ଚର୍ଚ୍ଚାରେ ୫ ଆଇପିଏସ୍ ଅଫିସର: ପଣ୍ଡିତଙ୍କ ‘ପ୍ରେମ’ ମହଙ୍ଗା, ଗଜଭିୟେ କେଉଁଠି, କୁଟ୍ଟେଙ୍କୁ କ୍ଲିନଚିଟ୍ !

ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରବିକାନ୍ତ, ସତୀଶ କୁମାର ଈଶ୍ୱରଦାସ ଗଜଭିୟେ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ସମେତ ଏନ.ବି.ଭାରତୀଙ୍କ କ୍ଷେତ୍ରରେ ଗୃହ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

IPS

ଆଇଏଏସ୍‌ କୁଟ୍ଟେ ଓ ସତୀଶ କୁମାର ଈଶ୍ୱରଦାସ ଗଜଭିୟେ

Ordigital Desk
  • Published: Monday, 14 April 2025
  • , Updated: 14 April 2025, 08:36 PM IST

ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ଏବେ ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଚର୍ଚ୍ଚାରେ ।  ସରକାରଙ୍କୁ ଅନ୍ଧାରରେ ରଖି କିଛି ନିର୍ଦ୍ଦିଷ୍ଟ ଶୀର୍ଷ ପାହ୍ୟାର ଅଫିସର ଏବେ ପୁଲିସ ବିଭାଗରେ ଯାବତୀୟ ନିଷ୍ପତ୍ତି ନେଉଥିବା ଅଭିଯୋଗ ହେଉଛି । ବିଜେଡି ଶାସନକାଳରେ ତୃତୀୟ ମହଲାରେ ବସି ଜଣେ ଜୁନିୟର ଆଇପିଏସ୍ ଅଫିସର ଯେଭଳି ଗୃହ ବିଭାଗକୁ ମନମୁଖୀ ନିୟନ୍ତ୍ରଣ କରି ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିଲେ, ସେହି ସ୍ଥିତିରେ ଏବେବି ସୁଧାର ଆସିପାରିନଥିବା ଜଣାପଡ଼ିଛି । ଯେଉଁଥିପାଇଁ କାମ ନକରି ମଧ୍ୟ ବରିଷ୍ଠ ଆଇପିଏସ୍ ଅଫିସରମାନେ ରାଜକୋଷରୁ  ମାସିକ ଲକ୍ଷଲକ୍ଷ ଟଙ୍କା ଦରମା ନେବାରେ ସକ୍ଷମ ହେଉଛନ୍ତି । ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରବିକାନ୍ତ, ସତୀଶ କୁମାର ଈଶ୍ୱରଦାସ ଗଜଭିୟେ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ସମେତ ଏନ.ବି.ଭାରତୀଙ୍କ କ୍ଷେତ୍ରରେ ଗୃହ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

‘ପ୍ରେମ’ ମାମଲାରେ ମହିଳା ଇନ୍ସପେକ୍ଟରଙ୍କ ସତ୍ୟପାଠ ଓ କ୍ଲିନଚିଟ୍ ସତ୍ତ୍ୱେ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ‘ନିଲମ୍ବନ’ ଅବଧି ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଚାଲିଛି ତ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ସରକାରୀକଳ ଦୁରୂପଯୋଗର ମାଳମାଳ ପ୍ରମାଣ ଓ ନିର୍ବାଚନ କମିଶନଙ୍କ ତାଗିଦ୍ ସତ୍ତ୍ୱେ ତାଙ୍କୁ ‘କ୍ଲିନଚିଟ୍ ’ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ସେହିପରି ଗଜଭିୟେଙ୍କୁ କେନ୍ଦ୍ରରେ ୨୦୨୪ ଡିସେମ୍ବର ୬ରେ ନିଯୁକ୍ତି ମିଳିବା ପରେ ତାଙ୍କୁ ରାଜ୍ୟ ସରକାର ‘ରିଲିଭ୍‌’ କରିବାର ୪ମାସ ବିତିଯାଇଥିଲେ ସୁଦ୍ଧା ସେ ରାଜ୍ୟ ଛାଡ଼ୁନଥିବାରୁ କ୍ୟାଡ଼ରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ଆଇପିଏସ୍ ଏନ.ବି.ଭାରତୀ ଦୀର୍ଘ ୮ବର୍ଷ ଧରି ଅନୁପସ୍ଥିତ ଥିବାସତ୍ତ୍ୱେ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ୁନି । ସେହିପରି ପାଣ୍ଡିଆନମାର୍କା ଅଫିସର ରବିକାନ୍ତଙ୍କୁ ଗୃହ ବିଭାଗର ‘ଓଏସଡି’ ନିଯୁକ୍ତି ମିଳିଥିଲେ ମଧ୍ୟ ସେ ‘ଦିଲ୍ଲୀ ଛାଡ଼ି’ ଓଡ଼ିଶା ଆସିବାର ନାଁ ଧରୁନଥିବା ଜଣାପଡ଼ିଛି ।

ପଣ୍ଡିତ ରାଜେଶ ଉତ୍ତମରାଓ

୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ରାଜ୍ୟ ସରକାର ପୁଣିଥରେ ୨୦୨୫ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡ଼ିଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରିଭ୍ୟୁ କମିଟି ଓ ତଦନ୍ତକାରୀ ଅଫିସର ଆଇପିଏସ୍ ରାଜେଶ କୁମାରଙ୍କ ରିପୋର୍ଟ ଆଧାରରେ ୪ର୍ଥ ଥର ପାଇଁ ତାଙ୍କର ନିଲମ୍ବନ ଅବଧି ଆଉ ୩୦ଦିନ ପାଇଁ ବଢ଼ିଛି । ୨୦୨୪ ଜୁଲାଇ ୩୦ତାରିଖରୁ ତାଙ୍କର ନିଲମ୍ବନ ଅବଧି ବାରମ୍ବାର ବୃଦ୍ଧି ହେଉଛି ।

ତେବେ ଆଶ୍ଚର୍ଯ୍ୟର କଥା, ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ରହିଛି ସେଥିରେ ତାଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ କ୍ଲିନଚିଟ୍ ମିଳିସାରିଛି । ଏପରିକି ଯେଉଁ ମହିଳା ଇନ୍ସପେକ୍ଟରଙ୍କ ଘରେ ସେ ପଶି ଗଣ୍ଡଗୋଳ କରିଥିବା ନେଇ ଶ୍ରୀ ପଣ୍ଡିତଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏହି ‘କାର୍ଯ୍ୟାନୁଷ୍ଠାନ’ ନେଉଛନ୍ତି,ସେ ସମସ୍ତ ଅଭିଯୋଗକୁ ମଧ୍ୟ ସମ୍ପୃକ୍ତ ପୀଡ଼ିତା ମହିଳା ୨୦୨୪ ନଭେମ୍ବର ୬ତାରିଖରେ ଅତିରିକ୍ତ ପୁଲିସ ଡିଜିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ଖଣ୍ଡନ କରିସାରିଛନ୍ତି । ଏହାସହିତ ଉକ୍ତ ମାମଲାକୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ମହିଳା ଇନ୍ସପେକ୍ଟର ଅନୁରୋଧ କରିଥିବା ନେଇ ପୁଲିସ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗଙ୍କୁ ମଧ୍ୟ ୨୦୨୪ ନଭେମ୍ବର ୧୪ତାରିଖରେ ଅବଗତ କରାଯାଇସାରିଛି ।

ତଥାପି ସର୍ବଭାରତୀୟ ସେବା ରୁଲସ-୧୯୬୯ର ରୁଲ-୩ର ଆଳ ଦେଖାଇ ଆଇପିଏସ୍ ପଣ୍ଡିତଙ୍କ ନିଲମ୍ବନ ଅବଧିକୁ ରାଜ୍ୟ ସରକାର ବଢ଼ାଇ ଚାଲିଛନ୍ତି । ୨୦୨୪ ଜୁଲାଇ ୩୦ରେ ୬୦ଦିନ, ୨୦୨୪ ସେପ୍ଟେମ୍ବର ୨୭ରେ ୧୨୦ଦିନ, ୨୦୨୫ ଜାନୁୟାରୀ ୨୫ରେ ୬୦ଦିନ ଓ ୨୦୨୬ ମାର୍ଚ୍ଚ ୨୬ରେ ୩୦ଦିନ ନିଲମ୍ବନ ଅବଧି ବୃଦ୍ଧି ହୋଇଛି ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ‘ପ୍ରେମ’ ପାଇଁ ପଣ୍ଡିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସରକାର ନେଉଛନ୍ତି ସେନେଇ ‘ପୀଡ଼ିତା’ ନିଜେ ପଣ୍ଡିତଙ୍କ ସମର୍ଥନରେ ଆଗକୁ ଆସିସାରିଥିବାବେଳେ ରିଭ୍ୟୁ କମିଟି କେମିତି ଏସବୁ ଜାଣିପାରୁନାହିଁ । ତଦନ୍ତକାରୀ ଅଫିସର ରାଜେଶ କୁମାର ଏସବୁ ଦିଗ ପ୍ରତି କାହିଁକି ଦୃଷ୍ଟି ଦେଇନାହାନ୍ତି? ଜଣେ ବରିଷ୍ଠ ଆଇପିଏସଙ୍କୁ ବିନା କାର୍ଯ୍ୟରେ କାହିଁକି ରାଜକୋଷରୁ ଦରମା ଓ ଭତ୍ତା ଆଦି ଦିଆଯାଉଛି, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଡିଏସ୍ କୁଟ୍ଟେ

ବିଜେଡି ସରକାରର ସବୁଠୁ ପାୱାରଫୁଲ ଆଇପିଏସ୍ ୧୯୯୭ ବ୍ୟାଚର ଡିଏସ୍ କୁଟ୍ଟେ । ଯାହାଙ୍କ ନାଁରେ ମାଳମାଳ ଅଭିଯୋଗ ନିଜେ ନିର୍ବାଚନ ଆୟୋଗ ଆଣିଥିଲେ । ରାଜ୍ୟର ଦୁଇଜଣ ବରିଷ୍ଠ ଆଇଏଏସ୍ ଏନ.ତିରୁମାଳା ନାଏକ(ବିଡିଏ ଉପାଧ୍ୟକ୍ଷ) ଓ ଚଂଚଳ ରାଣା(ଖୋର୍ଦ୍ଧା ଜିଲ୍ଲାପାଳ) ମଧ୍ୟ କୁଟ୍ଟେଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ସରକାରୀ ସାକ୍ଷୀ ପାଲଟିଥିଲେ । । ଏନେଇ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ କରିବାକୁ ମଧ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବାପରେ ମଧ୍ୟ ତାଙ୍କୁ କ୍ଲିନଚିଟ୍ ଦେବାକୁ ୍ରପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ଆୟୋଗ ୨୦୨୪ ଜୁନ୍ ୨୧ ଓ ଜୁନ୍ ୨୯ତାରିଖରେ ଗୃହ ବିଭାଗକୁ ଦୁଇଟି ଚିଠି ଲେଖି କୁଟ୍ଟେଙ୍କ ହ୍ୱାଟସଅପ୍ ରେକର୍ଡ (୨୦୨୪ ମାର୍ଚ୍ଚ ୧୬ରୁ ମେ’୨୯ତାରିଖ ପର୍ଯ୍ୟନ୍ତ)କୁ ଟେଲିକମ୍ ଅପରେଟର ଓ ଅନ୍ୟ ଏଜେନ୍ସୀଠୁ ସଂଗ୍ରହ କରିବାକୁ କହିଥିଲେ । ବିଜେଡି ସପକ୍ଷରେ ନିର୍ବାଚନକୁ ପ୍ରଭାବିତ କରିବା ନିମନ୍ତେ ଚାପ ପକାଇବା ଓ ହସ୍ତକ୍ଷେପ କରିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଥିଲା ।

ନିର୍ବାଚନ ଆୟୋଗଙ୍କ ବାରମ୍ବାର ତାଗିଦ୍ ପରେ ରାଜ୍ୟ ସରକାର ୨୦୨୪ ଅଗଷ୍ଟ ୨୧ତାରିଖରେ କୁଟ୍ଟେଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ୩୦ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ । ମାତ୍ର କୁଟ୍ଟେ ୨୦୨୪ ସେପ୍ଟେମ୍ବର ୨୦ରେ ଗୃହ ବଭାଗକୁ ଚିଠି ଲେଖି ଏସବୁ ଅଭିଯୋଗକୁ ବାଏଁବାଏଁ ଫାଙ୍କି ଦେଲେ । ପରେ ଗୃହ ବିଭାଗର ତତକାଳୀନ ସ୍ୱତନ୍ତ୍ର ସଚିବ ନିବେଦିତା ପୃଷ୍ଟି ୨୦୨୪ ଅକ୍ଟୋବର ୭ରେ କୁଟ୍ଟେଙ୍କୁ ପୁଣିଥରେ ଚିଠି ଲେଖି ମାସକ ମଧ୍ୟରେ ଜବାବ ରଖିବାକୁ ଅନୁରୋଧ କଲେ । ଏହାସହିତ ନିର୍ବାଚନ ଆୟୋଗ କିଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ସେସଂକ୍ରାନ୍ତ ଚିଠି ମଧ୍ୟ ତାଙ୍କୁ ଅବଗତ କରାଇଲେ ।  ଗୃହ ବିଭାଗ କୁଟ୍ଟେଙ୍କ ହ୍ୱାଟସଅପ୍ ଚାର୍ଟ ଓ କଲ୍ ସଂଗ୍ରହ ପାଇଁ କାହିଁକି ପଦକ୍ଷେପ ନେଲାନି ତାହା ବି ଅସ୍ପଷ୍ଟ ।

ଏହାପରେ ଅପ୍ରତ୍ୟାଶିତ ଭାବେ କୁଟ୍ଟେଙ୍କୁ ୨୦୨୪ ଡିସେମ୍ବର ୬ରେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଲା । ମାତ୍ର  ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ କମିଟି ଗଠନ ହେଲା ନାହିଁ । ଓଲଟା ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗକୁ ରଫାଦଫା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛ ।

ସତୀଶ ଗଜଭିୟେ

କେନ୍ଦ୍ରାପଡ଼ା ସାରଥୀବାବା ମାମଲାରେ ଚର୍ଚ୍ଚାକୁ ଆସିଥିଲେ ୨୦୦୦ ବ୍ୟାଚ୍ ଆଇପିଏସ୍ ସତୀଶ କୁମାର ଈଶ୍ୱରଦାସ ଗଜଭିୟେ । କେନ୍ଦ୍ର ସରକାର ତାଙ୍କୁ ୨୦୨୪ ଡିସେମ୍ବର ୬ତାରିଖରେ ସିଆରପିଏଫ ଡିଆଇଜି ଭାବେ ନିଯୁକ୍ତି ଦେଲେ । ଏହି ନିଯୁକ୍ତି ଆଧାରରେ ରାଜ୍ୟ ଗୃହ ବିଭାଗ ତାଙ୍କୁ ଡିସେମ୍ବର ୧୨ତାରିଖରେ ରିଲିଭ୍ ମଧ୍ୟ କଲେ । ଏପରିକି ସେ କେନ୍ଦ୍ରରେ ଆଇଜି ପାହ୍ୟାରେ ତାଲିକାଭୁକ୍ତ ହୋଇନଥିବାରୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ ନାହିଁ ବୋଲି ଡିସେମ୍ବର ୧୧ତାରିଖରେ ପୁଲିସ ଡିଜିଙ୍କୁ ଚିଠି ଲେଖି ଅବଗତ କରାଇଲେ । ମାତ୍ର ପୁଲିସ ରାଜ୍ୟ ମୁଖ୍ୟାଳୟ ତାଙ୍କୁ ଡିସେମ୍ବର ୩୦ତାରିଖରେ ରିଲିଭ୍ ମଧ୍ୟ କରିଦେଲା । ତାଙ୍କୁ ରାଜ୍ୟ ସରକାର ରିଲିଭ୍ କରିଥିଲେ ମଧ୍ୟ ସେ କେନ୍ଦ୍ର ସରକାରରେ ଯୋଗ ଦେଇନଥିବା ଜଣାପଡ଼ିଛି । ସିଆରପିଏଫ ଡିଆଇଜି ଭାବେ ଯୋଗ ନଦେଇ ପ୍ରାୟ ୪ମାସ ହେଲା ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ରହିଛନ୍ତି । ତାଙ୍କୁ ଉତ୍କଳ ଦିବସରେ ମଧ୍ୟ ପୁଲିସ ଡିଜିଙ୍କ ସହ ମଂଚ ଶେୟାର କରିଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ କାହିଁକି ରାଜ୍ୟ ସରକାର ବସାଇଛନ୍ତି ଓ ରାଜ୍ୟ ପୁଲିସରେ ଅଘୋଷିତ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି ତାହା ଜଣାପଡ଼ିନି ।

ରବିକାନ୍ତ ଓ ଏନବି ଭାରତୀ

ବିଜେଡି ଶାସନକାଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଥିଲେ ୧୯୯୮ ବ୍ୟାଚ୍ ଆଇପିଏସ୍ ରବିକାନ୍ତ । ବରିଷ୍ଠ ଆଇଏଏସ ଅଫିସରଙ୍କୁ କୋଣଠେସା କରି ରବିକାନ୍ତ ପାଲଟିଥିଲେ ଦିଲ୍ଲୀରେ ପାଣ୍ଡିଆନଙ୍କ ଭରସାଯୋଗ୍ୟ ବ୍ୟକ୍ତି । ମାତ୍ର ବିଜେପି ସରକାର ଆସିବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ହଟାଇ ଦେଇ ଗୃହ ବିଭାଗର ‘ଓଏସଡି’ଭାବେ ୨୦୨୪ ଜୁଲାଇ ୧୫ତାରିଖରେ ନିଯୁକ୍ତି ଦେଲେ । ମାତ୍ର ସେ ଭୁବନେଶ୍ୱର ଆସିବା ପରିବର୍ତ୍ତେ ଦିଲ୍ଲୀରେ ରହିଛନ୍ତି । ସରକାରୀ ତହବିଲରୁ ମୋଟା ଅଙ୍କର(ପ୍ରାୟ ୩ଲକ୍ଷ ଟଙ୍କା ମାସିକ) ଦରମା ମଧ୍ୟ ନେଉଛନ୍ତି । କିନ୍ତୁ ଦିନେକାଳେ ତାଙ୍କୁ ଭୁବନେଶ୍ୱରରେ ଦେଖିବାକୁ ମିଳୁନି କି କେହି ତାଙ୍କୁ ଭୁବନେଶ୍ୱର କାର୍ହିକି ଆସୁନ ବୋଲି ଚାପ ମଧ୍ୟ ପକାଉନାହାନ୍ତି ।

ସେହିପରି ୧୯୯୮ ବ୍ୟାଚ୍ ଆଇପିଏସ୍ ଏନବି ଭାରତୀ ଦୀର୍ଘ ପ୍ରାୟ ୮ବର୍ଷ ଧରି (୨୦୧୭ ନଭେମ୍ବର ୨୩ରୁ) ଅନୁପସ୍ଥିତ ଅଛନ୍ତି । ତାଙ୍କ ବିରୁଦ୍ଧରେ ୨୦୨୦ ଜାନୁୟାରୀ ୩ରୁ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ସରକାର ନିଯୁକ୍ତି ଦେଇଥିଲେ । କିନ୍ତୁ ଭାରତୀଙ୍କ ମାମଲାରେ ନା ପୂର୍ଣ୍ଣଚ୍ଛେଦ ପଡ଼ୁଛି ନା ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ସରକାରଙ୍କୁ ସୁପାରିଶ କରାଯାଉଛି ।

ଆଇପିଏସ୍ ମରୁଡ଼ି

ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ହେଉଛି ୧୯୫ । ସେଥିରୁ ଏବେ ୬୯ଟି ପଦବୀ ଖାଲି ପଡ଼ିଥିବାବେଳେ ୨୫ଜଣ ଆଇପିଏସ୍ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ତେଣୁ ରାଜ୍ୟରେ ମାତ୍ର ୧୦୧ଜଣ ଆଇପିଏସ୍ ରହିଛନ୍ତି । ଏନବି ଭାରତୀ ଦୀର୍ଘବର୍ଷ ଧରି ଅନୁପସ୍ଥିତ ଥିବାରୁ ଏହି ସଂଖ୍ୟା ୧୦୦ରେ ସୀମିତ ରହିଛି । ଚଳିତମାସରେ ୧୯୮୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟ ଅବସର ନେବେ । ଜୁନରେ ୧୯୮୯ ବ୍ୟାଚ୍ ଆଇପିଏସ୍ ଏସଏମ ନରୱଣେ ଓ ଅଗଷ୍ଟରେ ୧୯୮୯ ବ୍ୟାଚ୍ ଆଇପିଏସ୍ ଏ.ଏମ୍ ପ୍ରସାଦ ଅବସର ନେବେ । ତେଣୁ ବରିଷ୍ଠ ଆଇପିଏସ୍ ପାହ୍ୟାରେ ଅଫିସରଙ୍କ ସଂଖ୍ୟା ଆହୁରି ଉତ୍କଟ ହେବ । ସରକାର ଯଦି ଯୁଦ୍ଧକାଳୀନ ଭିତ୍ତିରେ ପଦୋନ୍ନତିପ୍ରାପ୍ତ(ଓପିଏସରୁ ଆଇପିଏସ) ପଦବୀଗୁଡ଼ିକୁ ପୂରଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନନେବେ ତା’ହେଲେ ସ୍ଥିତିରେ ସୁଧାର ଆସିବା କ୍ଷୀଣ ବୋଲି ଜଣାପଡ଼ିଛି ।

Related story