ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତି ପ୍ରାୟ ୧୧ଟା ସମୟରେ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନାରୁ ଆରୋଗ୍ୟ ହେବା ପରେ ନିକଟରେ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୩୧ରେ ଏମ୍ସରୁ ଡିସଚାର୍ଜ ହୋଇଥିଲେ।
ତେବେ ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀଙ୍କୁ ପୁଣିଥରେ ଏମ୍ସ ଭର୍ତ୍ତି କରାଯାଇଛି ବୋଲି ସୂଚନା ରହିଛି। ଅମିତ ଶାହା ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି।
ଅଗଷ୍ଟ ୨ରେ ଅମିତ ଶାହା କରୋନା ପଜିଟିଭ୍ ହୋଇଥିଲେ। ଏ ନେଇ ସେ ନିଜେ ନିଜ ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ। ଏହା ପରେ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ୧୪ ଅଗଷ୍ଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ତେବେ ଅଗଷ୍ଟ ୧୮ରେ ଅସୁସ୍ଥତା ଅନୁଭବ କରିବାରୁ ସେ ଏମ୍ସରେ ପୁଣିଥରେ ଭର୍ତ୍ତି ହୋଇଥିଲେ ଏବଂ ୩୧ ଅଗଷ୍ଟରେ ଡିସଚାର୍ଜ ହୋଇଥିଲେ।