ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆସନ୍ତାକାଲି ମହା ବିକାଶ ଅଘାଡ଼ି ସରକାର ଶପଥ ନେବ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏଯାଏ ବିଜେପିର ଭୂମିକାକୁ ନେଇ ସବୁଆଡ଼େ ଆଲୋଚନା ହେଉଛି। ଅତି ତରବରିଆ ଭାବରେ କ୍ଷମତା ଲୋଭରେ ବିଜେପି ଗତ ଶନିବାର ସରକାର ଗଢ଼ିଥିଲା ବୋଲି ଆଲୋଚନା ହେଉଛି। ଆଉ କେଉଁ ଆଧାରରେ ବିଜେପି ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିବାକୁ ସାହସ ଜୁଟାଇଲା ତାହା ଏବେ ଚର୍ଚ୍ଚାର ବିଷୟ। ଯାହାର ଜବାବ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଦେଇଛନ୍ତି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
https://twitter.com/AmitShah/status/1199629860697587713
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇ ଶିବସେନାର ସମସ୍ତ ବିଧାୟକ ବିଜୟୀ ହୋଇଛନ୍ତି। ଯେଉଁଥିରେ ଭାବି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ରହିଛନ୍ତି ବୋଲି ଶାହ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜ ରାଜନୀତିକ ବିଚାରଧାରା ସହ ଉଦ୍ଧବ ବୁଝାମଣା କରିଛନ୍ତି। ନିର୍ବାଚନ ବେଳେ ବିଜେପି ଦେବେନ୍ଦ୍ର ଫଡ଼ନାବିସଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ଅନେକ ନିର୍ବାଚନୀ ମଞ୍ଚରେ ଶିବସେନା ନେତାଙ୍କ ଉପସ୍ଥିତିରେ ଫଡ଼ନାବିସ ମୁଖ୍ୟମନ୍ତ୍ରୀ ବୋଲି ନାରା ଦିଆଯାଇଥିଲା। ଶିବସେନା ସେତେବେଳେ କାହିଁକି ନିରବ ରହିଥିଲା ବୋଲି ଶାହ ପ୍ରଶ୍ନ କରିଛନ୍ତି?
ମେଣ୍ଟ ବେଳେ ମୁଖ୍ୟମନ୍ତ୍ରୀ ପଦବୀ କିମ୍ୱା ଅଢ଼େଇ ବର୍ଷ ଲେଖାଏଁ ସରକାର ବାବଦରେ ଶିବସେନା ସହ ବିଜେପିର କୌଣସି ମେଣ୍ଟ ହୋଇନଥିଲା ବୋଲି ଶାହ କହିଛନ୍ତି। ଶିବସେନା ଯେଉଁ ଯୁକ୍ତି ରଖିଛି ଫଳାଫଳ ପରେ ତାହା ଅମୂଳକ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।
https://twitter.com/AmitShah/status/1199627078120828929
ବିଜେପି ଉପରେ ଘୋଡ଼ା ବେପାର ଅଭିଯୋଗ ଶିବସେନା ଆଣୁଛି। ହେଲେ ବିଜେପି କେବେ ନିଜ ବିଧାୟକଙ୍କୁ ହୋଟେଲରେ ରଖିନି। ବରଂ ଶିବସେନା ରାଜନୀତିକ ବିଚାରଧାରାକୁ ଭୁଲି ଶତ୍ରୁକୁ ମିତ୍ର କହି ସରକାର ଗଢ଼ିବାକୁ ଯାଉଛି ବୋଲି ସେ କହିଛନ୍ତି। ସମସ୍ତ ପ୍ରସଙ୍ଗରେ ବିଜେପି ନିଜର ଆଭିମୁଖ୍ୟ ସର୍ବସମ୍ମୁଖରେ ରଖିଛି। ଅଯୋଧ୍ୟା ରାୟ ପରେ ୨୩ ତାରିଖରେ ଉଦ୍ଧବ ଅଯୋଧ୍ୟା ଯିବେ ବୋଲି କହିଥିଲେ। ହେଲେ କ୍ଷମତା ଲୋଭକୁ ଦେଖି ଉଦ୍ଧବ ଅଯୋଧ୍ୟା ଭୁଲି ଯାଇଥିବା ଶାହ କହିଛନ୍ତି।
https://twitter.com/AmitShah/status/1199623624027602945
ସେହିପରି ଅଜିତ ପାଓ୍ୱାରଙ୍କ ସମର୍ଥନ ପ୍ରସଙ୍ଗରେ ସେ କହିଛନ୍ତି, ଏନସିପି ଯେତେବେଳେ ସରକାର ଗଢ଼ିବା ପାଇଁ ଅସମର୍ଥ ଥିଲା ସେତେବେଳେ ଅଜିତ ପାଓ୍ୱାର ହିଁ ବିଧାୟକ ଦଳର ନେତା ଥିଲେ। ତେଣୁ ତାଙ୍କ ସମର୍ଥନ ପତ୍ର ଆଧାରରେ ବିଜେପି ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଶାହ କହିଛନ୍ତି।