ଗୋଲକ ବିହାରୀ ନାଥ, ସଭାପତି, ଦେବ ରଞ୍ଜନ, ସାଧାରଣ ସମ୍ପାଦକ, ‘ଗାସ’ ଓଡିଶା
ମମିତା ମେହେରଙ୍କ ହତ୍ୟା ଏକ ସଂବେଦନଶୀଳ ପ୍ରସଙ୍ଗ। ଏହା କଦାପି ସାଧାରଣ ହତ୍ୟା ନୁହେଁ, ଏହା ଏକ ଅନୁଷ୍ଠାନ ଦ୍ଵାରା ହତ୍ୟା ମଧ୍ୟ।
ପୁଲିସ ଅଧିକାରୀ ତଦନ୍ତର ମୋଡ଼ ବଦଳାଇବାର ଉଦ୍ଦେଶ୍ୟରେ ଏହାକୁ “ପରକୀୟା ପ୍ରୀତି” ଜନିତ ହତ୍ୟା କହୁଛନ୍ତି। ପୁଲିସ ଜାଣିଛି ଯେ “ଅଭିଯୁକ୍ତ” ତାଙ୍କ ଜିମାରେ ଅଛି। ତାହାର ବକ୍ତବ୍ୟ ସମ୍ପର୍କରେ ସାଧାରଣ ଲୋକଙ୍କୁ ଜାଣିବାର ସୁଯୋଗ ନାହିଁ। ମମିତାଙ୍କ ପରିବାର ଲୋକେ ସେ କେତେକ “ଗୁମର” ଜାଣିଥିବା କଥା କେବଳ କହୁଛନ୍ତି। ତାହା ଅନ୍ୟ କିଛି ବି ହୋଇପାରେ। ପୁଲିସ ଏ କଥା ମଧ୍ୟ ଜାଣିଛନ୍ତି ଯେ କୋର୍ଟର ରାୟକୁ ହିଁ ଆମେ ସର୍ବଦା ଗ୍ରହଣ କରିଥାଉ। ଏଠାରେ କୋର୍ଟର ରାୟ ଆସିବାରେ ଅନେକ ଦିନ ଲାଗିଯାଉଥିବା ହେତୁ ପୁଲିସ ଏହାର ସୁଯୋଗ ନେଉଛି।
ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କ ‘ରାଜନୈତିକ’ ସମ୍ପର୍କ:
ମମିତାଙ୍କ ହତ୍ୟା ପଛରେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହେଲା ଯେ ରାଜ୍ୟରେ ଏହିଭଳି ଶହ ଶହ ପ୍ରାଇଭେଟ ସ୍କୁଲ ଓ କଲେଜରେ ଆଜି ହଜାର ହଜାର ଝିଅ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତ ଅଛନ୍ତି। ଗ୍ରାମାଞ୍ଚଳର ଝିଅମାନେ ଅନେକ ସ୍ଵପ୍ନ, ଆର୍ଥିକ ସ୍ଵାଧୀନତା ଓ ପାରିବାରିକ ଦାୟିତ୍ଵ ନେଇ ଏହି ସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଚାକିରି କରିଥା’ନ୍ତି। ସେଠାରେ ସ୍ୱଳ୍ପ ଦରମା, ଅତ୍ୟଧିକ କାର୍ଯ୍ୟ, କୌଣସି ସୁରକ୍ଷା ନାହିଁ ଓ କୌଣସି ଏକାନ୍ତତା ନାହିଁ, ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ ଇତ୍ୟାଦି ସ୍ଥିତିରେ ତାଙ୍କୁ କାର୍ଯ୍ୟ କରିବା ଲାଗି ବାଧ୍ୟ କରାଯାଇଥାଏ। ସେମାନଙ୍କ ଲାଗି ଏତଦବ୍ୟତୀତ ଅନ୍ୟ ନିଯୁକ୍ତି ପ୍ରାୟତଃ ନାହିଁ।
ଶିକ୍ଷାର ବ୍ୟବସାୟୀକରଣ ହେବା ପରେ, ପ୍ରାୟ ଦୁଇ ହଜାର ମସିହା ପରଠାରୁ, ରାଜ୍ୟର ପ୍ରାୟ ସମସ୍ତ ପ୍ରାଇଭେଟ ସ୍କୁଲ ଓ କଲେଜର ମାଲିକ ଓ ପରିଚାଳନା କମିଟିରେ ସରକାରୀ ଦଳର (କେନ୍ଦ୍ର ଅଥବା ରାଜ୍ୟ) ସଦସ୍ୟଙ୍କ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଉପସ୍ଥିତି ରହୁଛି। ସେହି ସ୍କୁଲ ବା କଲେଜ ଲାଗି ଅନୁମତି ଯୋଗାଡ଼ କରିବା, ଅନୁମତି ମିଳିବା ସମୟର ସର୍ତ୍ତ ସେମାନେ ପୂରଣ କରିନଥିବା କିନ୍ତୁ ଅନୁମତିର ନବୀକରଣ କରାଇବା, ସିଟ ସଂଖ୍ୟା ବୃଦ୍ଧି କରିବା, ପରୀକ୍ଷା ପରିଚାଳନା ଓ ରେଜଲ୍ଟ ଇତ୍ୟାଦିରେ ସ୍କୁଲ ମ୍ୟାନେଜେମେଣ୍ଟର “ରାଜନୈତିକ ସମ୍ପର୍କ” କାମ ଦେଇଥାଏ।
ଏହାର ସୁଯୋଗ ନେଇ ସରକାରୀ ଦଳ ସଦସ୍ୟ ସ୍କୁଲ ମ୍ୟାନେଜମେଣ୍ଟଠାରୁ ଅନେକ ସୁବିଧା ହାସଲ କରିଥାନ୍ତି। ପ୍ରାଇଭେଟ ସ୍କୁଲ ଓ କଲେଜ ସରକାରୀ ଦଳ ସହିତ ଅନୁବନ୍ଧିତ ହେବା ହେତୁ ସ୍ଥାନୀୟ ପୁଲିସ, ପ୍ରଶାସନ ଓ ଶିକ୍ଷା ବିଭାଗ ଅଧିକାରୀଙ୍କର ସହଯୋଗ ସେମାନଙ୍କୁ ମିଳିଥାଏ। ଏହି ହେତୁ ଆଜି ବେବିନା, ଇତିଶ୍ରୀ, କନକଲତା, ମାଧବିଲତା ଓ ସ୍ନେହଲତାଙ୍କ ପରେ ମମିତା ରାଜ୍ୟ ଅନୁଷ୍ଠାନ ଦ୍ଵାରା ଆଉ ଏକ ହତ୍ୟା।
ଏହି ଆଇନ ବହିର୍ଭୂତ ସହଯୋଗ ହେତୁ ସବୁଠାର ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ସେଠାରେ ଚାକିରୀ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ। ସେମାନେ ନିଜର ଅଧିକାର ସମ୍ପର୍କରେ ସଚେତନ ଥିଲେ ମଧ୍ୟ ସରକାରୀ କଳ ସ୍କୁଲର ମ୍ୟାନେଜମେଣ୍ଟର ସପକ୍ଷରେ ରହୁଥିବା ହେତୁ ସେମାନେ ପ୍ରତିବାଦ ଲାଗି ସାହାସ ଜୁଟାଇ ପାରନ୍ତି ନାହିଁ। ସେଥିଲାଗି ସେମାନଙ୍କ ସୁରକ୍ଷା ଓ ଦରମା ଇତ୍ୟାଦି ପ୍ରସଙ୍ଗରେ କେବେ ଆଲୋଚନା ମଧ୍ୟ ହୁଏ ନାହିଁ।
ମମିତା ଚାକିରି ଛାଡ଼ିଦେବା ଲାଗି ମନସ୍ଥ କରିଥିବାର କାରଣ କ’ଣ ଥିଲା ଓ ପୁଣି କ’ଣ କହି ସ୍କୁଲ ମାଲିକ ଗୋବିନ୍ଦ ତାଙ୍କୁ ଡକାଇଥିଲେ, ଏ ଅଂଶକୁ ପୁଲିସ କାହିଁକି ନିଜର ଅନୁସନ୍ଧାନର ପରିସର କରିପାରିଲା ନାହିଁ? “ପରକୀୟା ପ୍ରୀତି” ଉଦ୍ଦେଶ୍ୟ ଆସିବା ପରେ ଏହି ଦିଗଗୁଡ଼ିକ ଉପରେ ଆଲୋଚନା ବନ୍ଦ ହୋଇଯାଇଛି। ସଂପୂର୍ଣ୍ଣ ଘଟଣାକୁ ଗୋବିନ୍ଦ ବନାମ ମମିତାଙ୍କ କଳହ ଦେଖାଇବା ମନ୍ତ୍ରୀଙ୍କ ବହିଷ୍କାର ପ୍ରସଙ୍ଗକୁ ଗୌଣ କରିବା ଲାଗି ଉଦ୍ଦିଷ୍ଟ।
ମନ୍ତ୍ରୀଙ୍କ ଇସ୍ତଫା ଦାବି:
ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦଶ ବର୍ଷ ମଧ୍ୟରେ କୌଣସି ମନ୍ତ୍ରୀଙ୍କ ଅବହେଳା ପ୍ରସଙ୍ଗରେ ବିରୋଧୀ ଦଳ ବହିଷ୍କାର ଦାବି କଲେ ତାହାକୁ ତୁରନ୍ତ ଗ୍ରହଣ କରିନେଉଥିଲେ। ଏହି କ୍ରମରେ ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼େଇ ଓ ମହେଶ୍ଵର ମହାନ୍ତି ଇତ୍ୟାଦି ଅନେକ ମନ୍ତ୍ରୀ ବିତାଡ଼ିତ ହୋଇଛନ୍ତି। କିନ୍ତୁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟି ନାହିଁ। ବିରୋଧୀଙ୍କ ଏହି ଦାବି ଦ୍ଵାରା ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ଉଜ୍ଜ୍ଵଳ, ଅଧିକ ସ୍ଵଚ୍ଛ ଓ ଅଧିକ ପ୍ରଶଂସିତ ହୋଇଛନ୍ତି। ସେ ଅଧିକ ଶକ୍ତିଶାଳୀ ହେବା ସହିତ ବିରୋଧୀ ଦଳ ଜନମାନସରୁ ଲିଭିଯାଇଛି।
ଏହା ପରେ ଏକ ଏକଛତ୍ରବାଦୀ ଶାସକର ଚେହେରା ଓଡ଼ିଶା ରାଜନୀତିରେ ଠିଆ ହୋଇଛି। ଆଜି ନବୀନ ପଟ୍ଟନାୟକ ଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପଟରେ, ଆଜି ଓଡ଼ିଶାର ରାଜନୀତିରେ ଏମିତି କୌଣସି ବିରୋଧୀ ଦଳ ନେତା ଅଥବା ସରକାରୀ ଦଳରେ ଏପରି କୌଣସି ଏମଏଲଏ କି ମନ୍ତ୍ରୀ ନାହାନ୍ତି (ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ) ଯାହାଙ୍କୁ ସମଗ୍ର ରାଜ୍ୟବାସୀ ଚିହ୍ନିପାରିବେ।
ଆଜି ବି ବିରୋଧୀ ଏହି କଥାକୁ ବୁଝିନପାରି ସେହି ସମାନ କୌଶଳ ଆପଣାଉଛନ୍ତି। ସେମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। କିନ୍ତୁ ୨୦୧୪ ମସିହା ପରଠାରୁ ମୁଖ୍ୟମନ୍ତ୍ରୀ ନିଜକୁ ଅଧିକ ଶକ୍ତିଶାଳୀ ମନେ କରିଥିବା ହେତୁ ବିରୋଧୀ ଦଳଙ୍କ ଦାବିକୁ ଆଦୌ ଗୁରୁତ୍ଵ ଦେଇଆସୁନାହାନ୍ତି। ତାଙ୍କୁ ରାଜ୍ୟ ଚଳାଇବାକୁ ହେଲେ କିଛି ମନ୍ତ୍ରୀ ଆବଶ୍ୟକ ଯିଏ ବିରୋଧୀଙ୍କୁ ‘ଦମନ’ କରିପାରୁଥିବେ। ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା ଓ ଏବର କ୍ୟାପେଟେନ ମିଶ୍ରଙ୍କୁ ଏଥିଲାଗି ସୁରକ୍ଷା ମିଳିଚାଲିଛି।
ଯେଉଁଭଳି ଜଣେ ବ୍ୟକ୍ତି କ୍ଷମତାଶାଳୀ ହେଲେ ନିଜ ପରିବାରକୁ ସ୍ଵନିଷ୍ପତ୍ତି ଓ ମନୋଭାବ ଦ୍ଵାରା ପ୍ରଭାବିତ କରିଥାଏ ସେମିତି ଶାସକ ଜଣକ ଏକଛତ୍ରାଧିପତି ହେଲା ପରେ ନିଜ ନିଷ୍ପତ୍ତି ଦ୍ଵାରା ସମସ୍ତଙ୍କୁ କାବୁ କରିଥା’ନ୍ତି। ସେଠାରେ ନାଗରିକକୁ କେବଳ ଦୟାର ପାତ୍ର ହୋଇ ରହିବାକୁ କୁହାଯାଇଥାଏ। ଏକଛତ୍ରାଧିପତି ଶାସନ ତଳେ ତାହାର କୌଣସି ବି ଗଣତାନ୍ତ୍ରିକ ଅଧିକାର କେବେ ବି ସୁରକ୍ଷିତ ରହେନାହିଁ।
ବିରୋଧୀଙ୍କ ଭୂମିକା:
ଭାରତୀୟ ଜନତା ପାର୍ଟିର କୌଣସି ନୈତିକତା ନାହିଁ ଯେ ସେମାନେ ଏହି ଘଟଣାର ପ୍ରତିବାଦ କରିବେ। ଜାମୁର କଠୁଆ ଜିଲ୍ଲାରେ ଆଦିବାସୀ ନାବାଳିକାର ଧର୍ଷଣ ଓ ହତ୍ୟା (ମାର୍ଚ୍ଚ, ୨୦୧୮ ମସିହା) ଅଭିଯୁକ୍ତର ସମର୍ଥନରେ ବିଜେପି ବିରାଟ ରାଲି ବାହାର କରିଥିଲା ଓ ସେଥିରେ ଦୁଇ ଜଣ ବିଜେପି ମନ୍ତ୍ରୀ ଭାଷଣ ଦେଇଥିଲେ। ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ କୁଳଦୀପ ସିଂହ ସେନେଗାରଙ୍କୁ ଉନ୍ନାଓର ଦଳିତ ମହିଳାଙ୍କ ଧର୍ଷଣ ଓ ହତ୍ୟା (୨୦୧୭) ଅପରାଧରେ ନ୍ୟାୟାଳୟ ଦ୍ଵାରା ଅଭିଯୁକ୍ତ କରାଗଲା।
ପୁଣି ସେହି ଉନ୍ନାଓଠାରେ ଫେବୃଆରୀ ୨୦୨୧ ମସିହାରେ ଦୁଇ ଜଣ ଦଳିତ ନାବାଳିକାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯାଇଥିଲା ବେଳେ ସେମାନଙ୍କ ମୃତଶରୀରକୁ ପରିବାରର ଅଜାଣତରେ ଉତ୍ତରପ୍ରଦେଶ ପୁଲିସ ଦ୍ଵାରା ରାତି ଅଧରେ ପୋଡ଼ି ଦିଆଯାଇଥିଲା। ଏ ସମସ୍ତ ଘଟଣାରେ ରାଜ୍ୟ ବିଜେପି ନେତୃତ୍ଵ କେଉଁଠି ହତ୍ୟାକାରୀ ସପକ୍ଷରେ ବୟାନ ଦେଇଛନ୍ତି ତ କେଉଁଠି ନୀରବ ରହିଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣାରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ପ୍ରତିବାଦରେ ସମଗ୍ର କୃଷକ ସଂଗଠନ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି ପ୍ରତି କେନ୍ଦ୍ର ସରକାର ଏବେ ବି ନୀରବ ଅଛନ୍ତି।
ଦାବି ସମୂହ :
ସରକାରୀ ସଦସ୍ୟଙ୍କ ଦ୍ଵାରା ଅପରାଧ ହେଉ କି ଲୋକଙ୍କ ଅଧିକାରକୁ ଛଡ଼େଇ ନେବାରେ ହେଉ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ମଜଭୁତ ସମ୍ପର୍କ ରହିଆସିଛି। ଏଥିଲାଗି ପୂରା ବ୍ୟବସ୍ଥା କାମ କରିଥାଏ। ଏହାକୁ ଗଣତାନ୍ତ୍ରିକ ଅଧିକାର ଆନ୍ଦୋଳନ ମଧ୍ୟରେ ଆମେ ରାଷ୍ଟ୍ର ହିଂସା କହିଥାଉ।
ଏ ଭଳି ହିଂସାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଦଳ ଓ ନିଜର ସମସ୍ତ ଅନୁଷ୍ଠାନ ଜଡ଼ିତ ରହିଥା’ନ୍ତି। ହେଲେ ଏହାର ପ୍ରତିବାଦ ଏକ ବୃହତ୍ତର ସମାଜ ସର୍ବଦା କରିଆସିଛି। ଅନ୍ୟାୟର କ୍ରମାଗତ ବିରୋଧ ହେତୁ ଦେଶରେ କୌଣସି ଗୋଟିଏ ଦଳ ପୂର୍ଣ୍ଣ କ୍ଷମତାରେ ରହିପାରିନାହାନ୍ତି। ଯେହେତୁ ଏକ ସୁନ୍ଦର ସମାଜର ସ୍ଵପ୍ନ ଆମ ଭିତରେ ରହିଛି ଏହି ହେତୁ ରାଷ୍ଟ୍ର ହିଂସା ବିପକ୍ଷରେ ରାଜ୍ୟ ବ୍ୟାପୀ ଗଣତାନ୍ତ୍ରିକ ଅଧିକାର ଆନ୍ଦୋଳନକୁ ମଜଭୁତ କରିବାର ଅଛି।
ଉପରୋକ୍ତ ପରିପ୍ରେକ୍ଷୀରେ ‘ଗାସ’ ଦାବି କରେ କି;
୧) ମମତା ମେହେରଙ୍କ ହତ୍ୟାର ବିଚାର ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ଶେଷ କରାଯାଉ।
୨) ହତ୍ୟାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଣ୍ଡିତ କରାଯାଉ।
୨) ଘରୋଇ ଶିକ୍ଷା ଅନୁଷ୍ଠାନମାନଙ୍କ ପରିଚାଳନାଗତ ତ୍ରୁଟି ନିମନ୍ତେ ସମ୍ପୃକ୍ତ ସରକାରୀ ପ୍ରଶାସନିକ ଅଧିକାରମାନଙ୍କୁ ଦାୟୀ କରାଯାଉ।
୩) ଘରୋଇ ସ୍କୁଲର ପରିଚାଳନା କମିଟିର ଦୌରାତ୍ମ୍ୟରୁ ଶିକ୍ଷା କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ଲାଗି ସରକାରୀ ସ୍ତରରେ ଅଭିଯୋଗର ଶୁଣାଣୀ, ଅନୁସନ୍ଧାନ ଓ କାର୍ଯ୍ୟନୁଷ୍ଠାନର ବ୍ୟବସ୍ଥା କରାଯାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।