ନୂଆଦିଲ୍ଲୀ: ଦେଶରେ ଥିବା ଘରୋଇ ସ୍କୁଲ ଗୁଡ଼ିକ ଆଗାମୀ ଦିନରେ ନିଜ ସ୍କୁଲ ନାଁରୁ 'ପବ୍ଲିକ' ଶବ୍ଦ ହଟାଇ ପାରନ୍ତି। କେ.କସ୍ତୁରିରଙ୍ଗନ କମିଟି ଦ୍ୱାରା ଆଗତ ହୋଇଥିବା ଜାତୀୟ ଶିକ୍ଷା ନୀତି ଚିଠାରେ ଏବାବଦରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ଯଦି ସରକାର ଏହି ଚିଠାକୁ ଅନୁମୋଦନ ଦିଅନ୍ତି, ତାହେଲେ ଆଗାମୀ ୩ ବର୍ଷ ମଧ୍ୟରେ ଯେଉଁ ସବୁ ସ୍କୁଲର ନାଁରେ ‘ପବ୍ଲିକ’ ଶବ୍ଦ ଯୋଡ଼ି ହୋଇଥିବ, ତାକୁ ହଟାଇବାକୁ ପଡ଼ିବ।
ପ୍ରସ୍ତାବିତ ଶିକ୍ଷାନୀତି ଆଧାରରେ ଯେଉଁ ସ୍କୁଲଗୁଡ଼ିକୁ ସରକାର ପାଣ୍ଠି ଯୋଗାଉଛନ୍ତି କିମ୍ୱା ସରକାରୀ ଅନୁଦାନ ମିଳୁଛି ସେହି ସ୍କୁଲଗୁଡ଼ିକ ପବ୍ଲିକ ସ୍କୁଲ ବୋଲି ବିବେଚିତ ହୋଇପାରିବ ବୋଲି ଚିଠାରେ ଉଲ୍ଲେଖ ରହିଛି।
ସେହିପରି ଏହି ଚିଠାରେ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ନାଁ ପରିବର୍ତ୍ତେ ଶିକ୍ଷା ମନ୍ତ୍ରଣାଳୟ ରଖିବା ପାଇଁ ମଧ୍ୟ କେ.କସ୍ତୁରିରଙ୍ଗନ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।