟ ଏଇ ମାସ ଶେଷ ଯାଏଁ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି। ଭାରତର ଅନ୍ୟ ବହୁ ରାଜ୍ୟ ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଯାଏଁ ଏହା ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ଏପ୍ରିଲ ୧୧ ତାରିଖ ଶନିବାର ସେ ଏନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେବେ। ତା’ପରେ ସମ୍ଭବତଃ ଏପ୍ରିଲ ୧୪ ତାରିଖ ମଙ୍ଗଳବାର ଦେଶବାସୀଙ୍କୁ ପୁଣି ଥରେ ଉଦବୋଧନ ଦେଇ ନିଜ ନିଷ୍ପତ୍ତି ଘୋଷଣା କରିବେ।
ତେବେ ସ୍ୱାଭାବିକ ପ୍ରଶ୍ନଟିଏ, କେତେ ଦିନ ଯାଏଁ ତାଲାବନ୍ଦ ଜାରି ରହିଲେ ବା ଲୋକମାନେ ଗୃହାବଦ୍ଧ ରହିଲେ କରୋନାଭୂତାଣୁ ବା ସାର୍ସ-କୋଭିଡ-୨ ଭାରତବର୍ଷରୁ ସଂପୂର୍ଣ୍ଣ ବିଲୁପ୍ତ ହେବ? ତାଲାବନ୍ଦ ନିଷ୍ପତ୍ତି କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ନା ଏହା ବିରୋଧରେ ପ୍ରସ୍ତୁତ ହେବା ପାଇଁ ସରକାରଙ୍କୁ ସମୟ ଦେବାର ଏକ ଉପାୟ? କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ସମୟରେ ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ। ସେତେବେଳେ ବରଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଥିଲା ଯେ ଏହା ଏକ ସ୍ୱାସ୍ଥ୍ୟ ସଂପର୍କୀତ ଜରୁରୀକାଳୀନ ଅବସ୍ଥା ନୁହେଁ। କିନ୍ତୁ ପରେ ବୁଝିଲାବେଳକୁ ସମୟ ଗଡ଼ି ଯାଇଥିଲା। ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା ମୁକାବିଲା କରିବା ପାଇଁ ମୁହଁପଟି, ଟେଷ୍ଟ କିଟ୍, ପିପିଇ ଓ ଔଷଧ ଆଦି ଉତ୍ପାଦନ ବଢ଼ାଇ ଦିଆଯାଇଛି। କରୋରାକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଏକାନ୍ତବାସ ସୁବିଧା କରାଯାଉଛି। ବିଭିନ୍ନ ମେଡିକାଲରେ ଅଧିକ ସଂଖ୍ୟକ ଶଯ୍ୟା ସୁବିଧା କରାଯାଉଛି। ଭେଣ୍ଟିଲେଟର କିଣାଯାଉଛି। ସାର୍ସ-କୋଭିଡ଼-୨ ଭୂତାଣୁ ସଂକ୍ରମଣ ତ୍ୱରିତ ଗତିରେ ହେଉଥିବାରୁ ଏବଂ ଏହି ରୋଗର ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସମାନଙ୍କୁ ମଧ୍ୟ ଏହା ଛାଡ଼ୁ ନଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ସରକାର ଏବେ ଡାକ୍ତରଖାନା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସରକାରଙ୍କର ଏପରି ପଦକ୍ଷେପରୁ ବୁଝି ହେଉଛି ଯେ ତାଲାବନ୍ଦ କରୋନାଭୂତାଣୁକୁ ନଷ୍ଟ କରିପାରିବ ନାହିଁ। ଏହା କେବଳ ସଂକ୍ରମଣ ଚକ୍ରକୁ ଭାଙ୍ଗିପାରିବ ଅର୍ଥାତ ତାଲାବନ୍ଦ ଯୋଗୁଁ କରୋନା ଭୂତାଣୁ ଅଳ୍ପ ସମୟରେ ଅଧିକ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ ହେବ ନାହିଁ। ଅଳ୍ପ ସମୟରେ ଯଦି ହଜାର ହଜାର ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୁଏ ତେବେ ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଶଯ୍ୟା ନିଅଣ୍ଟ ପଡ଼ିପାରେ, ଡାକ୍ତର ଅଭାବ ପଡ଼ିପାରନ୍ତି, ଔଷଧ ମଧ୍ୟ ଅକୁଳାଣ ହୋଇପାରେ। ଏଇଥିପାଇଁ ସରକାର ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକୁ ପ୍ରସ୍ତୁତ କରିବା ନିମନ୍ତେ ସମୟ ଦରକାର କରନ୍ତି। ଆଉ ସେଥିପାଇଁ ତାଲାବନ୍ଦଠାରୁ ଅଧିକ ସହଜ ଉପାୟ କିଛି ନାହିଁ। ସରକାର ଯଦି ଜାନୁଆରୀ ମାସରୁ ବିମାନ ବନ୍ଦରରୁ ବିଦେଶ ଫେରନ୍ତାଙ୍କୁ ଏକାନ୍ତବାସରେ ପଠେଇ ଦେଇଥାନ୍ତେ ତେବେ ସମଗ୍ର ଦେଶକୁ ଏକସମୟରେ ତାଲାବନ୍ଦ କରିବାର ଆବଶ୍ୟକତା ହୁଏତ ପଡ଼ି ନଥାନ୍ତା। ଏବେ ଯେପରି ଭୁବନେଶ୍ୱର ଓ ମୁମ୍ବାଇ ସହରର କେତେକ କଲୋନୀକୁ ଆକ୍ରାନ୍ତ ଘୋଷଣା କରାଯାଇ ଘେରାବନ୍ଦି କରାଯାଇଛି ହୁଏତ ସେହିପରି ସହଜବାଟ ମିଳିଥାନ୍ତା। କିନ୍ତୁ ସେତେବେଳେ ସରକାର ବାଟ ହୁଡ଼ିବାରୁ ଗୋଟେ ସମସ୍ୟାର ସମାଧାନ କରିବାକୁ ଯାଇ ଅନ୍ୟ ବହୁ ସମସ୍ୟା ସୃଷ୍ଟି କରିବାକୁ ବାଧ୍ୟ ହୋଇଛନ୍ତି।
ତେବେ ଏହା ନିଶ୍ଚିତ ଯେ ଏହି ତାଲାବନ୍ଦ ଜରିଆରେ କରୋନାଭୂତାଣୁର ବିଲୟ ସମ୍ଭବ ନୁହେଁ। ଭାରତବର୍ଷକୁ ଆସନ୍ତା ଏକ ବର୍ଷ ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲାବନ୍ଦ ରଖିଲେ ବି କରୋନାଭୂତାଣୁର ପୂର୍ଣ୍ଣ ବିଲୟ ସମ୍ଭବ ନୁହେଁ। କାରଣ ଏହା ଅନେକ ଲୋକଙ୍କ ଦେହକୁ ଆଧାର କରିସାରିଛି। ବିଶେଷଜ୍ଞମାନଙ୍କ ଆଶଙ୍କା ଯେ ପୂର୍ବରୁ ଯେପରି ୬ ପ୍ରକାର କରୋନାଭୂତାଣୁ ରହିଛି ସେହିପରି ଏହି ସାର୍ସ-କୋଭିଡ-୧୯ ସପ୍ତମ କରୋନା ଭୂତାଣୁ ଭାବେ ପୃଥିବୀରେ ରହିବ। ତାହାର ମୂଳୋତ୍ପାଟନ ପାଇଁ ଗୋବୀଜ କିମ୍ବା ପୋଲିଓ ଭଳି ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ସେଥିପାଇଁ ଏବେ ଗବେଷଣା ଚାଲିଛି। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏହି ଟୀକା ପ୍ରସ୍ତୁତି ନିମନ୍ତେ ଦେଢ଼ବର୍ଷ ଲାଗିଯାଇପାରେ। ସେଯାଏଁ ତାଲାବନ୍ଦ ଅବ୍ୟାହତ ରହିଲେ ଦେଶ ଓ ବିଶ୍ୱର ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ନିଶ୍ଚିତ। ତେଣୁ ହୁଏତ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ହେବା ଯାଏଁ ସରକାର ତାଲାବନ୍ଦ ଜାରି ରଖିପାରନ୍ତି। ତା’ପରେ ଏହା ପ୍ରତ୍ୟାହୃତ ହୋଇପାରେ। କିନ୍ତୁ ତାଲାବନ୍ଦ ଉଠିଲା ମାତ୍ରେ ଅନେକଙ୍କ ଦେହରେ ସୁପ୍ତ ଥିବା ଅର୍ଥାତ ଲକ୍ଷଣ ପ୍ରକାଶ କରୁନଥିବା ଭୂତାଣୁ ସଂକ୍ରମଣ ପୁନର୍ବାର ଆରମ୍ଭ ହୋଇପାରେ। ସେତେବେଳେ ସରକାର ତାଲାବନ୍ଦ ନକରି ଡାକ୍ତରୀ ଚିକିତ୍ସା ଉପରେ ଗୁରୁତ୍ୱ ଦେବେ। ସେତେବେଳେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ଜନିତ ରୋଗ ପରି ସାର୍ସ-କୋଭିଡ-୧୯ ସଂକ୍ରମଣ ମଧ୍ୟ ସାଧାରଣ ବୋଧ ହେବ। ଏବେ ଯେମିତି ଭୂତାଣୁ ଜନିତ ଜ୍ୱର ବା ଭାଇରାଲ ଫିଭର ଅଛି ଠିକ ସେହିପରି।