ପାକ୍‌ର ଗୁଳିମାଡ଼: ସହିଦ ହୋଇଛନ୍ତି ୫ ଯବାନ, ପ୍ରାଣ ହରାଇଛନ୍ତି ୬ ସାଧାରଣ ଲୋକ

ଶ୍ରୀନଗର: ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାକିସ୍ତାନ ସୀମା ଲଙ୍ଘି ଆକ୍ରମଣ କରିବାରୁ ଭାରତ ମଧ୍ୟ ଏହାର ପ୍ରତିଶୋଧ ନେଇଛି। ପାକିସ୍ତାନ ଗୁଳିରେ ଗତକାଲି ସୁଦ୍ଧା ୪ ଜଣ ଯବାନ ଓ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଆଜି ଏହି ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ପାକିସ୍ତାନର ଅବିଶ୍ରାନ୍ତ ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ଯବାନ ଓ ୨ ଜଣ ସାଧାରଣ […]

fa

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 03:45 PM IST

ଶ୍ରୀନଗର: ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାକିସ୍ତାନ ସୀମା ଲଙ୍ଘି ଆକ୍ରମଣ କରିବାରୁ ଭାରତ ମଧ୍ୟ ଏହାର ପ୍ରତିଶୋଧ ନେଇଛି। ପାକିସ୍ତାନ ଗୁଳିରେ ଗତକାଲି ସୁଦ୍ଧା ୪ ଜଣ ଯବାନ ଓ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଆଜି ଏହି ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ପାକିସ୍ତାନର ଅବିଶ୍ରାନ୍ତ ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ଯବାନ ଓ ୨ ଜଣ ସାଧାରଣ ଲୋକ ଆଜି ଆଖିବୁଜିଛନ୍ତି।

ସେହିପରି ଏହାର ବଦଲା ନେବାକୁ ଭାରତ କରିଥିବା ଆକ୍ରମଣରେ ୧୬ ଜଣ ପାକ୍‌ ଯବାନ ନିହତ ହୋଇଛନ୍ତି। ଏଥିସହ ପାକିସ୍ତାନର ଏକାଧିକ ଲଞ୍ଚପ୍ୟାଡ ଓ ବଙ୍କର ମଧ୍ୟ ଭାରତର ମିସାଇଲ ମାଡ଼ରେ ଛିନଛିତ୍ର ହୋଇଯାଇଛି। ଭାରତ ଆକ୍ରମଣ କରିବ ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ଆଣ୍ଟି ଟ୍ୟାଙ୍କ ମିସାଇଲ କେମିତି ପାକିସ୍ତାନର ବଙ୍କର ଗୁଡ଼ିକୁ ଧ୍ୱଂସ କରି ଦେଉଛି, ତା’ର ଦୃଶ୍ୟ ରହିଥିଲା।

ପିଟିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉତ୍ତର ଜମ୍ମୁ-କଶ୍ମୀରର ଏକାଧିକ ସୀମାରେ ପାକିସ୍ତାନ ଶୁକ୍ରବାର ମଧ୍ୟାହ୍ନ ଠାରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ ଆରମ୍ଭ କରିଥିଲା। ଉରି ଠାରୁ ଆରମ୍ଭ କରି କେରନ ଓ ଗୁରେଜ ସେକ୍ଟର ଯାଏ ପାକିସ୍ତାନ ଯବାନମାନେ ମୋର୍ଟାର ମାଡ଼ କରିବା ସହ ଶେଲିଂ କରିଥିଲେ। ସେମାନଙ୍କ ଟାର୍ଗେଟରେ କେବଳ ଭାରତୀୟ ଯବାନଙ୍କ ଆଉଟ ପୋଷ୍ଟ ନଥିଲା ବରଂ ସେମାନେ ସୀମାନ୍ତ ଗାଁକୁ ଟାର୍ଗେଟ କରିଥିଲେ।

ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଆର୍ମିର ୪ ଜଣ ଓ ଜଣେ ବିଏସ୍ଏଫ ସବ ଇନସପେକ୍ଟର ସହିଦ ହୋଇଛନ୍ତି। ସେହିପରି ସୀମାନ୍ତ ଅଞ୍ଚଳରେ ରହୁଥିବା ୬ ଜଣ ସାଧାରଣ ଲୋକ ମଧ୍ୟ ଆଖି ବୁଜିଛନ୍ତି। ଏଥିସହ ଏକାଧିକ ସାଧାରଣ ଲୋକ ଆହତ ହୋଇଛନ୍ତି।

କୁପୱାଡା ସୀମା ଦେଇ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚାହୁଁଥିଲା। ହେଲେ ଏହାକୁ ଭାରତୀୟ ଯବାନ ପଣ୍ଡ କରିଦେବାରୁ ପାକିସ୍ତାନ ସୀମାରେ ଗୁଳି ବର୍ଷା ଆରମ୍ଭ କରିଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନ ସୀମା ଲଙ୍ଘିବାରୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା।

ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୧୬ ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମୃତକଙ୍କ ମଧ୍ୟରେ ୨ରୁ ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ(ଏସଏସଜି)ର ସଦସ୍ୟ ରହିଛନ୍ତି। ୧୦ରୁ ୧୨ ଜଣ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି। ହେଲେ ପାକିସ୍ତାନ ଯବାନଙ୍କ ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି ବି ସୂଚନା ଦେଇନାହିଁ। କେବଳ ଭାରତର ଆକ୍ରମଣରେ ବହୁତ ବଡ଼ କ୍ଷତି ହୋଇଥିବା କଥାକୁ ସ୍ୱୀକାର କରିଛି।

Related story