୩ଟି ରଜଧାନୀ ପ୍ରସ୍ତାବକୁ କ୍ୟାବିନେଟ ମୋହର, ପ୍ରତିବାଦ ମଧ୍ୟରେ ବିଧାନସଭାରେ ଆଗତ

ହାଇଦ୍ରାବାଦ: ଗୋଟିଏ ନୁହେଁ ଏଣିକି ଆନ୍ଧ୍ର ପ୍ରଦେଶର ୩ଟି ରାଜଧାନୀ ରହିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ଅନୁମୋଦନ ପରେ ଉକ୍ତ ବିଲକୁ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଉପସ୍ଥାପନ କରାଯାଇଛି। ହେଲେ ବିଲ ଉପସ୍ଥାପନ ବେଳେ ଟିଡିପି ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶ ଅର୍ଥ ଓ ବିଧାନସଭା ବ୍ୟାପାର ମନ୍ତ୍ରୀ ଭୁଗନ୍ନାନ ରାଜେନ୍ଦ୍ରନାଥ ଏହି ବିଲକୁ […]

v

Hemant Lenka
  • Published: Monday, 20 January 2020
  • , Updated: 20 January 2020, 05:37 PM IST

ହାଇଦ୍ରାବାଦ: ଗୋଟିଏ ନୁହେଁ ଏଣିକି ଆନ୍ଧ୍ର ପ୍ରଦେଶର ୩ଟି ରାଜଧାନୀ ରହିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ଅନୁମୋଦନ ପରେ ଉକ୍ତ ବିଲକୁ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଉପସ୍ଥାପନ କରାଯାଇଛି।

ହେଲେ ବିଲ ଉପସ୍ଥାପନ ବେଳେ ଟିଡିପି ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶ ଅର୍ଥ ଓ ବିଧାନସଭା ବ୍ୟାପାର ମନ୍ତ୍ରୀ ଭୁଗନ୍ନାନ ରାଜେନ୍ଦ୍ରନାଥ ଏହି ବିଲକୁ ଗୃହରେ ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ “ସମତୁଲ ଅଭିବୃଦ୍ଧି ପାଇଁ ରାଜ୍ୟର ସବୁ ସ୍ଥାନଗୁ ଗୁରୁତ୍ୱ ଦିଆଯିବା ଉଚିତ। ଏହି କାରଣରୁ ଆମେ ୩ଟି ସ୍ଥାନକୁ ରାଜଧାନୀର ମାନ୍ୟତା ଦେବାକୁ ଚାହୁଁଛୁ। ଯେଉଁ ସବୁ ସ୍ଥାନ ରାଜଧାନୀ ହେବ, ସେଠାରେ ନିଯୁକ୍ତି ଠାରୁ ଅନ୍ୟାନ୍ୟ ବିକାଶ ମୂଳକ ପଦକ୍ଷେପ ଠିକ ଭାବେ ନିଆଯାଇ ପାରିବ।

ଏହି ବିଲରେ ରାଜ୍ୟକୁ ଏକାଧିକ ଜୋନ ଓ ଜୋନାଲ ପ୍ଲାନିଂ ଏବଂ ବିକାଶ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ଜଗନ ମୋହନ ସରକାର ଅମରାବତୀକୁ ଲେଜିସିଲେଟିଭ ରାଜଧାନୀ, ବିଶାଖାପଟନମରେ କାର୍ଯ୍ୟନିର୍ବାହୀ/ ସଚିବାଳୟ ଓ ନ୍ୟାୟଳୟ ରାଜଧାନୀ ଭାବେ କୃନୋଲକୁ ଚୟନ କରିଛନ୍ତି।”

ତେବେ ଜଗନ ମୋହନ ସରକାରଙ୍କ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। ବିଧାନସଭା ବାହାରେ ଟିଡିପି ସମେତ ଏକାଧିକ ଦଳର ରାଜନେତାମାନେ ଏକାଠି ହୋଇ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏକାଧିକ ରାଜଧାନୀ କରିବା ପରିବର୍ତ୍ତେ ସରକାର ଏ ବାବଦ ଅର୍ଥକୁ ଚାଷୀଙ୍କ ବିକାଶରେ ଖର୍ଚ୍ଚ କରିବାକୁ ଦାବି କରାଯାଇଛି।

୧୭୫ ଆସନ ବିଶିଷ୍ଟ ବିଧାନସଭାରେ ଜଗନ ସରକାରଙ୍କ ୧୫୧ ଜଣ ସଦସ୍ୟ ରହିଛନ୍ତି। ତେଣୁ ଏହି ବିଲ ସହଜରେ ପାସ ହୋଇଯିବ। ହେଲେ ୫୮ ଆସନ ବିଶିଷ୍ଟ ବିଧାନ ପରିଷଦରେ ଜଗନ ସରକାରଙ୍କ ପାଖରେ ମାତ୍ର ୯ ଜଣ ସଦସ୍ୟ ରହିଛନ୍ତି। ଏଠାରେ ଟିଡିପିର ୨୮ ଜଣ ସଦସ୍ୟ ରହିଛନ୍ତି। ତେଣୁ ଟିଡିପି ବିଜେପି ଓ ଅନ୍ୟ ସଦସ୍ୟଙ୍କ ସହାୟତାରେ ଏହି ପ୍ରସ୍ତାବକୁ ଅଟକାଇ ଦେଇପାରେ।

ବିଧାନ ପରିଷଦର ବୈଠକ ଆସନ୍ତା ୨୧ ତାରିଖରେ ବସିବ। ଆଜି ବିଲ୍‌କୁ ବିରୋଧ କରି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି। ଲୋକମାନେ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରିଛନ୍ତି।

Related story