ଆଖିବୁଜିଲେ ଅବଦୁଲ କଲାମ

ସିଲଂ: ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ୍ ମଣିଷ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କର ଆଜି ମେଘାଳୟର ସିଲଂଠାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଆସନ୍ତାକାଲି ତାମିଲନାଡୁ ସ୍ଥିତ ତାଙ୍କ ଜନ୍ମମାଟି ରାମେଶ୍ୱରମରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ। ୭ ଦିନ ଧରି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହିତ କହିଛନ୍ତି […]

apj

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 05:29 PM IST

ସିଲଂ: ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ୍ ମଣିଷ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କର ଆଜି ମେଘାଳୟର ସିଲଂଠାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଆସନ୍ତାକାଲି ତାମିଲନାଡୁ ସ୍ଥିତ ତାଙ୍କ ଜନ୍ମମାଟି ରାମେଶ୍ୱରମରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ। ୭ ଦିନ ଧରି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହିତ କହିଛନ୍ତି ଯେ, ଏହା କେବଳ ଭାରତ ନୁହେଁ ସାରା ବିଶ୍ୱର ବୈଜ୍ଞାନିକ ପରିବାର ପାଇଁ ଅପୂରଣୀୟ କ୍ଷତି। ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ନିଧନ ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭାରତ ଜଣେ ଶିକ୍ଷାବିତ୍,ରାଷ୍ଟ୍ରନୀତିଜ୍ଞ,ବୈଜ୍ଞାନିକ ଓ ଲେଖକଙ୍କୁ ହରାଇଛି। ଏଥିରେ ମୁଁ ଗଭୀର ଦୁଃଖିତ।

[caption id="attachment_18954" align="aligncenter" width="1024"] ଫଟୋରେ ଅବଦୁଲ କଲାମଙ୍କ ଇତିବୃତ[/caption]

ସେ ସିଲଂ ଆଇଆଇଏମରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସିଥିଲେ। କାର୍ଯ୍ୟକ୍ରମ ସମୟରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ଘଟଣା ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳର। ତାଙ୍କୁ ତତକ୍ଷଣାତ୍ ସିଲଂର ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଭେଣ୍ଟିଲେଟର୍ ମଧ୍ୟରେ ରଖାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର କହିଥିଲେ। ଆଉ ରାତି ପ୍ରାୟ ୯ଟା ବେଳକୁ ତାଙ୍କ ମୃତ୍ୟୁ ଖବର ଆସିଥିଲା।

ବାଲାଷ୍ଟିକ୍ ମିଜାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିଜାଇଲ୍ ମେନ୍’। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ନିଭାଇ ଥିଲେ ପ୍ରମୁଖ ଭୂମିକା। ୧୯୭୪ ମସିହା ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ।

[caption id="attachment_18955" align="aligncenter" width="1024"] ଅବଦୁଲ କଲାମଙ୍କ ପୁରୁଣା ଫଟୋ[/caption]

ଏପିଜେ ଅବଦୁଲ କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମ ହୋଇଥିଲେ। ସେ ଦେଶର ୧୧ତମ ରାଷ୍ଟ୍ରପତି ହୋଇଥିଲେ। ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦବୀରେ ରହିଥିଲେ। ଲୋକଙ୍କ ରାଷ୍ଟ୍ରପତି ଭାବେ ତାଙ୍କର ଏଭ ଭିନ୍ନ ପରିଚୟ ରହିଥିଲା।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି।

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି।

ଅବଦୁଲ କଲାମଙ୍କ ପିଲାଦିନ ଓ ପାଠପଢ଼ା

୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଜନ୍ମ ହୋଇଥିଲେ ଅବଦୁଲ କଲାମ। ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ। ଗରିବ ପରିବାରରୁ ଆସିଥିବା ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ। ସେ ଖବରକାଗଜ ବିତରକ କାର୍ଯ୍ୟ କରୁଥିଲେ। ଘର ଘର ଯାଇ ଖବରକାଗଜ ଦେଉଥିଲା। ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ ଏହି ପାଠ୍ୟକ୍ରମରେ ସେ ସନ୍ତୁଷ୍ଟ ନଥିଲେ। ଚାରି ବର୍ଷ ସେ ବେକାର କରି ଦେଲେ ବୋଲି ମନେ କରିଥିଲେ। ଏଣୁ ୧୯୫୫ରେ ସେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ।

ବୈଜ୍ଞାନିକ ଜୀବନ

ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ସେ ତାଙ୍କ କରିଅର ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସେଟଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଳଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସେଟଲାଇଟକୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ।

Related story