ମୁମ୍ବାଇ: ପ୍ରଯୋଜକ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଜଣେ ଆଗଧାଡ଼ିର ନାୟିକା ଏବେ ପୁଲିସ୍ ନିକଟରେ ସେଦିନର ଘଟଣା ବାବଦରେ ବଖାଣିଛନ୍ତି। ୨୦୦୪-୨୦୦୬ ମସିହାରେ ସେ ଏହି ଘଟଣା ବାବଦରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା।
ବରସଭା ଥାନାରେ ଅଢ଼େଇ ପୃଷ୍ଠାର ଏହି ବିବୃତିରେ ସେ ଲେଖିଛନ୍ତି, ମୁଁ ସେହିବର୍ଷ ପାଞ୍ଚୋଲିଙ୍କୁ ଭେଟିଥିଲି ଯେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା ଏବଂ ସେ ମୋଠାରୁ ୨୨ ବର୍ଷ ବଡ଼ ଥିଲେ। ମୁଁ ସେତେବେଳେ ଆଉ କିଛି ଝିଅଙ୍କ ସହ ହଷ୍ଟେଲରେ ରହୁଥିଲି। ସେ ବିବାହିତ ଥିଲେ ଏବଂ ତାଙ୍କର ମୋ ବୟସର ଝିଅଟିଏ ମଧ୍ୟ ଥିଲା।
ସେ ଦୁଷ୍କର୍ମ ବାବଦରେ ବଖାଣିବାକୁ ଯାଇ କହିଛନ୍ତି, ୨୦୦୪ ମସିହାରେ ମୁଁ ତାଙ୍କ ସହ ଏକ ପାର୍ଟିକୁ ଯାଇଥିଲି। ମୁଁ ଡ୍ରିଙ୍କ କରିବା ପରେ ମୋ ମୁଣ୍ଡ ବୁଲାଇବା ପରି ଲାଗିଲା। ମୁଁ ସନ୍ଦେହ କଲି ସେ କିଛି ମିଶାଇଛନ୍ତି ଯାହା ଫଳରେ ଏପରି ଲାଗୁଛି। ପାଞ୍ଚୋଲି ମୋତେ ହଷ୍ଟେଲରେ ଛାଡ଼ିଦେବେ କହିଥିଲେ। ମୁଁ ତାଙ୍କ ସହ ରେଞ୍ଜ ରୋଭର କାର୍ରେ ଗଲି। ୟାରି ରୋଡ୍ରେ ସେ ମୋ ସହିତ ଦୁଷ୍କର୍ମ କଲେ ଏବଂ ଫଟୋ ମଧ୍ୟ ଉଠାଇଥିଲେ ଯାହା ବାବଦରେ ମୁଁ ଜାଣିନଥିଲି।
ଏହାପରେ ଯେତେବେଳେ ଦେଖାହେଲା ସେ କହିଥିଲେ ଉଭୟ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ପରି ଏବଂ ସେହିଭଳି ରହିବେ। କିନ୍ତୁ ନାୟିକା ଜଣକ କହିଥିଲେ, ଆପଣ ମୋ ବାପାଙ୍କ ବୟସର ଏବଂ ମୁଁ ଏମିତି ଜଣକୁ ବିବାହ କରିବାକୁ ଚାହୁଁଛି ଯେକି ମୋ ବୟସର ହୋଇଥିବ। ଏହାପରେ ସେ ଉଠାଇଥିବା ଫଟୋ ଦେଖାଇ ବ୍ଲାକ୍ମେଲ କରିବା ଆରମ୍ଭ କରିଥିଲେ। ସେତେବେଳେ ନାୟିକା କମ୍ ବୟସର ଥିଲେ ଏବଂ ମୁମ୍ବାଇରେ ଏକୁଟିଆ ଥିବାରୁ ପାଞ୍ଚୋଲି ଏହାର ଫାଇଦା ନେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।
ଏହାପରେ ପାଞ୍ଚୋଲି ଅଭିନେତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ରଖି ତାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖି ଆସୁଥିଲେ। ପୂର୍ବବତ୍ ଡ୍ରିଙ୍କରେ ନିଶା ବଟିକା ମିଶାଇ ସମ୍ପର୍କ ରଖିବା ସହ ଫଟୋ ଉଠାଇ ଆସୁଥିଲେ। ଏପରକି ସେ ଥରେ ଅଭିଯୋଗ କରିବାକୁ ଯାଇଥିବାବେଳେ ପାଞ୍ଚୋଲି ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ୨୦୦୪-୨୦୦୫ ମସିହାରେ ସେ ପଲ୍ଲବୀ ଆପାର୍ଟମେଣ୍ଟକୁ ଚାଲିଯାଥିଲେ। କିନ୍ତୁ ପାଞ୍ଚୋଲିଙ୍କ ଦୌରାତ୍ମ୍ୟ କମିନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ଡ୍ରିଙ୍କରେ ପାଞ୍ଚୋଲି ଏମ୍ଡିଏମ୍ଏ ଏବଂ ଏକ୍ସଟାସି ପରି ଉତ୍ତେଜନା ସୃଷ୍ଟିକାରୀ ଔଷଧ ବ୍ୟବହାର କରୁଥିବା ସେ କହିଛନ୍ତି। ନାୟିକା ଆପାର୍ଟମେଣ୍ଟ ବଦଳାଇବା ପରେ ମଧ୍ୟ ସାଙ୍ଗମାନଙ୍କ ସହ ଆସି ଚାବି ନକଲ କରି ଘରେ ପଶିବା ସହ ମାଡ଼ ମାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହାପରେ ବାନ୍ଦ୍ରାଠାରେ ସେ ଅସୁସ୍ଥ ଭଉଣୀ ସହ ରହୁଥିବାବେଳେ ସେଠାକୁ ଆସି ମଧ୍ୟ ପାଞ୍ଚୋଲି ତାଙ୍କ ଭଉଣିଙ୍କୁ ମାଡ଼ ମାରିଥିଲେ। ଏପରି କାହିଁକି କରୁଛନ୍ତି ପଚାରିବାରୁ ପାଞ୍ଚୋଲି ଯଙ୍କା ମାଗିଥିଲେ ବୋଲି ଏହି ଆଗଧାଡ଼ିର ନାୟିକାକହିଛନ୍ତି। ପାଞ୍ଚୋଲି ତାଙ୍କ ବାବଦକୁ କୁଆଡ଼େ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏହା ଭରଣା କରିବାକୁ ସେ ଧମକାଉଥିଲେ। ଏପରିକି ସେ ୫୦ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ପୁଲିସ୍କୁ କହିଛନ୍ତି। ଏପରିକି ଆଗଧାଡ଼ିର ନାୟିକା ହିନ୍ଦୀ ଫିଲ୍ମ ବା ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧି ଲାଭ କରିବା ପରେ ଏହି ବ୍ଲାକମେଲିଂ ବଢ଼ିବାରେ ଲାଗିଥିବା ସେ କହିଛନ୍ତି।