ସ୍କିଜୋଫ୍ରେନିଆ ଏକ ମାନସିକ ରୋଗ ନା ଗୁଣିଗାରେଡ଼ି?

ସ୍କିଜୋଫ୍ରେନିଆ ଏକ ମାନସିକ ରୋଗ, ଯାହା ବଂଶଗତ କିମ୍ୱା ସାମାଜିକ ଦୁର୍ବଳତା କାରଣରୁ ମସ୍ତିଷ୍କରେ ସଙ୍ଗଠିତ ରାସାୟନିକ ଅସନ୍ତୁଳନ ଯୋଗୁଁ ହୋଇଥାଏ। ଏହା କୌଣସି ଗୁଣି ଗାରେଡ଼ି କି ପାପ ଅଭିଷାପ କିମ୍ୱା ପ୍ରେମ ବିଫଳତା ଯୋଗୁଁ ହୋଇ ନ ଥାଏ। ଗୁଣି ଗାରେଡ଼ି ଯୋଗୁଁ ଏହି ରୋଗ ହୋଇଥାଏ ବୋଲି ଲୋକେ ଭାବନ୍ତି। ଏହା ତାଙ୍କର ଅନ୍ଧବିଶ୍ୱାସ ଛଡ଼ା ଆଉ କିଛି ନୁହେଁ। ସ୍କିଜୋଫ୍ରେନିଆର ଲକ୍ଷଣ: ସବୁବେଳେ ଏକା ଏକା ରହିବା, କାହାରି ସହିତ ନ […]

suvandu narayan mishra

suvandu narayan mishra

Rakesh Mallick
  • Published: Sunday, 08 January 2017
  • Updated: 27 April 2017, 05:06 PM IST

ସ୍କିଜୋଫ୍ରେନିଆ ଏକ ମାନସିକ ରୋଗ, ଯାହା ବଂଶଗତ କିମ୍ୱା ସାମାଜିକ ଦୁର୍ବଳତା କାରଣରୁ ମସ୍ତିଷ୍କରେ ସଙ୍ଗଠିତ ରାସାୟନିକ ଅସନ୍ତୁଳନ ଯୋଗୁଁ ହୋଇଥାଏ। ଏହା କୌଣସି ଗୁଣି ଗାରେଡ଼ି କି ପାପ ଅଭିଷାପ କିମ୍ୱା ପ୍ରେମ ବିଫଳତା ଯୋଗୁଁ ହୋଇ ନ ଥାଏ। ଗୁଣି ଗାରେଡ଼ି ଯୋଗୁଁ ଏହି ରୋଗ ହୋଇଥାଏ ବୋଲି ଲୋକେ ଭାବନ୍ତି। ଏହା ତାଙ୍କର ଅନ୍ଧବିଶ୍ୱାସ ଛଡ଼ା ଆଉ କିଛି ନୁହେଁ।

ସ୍କିଜୋଫ୍ରେନିଆର ଲକ୍ଷଣ: ସବୁବେଳେ ଏକା ଏକା ରହିବା, କାହାରି ସହିତ ନ ମିଶିବା, ଘରୁ ନ ବାହାରିବା କିମ୍ୱା ବିନା କାରଣରେ ବାହାରେ ଇଆଡ଼େ ସେଆଡ଼େ ବୁଲିବା, ମନେ ମନେ କଥା କହିବା ଓ ହସିବା ଏବଂ ସନ୍ଦେହ କରିବା।

ସନ୍ଦେହ ଭାବନା: ଯେପରିକି ତାଙ୍କୁ କିଏ ମାରିବାକୁ ଚେଷ୍ଟା କରୁଛନ୍ତି, ଗୁଣି ବା ପୋଷାଣ କରୁଛନ୍ତି। ଖାଦ୍ୟରେ ବିଷ ମିଶାଉଛନ୍ତି। ସ୍ୱାମୀ ବା ସ୍ତ୍ରୀ ଚରିତ୍ରରେ ସନ୍ଦେହ କରିବା, ପାଖରେ କିଏ କଥା ହେଲେ ତାଙ୍କ ବିଷୟରେ କଥା ହେଉଛନ୍ତି ବା ଦେଖାଇ କହୁଛନ୍ତି ବୋଲି ଭାବିବା ତାଙ୍କ ମସ୍ତିଷ୍କରେ କିଛି ମେସିନ ଖଞ୍ଜା ହୋଇଛି, ସେ ଯାହା କହୁଛନ୍ତି ବା ଭାବୁଛନ୍ତି ତାହା ବାହାର ଲୋକ ସବୁ ଜାଣିପାରୁଛନ୍ତି। ନିଜର ଦୈନନ୍ଦିନ କାର୍ଯ୍ୟ ଠିକଭାବେ ତୁଲାଇ ନ ପାରିବା, ଯେପରିକି ଗାଧୋଇବା, ନଖ, ଦାଢ଼ି, ବାଳ ନ କାଟିବା କିମ୍ୱା ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନ ନେବା ଇତ୍ୟାଦି ଦେଖାଯାଏ। ତାଙ୍କୁ ଶୂନ୍ୟବାଣୀ ହେବା ବା ଶୂନ୍ୟରୁ କିଏ ଆଦେଶ ବା ଉପଦେଶ ଦେଇ ତାଙ୍କ ସହ କଥା ହେଉଛି  ଭଳି ଲାଗିବା।

ଚିକିତ୍ସା ପଦ୍ଧତି: ସ୍କିଜୋଫ୍ରେନିଆ ରୋଗ ଚିକିତ୍ସା ଦ୍ୱାରା ଭଲ ହୋଇପାରିବ। କିନ୍ତୁ କେବେ ଡାକ୍ତରଙ୍କୁ ଦେଖାଉଛନ୍ତି ତାହା ଉପରେ ନିର୍ଭର କରୁଛନ୍ତି ଫଳାଫଳ। ତେବେ ଡାକ୍ତରୀ ଚିକିତ୍ସା(ଔଷଧ), ମାନସ୍ତାତ୍ତ୍ୱିକ ଚିକିତ୍ସା(କାଉନସେଲିଂ) ସାମାଜିକ ସହାୟତା ଯୋଗୁଁ ଏହି ରୋଗ ଭଲ ହୋଇଥାଏ।

ବିବାହ ରୋଗର ଚିକିତ୍ସା ନୁହେଁ: ବହୁ ଲୋକ ଭାବନ୍ତି ବିବାହ କରିଦେଲେ ସ୍କିଜୋଫ୍ରେନିଆ ରୋଗ ଭଲ ହୋଇଯିବ। କିନ୍ତୁ ବିବାହ ଏହି ରୋଗର ଚିକିତ୍ସା ନୁହେଁ। ଏହା ଏକ ଭ୍ରାନ୍ତ ଧାରଣା। ଏହି ରୋଗରେ ଲୋକ ବିବାହ କରିପାରିବେ କିନ୍ତୁ ଦ୍ୱିପାକ୍ଷିକ ବିଚାର ବିମର୍ଷ କରି ବାହାଘର ହୋଇପାରିବ।

ସ୍କିଜୋଫ୍ରେନିଆ ସବୁବେଳେ ବିପଦ ଜନକ ନୁହେଁ: ସ୍କିଜୋଫ୍ରେନିଆ ରୋଗୀମାନେ ନିଜ ପାଇଁ କିମ୍ୱା ଅନ୍ୟପାଇଁ ସବୁବେଳେ ବିପଦ ଜନକ ନୁହେଁ। କିନ୍ତୁ ତାଙ୍କ ସନ୍ଦେହ ଭାବନା ଯୋଗୁଁ(ତାଙ୍କୁ କିଏ ମାରିଦେବ ବା ତାଙ୍କ ପଛରେ କିଏ ଲାଗିଛି) କିମ୍ୱା ଶୂନ୍ୟବାଣୀ ଯୋଗୁଁ ସେ କିଛି ଭୁଲ ନିଷ୍ପତ୍ତି ନେଇପାରନ୍ତି। ଏପରିକି ଆତ୍ମହତ୍ୟା କିମ୍ୱା ଅନ୍ୟକୁ ହତ୍ୟା କରିପାରନ୍ତି।

ପରିବାର ଲୋକଙ୍କ କର୍ତ୍ତବ୍ୟ: ଚିକିତ୍ସା ଅବଧିରେ ପରିବାର ଲୋକଙ୍କର ଅନେକ କର୍ତ୍ତବ୍ୟ ରହିଛି। ଯେପରି ରୋଗୀକୁ ପ୍ରତ୍ୟେକ ଦିନ ଠିକ୍‌ ସମୟରେ ଔଷଧ ଦେବା, ରୋଗୀର ଦୈନନ୍ଦିନ କାର୍ଯ୍ୟକଳାପକୁ ନଜର ରଖିବା, ଯେପରି ଧାରୁଆ ଅସ୍ତ୍ର, ଏସିଡ୍‌ କିମ୍ୱା କ୍ଷତିକାରକ ବସ୍ତୁ ପାଖରେ ନ ରଖିବା, ଇଣ୍ଟରନେଟ୍‌ରେ ଯଦି କୌଣସି ବସ୍ତୁ କିଣୁଛନ୍ତି ତାକୁ ତର୍ଜମା କରିବା ଦରକାର। ନିଶା ଦ୍ରବ୍ୟ ଯେପରିକି ମଦ, ଗଞ୍ଜେଇ, ଖଇନି, ଗୁଣ୍ଡି ଖାଇବାକୁ ବାରଣ କରିବା, ରୋଗୀଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତ ରଖିବା ଓ କାର୍ଯ୍ୟରେ ସାହାଯ୍ୟ କରିବା ଦରକାର। ଯଦି ଔଷଧ ଖାଇ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଲା ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଓ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ ନ କରନ୍ତୁ।

ସୌଜନ୍ୟ: ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର (ମାନସିକ ରୋଗ ବିଶେଷଜ୍ଞ, ଭୁବନେଶ୍ୱର)

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos