ବଢ଼ିଲା ମମତାଙ୍କ ଅଡ଼ୁଆ: ନୂଆ ଦଳ ତିଆରି କଲେ ଆବ୍ବାସ ସିଦ୍ଦିକି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ଆହୁରି ବଢ଼ିଛି। ଗୋଟିଏ ପଟେ ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ୁଥିବା ବେଳେ ଏବେ ବେଙ୍ଗଲର ପ୍ରମୁଖ ମୌଲବୀ ଆବ୍ବାସ ସିଦ୍ଦିକି ନୂଆ ଦଳ ଗଠନ କରିଛନ୍ତି। ବେଙ୍ଗଲର ଫୁରଫୁରାନ ଶରିଫର ଏହି ମୌଲବୀ ଜଣଙ୍କର ଦବଦବା ମୁସଲିମ ସଂପ୍ରଦାୟ ମଧ୍ୟରେ ବେଶ ଅଧିକ ରହିଛି। ସେ ଆଜି ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ନାଁରେ ଦଳ ଗଠନ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ […]

h

Hemant Lenka
  • Published: Thursday, 21 January 2021
  • , Updated: 21 January 2021, 05:52 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ଆହୁରି ବଢ଼ିଛି। ଗୋଟିଏ ପଟେ ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ୁଥିବା ବେଳେ ଏବେ ବେଙ୍ଗଲର ପ୍ରମୁଖ ମୌଲବୀ ଆବ୍ବାସ ସିଦ୍ଦିକି ନୂଆ ଦଳ ଗଠନ କରିଛନ୍ତି। ବେଙ୍ଗଲର ଫୁରଫୁରାନ ଶରିଫର ଏହି ମୌଲବୀ ଜଣଙ୍କର ଦବଦବା ମୁସଲିମ ସଂପ୍ରଦାୟ ମଧ୍ୟରେ ବେଶ ଅଧିକ ରହିଛି। ସେ ଆଜି ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ନାଁରେ ଦଳ ଗଠନ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି ମଧ୍ୟ ଜଣାପଡ଼ିଛି।

ନୂଆ ଦଳ ଗଠନ କରିବା ପରେ ଆବ୍ବାସ କହିଛନ୍ତି, “ଭାରତର ପ୍ରଥମ ପ୍ରକୃତ ଧର୍ମନିରପେକ୍ଷ ଦଳ ଭାବେ ଆମେ କାର୍ଯ୍ୟ କରିବୁ। ସମାଜର ପଛୁଆ ଓ ନିଷ୍ପେସିତ ବର୍ଗର ଲୋକଙ୍କୁ ଆମେ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୂରା ଉଦ୍ୟମ କରିବୁ। ସ୍ୱାଧୀନତା ପରେ ଏକାଧିକ ଦଳ ନିଜକୁ ଧର୍ମ ନିରପେକ୍ଷ ବୋଲି କହୁଛନ୍ତି। କିନ୍ତୁ ସେମାନେ କେବଳ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ କାମ କରିଥାଆନ୍ତି। ମୁସଲିମ ଓ ଦଳିତ ବର୍ଗର ଲୋକମାନେ ଆଜି ବି ପଛରେ ପଡ଼ିଛନ୍ତି। ଆମର ଲକ୍ଷ୍ୟ ହେଲା, ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା।”

ତେବେ ଆବ୍ବାସ ରାଜନୀତି ଦଳ ଗଠନ କରିବା ମମତାଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ମୁସଲିମ ସଂପ୍ରଦାୟଙ୍କ ମଧ୍ୟରେ ଟିଏମସିର ବେଶ ଦବାଦବା ରହିଥିଲା। ଯେହେତୁ ଆବ୍ବାସ ଦଳ ଗଠନ କରିଛନ୍ତି, ତେଣୁ ମୁସଲିମ ଭୋଟ ବିଭାଜନର ଆଶଙ୍କା ପ୍ରକାଶ ପାଇଛି। ଏପରି ହେଲେ ମମତାଙ୍କ ଦଳକୁ ଏକାଧିକ ଆସନ ହରାଇବାକୁ ପଡ଼ିପାରେ। ଏହାର ସୁଯୋଗରେ ବିଜେପି ବାଜିମାତ କରିବାର ମଧ୍ୟ ସମ୍ଭାବନା ରହିଛି।

୨୯୪ ଆସନ ବିଶିଷ୍ଟ ବିଧାନସଭାର ୧୨୦ଟି ସ୍ଥାନରେ ମୁସଲିମ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ। ଏହି ୧୨୦ ଆସନରୁ ୪୧ଟି ସ୍ଥାନରେ ମୁସଲିମ ଜନସଂଖ୍ୟା ୫୦%ରୁ ଅଧିକ। ସେହିପରି ୮୦ଟି ସ୍ଥାନରେ ମୁସଲିମ ଜନସଂଖ୍ୟା ୩୦ରୁ ୩୫%। ଗତ ନିର୍ବାଚନରେ ଟିଏମସି ଏଭଳି ସ୍ଥାନରେ ୯ଟି ଆସନ ଦଖଲ କରିଥିଲା।

କେବଳ ଆବ୍ବାସ ନୁହନ୍ତି ଅସାଦୁଦ୍ଦିନ ଓୱେସୀଙ୍କ ଦଳ ମଧ୍ୟ ପଶ୍ଚିମବଙ୍ଗରେ ପ୍ରାର୍ଥୀ ଦେବ। ତେଣୁ ମମତାଙ୍କ ମୁସଲିମ ଭୋଟ ଭାଗ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

Related story