ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୬ ତାରିଖ ସୁଦ୍ଧା ଭାରତୀୟ ସେନା କେବଳ ଜମ୍ମୁକଶ୍ମୀରରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ (୨୦୧୯) ଏଯାଏ ସର୍ବମୋଟ ୧୦୩ ଆତଙ୍କୀ ସଫା ହୋଇଥିବାବେଳେ ୨୦୧୮ରେ ମୋଟ ୨୫୪ ଜଣ ନିପାତ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ୨୦୧୯ରେ ଏଯାଏ ୧୧୭୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ୨୦୧୮ ମସିହାରେ ଏହି ସଂଖ୍ୟା ୧୬୨୯ ଥିଲା।
୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ୨୦୧୮ ମସିହାରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୨ ଗୁଣା ହୋଇଛି। ଡିସେମ୍ବର ୨ ସୁଦ୍ଧା ୨୩୮ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଘନ ଘନ ଆକ୍ରମଣରେ ନିପାତ ହୋଇଥିଲେ। ୨୦୧୮ ମସିହାରେ ଆତଙ୍କବାଦୀ କାର୍ଯ୍ୟକଳାପ କାରଣରୁ ୮୬ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବାବେଳେ ୩୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଯଦିଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁହାଯାଉଛି ଯେ କଶ୍ମୀର ଉପତ୍ୟକାରେ ଢେଲା ମାଡ଼ ସଂଖ୍ୟା କମ୍ ହୋଇଛି, ତଥାପି ୨୦୧୮ ମସିହାରେ ୭୫୦ଟି ଏଭଳି ଘଟଣା ଘଟିଥିଲା।
୨୦୧୭ ମସିହାରେ ‘ଅପରେସନ୍ ଅଲ୍ ଆଉଟ୍’ ହାତକୁ ନେଇଥିଲା ସେନା। ଏହିବର୍ଷ ୩୨୯ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ୨୦୦ ଆତଙ୍କବଦୀ ଏହି ବର୍ଷ ନିପାତ ହୋଇଥିବାବେଳେ ୭୪ ଜଣ ଯବାନ ସହିଦ ହୋଇଥିଲେ। ୩୬ ଜଣ ସାଧାରଣ ନାଗରିକ ଏଥିରେ ପ୍ରାଣ ହରାଇଥିଲେ।
୨୦୧୬ ମସିହାରେ ହିଜ୍ବୁଲ୍ ମୁଜାହିଦ୍ଦୀନ୍ର କମାଣ୍ଡର ବୁରହାନ୍ ୱାନି ନିପାତ ହୋଇଥିଲା। ଏବର୍ଷ ୩୨୨ ଆତଙ୍କବାଦୀ କାର୍ଯ୍ୟକଳାପ ଘଟିଥିଲା। ଅନ୍ୟପକ୍ଷରେ ୧୫୦ ଆତଙ୍କୀ ଏହି ବର୍ଷ ନିପାତ ହୋଇଥିଲେ। ଏଥିରେ ୮୨ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୧୫ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହି ବର୍ଷର ସବୁଠାରୁ ବଡ଼ ଘଟଣା ଥିଲା ଉରି ସେକ୍ଟର ଉପରେ ଆତଙ୍କବାଦୀ ହମ୍ଲା ଏବଂ ଏହାର ପ୍ରତିଶୋଧରେ ସେନାର ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।