କୃଷି ଆଇନ ପ୍ରତ୍ୟାହୃତ ହେବା ପରେ ବଦଳିବ କି କୃଷକଙ୍କ ସ୍ଥିତି?

  • ଜାନକୀଶ ବଡ଼ପଣ୍ଡା

୨୦୨୧, ନଭେମ୍ବର ମାସ ୨୬ ତାରିଖI ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ବେଳେ ଟେଲିଭିଜନ ମାଧ୍ୟମରେ ଘୋଷଣା କରିଦେଲେ ଯେ ତାଙ୍କ ସରକାର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୬ ସେପ୍ଟେମ୍ବର ୨୦୨୦ରେ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା କରା ନଯାଇ ଧ୍ୱନୀମତରେ ତିନୋଟିଯାକ କୃଷି ବିଲ୍ ପାରିତ ହୋଇଥିଲା ଓ ପରେ ଆଇନରେ ପରିଣତ ହୋଇଥିଲା। ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକ ଗୋଷ୍ଠୀ ୩୫୮ ଦିନ ଧରି ଏହାକୁ କଳା ଆଇନ କହି ବିରୋଧ କରି ଆସୁଥିଲେ ଓ ଦିଲ୍ଲୀ ସୀମାନ୍ତରେ ଗଣ ସମାବେଶ ଆୟୋଜନ କରି ଆସୁଥିଲେ।

ଏହାର ଏକ ସମାପ୍ତି ପାଇଁ ବାଟ ଖୋଲିଗଲା। ଆଗରୁ ଆଶଙ୍କା କରାଯାଉଥିଲା ଯେ ହୁଏତ ୨୦୨୨ ଗଣତନ୍ତ୍ର ଦିବସରେ ପୁଣିଥରେ ଟ୍ରାକଟର ରାଲି ବାହାରିବ ଏବଂ ଉଭୟ ପଞ୍ଜାବ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସରିବା ଯାଏଁ କେନ୍ଦ୍ର ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିବା ସହ ଭାରତୀୟ ଜନତା ପାର୍ଟି ପାଇଁ ଘାତକ ସାବ୍ୟସ୍ତ ହେବ। ଅଥଚ, ଗୁରୁ ନାନକଙ୍କ  ପବିତ୍ର ପ୍ରକାଶ ପର୍ବ ଅବସରରେ ଏପରି ଅପ୍ରତ୍ୟାଶିତ ଭାବେ ନିଷ୍ପତ୍ତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଲେ ପ୍ରଧାନମନ୍ତ୍ରୀ। କୃଷକମାନେ ଅଭିଯୋଗ କରି ଆସୁଥିଲେ ଯେ, ବଡ଼ ବ୍ୟବସାୟ ସଂସ୍ଥାଙ୍କୁ ସାହାଯ୍ୟ କରିବା ପାଇଁ ଏପରି ଆଇନ ପ୍ରସ୍ତୁତ ହୋଇଥିଲା। ଧାରଣା ଓ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ, କୃଷକ ନେତାଙ୍କ ସହ ସରକାରଙ୍କ ୧୧ ଥର ଆଲୋଚନା କିଛି ବି ନିର୍ଣ୍ଣାୟକ ଫଳାଫଳ ଦେଇ ନଥିଲା। ଏହି ତିନୋଟି ବିବାଦୀୟ ଆଇନ ଭାରତର ଦୀର୍ଘତମ ଆନ୍ଦୋଳନ ଗଢ଼ି ତୋଳିଥିଲା। ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଅନେକ ଥର ଆଲୋଚନା ବିଫଳ ହେବା ପରେ ସୁପ୍ରିମକୋର୍ଟ ମଧ୍ୟ ତିନିଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ।

ପଞ୍ଜାବ ରାଜ୍ୟ ସରକାର ଏବଂ କମିସନଜୀବୀ ଆଡ଼ତିଆମାନେ ଆଶଙ୍କା କରୁଥିଲେ ଯେ  ଯଦି ସେମାନଙ୍କୁ ମଣ୍ଡି ବ୍ୟବସ୍ଥା ବାହାରେ ରହିବାକୁ ପଡ଼ିବ ତେବେ ସେମାନଙ୍କୁ ଆୟ ହରାଇବାକୁ ପଡ଼ିବ। କୃଷକମାନେ ଭୟ କରୁଥିଲେ ଯେ ସର୍ବନିମ୍ନ ସହାୟକ ଦର ଆଧାରିତ କ୍ରୟପ୍ରଣାଳୀ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଚକ୍ରାନ୍ତ। ଚୁକ୍ତିଭିତ୍ତିକ ଚାଷ ବ୍ୟବସ୍ଥାକୁ କୃଷକ ସଂଗଠନଗୁଡ଼ିକ ବିରୋଧ କଲେ ଓ କହି ବୁଲିଲେ ଯେ ବୃହତ କମ୍ପାନୀଗୁଡ଼ିକର ସ୍ୱାର୍ଥରେ ଏହି ଆଇନ ପ୍ରସ୍ତୁତ କରାଯାଇଛି ଏବଂ ଏହା କୃଷକଙ୍କ କ୍ଷମତାକୁ ଦୁର୍ବଳ କରିବ। ଅତ୍ୟାବଶ୍ୟକ ପରିସ୍ଥିତି ବ୍ୟତୀତ କେତେକ କୃଷିଜାତ ଦ୍ରବ୍ୟ ଉପରେ ମହଜୁଦ ସୀମା ହଟାଇ ଦିଆଯିବାକୁ ବିରୋଧ କରି କୁହାଗଲା ଯେ ଏହି ସଂଶୋଧନ ଦ୍ୱାରା ମହଜୁଦକାରୀ ବଡ଼ କମ୍ପାନୀମାନେ ଉପକୃତ ହେବେ ଏବଂ ସେମାନେ ଯେଭଳି ଚାହିଁବେ ସେଭଳି କୃଷି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ। ଏହା କୃଷକ ଏବଂ ଗ୍ରାହକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବ।

ଏବେ ତିନୋଟିଯାକ କୃଷି ଆଇନ ସଂସଦରେ ପ୍ରତ୍ୟାହୃତ ହୋଇସାରିଛି। ଆନ୍ଦୋଳନଜୀବୀ ଅଣକୃଷକ ନେତା, ଆନ୍ଦୋଳନକାରୀ କୃଷକମାନେ ଉତ୍ସବ ପାଳନ କରିଛନ୍ତି ଓ ଘରକୁ ଫେରିଛନ୍ତି। କୃଷି ବିଶେଷଜ୍ଞ ଓ କୃଷି ଅର୍ଥନୀତିଜ୍ଞଙ୍କ ଏକ ସିଂହଭାଗ କୃଷି ଆଇନ ପ୍ରତ୍ୟାହାରକୁ କୃଷି ବିକାଶ ପକ୍ଷରେ ପ୍ରତିବନ୍ଧକ ମନେକରୁଛନ୍ତି। ସମସ୍ତେ କିନ୍ତୁ ସହମତ ଯେ କୃଷି କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି। ସମସ୍ତ ବିଶେଷଜ୍ଞଙ୍କ ମତରେ ଏହି ତିନୋଟି ଆଇନ କାର୍ଯ୍ୟକାରୀ କରାଯାଇଥିଲେ ଚାଷକାର୍ଯ୍ୟ ଗତିଶୀଳ ହୋଇଥାନ୍ତା। ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହୁଛନ୍ତି ଯେ ସଂସଦରେ ତିନୋଟି ବିବାଦୀୟ ଆଇନ ରଦ୍ଦ ସତ୍ତ୍ୱେ ଫସଲ ପାଇଁ ସର୍ବନିମ୍ନ ସହାୟକ ଦର ବା ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି ମିଳିବା ପରେ ଯାଇ ଏହି ପ୍ରତିବାଦ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବ।

ଆଇନଗତ ଅଧିକାର ଭାବରେ ଏମଏସପି ଦାବି ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। କୃଷି ଆଇନ ବିଷୟରେ ଆପଣଙ୍କ ମତ ଯାହା ବି ହୋଇପାରେ, ଗୋଟିଏ କଥା କିନ୍ତୁ ଅସ୍ୱୀକାର କରାଯାଇ ପାରିବନି। ତାହା ହେଲା, ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ରହଣ କରିଥିବା ସବୁଠୁ ଅଧିକ ଗଭୀର, ଗଠନମୂଳକ କୃଷିସଂସ୍କାର ବାଟବଣା ହୋଇଛି।

ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କଲାବେଳେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି, “ମୁଁ ସଚ୍ଚୋଟ ଏବଂ ନିର୍ମଳ ହୃଦୟ ସହିତ କହିବାକୁ ଚାହେଁ ଯେ ବୋଧହୁଏ ଆମର ପ୍ରୟାସରେ କିଛି ଅଭାବ ରହିଯାଇଛି, ଯେଉଁଥିପାଇଁ ଆମେ ପ୍ରଦୀପ ଆଲୋକ ପରି ସତ୍ୟକୁ ବୁଝାଇ ପାରିଲୁ ନାହିଁ। ମୁଁ ସମଗ୍ର ଦେଶବାସୀଙ୍କୁ କହିବାକୁ ଆସିଛି ଯେ ଆମେ ପ୍ରଣୟନ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ସଂସଦ ଅଧିବେଶନରେ ଆମେ ଏହି ତିନୋଟି ଆଇନକୁ ରଦ୍ଦ କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ସମାପ୍ତ କରିବୁ।“ କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ସଙ୍ଗଠନର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଘୋଷଣା କରି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞମାନେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ସମେତ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରି ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ ପଦକ୍ଷେପ ମଧ୍ୟ ନେବେ ବୋଲି ପ୍ରଧାନମନ୍ତୀ ଘୋଷଣା କରିଛନ୍ତି।

କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରିବଟାରେ ସଂସ୍କାର ଆଣିବା ପାଇଁ ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଜାରି ରହିଛି। ରାଜ୍ୟ ସରକାରଙ୍କ ଅଧୀନରେ କୃଷି ବିଷୟ ଆସେ। ୨୦୦୦ ମସିହାର ପ୍ରାରମ୍ଭରେ ରାଜ୍ୟଗୁଡ଼ିକରେ ଥିବା କୃଷି ଉତ୍ପାଦନ ବଜାର କମିଟିମାନଙ୍କର (ଏପିଏମସି) କାର୍ଯ୍ୟଧାରାରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗ ଗମ୍ଭୀରତା ସହ ଗ୍ରହଣ କରିଥିଲେ। ପୂର୍ବରୁ ଏନଡିଏ ସରକାରଙ୍କ ଅମଳରେ କୃଷି ମନ୍ତ୍ରଣାଳୟ ୨୦୦୩ରେ ଏକ ଆଦର୍ଶ କୃଷି ଉତ୍ପାଦନ ବଜାର କମିଟି ଅଧିନିୟମ ପ୍ରସ୍ତୁତ କରି ଏହାକୁ ରାଜ୍ୟମାନଙ୍କୁ  ପ୍ରଦାନ କରିଥିଲେ। ପରବର୍ତ୍ତୀ ୟୁପିଏ ସରକାର ମଧ୍ୟ ଏହି ସଂସ୍କାରମୂଳକ ପଦକ୍ଷେପକୁ ଆଗେଇ ନେଇଥିଲେ। କିନ୍ତୁ ଏହା ଏକ ରାଜ୍ୟ ବିଷୟ ହୋଇଥିବାରୁ, ମଡେଲ ଏପିଏମସି ଆଇନ ଗ୍ରହଣ କରିବାକୁ ରାଜ୍ୟମାନେ  ଆଗେଇ ଆସିନଥିଲେ।

ଏହି ପୃଷ୍ଠଭୂମିରେ ବର୍ତ୍ତମାନର ଏନଡିଏ ସରକାର ଏହି ଆଇନ ପ୍ରଣୟନ କରି କୃଷି କ୍ଷେତ୍ରର ସଂସ୍କାର ଆଣିବାକୁ ଆଗେଇ ଆସିଲେ। ଯେତେବେଳେ ସରକାର ସଂସ୍କାର ଆଣିବାକୁ ଘୋଷଣା କଲେ ଏବଂ ପ୍ରଥମେ ୫, ଜୁନ୍ ୨୦୨୦ରେ ଏହାକୁ ଅଧ୍ୟାଦେଶ ଭାବରେ ଆଣିଲେ, ସେତେବେଳକୁ  କୋଭିଡ୍ -୧୯ର ପ୍ରଥମ ଲହର କାରଣରୁ ଦେଶରେ ଭୟ ଓ ଆଶଙ୍କା ଥିଲା। ୧୬, ସେପ୍ଟେମ୍ବର ୨୦୨୦ରେ ସରକାର ଏହାକୁ ବିଲ୍ ଭାବରେ ସଂସଦରେ ଉପସ୍ଥାପନ କଲାପରେ, ବିରୋଧୀ ଦଳମାନେ ସଂସଦର ଉଭୟ ଗୃହରେ  ବିରୋଧ କରିଥିଲେ। ସେମାନେ ଦାବି କରିଥିଲେ ଯେ ସଂସଦୀୟ କମିଟି ବିଲର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁ। କିନ୍ତୁ ସରକାର ଏହି ଦାବିକୁ ଖାରଜ କରି ସଂଖ୍ୟାବଳରେ ଆଇନ ପ୍ରଣୟନ କରେଇ ନେଇଥିଲେ। ସେତେବେଳେ ଏନଡିଏ ସରକାରଙ୍କ ସହଭାଗୀ ଥିବା ଅକାଳୀ ଦଳ, ଏହି ଆଇନକୁ ପାରିତ କରିବାକୁ କ୍ୟାବିନେଟର ନିଷ୍ପତ୍ତିରେ ଏକମତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସରକାର ସଂସଦରେ ଆଇନ ପ୍ରଣୟନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ହରସୀମରନ ବାଦଲ ଇସ୍ତଫା ଦେଲେ ଏବଂ ଶେଷରେ ତାଙ୍କ ଦଳ ଏନଡିଏ ହାତ ଛାଡ଼ିଦେଲେ। ବିରୋଧୀ ଦଳର ଅଧାରୁ ଅଧିକ ରାଜ୍ୟସଭା ସାଂସଦଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଏକ ସପ୍ତାହ ପାଇଁ ନିଲମ୍ବିତ କରିବାଯାଏଁ କଥା ଯାଇଥିଲା।

ଯଦିଓ ପଞ୍ଜାବର କୃଷକମାନେ ପ୍ରସ୍ତାବିତ ସଂସ୍କାରକୁ ଜୁନ ୨୦୨୦ ଘୋଷଣା ପରଠାରୁ ବିରୋଧ କରିଆସୁଥିଲେ, ମୌସୁମୀ  ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ଏହାକୁ ପାରିତ କରାଇନେଲା ପରେ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଇଥିଲା। କୃଷକମାନେ ଆଶଙ୍କା କରୁଥିଲେ ଯେ ଯେଉଁ ମଣ୍ଡିରେ ସେମାନେ ସେମାନଙ୍କର ଉତ୍ପାଦିତ ଗହମ ଏବଂ ଧାନ ବିକ୍ରୟ କରି ଆସୁଛନ୍ତି, ବେସରକାରୀ କ୍ରେତାମାନେ ମଣ୍ଡି ପରିସର ବାହାରେ କୃଷି ଉତ୍ପାଦ ବ୍ୟବସାୟ ଆରମ୍ଭ କରିବା ପରେ ପ୍ରଥମେ ଅଧିକ ମୂଲ୍ୟରେ ଗହମ ଏବଂ ଧାନ କ୍ରୟ କରିବେ ଓ ପରିଣାମରେ ସରକାରୀ ମଣ୍ଡି ଗୁଡ଼ିକ ବନ୍ଦ ହୋଇଯିବ। ଥରେ ମଣ୍ଡି ବ୍ୟବସ୍ଥା ଅନାବଶ୍ୟକ ହୋଇଯିବା ପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ବ୍ୟବସ୍ଥା ମଧ୍ୟ ସମାପ୍ତ ହୋଇ ହୋଇଯିବ।

ନଭେମ୍ବର ମାସରେ ଦେଶବ୍ୟାପୀ ରାସ୍ତା ଅବରୋଧ ସମେତ କୃଷି ଆଇନ ବିରୁଦ୍ଧରେ ବାରମ୍ବାର ବିରୋଧ ପରେ ପଞ୍ଜାବ ଏବଂ ହରିୟାଣାର କୃଷକ ସଂଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। କୋଭିଡ -୧୯ ଆଳରେ ରାଜଧାନୀ ଅଭିମୁଖେ ଯାତ୍ରା କରିବାକୁ ଦିଲ୍ଲୀ ପୋଲିସ ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ପଞ୍ଜାବର ବିଭିନ୍ନ କୃଷକ ସଙ୍ଗଠନ, ସଂଯୁକ୍ତ କିଷାନ୍ ମୋର୍ଚ୍ଚା (ଏସକେଏମ୍)ର ମିଳିତ ନେତୃତ୍ୱ ଅଧୀନରେ ଏକାଠି ହୋଇ ନଭେମ୍ବର ୨୬,୨୦୨୦ରେ ଦିଲ୍ଲୀର ସୀମାରେ ପହଞ୍ଚି ଆନ୍ଦୋଳନ ଚଳାଇ ରଖିଲେ। ଅକ୍ଟୋବର ୨୦୨୦ ପ୍ରଥମ ସପ୍ତାହରେ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ କୃଷକସଂଘର ନେତାମାନଙ୍କୁ ଆଲୋଚନା ପାଇଁ ଦିଲ୍ଲୀକୁ ନିମନ୍ତ୍ରଣ କରିଥିଲେ। ଅକ୍ଟୋବର ୧୪ରେ, ଅଗ୍ରୱାଲ କୃଷି ଭବନରେ ଆନ୍ଦୋଳନକାରୀ ସଙ୍ଗଠନର ୨୯ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିଥିଲେ। ତେବେ କୃଷକନେତାମାନେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତି ଦାବି କରିଥିଲେ। ସେମାନେ କୃଷିଭବନ ବାହାରେ କୃଷିବିଲର କପି ଚିରି ସ୍ଲୋଗାନ ଦେଇଥିଲେ। ଏହା ପରେ ଏକ ଦୀର୍ଘ ଯାତ୍ରା ଆରମ୍ଭ ହେଲା।

ମୋଟ ଉପରେ, ଅକ୍ଟୋବର ୧୪,୨୦୨୦ରୁ ଜାନୁୟାରୀ ୨୨,୨୦୨୧ ମଧ୍ୟରେ ସରକାର ଏବଂ କୃଷକ ନେତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇଥିଲା। ତୋମାରଙ୍କ ସମେତ ଅନ୍ୟ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସୋମ ପ୍ରକାଶ ଏହି ସମସ୍ତ ଆଲୋଚନା ବୈଠକରେ ଭାଗ ନେଇଥିଲେ। ଡିସେମ୍ବର ୮ରେ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ  କୃଷକ ସଂଘର ନେତାଙ୍କ ସହ ବିଳମ୍ବିତ ରାତିରେ ବୈଠକରେ ଭାଗ ନେଇଥିଲେ, କିନ୍ତୁ ଏହି ଉଦ୍ୟମ ମଧ୍ୟ ସଫଳ ହୋଇନଥିଲା।

ପଞ୍ଜାବରେ ଆରମ୍ଭ ହୋଇଥିବା ଏହି ବିରୋଧ ନଭେମ୍ବର ୨୦୨୦ରେ ଜାତୀୟ ରାଜଧାନୀ ପରିସରକୁ ଚାଲିଯାଇଥିଲା। ପଞ୍ଜାବରୁ ଏହା ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର କୃଷକମାନଙ୍କୁ ସାମିଲ କରିଥିଲା। ଯଦିଓ ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ଉପକଣ୍ଠରେ ଆୟୋଜିତ ସମାବେଶର ଆନ୍ଦୋଳନକାରୀଙ୍କୁ ସହାୟତା କରିଥିଲେ, ତେବେ ଏହାକୁ ପଞ୍ଜାବ, ହରିୟାଣା, ପଶ୍ଚିମ ୟୁପି ଏବଂ ରାଜସ୍ଥାନର କିଛି ଅଞ୍ଚଳର କୃଷକମାନେ ପରିଚାଳନା କରୁଥିଲେ ଏବଂ ପଞ୍ଜାବର କୃଷକମାନେ ଥିଲେ ଏହାର ମୁଖ୍ୟ ପରିଚାଳକ, ଖାଦ୍ୟ ଯୋଗାଣକାରୀ।

ବିକ୍ଷୋଭକାରୀ କୃଷକମାନେ ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ଉପରେ ଆକ୍ରମଣ କରିବା ପରେ ଆନ୍ଦୋଳନରେ ସାମୟିକ ଭଟ୍ଟା ଆସିଥିଲେ ହେଁ ପରବର୍ତ୍ତୀ ସମୟରେ, ଚାଷୀଙ୍କୁ ଦିଲ୍ଲୀ-ୟୁପି ସୀମାରୁ ହଟାଇବା ପାଇଁ ୟୁପି ପୋଲିସର ଏକ ଅସଫଳ ଉଦ୍ୟମ ସତ୍ତ୍ୱେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ ଚାଷୀଙ୍କୁ ଉତ୍ସାହିତ କରି ଓ ଏକତ୍ରିତ କରି ପ୍ରାୟ ଏକ ବର୍ଷ ଧରି ଚଳାଇଆସୁଥିବା କୃଷକ ଆନ୍ଦୋଳନରେ ନୂତନ ଶକ୍ତି ଆଣିଥିଲେ।

ଆଗକୁ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଦେଶବ୍ୟାପୀ ବଡ଼ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଟିକାୟତ। ଏବେ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକୁ ଆଇନ ପରିସରକୁ ଆଣିବା ପାଇଁ ଚାଷୀ ସଂଘ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି। କେବଳ ୨୩ଟି ଫସଲ ନୁହେଁ, ବରଂ ମାଛ, ଅଣ୍ଡା ସମେତ ସମସ୍ତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ନିଶ୍ଚିତ କରିବାକୁ ଆଇନ କରାଯାଉ ବୋଲି ସେମାନେ ଚାହାନ୍ତି। ଏପରି ଆଇନ ହେଲେ କେନ୍ଦ୍ର ସରକାରଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଯାହା କୃଷି ଅର୍ଥନୀତିନଜ୍ଞମାନେ କହୁଛନ୍ତି ତାହା ଭୁଲ ବୋଲି ଟିକାୟତ କହନ୍ତି।

ସେ ଯାହା ହେଉନା କାହିଁକି, ଚାଷୀମାନଙ୍କର ବିଜୟ ହେଲା ବୋଲି ଉଭୟ ଚାଷୀନେତା ଓ ଅଣଭାଜପା ରାଜନେତାଏ ଖୁସି ହେଉଛନ୍ତି। କିନ୍ତୁ, ସତରେ କ’ଣ ତିନୋଟିଯାକ କୃଷି ଆଇନ କଳା ଆଇନ ଥିଲା ଓ ଏସବୁ ପ୍ରତ୍ୟାହୃତ ହେଲା ପରେ ଚାଷୀମାନଙ୍କର ଦୁଃଖ ଦୂର ହୋଇଗଲା? ଚାଷୀମାନେ ଆଗକୁ ଆଉ ଆତ୍ମହତ୍ୟା ନକରି ଲାଭଜନକ ଭାବେ ଚାଷକରି ଖୁସିରେ ରହି ପାରିବେ? ଆମକୁ ଏ ସବୁର ଉତ୍ତର ଖୋଜିବାକୁ ପଡ଼ିବ। ଚାଷୀ, ଚାଷୀ ନେତା ଓ ଅଣଭାଜପା ରାଜନେତାମାନେ ଏବେ ଏକାଠି ବସି ଏପରି ଏକ ଆଇନ ଆଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ କିମ୍ବା ବିରୋଧୀ ଦଳମାନେ କ୍ଷମତାକୁ ଆସିଲେ ସେମାନଙ୍କ ପ୍ରସ୍ତାବିତ ଆଇନକୁ କାର୍ଯ୍ୟକାରୀ କରି ଭାରତୀୟ କୃଷି ଓ କୃଷକଙ୍କର ଉନ୍ନତି ବିଧାନ କରିବେ ବୋଲି ପ୍ରତିଶୃତି ଦିଅନ୍ତୁ। ତେବେ ଦେଶବାସୀ ପ୍ରସ୍ତାବିତ ଆଇନ ବିଷୟରେ ଜାଣିବେ, ବିତର୍କ କରିବେ ଓ ଏହା ଫଳରେ କ’ଣ ସବୁ ସୁବିଧା ଓ ଅସୁବିଧା ହେବ, ତାହାର ଆଗୁଆ କଳନା କରି ପାରିବେ। ଏହା ନକରି, ଚାଷୀଙ୍କ ଗରିବୀ ଓ ଅସହାୟତାରୁ ଫାଇଦା ନେବାକୁ ଚେଷ୍ଟା କଲେ, ଏହା ଦେଶ ପାଇଁ ଘାତକ ସାବ୍ୟସ୍ତ ହେବ ନାହିଁ କି?

ମୋ-୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।