ବାଡ଼ମେର: ରବିବାର ରାଜସ୍ଥାନ ବାଡ଼ମେରରେ 'ରାମକଥା' ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି।
ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି, ମଞ୍ଚରେ ଅଧିକାଂଶ ବୟସ୍କ ମହିଳା ଏବଂ ପୁରୁଷ ରାମକଥା ଶୁଣୁଥିଲେ। ୨୪ ଜଣ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେଥିମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ମଞ୍ଚ ଭାଙ୍ଗି ପଡ଼ିବା ପରେ ବିଦ୍ୟୁତ୍ ଆଘାତରେ ମଧ୍ୟ କେତେଜଣ ମୃତାହତ ହୋଇଥିବା କୁହାଯାଉଛି। ଏହି 'ରାମକଥା' ଉତ୍ସବ ଗାଁର ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା। ଏଥିପାଇଁ ୨୦୦ ଫୁଟ ଲମ୍ବା ଲୁହା ପେଣ୍ଡାଲର ବ୍ୟବସ୍ଥା କରାଯାଇଥିଲା ଓ ପ୍ରାୟ ଏକ ହଜାର ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ଥିଲେ।