ପ୍ରୟାଗରାଜ: ନିଜ କଲେଜର ଆଇନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଜେଲରେ ଥିବା ନିଲମ୍ୱିତ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଜାମିନ୍ ମିଳିଛି। ୪ ମାସ ହେବ ଜେଲରେ ରହିବା ପରେ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ୧୬ ନଭେମ୍ୱରରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଗତବର୍ଷ ଅଗଷ୍ଟ ୨୪ରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ଏହାପରେ ଯୌନ ଶୋଷଣର ଶିକାର ଯୁବତୀ ତଥା କଲେଜ ଛାତ୍ରୀ ଅଗଷ୍ଟ ୩୦ ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ସୁପ୍ରିମକୋର୍ଟ ଏହି ଯୌନ ନିର୍ଯାତନା ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ।
କଲେଜରେ ଆଡମିଶନ ବେଳେ ଚିନ୍ମୟାନନ୍ଦ ସେତେବେଳେ ଯୁବତୀଙ୍କୁ ସହଯୋଗ କରିଥିଲେ। କାଳକ୍ରମେ ଲ କଲେଜରେ ଥିବା ହଷ୍ଟେଲରେ ମଧ୍ୟ ରହୁଥିଲେ ପୀଡ଼ିତା। ଏହି ସମୟରେ ଚିନ୍ମୟାନନ୍ଦ ତାଙ୍କ ଗାଧୁଆ ଘରେ ସିସିଟିଭି କ୍ୟାମେରା ଲଗାଇ ତାଙ୍କର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିଥିଲେ। ଭିଡିଓ ଭାଇରାଲ କରିଦେବାକୁ କହି ବର୍ଷେ ହେବ ଚିନ୍ମୟାନନ୍ଦ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ।
ଏହାପରେ ଚିନ୍ମୟାନନ୍ଦ ତାଙ୍କ ଆଶ୍ରମକୁ ଦେହ ମାଲିସ କରିବା ପାଇଁ ଯୁବତୀଙ୍କୁ ଡାକିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ଦେହ ମାଲିସର ଭିଡିଓ ରେକର୍ଡିଂ କରି ନେଇଥିଲେ। ଯାହାକି ସେ ଏସଆଇଟି ଟିମକୁ ତଦନ୍ତ ବେଳେ ଏକ ପେନ୍ ଡ୍ରାଇଭ ଜରିଆରେ ଦେଇଥିଲେ। ଯାହାକି ଚିନ୍ମୟାନନ୍ଦଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା।