ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଚହଳ ନେଇ ବ୍ୟସ୍ତ। କିନ୍ତୁ କୋଲକାତାର ବେହେଲାରେ ଥିବା ନିଜର ଦୁଇ ମହଲା ଘରେ ମାଳତୀ ବାନାର୍ଜୀ ଲଢ଼ୁଛନ୍ତି ଭିନ୍ନ ଏକ ଯୁଦ୍ଧ। ସେ ଲଢ଼ୁଛନ୍ତି ମେଲେରିଆ ବିରୋଧରେ। ମାଳତୀ ଜଣେ ଉଚ୍ଚ ବେତନପ୍ରାପ୍ତ କର୍ପୋରେଟ୍ ଏକ୍ଜୁକ୍ୟୁଟିଭ୍।
‘ଗତ ବର୍ଷ ଏପ୍ରିଲ ମାସ ବେଳକୁ ମତେ ମେଲେରିଆ ହେଲା। ମୁଁ ଭାବିଥିଲି କେଇ ଦିନ ଭିତରେ ମେଲେରିଆ ଭଲ ହୋଇଯିବ। କିନ୍ତୁ ସମସ୍ୟା ବଢ଼ିଲା। ମୋ ରକ୍ତର ପ୍ଲେଟଲେଟ୍ କାଉଣ୍ଟ କମିଗଲା। ମେ ମାସ ସାରା ପ୍ରାୟ ମତେ ଆଇସିୟୁ ଭିତରେ ରହିବାକୁ ପଡ଼ିଲା। ବଂଚିବାର ସଂଗ୍ରାମ ଜାରି ରହିଲା। ଏବର୍ଷ ଆମ ଘରକୁ ଜଣେ ନବଜାତକ ଆସିଲେ। ଏବେ ମୁଁ କରୋନା ପାଇଁ ଭୟଭୀତ ନୁହେଁ। ମୁଁ ମେଲେରିଆ ପାଇଁ ଅଧିକ ସତର୍କ।’ ଗଣମାଧ୍ୟମକୁ ଏକଥା କହିଛନ୍ତି ମାଳତୀ।
ମାଳତୀଙ୍କ ପରି ମୁଷ୍ଟିମେୟ ଧନିକ ବର୍ଗର ଲୋକଙ୍କୁ ଛାଡ଼ିଦେଲେ ମେଲେରିଆ ଭାରତରେ ଗରୀବ ଲୋକଙ୍କର ରୋଗ ହୋଇରହିଛି। କୋଭିଡ଼-୧୯ ବା କରୋନା ବିଦେଶରୁ ଆସିଛି ବୋଲି କୁହାଯାଉଛି। ମାତ୍ର ମେଲେରିଆ ଭାରତର ବସ୍ତିଗୁଡ଼ିକରେ ଜନ୍ମ ନିଏ। ଏବେ ବିଶ୍ୱର ଅନ୍ୟ ବହୁ ଦେଶ ପରି ଭାରତ ସରକାର କରୋନା ବିରୋଧରେ ଦେଶବ୍ୟାପୀ ଯୁଦ୍ଧ ଲଢ଼ୁଥିଲେ ବି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସିଦ୍ଧ ପତ୍ରିକା ଲାନ୍ସେଟ୍ ମେଲେରିଆ ପାଇଁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। କରୋନା ଯୋଗୁଁ ମେଲେରିଆକୁ ଆୟତ୍ତ କରିବା କଷ୍ଟକର ହୋଇପାରେ।
ଗତ ମାସରେ ମେଲେରିଆ ବିରୋଧରେ ଚେତାବନୀ ଜାରି କରିଥିଲା ଲାନ୍ସେଟ୍। ଯେଉଁ ଦେଶଗୁଡ଼ିକରେ ମେଲେରିଆ ରୋଗୀ ସଂଖ୍ୟା ଅଧିକ ସେସବୁ ଦେଶ ଏବେଠାରୁ ପ୍ରସ୍ତୁତ ରହିବା ଦରକାର ବୋଲି ଲାନ୍ସେଟ କହିଛି। ଲାନ୍ସେଟ ପତ୍ରିକା ତରଫରୁ କୁହାଯାଇଛି, ଯେଉଁ ଦେଶରେ ବ୍ୟାପକ ଭାବେ ମେଲେରିଆ ରୋଗୀ ଦେଖାଯାନ୍ତି ସେହି ଦେଶଗୁଡ଼ିକ ଏବେ କରୋନା ବିରୋଧୀ ଲଢ଼େଇରେ ଚାପଗ୍ରସ୍ତ। ତେଣୁ ସରକାର ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ସଂସ୍ଥାଗୁଡ଼ିକ ଆଗାମୀ କାଲିପାଇଁ ଆଜିଠୁଁ ପ୍ରସ୍ତୁତି ଚଳେଇବା ଆବଶ୍ୟକ। କରୋନା ବିରୋଧରେ ସବୁ ସମ୍ବଳ ସାରିଦେବା କଥା ନୁହେଁ। ମେଲେରିଆ ପାଇଁ ମଧ୍ୟ ସାମର୍ଥ୍ୟ ଓ ସମ୍ବଳ ସଂଚୟ କରିବା ଦରକାର।
ଲାନ୍ସେଟ ତରଫରୁ ୨୦୧୪-୧୬ ଦୁଇ ବର୍ଷର ଉଦାହରଣ ଦିଆଯାଇଛି। ପତ୍ରିକା ତରଫରୁ କୁହାଯାଇଛି ଯେ ଏହି ଦୁଇ ବର୍ଷରେ ଦେଶଗୁଡ଼ିକ ଇବୋଲା ସଂକ୍ରମଣ ବିରୋଧରେ ଲଢ଼େଇ କରୁଥିଲେ। ଏହି ଦୁଇ ବର୍ଷ ମେଲେରିଆରେ ଅଧିକ ଲୋକଙ୍କ ଜୀବନହାନୀ ଘଟିଛି।
କରୋନା ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ତାଲାବନ୍ଦ ଘୋଷଣା କରିବା ପରେ ମାର୍ଚ୍ଚ ୨୬ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଭାରତ ସରକାରଙ୍କୁ ସତର୍କ କରାଇ କହିଛି ଯେ କରୋନା ବିରୋଧରେ ଲଢ଼ୁଥିବାବେଳେ ମେଲେରିଆ ବିରୋଧୀ ପ୍ରତିଷେଧକ, ପରୀକ୍ଷା ଓ ଚିକିତ୍ସା ପ୍ରସ୍ତୁତିରେ ପଛେଇଯିବା ଠିକ ହେବନି। ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ବୈଶ୍ୱିକ ମେଲେରିଆ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ପେଦ୍ରୋ ଆଲୋନ୍ସୋ କହିଛନ୍ତି ଯେ ମେଲେରିଆ ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଜଣେ ଲୋକ ଯଦି ଜ୍ୱରାକ୍ରାନ୍ତ ହୁଏ ତେବେ ସେ ଯଥାଶୀଘ୍ର ରକ୍ତ ପରୀକ୍ଷା କରାଇବା ସହିତ ଚିକିତ୍ସିତ ହେବା ଜରୁରୀ।
ଭାରତରେ ମେଲେରିଆ ଋତୁ ଏପ୍ରିଲ ମାସରୁ ଆରମ୍ଭ ହୁଏ। ସେଥିପାଇଁ ଏବେଠାରୁ ପୌରାଞ୍ଚଳଗୁଡ଼ିକରେ ମେଲେରିଆ ବିରୋଧୀ ଧୂଆଁ ଦିଆଯିବା ସହିତ ପୌର କର୍ମଚାରୀମାନଙ୍କୁ ତାଲିମ ଦିଆଯିବା ଜରୁରୀ। ସେହିପରି କୀଟନାଶକ ଓ ଅନ୍ୟାନ୍ୟ ପ୍ରତିଷେଧକ ସାମଗ୍ରୀ ମଧ୍ୟ ମହଜୁଦ ରହିବା ଦରକାର। ଏସବୁ ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। ଦେଶର ଅନେକ ଅଞ୍ଚଳରେ ଏଯାଏଁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇନାହିଁ। ଏପରିକି ଉତ୍ତର ଦିଲ୍ଲୀର ମେୟର ଅବତାର ସିଂହ କୁହନ୍ତି, ‘ସତକଥା ହେଲା ଆମେ ଏଯାଏଁ ଏ ଦିଗରେ ଚିନ୍ତା କରିନାହୁଁ। ଏବେ ଆପଣ କହିଲେଣି ମାନେ ଆମେ ଏ ବିଷୟରେ କଥା ହେବୁ।’
ଭାରତରେ ମେ ମାସ ବେଳକୁ ମେଲେରିଆ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଏ। ତେଣୁ ଏପ୍ରିଲ ମାସରୁ ହିଁ ଏହା ବିରୋଧରେ ପ୍ରସ୍ତୁତି ଆରମ୍ଭ ହେବା ଜରୁରୀ। ବିଶ୍ୱରେ ସର୍ବାଧିକ ମେଲେରିଆ ପ୍ରବଣ ୧୧ଟି ଦେଶ ଭିତରେ ଭାରତର ନାମ ରହିଛି। ଭାରତର ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମର ତଥ୍ୟ ଅନୁସାରେ ଦେଶର ପ୍ରାୟ ୯୫ ପ୍ରତିଶତ ଲୋକ ମେଲେରିଆ ପ୍ରବଣ ଅଞ୍ଚଳରେ ବସବାସ କରନ୍ତି। ୨୦୧୯ ମସିହାରେ ଭାରତରେ ୩,୩୪,୬୯୩ ଜଣଙ୍କୁ ମେଲେରିଆ ହୋଇଥିଲା। ଗତ ବର୍ଷ ଏହି ରୋଗରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ମେଲେରିଆରେ ୯୮ ଜଣ ମତ୍ୟୁବରଣ କରିଥିଲେ। ସେହି ବର୍ଷ ଛତିଶଗଡ଼ରେ ମେଲେରିଆ ମୃତ୍ୟୁସଂଖ୍ୟା ଅଧିକ ଥିଲା।
୨୦୧୯ ମସିହାରେ ଦିଲ୍ଲୀରେ ୭୧୩ ଜଣଙ୍କୁ ମେଲେରିଆ ହୋଇଥିଲା। ସେହି ବର୍ଷ ଉତ୍ତର ପ୍ରଦେଶରେ ୯୨,୭୩୨ ଜଣଙ୍କୁ ମେଲେରିଆ ହୋଇଥିଲା। ନେସନାଲ ଭେକ୍ଟର ବର୍ଣ୍ଣ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ ଅନୁସାରେ ଦେଶର ୨୦ ପ୍ରତିଶତ ଲୋକ ବସବାସ କରୁଥିବା ପାର୍ବତ୍ୟ ଓ ଜଙ୍ଗଲ ଅଞ୍ଚଳରେ ଦେଶର ୮୦ ପ୍ରତିଶତ ମେଲେରିଆ କେସ୍ ପଂଜୀକୃତ ହୋଇଥାଏ। ସିପିଏମ ପଲିଟିବ୍ୟୁରୋ ସଦସ୍ୟ ମହମ୍ମଦ ସଲିମ କୁହନ୍ତି, ‘ପ୍ରାଥମିକ ସ୍ତରରେ କରୋନା ସହରୀ, ଧନୀ ଓ ବିଦେଶ ଯାଉଥିବା ଲୋକଙ୍କୁ ହୋଇଥିବାରୁ ଦେଖିବାକୁ ମିଳୁଛି। କିନ୍ତୁ ମେଲେରିଆ ସାଧାରଣତଃ ଅଧିକ ସଂଖ୍ୟକ ଗରୀବ, ଗୃହହୀନ ଓ ଆଦିବାସୀ ଲୋକଙ୍କୁ ହୋଇଥାଏ। ତେବେ ସଂପ୍ରତି କରୋନା ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଥିବାରୁ ସରକାର ଏବେ ଏହା ବିରୋଧରେ ଯେଉଁ ଅଭିଯାନ ଚଳେଇଛନ୍ତି ତାହାର ଆବଶ୍ୟକତା ରହିଛି। ମାତ୍ର, ମେଲେରିଆ ପାଇଁ ବି ସମାନ ପ୍ରକାର ପ୍ରସ୍ତୁତି ଆରମ୍ଭ ହେବା ଉଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।