ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ଏକ ‘ଇଫ୍ତାର’ ପାର୍ଟିରେ ଯୋଗଦେବାକୁ ନେଇ ପରିହାସମୁଳକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନେଇ ତାଙ୍କୁ ତାଗିଦ କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଶାହ କୁଆଡ଼େ ଗିରିରାଜଙ୍କୁ କହିଛନ୍ତି, ଏହି ଘଟଣାର ପୁନରାବୃତ୍ତି ଯେପରି ନହୁଏ।
ପୂର୍ବରୁ ଗିରିରାଜ ଏକ ଟ୍ୱିଟ୍ କରି କହିଥିଲେ, କେତେ ସୁନ୍ଦର ହୋଇଥାନ୍ତା ଯଦି ସମାନ ଉତ୍ସାହର ସହ 'ନବରାତ୍ରି' ଭୋଜନ ଆୟୋଜନ ହୋଇଥାନ୍ତା। ଆମ ନିଜର ଧର୍ମୀୟ ବିଶ୍ୱାସ ବେଳକୁ ଆମେ ପଛଘୁଞ୍ଚା କାହିଁକି ଦେଉ ଏବଂ ବାହାନା ଦେଖାଉ।
ଆଉ ଟ୍ୱିଟ୍ ସହିତ ଫଟୋ ଥିଲା ଯେଉଁଥିରେ ବିଜେପିର ମେଣ୍ଟ ଦଳ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଅନ୍ୟ ଏକ ବିଜେପି ମେଣ୍ଟ ସହଯୋଗୀ ଏଲଜେପି ମୁଖ୍ୟ ରାମବିଲାସ ପାଶ୍ୱାନ ଏବଂ ଇଫ୍ତାର ପାର୍ଟିର ଆୟୋଜକ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ମୁଖ୍ୟ ଜିତନ୍ ରାମ ମାଞ୍ଝି ମଧ୍ୟ ଥିଲେ। ନୀତୀଶ ଏହାର ପ୍ରତିକ୍ରିୟାରେ କହିଥିଲେ, ଗିରିରାଜ ଏଭଳି ମନ୍ତବ୍ୟ ସବୁବେଳେ ଦିଅନ୍ତି। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ସେ ଏପରି କୁହନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।