ଯେଉଁଠି ଆରାଧ୍ୟ ଦେବୀଙ୍କ ସିଧା ଦର୍ଶନ ମନା... 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ହେଉଛି ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲା। ଏହାକୁ ଲାଗିକି ରହିଛି ଛତିଶଗଡ଼ର ବସ୍ତର ଜିଲା। ଏଠାକାର ଜନଜୀବନ ଓ ସଂସ୍କୃତିରେ ଛତିଶଗଡର ପ୍ରଭାବ ବେଶ୍‌ ଭଲ ଭାବେ ଅନୁଭବ କରି ହେବ। ତେଣୁ ଏଠାକାର ଦର୍ଶନୀୟ ସ୍ଥାନରେ ଛତିଶଗଡ ପର୍ଯ୍ୟଟକଙ୍କ ବେଶ୍‌ ସମାଗମ ପରିଲକ୍ଷିତ ହୁଏ।  ଏହି ଜିଲାରେ ପ୍ରାୟ ୩୦ରୁ ୩୫ ପ୍ରକାର ଆଦିବାସୀ ବସବାସ କରନ୍ତି । ଏଠାକାର ଅଧିବାସୀଙ୍କ ଜୀବନଯାପନ ବହୁତ ସରଳ ଓ ନିରାଡମ୍ୱର। ପାର୍ବତ୍ୟ ସହରରେ […]

nabrangpur.....1

nabrangpur.....1

Niharika Rout
  • Published: Friday, 22 March 2019
  • Updated: 22 March 2019, 11:56 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ହେଉଛି ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲା। ଏହାକୁ ଲାଗିକି ରହିଛି ଛତିଶଗଡ଼ର ବସ୍ତର ଜିଲା। ଏଠାକାର ଜନଜୀବନ ଓ ସଂସ୍କୃତିରେ ଛତିଶଗଡର ପ୍ରଭାବ ବେଶ୍‌ ଭଲ ଭାବେ ଅନୁଭବ କରି ହେବ। ତେଣୁ ଏଠାକାର ଦର୍ଶନୀୟ ସ୍ଥାନରେ ଛତିଶଗଡ ପର୍ଯ୍ୟଟକଙ୍କ ବେଶ୍‌ ସମାଗମ ପରିଲକ୍ଷିତ ହୁଏ।  ଏହି ଜିଲାରେ ପ୍ରାୟ ୩୦ରୁ ୩୫ ପ୍ରକାର ଆଦିବାସୀ ବସବାସ କରନ୍ତି । ଏଠାକାର ଅଧିବାସୀଙ୍କ ଜୀବନଯାପନ ବହୁତ ସରଳ ଓ ନିରାଡମ୍ୱର।

ପାର୍ବତ୍ୟ ସହରରେ କ’ଣ ଦେଖିବେ ?

ପାର୍ବତ୍ୟ ସହର ନବରଙ୍ଗପୁରକୁ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତ ହେବ ନାହିଁ। କୋଳାହାଳଠୁ ଦୂରେଇ ଏଠାକୁ ଆସୁଥିବା ପର୍ଯ୍ୟଟକ  ପ୍ରକୃତିର କୋଳରେ ନିଜକୁ ହଜାଇ ଦେଇପାରିବେ। ଏଠାରେ ସେମାନେ ଜିଲାର ଆରାଧ୍ୟ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବା ସହ  ପୋଡାଗଡ଼ ଡ୍ୟାମ, ଇନ୍ଦ୍ରାବତୀ ଜଳଭଣ୍ଡାର,  ହିରଲିଡଙ୍ଗୀ ପାହାଡ, ପାପଡ଼ାହାଣ୍ଡି ମୃଗବିହାର, ଶଡୀଦ ସ୍ମୃତି ସ୍ତମ୍ଭ, ଐତିହାସିକ ହାତୀବନ୍ଧା ପାହାଡ ଦେଖିବାର ସୁଯୋଗ ପାଇପାରିବେ।

ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରନ୍ତୁ

ନବରଙ୍ଗପୁରବାସୀଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭଣ୍ଡାର ଘରଣୀ। ମା’ ହେଉଛନ୍ତି ଧନ ଓ ସମ୍ପତ୍ତିର ଦେବୀ।  ସହରର ମଧ୍ୟଭାଗରେ ରହିଛି ମା’ଙ୍କ ମନ୍ଦିର। ଜିଲାବାସୀ କୌଣସି ବି ଶୁଭ କାମ ପୂର୍ବରୁ ଏହି ମନ୍ଦିର ଆସି ମା’ଙ୍କ ଆର୍ଶିବାଦ ନେଇଥାନ୍ତି। ଜିଲାବାସୀ ତଥା ଆଖପାଖ ଅଞ୍ଚଳବାସୀଙ୍କ ଆସ୍ଥା ଏହି ମନ୍ଦିର ସହ ଯୋଡି ହୋଇ ରହିଛି।

ମା’ ଭଣ୍ଡାର ଘରଣୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ତେଣୁ ତାଙ୍କୁ ସିଧା ସିଧା ଦର୍ଶନ ମନା। ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କୁ ମିରର୍‌ରେ ଦର୍ଶନ କରନ୍ତି ନ ହେଲେ ସାଇଡ଼ରେ ଦର୍ଶନ କରି ଆର୍ଶିବାଦ କାମନା କରନ୍ତି। ଯେକୌଣସି ଶୁଭ କାମ ହେଉ ଅବା ମନସ୍କାମନା,  ଭକ୍ତିର ସହ ନିବେଦନ କଲେ ମା’ ଡାକ ଶୁଣନ୍ତି  ବୋଲି ଶ୍ରଦ୍ଧାଳୁଙ୍କର ରହିଛି ପ୍ରଗାଢ ବିଶ୍ୱାସ।

ବୁଲିଯାନ୍ତୁ ପୋଡାଗଡ଼ ଡ୍ୟାମ୍‌

ଏହାପରେ ଆପଣ ଯାଇପାରିବେ ମାଟିବନ୍ଧ ପୋଡାଗଡ଼ ଡ୍ୟାମ୍‌। ଏଠାରୁ ଇନ୍ଦ୍ରାବତୀର ସୌନ୍ଦର୍ଯ୍ୟକୁ ବହୁତ ପାଖରୁ ଉପଭୋଗ କରିପାରିବେ । ବିସ୍ତୀର୍ଣ୍ଣ ନୀଳ ଜଳରାଶି ଆଉ ମଝିରେ ମଝିରେ ଛୋଟ ଛୋଟ ଟାପୁ । ନୀଳ ଜଳରାଶିର ସମତଳତା ଭଙ୍ଗ କରି ମଝିରେ ମଝିରେ ରହିଥିବା ଅନେକ ଟାପୁ ଦୀପପୁଞ୍ଜର ଭ୍ରମ ସୃଷ୍ଟି କରେ। ଏହାବ୍ୟତୀତ ଡ୍ୟାମ୍‌ଠୁ ଦୂରରେ ରହିଛି ବହୁ ପର୍ବତମାଳା । ଏଠାକୁ ଆସୁଥିବା ଯେକୌଣସି ପର୍ଯ୍ୟଟକ  ନିହାତି ଭାବେ ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେବେ । କିନ୍ତୁ ପ୍ରଶାସନିକ ଉଦାସୀନତା ହେତୁ ପୋଡାଗଡ଼ ଡ୍ୟାମ୍‌ ଭିତରକୁ ଯିବା ପାଇଁ ନୌକା ବିହାରର ବ୍ୟବସ୍ଥା ନାହିଁ।

  ଦେଖନ୍ତୁ ଇନ୍ଦ୍ରାବତୀ ଜଳଭଣ୍ଡାର

ଇନ୍ଦ୍ରାବତୀ ନଦୀରେ ସୃଷ୍ଟି ହୋଇଛି ୧୧୦ ବର୍ଗ କି.ମି.ର ଏକ ବିଶାଳ ଜଳଭଣ୍ଡାର। କୋରାପୁଟର ଦଶବନ୍ତପୁର, କଳାହାଣ୍ଡିର ବେଣାଖମାର ଓ ବିରିଲିଗୁମାକୁ ଲାଗିଛି ଏହାର ଜଳସୀମା। ନୌବିହାର ପାଇଁ ଏଠାରେ ରହିଛି ଯଥେଷ୍ଟ ସୁଯୋଗ। ନଇକୂଳିଆ ପରିବେଶ ସାଙ୍ଗକୁ ବିରାଟ ଜଳଭଣ୍ଡାର ହ୍ରଦର ଭ୍ରମ ସୃଷ୍ଟି କରେ।  ଏହି ଜଳଭଣ୍ଡାର ନିମନ୍ତେ ନବରଙ୍ଗପୁରର ୫୧ଟି ଗାଁ, କଳାହାଣ୍ଡିର ୪୪ ଗାଁ ଲୋକେ ବିସ୍ଥାପିତ ହୋଇଥିଲେ। ଏବେବି ଏଠାରେ ଅନେକ ଟାପୁରେ ଛୋଟ ଛୋଟ ଗାଁ ଦେଖିବାକୁ ମିଳେ। ଏଇଠି ପାଇପାରିବେ ପାର୍ବତ୍ୟ ଅଞ୍ଚଳରେ ଉପକୂଳ ଅଞ୍ଚଳର ଅନୁଭୂତି। ଏହି ଡ୍ୟାମ ନିକଟରେ ଛିଡା ହୋଇ ସୂର୍ଯ୍ୟସ୍ତକୁ ମନ ଭରି ଉପଭୋଗ କରିପାରିବେ।

  ହିରଲିଡଙ୍ଗରୀ ପାହାଡ 

ସନ୍ଧ୍ୟା ସମୟରେ ପାର୍ବତ୍ୟ ସହର ନବରଙ୍ଗପୁରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆପଣ ଯାଇପାରିବେ ହିରଲି ଡଙ୍ଗରୀ ପାହାଡ ଉପରକୁ। ୨ କି.ମି. ଚଢିବା ପରେ ପାହାଡ ଶିର୍ଷରେ ପହଞ୍ଚିବେ। ସେଠାରୁ ଆପଣ ଆଲୋକମାଳାରେ ସଜ୍ଜିତ ନବରଙ୍ଗପୁରକୁ ଉପଭୋଗ କରିପାରିବେ।

  ପାପଡାହାଣ୍ଡି ମୃଗ ବିହାର

ଏହାପରେ  ସେଠାରୁ ୨୦୧ ନଂ ଜାତୀୟ ରାଜପଥରେ ପ୍ରାୟ ୧୧୦ କିମି. ଯାତ୍ରା ପରେ ପଡିବ ପାପଡାହାଣ୍ଡି ମୃଗ ବିହାର।  ୧୯୮୬ ମସିହା ଜୁନ ୮ ରେ ଏହାର ପ୍ରତିଷ୍ଠା ହୋଇଥିଲା।  ୨୦୦୯ ମସିହାରେ କେନ୍ଦ୍ର  ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାକୁ ଏକ କ୍ଷୁଦ୍ର ଶ୍ରେଣୀ ଚିଡ଼ିଆଖାନା ମାନ୍ୟତା ଦେଇଛନ୍ତି । ଏଠାରେ ଅଛନ୍ତି ୨୦୦ରୁ ଅଧିକ ହରିଣ।  ସେମାନଙ୍କ ବ୍ୟତୀତ  ଚିତ୍ତଳ, କୁଟୁରା ବ୍ୟତୀତ, ବାରହା, ମୟୂରଙ୍କୁ ବି ଉଦ୍ଧାର କରି ରଖାଯାଇଛି । ବର୍ଷ ସାରା ଏହି ମୃଗ ବିହାର ଖୋଲା ରୁହେ।

ଶହୀଦ ସ୍ମୃତି ସ୍ତମ୍ଭ

ଏହାପରେ ଯିବା  ନବରଙ୍ଗପୁରଠାରୁ ୧୨ କିମି ଦୂର ଟୁର ନଦୀ କୂଳ। ସେଠାରେ ଅଛି ଶହୀଦ ସ୍ମୃତି ସ୍ତମ୍ଭ। ସ୍ୱାଧୀନତା ସଂଗ୍ରାମ ଲାଗି ରକ୍ତରେ ରଞ୍ଜିତ ହୋଇଥିଲା ଏହି ବୀର ମାଟି। ଏହି ସଂଘର୍ଷରେ ଇଂରେଜମାନଙ୍କ ସହ ମୁହାଁମୁହିଁ ହୋଇ ୭ ଜଣ ଶହୀଦ ହୋଇଥିବା ବେଳେ ୪ ଜଣ  ଜେଲ୍‌ରେ ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଅଗଷ୍ଟ ୨୪ ତାରିଖରେ ଏଠାରେ ପାଳିତ ହୁଏ ଶହୀଦ ଦିବସ।

ହାତୀବନ୍ଧା ପଥର

ତା ପରେ ଯିବା ଐତିହାସିକ ପୋଡାଗଡ଼ ପାହାଡ। ଏଥିନିମନ୍ତେ ନବରଙ୍ଗପୁର-ଉମରକୋଟ ରାସ୍ତାରେ ଯିବାକୁ ପଡିବ ୫୨ କି.ମି। ନଳବଂଶ ଶାସନର ମୁକସାକ୍ଷୀ ସାଜିଥିଲା ଏହି ପାହାଡ। ଏଠାରେ ନଳବଂଶର ରାଜାମାନେ ଗଡ଼ ସ୍ଥାପନ କରି ରାଜୁତି କରୁଥିଲେ। ସେଠାରେ ରହିଥିବା ଏକ ବିରାଟ ପଥରକୁ ରାଜାଙ୍କ ହାତୀବନ୍ଧା ପଥର ବୋଲି କୁହାଯାଏ। ଏଠାରେ ରାଜାଙ୍କ ହାତୀ ବନ୍ଧା ହୁଏ ବୋଲି  ଲୋକ କଥା ଅଛି। । ସେଠାରେ ରହିଥିବା ବିରାଟ ପଥର ମଧ୍ୟରେ ଚୁନ, ସୁରକି ଓ ଗୁଡ଼ ଦିଆଯାଇ ଯୋଡ଼ା ଯାଇଛି। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।  ଏହି ଗଡ଼ରେ ରହିଛି ରାଜାଙ୍କ ଇଷ୍ଟ ଦେବୀଙ୍କ ମନ୍ଦିର। ସେଠାରେ ରାଜାରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର ଆଦି ସଜ୍ଜିତ ହୋଇ ରହିଛି।

କିପରି ଯିବେ

ରାଜଧାନୀ ଭୁବନେଶ୍ୱରରୁ ନବରଙ୍ଗପୁରର ଦୂରତା ୩୫୪ କି.ମି ଅଟେ। ଆପଣ ନିତିଦିନ ଯାୟାୟାତ କରୁଥିବା ବସ୍‌, ଟ୍ରେନ କିମ୍ୱା ଟ୍ୟାକ୍ସି କରି ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏହାକୁ ଜାତୀୟ ରାଜପଥ ନଂ ୧୬ ଓ ୨୬ ସଂଯୋଗ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos