ବଦଳିବ କି ଗୋଆରେ ରାଜନୈତିକ ପରିଦୃଶ୍ୟ

  • ସରଳ କୁମାର ଦାସ

ପର୍ତ୍ତୁଗାଲଠାରୁ ସ୍ୱାଧୀନତା ପାଇ ଭାରତ ସହ ୧୯୬୧ରେ ମିଶିଥିବା ଗୋଆ ଏକ କ୍ଷୁଦ୍ର ରାଜ୍ୟ। ୨୦୧୧ ଜନଗଣନା ଅନୁଯାୟୀ ଗୋଆର ଜନସଂଖ୍ୟା ମାତ୍ର ୧୪.୮୫ ଲକ୍ଷ। ତଥାପି ରାଜନୈତିକ ଦୃଷ୍ଟିରୁ ଗୋଆର ଗୁରୁତ୍ୱ ଯଥେଷ୍ଟ ଅଧିକ। ୪୦ଟି ଆସନ ବିଶିଷ୍ଟ ଏଠାକାର ବିଧାନସଭାର ପ୍ରତି ଆସନରେ ଭୋଟରଙ୍କ ସଂଖ୍ୟା ହାରାହାରି ୨୫ରୁ ୩୦ ହଜାର। ଅର୍ଥାତ୍, ଜଣେ ପ୍ରାର୍ଥୀ ମାତ୍ର ୧୨,୦୦୦ ଭୋଟ ପାଇଲେ ତାଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ। ଅଳ୍ପ ସଂଖ୍ୟକ ଭୋଟର ଥିବାରୁ ନେତାମାନେ ବ୍ୟକ୍ତିଗତ ସ୍ତରରେ ଭୋଟରଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ବି ଅସୁବିଧା ହୋଇ ନ ଥାଏ। ୨୦୨୨ର ଆଦ୍ୟ ଭାଗରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଗୋଆରେ ରାଜନୈତିକ ପରିଦୃଶ୍ୟ ପରିବର୍ତ୍ତନର ସମ୍ଭାବନାକୁ ବିଶ୍ଳେଷଣ କରାଯାଉ।

ଗୋଆ ଜନସଂଖ୍ୟାର ପ୍ରାୟ ୬୧ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୩୬ ପ୍ରତିଶତ ଖ୍ରୀଷ୍ଟିଆନ। ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଉଭୟଙ୍କ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଛି। ଖ୍ରୀଷ୍ଟିଆନଙ୍କ ମଧ୍ୟରେ ବି କୋଙ୍କଣୀଭାଷୀ ଗରିବ ଖ୍ରୀଷ୍ଟିଆନଙ୍କ ସହ ସ୍ୱଚ୍ଛଳ ବର୍ଗର ସାଦୃଶ୍ୟ ନ ଥିଲା ବେଳେ ହିନ୍ଦୁମାନେ ବ୍ରାହ୍ମଣ ଓ ଅବ୍ରାହ୍ମଣ ଗୋଷ୍ଠୀରେ ବିଭାଜିତ। ଅବ୍ରାହ୍ମଣଙ୍କ ମଧ୍ୟରେ ମରାଠାମାନେ ପ୍ରଭାବଶାଳୀ। ପାନାଜିର ଆଖାପାଖ ଦକ୍ଷିଣ ଗୋଆ ଅଞ୍ଚଳ ଖ୍ରୀଷ୍ଟିଆନ ଅଧ୍ୟୁଷିତ ହୋଇଥିବା ବେଳେ ଉତ୍ତର ଗୋଆରେ ହିନ୍ଦୁଙ୍କ ସଂଖ୍ୟା ଅଧିକ। ଆରମ୍ଭରୁ ଏଠାରେ ସମ୍ପ୍ରଦାୟ ଭିତ୍ତିରେ ନିର୍ଦ୍ଦିଷ୍ଟ ଆସନରେ ଜୟ ପରାଜୟ ନିର୍ଦ୍ଧାରିତ ହୋଇଆସିଛି। ହିନ୍ଦୁବହୁଳ ଉତ୍ତର ଗୋଆରେ ୨୩ଟି ଆସନ ଥିଲା ବେଳେ ଖ୍ରୀଷ୍ଟିଆନ ବହୁଳ ଦକ୍ଷିଣ ଗୋଆରେ ୧୭ଟି ଆସନ ରହିଛି।

୨୦୧୭ରେ ଅନୁଷ୍ଠିତ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ୮୧.୪ ପ୍ରତିଶତ ଭୋଟର ମତଦାନ କରିଥିଲେ ଯେଉଁଥିରେ ବିଜେପି ସର୍ବାଧିକ ୩୨.୫ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ୨୮.୪, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୧୧.୩, ଆମ ଆଦମୀ ପାର୍ଟି ୬.୩, ଗୋଆ ଫରୱାର୍ଡ ପାର୍ଟି ୩.୫ ଓ ସ୍ୱାଧୀନ ପ୍ରାର୍ଥୀମାନେ ୧୧.୧୫ ପ୍ରତିଶତ ଭୋଟ ପାଇଥିଲେ। କଂଗ୍ରେସ ସର୍ବାଧିକ ୧୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୧୩ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ୩ଟି ଲେଖାଏଁ, ଏନସିପି ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ। ତେବେ ଏମଜିପି, ଜିଏଫପି ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ସାଙ୍ଗରେ ନେଇ ବିଜେପି ଏନଡିଏ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା।

ଏମଜିପିର କାନ୍ଧରେ ସବାର ହୋଇ ୧୯୯୪ରେ ଗୋଆରେ ପ୍ରବେଶ କରିଥିବା ବିଜେପିର ବିସ୍ତାର ହିଁ ଏମଜିପିର କ୍ଷୟର କାରଣ ହୋଇଛି। ବସ୍ତୁତଃ ୨୦୧୭ରେ ଏମଜିପି ଓ ଜିଏଫପି ଜିତିଥିବା ଆସନଗୁଡିକରେ ସେମାନଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା ବିଜେପି। ଯଦି ନିର୍ବାଚନରେ ଏମଜିପି ବିଜେପି ସହ ମେଣ୍ଟ ନ କରେ ତେବେ ବିଜେପି ପାଇଁ ତାହା ଚିନ୍ତାର କାରଣ ହୋଇପାରେ। ଆଗାମୀ ନିର୍ବାଚନରେ ଏକାକୀ ଲଢିବାକୁ କହୁଥିବା ବିଜେପି ପ୍ରକୃତରେ ମେଣ୍ଟ ସନ୍ଧାନରେ ରହିଛି। ତୃଣମୂଳ ସ୍ତରରେ ସଂଗଠନ ଥିବା ଓ ହିନ୍ଦୁ ବହୁଜନ ସମାଜ ମଧ୍ୟରେ ଏବେ ବି ଯଥେଷ୍ଟ ପ୍ରଭାବ ଥିବା ଏମଜିପି ଭଳି ଏକ ସ୍ୱାଭାବିକ ମିତ୍ର ଦଳ ସହ ମେଣ୍ଟଗଠନ ଲାଭପ୍ରଦ ହୋଇଥିବାରୁ ଏହା ବିଜେପି ପାଇଁ ଏକ ପ୍ରକାର ବାଧ୍ୟବାଧକତାରେ ପରିଣତ ହୋଇଛି। ଗୋଆ ଦାୟିତ୍ୱରେ ଥିବା ବିଜେପିର ନେତା ଦେବେନ୍ଦ୍ର ଫଡନଭିସ ମଧ୍ୟ ଏମଜିପିର ନେତା ସୁଦିନ ଦାଭାଲିକରଙ୍କୁ ସାକ୍ଷାତ କରି ଏ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି। ତେବେ ଏମଜିପିକୁ ଭାଙ୍ଗି ଦୁଇ ଜଣ ବିଧାୟକଙ୍କୁ ବିଜେପିରେ ମିଶାଇବା ଓ ସୁଦିନ ଦାଭାଲିକରଙ୍କୁ ଉପମୁଖ୍ୟମନ୍ତ୍ରୀ କରି ମାତ୍ର ୮ ଦିନ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିତାଡ଼ିତ କରିବାକୁ ଏମଜିପି ଗଣ୍ଠି ପକାଇ ରଖିଛି କି ନାହିଁ, ତା’ ଉପରେ ନିର୍ଭର କରିବ ମେଣ୍ଟ ଗଠନର ସମ୍ଭାବନା। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ସହ ୫ ଜଣ ହାରିଥିଲେ ମଧ୍ୟ ଯେଉଁ ୧୩ ଜଣ ଜିତିଥିଲେ ସେମାନଙ୍କ ମଧ୍ୟରେ ଥିଲେ ୭ ଜଣ କ୍ୟାଥଲିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର। ଅନ୍ୟ ରାଜ୍ୟରେ ସଂଖ୍ୟା ଲଘୁଙ୍କୁ ନିର୍ବାଚନରେ ଟିକଟ ଦେବାକୁ ଆଗଭର ହେଉ ନ ଥିବା ବିଜେପି ଗୋଆର ନିର୍ବାଚନୀ ବାସ୍ତବତାକୁ ହୃଦୟଙ୍ଗମ କରି ଖ୍ରୀଷ୍ଟିଆନଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାକୁ ଭିନ୍ନ ରଣନୀତି ଆପଣେଇ ଥିଲା, ଯାହା ଦଳକୁ ହୁଏତ ୨୦୨୨ରେ ପୁଣି ଥରେ ଦୋହରାଇବାକୁ ପଡ଼ିପାରେ। ୟୁରୋପ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟିକୁ ଯାଇ ପ୍ରଥମ ଥର ପାଇଁ ପୋପଙ୍କୁ ସାକ୍ଷାତ କରିବା ଓ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇବାକୁ ନିର୍ବାଚନୀ ବିଶ୍ଳେଷକଙ୍କ ମଧ୍ୟରୁ କେହି କେହି ଗୋଆର ଖ୍ରୀଷ୍ଟିଆନ ଭୋଟରଙ୍କୁ ପ୍ରଲୁବ୍ଧ କରିବା ଲାଗି ଉଦ୍ଦିଷ୍ଟ ବୋଲି କହିବାକୁ ପଛାଇନାହାନ୍ତି। ୧୨ ଜଣ କଂଗ୍ରେସ ବିଧାୟକଙ୍କ ବିଜେପିରେ ଯୋଗଦାନ ପରେ ଏବର ବିଜେପି ବିଧାୟକଙ୍କ ସଂଖ୍ୟା ୨୭। ତଥାପି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କୋଭିଡ ପରିଚାଳନାରେ ଅପାରଗତା ଓ ବ୍ୟାପକ ଦୁର୍ନୀତି ହିଁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କ୍ଷମତା ବିରୋଧୀ ଜନମତ ସୃଷ୍ଟି କରିଛି। ଖୋଦ ଗୋଆର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତିର ଗୁରୁତର ଅଭିଯୋଗ ଆଣିବା ଦଳର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି, ଯାହା ହୁଏତ ନିର୍ବାଚନୀ ଫଳାଫଳରେ ପ୍ରତିବିମ୍ୱିତ ହୋଇପାରେ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଦଳକୁ ଅଧିକ କିଛି କରିବାକୁ ପଡ଼ିପାରେ।

ଅତୀତରେ ରାଜ୍ୟରେ ଦୀର୍ଘ ସମୟ ଧରି କଂଗ୍ରେସ କ୍ଷମତାରେ ଥିବାରୁ ପ୍ରତିଟି ଅଞ୍ଚଳରେ ଏହାର ସାଙ୍ଗଠନିକ ଉପସ୍ଥିତି ରହିଛି। ଏପରିକି ୨୦୧୭ ନିର୍ବାଚନରେ ଦଳ ଉପରେ ବିଶ୍ୱାସ ସ୍ଥାପନ କରି ଗୋଆର ମତଦାତା ଦଳକୁ ୧୭ଟି ଆସନରେ ଜିତାଇ ଏକକ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଥିଲେ ମଧ୍ୟ ଦଳ ସରକାର ଗଠନ କରିବାରେ ବିଫଳ ହେଲା। ଏପରି କି ବିଧାୟକମାନଙ୍କୁ ଏକଜୁଟ କରି ରଖିବାକୁ ଅସଫଳ ଦଳ ଉପରୁ କେତେକଙ୍କ ଏପରି ମୋହଭଙ୍ଗ ହେଲା ଯେ ୧୨ ଜଣ ବିଧାୟକ ଦଳତ୍ୟାଗ କରି ବିଜେପିରେ ମିଶିଗଲେ। ନିକଟରେ ଲୁଇଜିନୋ ଫାଲେଇରୋଙ୍କ ଦଳତ୍ୟାଗ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଆସି ୪ରେ ପହଞ୍ଚିଛି। ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀ ଏକ ପ୍ରକାର ଦିଶାହୀନ ହୋଇ ପଡ଼ିଥିବାରୁ ଏହି ଅବସ୍ଥାରୁ ଦଳକୁ ସୁସଙ୍ଗଠିତ କରି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ଦଳ ପାଇଁ ଏକ ବଡ଼ ଆହ୍ୱାନ ହେବ। ଠିକ୍ ଏତିକି ବେଳେ ରାଜ୍ୟରେ ଟିଏମସିର ଆକ୍ରାମକ ଉପସ୍ଥିତି ଯୋଗୁଁ ଦିଶାହୀନ କଂଗ୍ରେସ ନେତାମାନେ ଦଳ ଛାଡ଼ି ଟିଏମସିରେ ବହୁ ସଂଖ୍ୟାରେ ଯୋଗଦାନ କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ ହେଉଛି। ତେବେ ଅନୁଭବୀ ନେତା ପି ଚିଦାମ୍ୱରମ ଗୋଆର ଦାୟିତ୍ୱ ଗ୍ରହଣ କରି ତୃଣମୂଳ ସ୍ତରର ନେତାମାନଙ୍କ ସହ ବିଚାର ବିମର୍ଶ କରିବା ପରେ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି। ଭୋଟରଙ୍କ ମଧ୍ୟରେ କଂଗ୍ରେସ ପ୍ରତି ବିଶ୍ୱାସ ଜନ୍ମାଇବାକୁ ହେଲେ ଦଳ ତରଫରୁ ପ୍ରାର୍ଥୀ ଚୟନ ବେଳେ ସତର୍କତା ଅବଲମ୍ୱନ କରିବାକୁ ହେବ। ତତ୍ପରତାର ସହ ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିପାରିଲେ ତାହା ନିର୍ବାଚନୀ ସଫଳତା ହାସଲରେ ସହାୟକ ହୋଇପାରେ।

ଗୋଆରେ ୧୯୬୩ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ହିଁ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) କ୍ଷମତା ଦଖଲ କରି ପ୍ରାୟ ଦୁଇ ଦଶନ୍ଧି ଧରି ଲଗାତାର କ୍ଷମତାରେ ରହିବା ପରେ ଦଳବଦଳ କାରଣରୁ ୧୯୭୯ରେ କ୍ଷମତାଚ୍ୟୁତ ହୋଇଥିଲା। ଦଳର ଜନାଧାର ମୁଖ୍ୟତଃ କୋଙ୍କଣୀଭାଷୀ ଅବ୍ରାହ୍ମଣ ହିନ୍ଦୁମାନଙ୍କୁ ନେଇ, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ପର୍ତ୍ତୁଗୀଜ ଶାସନ ଅମଳରେ ବଞ୍ଚିତ ସଂଖ୍ୟାଗରିଷ୍ଠ ସମୁଦାୟର। ଏକ ହିନ୍ଦୁ ଦଳ ଭାବେ ପରିଚିତ ଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଏହାର ଗ୍ରହଣୀୟତା ସେତେ ନାହିଁ। ୧୯୯୪ରେ ପ୍ରଥମ ଥର ପାଇଁ ଏମଜିପି ସହ ମେଣ୍ଟ କରି ବିଜେପି ଗୋଆରେ ପ୍ରବେଶ କଲା। କ୍ରମଶଃ ହିନ୍ଦୁ ଭୋଟ ଉପରେ ବିଜେପି ଦଖଲ କରିବାକୁ ଲାଗିବାରୁ ଏମଜିପିର ଜନାଧାର କ୍ଷୟ ହୋଇ ୨୦୧୭ରେ ଦଳ ମାତ୍ର ୩ଟି ଆସନରେ ବିଜୟୀ ହୋଇ ପାରିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍ଚ୍ଚ ୨୦୧୯ରେ ଦଳ ଛାଡ଼ି ବିଜେପିରେ ମିଶିଗଲେ। ଅବଶ୍ୟ ୨୦୧୭ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେପିର ମୁକାବିଲା କରି ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଦଳ ଆରଏସଏସର ବିଦ୍ରୋହୀ ସଭ୍ୟ ସୁଭାଷ ଭେଲିଙ୍ଗକରଙ୍କ ଦ୍ୱାରା ସ୍ଥାପିତ ଗୋଆ ସୁରକ୍ଷା ମଞ୍ଚ ଓ ଶିବସେନା ସହ ମେଣ୍ଟ କରି ୨୭ଟି ଆସନରେ ନିର୍ବାଚନ ଲଢ଼ିଥିଲା। ୧୯୯୪ରେ ଏହି ଦଳ ୧୨ଟି ଆସନ ପାଇଥିବା ବେଳେ ୧୯୯୯ରେ ୪ଟି, ୨୦୦୨ରେ ଗୋଟିଏ, ୨୦୦୭ରେ ୨ଟି, ୨୦୧୨ରେ ୩ଟି ଆସନରେ ବିଜୟୀ ହୋଇଥିଲା। ବସ୍ତୁତଃ ହିନ୍ଦୁ ଭୋଟ ହାତେଇବା ପାଇଁ ଉଭୟ ଏମଜିପି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହୁଥିବାରୁ ୧୯୯୪ରେ ମେଣ୍ଟ କରି ବିଜେପିକୁ ଗୋଆରେ ପ୍ରବେଶ କରାଇବା ଏମଜିପି ପାଇଁ ଏକ ପ୍ରକାର ଘାତକ ସାବ୍ୟସ୍ତ ହୋଇଛି। ଆଗାମୀ ନିର୍ବାଚନରେ ବିଜେପି ସହ କୌଣସି ମେଣ୍ଟ ସମ୍ଭବ ନୁହେଁ ବୋଲି ଦଳର ସଭାପତି ଦୀପକ ଦାଭାଲିକର ସ୍ପଷ୍ଟ ଘୋଷଣା କରିଥିଲେ ବି ଅନ୍ୟ ଛୋଟ ଦଳ ସହ ମେଣ୍ଟ ପାଇଁ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି।

୨୦୧୭ ନିର୍ବାଚନର ଠିକ ବର୍ଷକ ପୂର୍ବରୁ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ଗୋଆ ଫରୱାର୍ଡ ପାର୍ଟି ୪ଟି ଆସନରେ ଲଢି ୩ଟିରେ ବିଜୟ ଲାଭ କରିବା ଅନେକଙ୍କୁ ବିସ୍ମିତ କରିଥିଲା। ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରୁଥିବା ଓ ବିଜେପି ସହ କୌଣସି ମେଣ୍ଟ ନ କରିବାକୁ ଘୋଷଣା କରିଥିବା ଜିଏଫପି ନିର୍ବାଚନ ପରେ ବିଜେପି ସହ ଏନଡିଏ ସରକାରରେ ସାମିଲ ହେବା ତା’ଠାରୁ ଅଧିକ ଚକିତ କରିଥିଲା ସମସ୍ତଙ୍କୁ। ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ହେବା ପରେ ଏମଜିପିର ଦୁଇ ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଇବା ପରେ ଜିଏଫପିର ନେତା ବିଜୟ ସରଦେଶାଈ ତାଙ୍କ ଦଳର ସମାନ ଅବସ୍ଥା ହୋଇପାରେ ବୋଲି ଆଶଙ୍କିତ ହୋଇ ପଡିଥିଲେ। କଂଗ୍ରେସର ୧୨ ଜଣ ବିଧାୟକ ବିଜେପିରେ ମିଶିବା ପରେ ମେଣ୍ଟରେ ଜିଏଫପିର ଗୁରୁତ୍ୱ ହ୍ରାସ ପାଇଲା। ଶେଷରେ ଜିଏଫପି ଅପ୍ରେଲ ୨୦୨୧ରେ ଏନଡିଏରୁ ଓହରି ଆସିଲା। ଆଗାମୀ ନିର୍ବାଚନରେ ଦଳ ବିଜେପି ବିରୁଦ୍ଧରେ ଲଢିବାକୁ ମନସ୍ଥ କରି ପ୍ରାୟ ୧୨ଟି ଆସନରେ ପ୍ରାର୍ଥୀ ଦେବା ସହ ସମଭାବାପନ୍ନ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ଆଗ୍ରହୀ।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଗୋଆରେ ବିଶେଷ ଉପସ୍ଥିତି ନ ଥିଲେ ବି ଗତ ନିର୍ବାଚନରେ ଦଳ ଏକାକୀ ଲଢି ଜଣେ ବିଧାୟକ ଜୟଯୁକ୍ତ ହୋଇଥିଲେ। ଆଗାମୀ ନିର୍ବାଚନରେ ଦଳ କଂଗ୍ରେସ ସହ ମେଣ୍ଟ ଗଠନ କରି ୭-୮ଟି ଆସନରେ ଲଢ଼ିବାକୁ ଆଶାପୋଷଣ କରିଛି।

ଗତ ନିର୍ବାଚନରେ ଲଢ଼ି ସଫଳତାର ସ୍ୱାଦ ଚାଖି ନ ଥିବା ଆମ ଆଦମୀ ପାର୍ଟି (ଆପ) ଏ ଥର ଗୋଆରେ ଅତି ଗମ୍ଭୀରତାର ସହ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଥିବାର ଲକ୍ଷ୍ୟ କରାଯାଉଛି। ସେଥିପାଇଁ ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ଗୋଆକୁ ବାରମ୍ୱାର ଆସି କର୍ମୀଙ୍କ ମନୋବଳ ବଢାଇବା ସଙ୍ଗେସଙ୍ଗେ ଦଫା ଦଫାରେ ତିନିଟି ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରି ସାରିଲେଣି, ଯାହା ହୁଏତ ନିର୍ବାଚନରେ ପରିଣାମ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇପାରେ। କ୍ଷମତାକୁ ଆସିଲେ ପ୍ରତି ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଜୁଳି ଦିଆଯିବ। ଏଥିପାଇଁ ଗୋଆ ଓ ଦିଲ୍ଲୀର ବିଜୁଳି ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏକ ସର୍ବସାଧାରଣ ବିତର୍କ ଟେଲିଭିଜନରେ ପ୍ରସାରିତ ହୋଇ ଭୋଟରଙ୍କ ଆଲୋଚନାର ବିଷୟ ହୋଇଥିଲା। ଆପ ତରଫରୁ ଘୋଷିତ ‘ବିଜୁଳି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ’ରେ ଏ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ପରିବାର ପଞ୍ଜିକରଣ କରି ସାରିଲେଣି। ସେହିପରି କ୍ଷମତାକୁ ଆସିଲେ ସ୍ଥାନୀୟ ଲୋକଙ୍କ ପାଇଁ ଘରୋଇ କ୍ଷେତ୍ରର ୮୦ ପ୍ରତିଶତ ନିଯୁକ୍ତି ଆରକ୍ଷିତ ରହିବା ସହ ଗୋଟିଏ ପରିବାରକୁ ନିଯୁକ୍ତି ନ ମିଳିଲେ ମାସିକ ୩୦୦୦ ଟଙ୍କାର ବେକାରି ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଗୋଆରେ ପ୍ରବାସୀ ପୂର୍ବାଞ୍ଚଳୀ, ଓଡ଼ିଆ ଓ ନେପାଳୀଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ ହୋଇଥିବାରୁ ଘୋଷିତ ନୀତିଟିର ନିର୍ବାଚନରେ ସ୍ଥାନୀୟ ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏଥିପାଇଁ ଆରମ୍ଭ କରାଯାଇଥିବା ‘ରୋଜଗାର ଗ୍ୟାରେଣ୍ଟି ସ୍କିମ’ରେ ଏ ପର୍ଯ୍ୟନ୍ତ ୧.୨ ଲକ୍ଷ ଯୁବକ ଯୁବତୀ ପଞ୍ଜିକରଣ କରି ସାରିଲେଣି, ଯାହା ଗୋଆର ସମୁଦାୟ ପରିବାର ସଂଖ୍ୟାର ୨୫ରୁ ୩୦ ପ୍ରତିଶତ। ସେହିପରି ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଓ ଅନ୍ୟମାନଙ୍କ ପାଇଁ ଅଯୋଧ୍ୟା, ଭୈଲାନକନ୍ନି, ଆଜମେର, ଶିରିଡିକୁ ମାଗଣା ତୀର୍ଥଯାତ୍ରାରେ ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇଛି। ଇତିମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୟାନନ୍ଦ ନାଭ୍ରେକର, ବିଜେପି ନେତା ଗଣପତ ଗାଓଁକର, ଖଣି ନେତା ପୁଟି ଗାଓଁକରଙ୍କ ଭଳି ଅନେକ ବଡ଼ ବଡ଼ ନେତାଙ୍କର ଦଳରେ  ଯୋଗଦାନ ସହ ଦଳର ଘୋଷିତ ଯୋଜନାଗୁଡ଼ିକ ପ୍ରତି ପ୍ରକାଶ ପାଉଥିବା ଜନ ସମର୍ଥନ ଦଳର ସ୍ଥିତିକୁ ଅପେକ୍ଷାକୃତ ସୁଦୃଢ କରିଛି ଯାହା ନୀରବ ଭୋଟରମାନଙ୍କୁ ଦଳର ଆକୃଷ୍ଟ କରିପାରେ ବୋଲି ବିଶେଷଜ୍ଞଙ୍କ ମତ।

ଗୋଆ ନିର୍ବାଚନୀ ରଣାଙ୍ଗନରେ ସଦ୍ୟତମ ଦଳ ଭାବେ ‘ଗୋଏଞ୍ଚି ନବୀ ସକାଳ’ ସ୍ଳୋଗାନ ସହ ଅବତୀର୍ଣ୍ଣ ହୋଇଛି ତୃଣମୂଳ କଂଗ୍ରେସ। ପ୍ରଥମେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋଙ୍କୁ ତୃଣମୂଳ କଂଗ୍ରେସରେ ମିଶାଇ ତାଙ୍କରି ଭରସାରେ ଟିଏମସି ବିସ୍ତାର ଯୋଜନାର ରୂପରେଖ ପ୍ରସ୍ତୁତ କରିଛି। ଅବଶ୍ୟ ଏଥିପାଇଁ ପ୍ରଶାନ୍ତ କିଶୋରଙ୍କ ‘ଆଇପାକ୍’ ସଂସ୍ଥା ଓ ଟିଏମସି ମିଳିତ ଭାବେ ୪୦ଟି ଯାକ ଆସନରେ ତୃଣମୂଳସ୍ତରୀୟ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଦଳର ନେତ୍ରୀ ମମତା ବାନାର୍ଜୀଙ୍କ ତିନି ଦିନିଆ ଗୋଆ ଗସ୍ତ ସମୟରେ ଲିଆଣ୍ଡର ପେସ, ନଫିସା ଅଲିଙ୍କ ପରି ସେଲିବ୍ରିଟିଙ୍କ ସମେତ ଆହୁରି ଅନେକ ନେତା ଦଳରେ ଯୋଗ ଦେଇଛନ୍ତି। ୨୦୧୪ରେ ତୃଣମୂଳ କଂଗ୍ରେସ ଟିକେଟରେ ଦକ୍ଷିଣ ଗୋଆ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିବା ଏନସିପିର ଏକମାତ୍ର ବିଧାୟକ ଚର୍ଚ୍ଚିଲ ଆଲେମାଓଙ୍କର ମମତାଙ୍କ ସହ ସାକ୍ଷାତ ଯୋଗୁଁ ସେ ଟିଏମସିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଲୋଚନା ହେଉଛି। ଇତିମଧ୍ୟରେ ସ୍ୱାଧୀନ ବିଧାୟକ ପ୍ରସାଦ ଗାଓଁକର ଟିଏମସିକୁ ସମର୍ଥନ କରିବାକୁ ଘୋଷଣା କରି ସାରିଥିବା ବେଳେ ସ୍ୱାଧୀନ ବିଧାୟକ ରୋହନ ଖାଉନ୍ତେ ମଧ୍ୟ ମମତାଙ୍କ ସହ ସମ୍ପର୍କରେ ଅଛନ୍ତି। ଦଳ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସହ ଅନ୍ୟ ଆଞ୍ଚଳିକ ଦଳଗୁଡିକ ଏଥି ସହ ମିଶିଯିବେ ବୋଲି ଆଶାବାଦୀ। ତେବେ ଜିଏଫପି ସହ ଆଲୋଚନା ହୋଇଥିଲେ ବି ଦଳର ନେତା ବିଜୟ ସରଦେଶାଈ ଟିଏମସି ସହ ମିଶ୍ରଣର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି। ରାଜ୍ୟରେ ଦଳର ତୃଣମୂଳସ୍ତରୀୟ ସଙ୍ଗଠନ ନ ଥିବାରୁ ଫାଲେଇରୋ ଓ ‘ଆଇପାକ’ କି ଭଳି ଭାବେ ଦଳକୁ ଆଗେଇ ନେବେ, ତାହା ଉପରେ ଅନେକଙ୍କ ଦୃଷ୍ଟି ନିବଦ୍ଧ। ଟିଏମସି ସରକାର ଗଠନ କରିବାକୁ ସମର୍ଥ ହେଉ ବା ନ ହେଉ ଅଳ୍ପ କିଛି ଆସନରେ ବିଜୟ ହାସଲ କରି ପାରିଲେ ବି ଗୋଆର ବିଶେଷ ରାଜନୈତିକ ପରିସ୍ଥିତିରେ ନିଜକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବସ୍ଥାପିତ କରିପାରିବ।

ଅନ୍ୟ ଦଳମାନଙ୍କ ମଧ୍ୟରେ ଗତ ଥର ନିର୍ବାଚନ ଲଢି ସଫଳ ହୋଇ ନ ଥିବା ଗୋଆ ସୁରକ୍ଷା ମଞ୍ଚ, ୟୁନାଇଟେଡ ଗୋଆନସ୍ ପାର୍ଟି, ଗୋଆ ବିକାସ ପାର୍ଟି, ଗୋଆ ସୁ-ରାଜ ପାର୍ଟି, ଏ ଥର ବି ନିର୍ବାଚନ ଲଢିବାକୁ ପାଗ ଭିଡୁଛନ୍ତି। ଶିବସେନା ତ ୨୫ଟି ଆସନରେ ଲଢ଼ିବାକୁ ଘୋଷଣା କରିସାରିଲାଣି। ନାଗରିକ ସମାଜ  ସଙ୍ଗଠନରୁ ରାଜନୈତିକ ଦଳ ସାଜି ନିର୍ବାଚନ ଲଢିବାକୁ ମନସ୍ଥ କରିଥିବା ‘ଗୋଏଞ୍ଚୋ ଆୱାଜ’ର ପ୍ରଭାବ ମଧ୍ୟ ଅନୁଭୂତ ହୋଇପାରେ। ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା ବିଜେପି କ୍ଷମତା ବିରୋଧ (ଆଣ୍ଟି ଇନକମ୍ୱେନସି)ର ସମ୍ମୁଖୀନ ହେଉଥିବା ବେଳେ ନୂଆ ନୂଆ ଦଳଙ୍କ ଗୋଆ ରାଜନୀତିରେ ଆବିର୍ଭାବ ଏ ଥରର ନିର୍ବାଚନକୁ ବେଶ ରୋଚକ କରିପାରେ। ଏ ସମସ୍ତ ଦଳ ଖ୍ରୀଷ୍ଟିଆନ ଭୋଟକୁ ବିଭାଜିତ କରି ବିଜେପିର ବିଜୟକୁ ସୁନିଶ୍ଚିତ କରିବେ ବୋଲି ବିଜେପିର ବିଶ୍ୱାସ। ତେବେ ହିନ୍ଦୁ ଭୋଟ ଯେ ବିଭାଜିତ ହେବନାହିଁ ତାହା ଦୃଢ଼ତାର ସହ କହି ହେବନାହିଁ। ଆପ ଦଳର ଗୋଆରେ ଉତ୍ତମ ପ୍ରଦର୍ଶନ ଏହାକୁ ଜାତୀୟ ଦଳର ମାନ୍ୟତା ମିଳିବାରେ ସହାୟକ ହୋଇପାରେ। ଟିଏମସିର ଉତ୍ତମ ପ୍ରଦର୍ଶନ ୨୦୨୪ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଜାତୀୟ ସ୍ତରରେ ବଳିଷ୍ଠ କରିପାରେ। ଆୟତନ ଦୃଷ୍ଟିରୁ ଗୋଆ ଛୋଟ ରାଜ୍ୟଟିଏ ହୋଇ ଏଠାରୁ ମାତ୍ର ଦୁଇ ଜଣ ସାଂସଦ ନିର୍ବାଚିତ ହେଉଥିଲେ ବି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ଗୋଆ ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ପ୍ରଦାନ କରି କ୍ଷମତା ହାସଲ କରିବାକୁ ବା କ୍ଷମତା ହାତଛଡ଼ା ନ କରିବାକୁ ପୂର୍ଣ୍ଣ ପ୍ରୟାସ କରୁଛନ୍ତି। ତେବେ ଦଳମାନଙ୍କ ମଧ୍ୟରେ ବୁଝାମଣା ଓ ମେଣ୍ଟ ଗଠନ ହୁଏତ ସ୍ଥିର କରିପାରେ ଆଗାମୀ ନିର୍ବାଚନରେ ଗୋଆରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବ କି ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।