ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କୁ ୨୩ ବର୍ଷ ତଳେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଆମେରିକାର ଜଣେ ମହିଳା ସ୍ତମ୍ଭକାର ଇ ଜେନ୍ କ୍ୟାରୋଲ ଅଭିଯୋଗ ଆଣିଛନ୍ତି। ମ୍ୟାନ୍ହଟ୍ଟନ୍ଠାରେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍ର ଡ୍ରେସିଂ ରୁମ୍ରେ ଟ୍ରମ୍ପ ବଳପୂର୍ବକ ଏପରି କରିଥିଲେ ବୋଲି କ୍ୟାରୋଲ ଅଭିଯୋଗ କରିଛନ୍ତି। ଶୁକ୍ରବାର ନ୍ୟୁୟର୍କର ଏକ ମ୍ୟାଗାଜିନ୍ରେ ସେ ଏକଥା ପ୍ରକାଶ କରିଛନ୍ତି। ୧୯୯୬ ମସିହାରେ ଏହି ଘଟଣା ଘଟିଥିବା ସେ କହିଛନ୍ତି।
ସେ କହିଛନ୍ତି ଟ୍ରାଏଲ ରୁମ୍ରେ ଟ୍ରମ୍ପ ତାଙ୍କୁ ଆକ୍ରମଣ କରିଥିଲେ। ସେ କ୍ୟାରୋଲଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇ ତାଙ୍କ ପୋଷାକ ଖୋଲିଦେଇଥିଲେ ଏବଂ ସେ ଖସି ପଳାଇବା ଆଗରୁ ଅନେକ ସମୟ ଯାଏ ଯୌନ ନିର୍ଯାତନା ଦେଇଥିଲେ। ଏତେ ବର୍ଷ ପରେ ଅଭିଯୋଗ ଆଣିବା ବାବଦରେ କ୍ୟାରୋଲ ସଫେଇ ଦେଇ କହିଛନ୍ତି, ସେ ଏଭଳି ଲୋକଙ୍କୁ ଏକ୍ସପୋଜ କରିବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ସାହସ ବଢ଼ିବ ଏବଂ ସେମାନେ ଏଭଳି ଅପରାଧ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିବେ।" ଏତେ ବର୍ଷ ପରେ ଅଭିଯୋଗ ଆଣିବା ସମ୍ପର୍କରେ ସେ କହିଛନ୍ତି, " ହଁ, ମୁଁ ଚୁପ୍ ରହିଥିଲି କିନ୍ତୁ ଏବେ ମୁଁ ମୋର ଭୁଲ ମାନୁଛି।"
ଏବେ ୭୫ ବର୍ଷ ବୟସରେ ଉପନୀତ ଏହି ମହିଳା କହିଛନ୍ତି, ମୁଁ ଏହି ଘଟଣା ବାବଦରେ ୨ ଜଣ ସାଙ୍ଗଙ୍କୁ କହିଥିଲି। ସେମାନଙ୍କ ମଧ୍ୟରୁ ଜଣେ ମୋତେ ପୁଲିସ୍ରେ ଅଭିଯୋଗ କରିବାକୁ କହିଥିଲେ। କିନ୍ତୁ ମୁଁ ତାହା କରିନଥିଲି।"
ଅନ୍ୟପକ୍ଷେ ଟ୍ରମ୍ପ ଏହାକୁ ‘ଫେକ୍ ନ୍ୟୁଜ୍’ ବୋଲି ଅଭିହିତ କରି କହିଛନ୍ତି ସେ କେବେ ବି ସେହି ମହିଳାଙ୍କୁ ଭେଟିନାହାନ୍ତି। ଏହାର ଭିଡିଓ କେଉଁଠି ଅଛି ଏବଂ ଏ ସମ୍ପର୍କରେ କେହି କେମିତି ଦେଖି ପାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଲୋକେ ଏଭଳି ମିଛ ଅଭିଯୋଗକୁ ଗୁରୁତ୍ୱ ଦେବା ଉଚିତ ନୁହେଁ।
ଜଣେ ପଞ୍ଜୀକୃତ ଡେମୋକ୍ରାଟ୍ ସମର୍ଥକ କ୍ୟାରୋଲ ଆଗରୁ ଅନେକ ଥର ଟ୍ରମ୍ପ ବିରୋଧୀ ମନ୍ତବ୍ୟ ଦେବା ସହ ଅନେକ ଟ୍ରମ୍ପ ବିରୋଧୀ ଆର୍ଟିକିଲ୍ ଶେୟାର କରିଛନ୍ତି। ଏପରିକି ବାରାକ୍ ଓବାମା ଏବଂ ଅନ୍ୟ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନିର୍ବାଚନ ସମୟରେ ଆର୍ଥିକ ଦାନ ଦେଇଛନ୍ତି। କିନ୍ତୁ ବର୍ତ୍ତମାନର ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।