ନୂଆଦିଲ୍ଲୀ: ଫେସ୍ବୁକ୍ ମାଧ୍ୟମରେ ପାକିସ୍ତାନର ଜଣେ ଯୁବତୀଙ୍କ ବନ୍ଧୁ ପାଲଟି ଯାଇଥିଲେ ରାଜସ୍ଥାନର ଯୁବକ ହମିଦ୍ ଅନ୍ସାରୀ। ଆଉ ତାଙ୍କୁ ଦେଖା କରିବାକୁ ପାକିସ୍ତାନ ଯାଇଥିବା ବେଳେ ଗିରଫ ହୋଇଥିଲେ। ମାସେ ନୁହେଁ କି ବର୍ଷେ ନୁହେଁ, ପୂରା ୬ ବର୍ଷ ସେ ପାକିସ୍ତାନର ଜେଲ୍ରେ ରହିଥିଲେ। ତେବେ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ସେ ଗତବର୍ଷ ଜେଲ୍ରୁ ମୁକୁଳିଥିଲେ। ଗତକାଲି ସୁଷମାଙ୍କ ପରଲୋକ ପରେ ମର୍ମାହତ ହୋଇଯାଇଛନ୍ତି ହମିଦ୍। ସେ ତାଙ୍କ ମା’ଙ୍କୁ ହରାଇଛନ୍ତି ବୋଲି କହିଛନ୍ତି।
https://twitter.com/ANI/status/1158949208050872320
ହମିଦ୍ କହିଛନ୍ତି, ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ସୁଷମା ସ୍ୱରାଜ ମୋତେ ଗାଇଡ୍ କରିଥିଲେ। ପଛ କଥା ଭୁଲି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।
ସୂଚନାଯୋଗ୍ୟ, ସୁଷମା ବୈଦେଶିକ ମନ୍ତ୍ରୀ ଥିବା ବେଳେ ହମିଦ୍ଙ୍କୁ ମୁକୁଳାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହାର ପରିଣାମ ସ୍ୱରୂପ ଗତବର୍ଷ ଡିସେମ୍ବର ମାସରେ ସେ ପାକିସ୍ତାନ ଜେଲ୍ରୁ ମୁକ୍ତ ହୋଇଥିଲେ।
ସେ ପାକିସ୍ତାନରୁ ଫେରିବା ପରେ ତାଙ୍କ ମା’ ସୁଷମାଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଥିଲେ,“ମୋ ଭାରତ ମହାନ୍, ମୋ ମ୍ୟାଡାମ୍ ମହାନ୍, ସବୁ କିଛି ମ୍ୟାଡାମ୍ ହିଁ କରିଛନ୍ତି।” ସେ ଏପରି କହୁଥିବା ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଏଥିରେ ସେ ଏପରି କହୁ କହୁ ସୁଷମା ସ୍ୱରାଜଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା।” ସେତେବେଳେ ହମିଦ୍ ମଧ୍ୟ ତାଙ୍କ ମା’ଙ୍କ ସହିତ ଥିଲେ ଓ ସୁଷମାଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।