ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟଣା: ମିଳିଲା ୬ ଜଣଙ୍କ ମୃତଦେହ, ଏବେ ବି ୩ ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଆଉ ୩ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ଶ୍ରୀସୈଲମ ଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାର ହାଉସ୍‌ର ଏକ ୟୁନିଟ୍‌ରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ବେଳେ ଏହା ମଧ୍ୟରେ ପ୍ରାୟ ୧୯ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ […]

b

Hemant Lenka
  • Published: Friday, 21 August 2020
  • , Updated: 21 August 2020, 04:14 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଆଉ ୩ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି।

ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ଶ୍ରୀସୈଲମ ଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାର ହାଉସ୍‌ର ଏକ ୟୁନିଟ୍‌ରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ବେଳେ ଏହା ମଧ୍ୟରେ ପ୍ରାୟ ୧୯ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତ ବାହାରି ଆସିଥିବା ବେଳେ ଆଉ ୯ ଜଣ ଫସି ରହିଥିଲେ।

ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଅପରାହ୍ନରେ ୬ ଜଣଙ୍କ ମୃତଦେହ ମିଳିଛି। ୯ ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଦୁଇ ଜଣ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ରହିଥିଲେ। ତେଣୁ କାହାର ମୃତ୍ୟୁ ଘଟିଛି ଓ କେଉଁମାନେ ଏବେ ବି ନିଖୋଜ ଅଛନ୍ତି, ସେମାନଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ।

ନାଗରକ୍ରୁନୁଲ ଜିଲ୍ଲାପାଳ ଏଲ ଶର୍ମା କହିଛନ୍ତି, ଏହି ୟୁନିଟ୍‌ର ବିଭିନ୍ନ ସ୍ତରରେ କାମ ହୁଏ। ଯେଉଁମାନେ କଣ୍ଟ୍ରୋଲ ରୁମ୍‌ରେ ଥିଲେ, ସେମାନେ ଖସି ଆସିଥିଲେ। କିନ୍ତୁ ଯେଉଁମାନେ ତା’ତଳେ ଥିଲେ ସେମାନେ ମାତ୍ରାଧିକ ଧୂଆଁ ଯୋଗୁ ବାହାରି ପାରି ନଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। କିନ୍ତୁ ଶର୍ଟ ସର୍କିଟ୍ ଯୋଗୁ ଏହା ହୋଇଛି ବୋଲି ଆକଳନ କରାଯାଉଛି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚିଥିଲେ। ଏହାପରେ ଫସି ରହିଥିବା କର୍ମଚାରୀଙ୍କୁ ବାହାର କରିବାକୁ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ମଧ୍ୟ ପହଞ୍ଚିଥିଲା। ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

Related story