ଜୟପୁର: ରାଜସ୍ଥାନରେ ରାଜନୀତିକ ସଙ୍କଟ ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜସ୍ଥାନରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ ହେଉଛି ବୋଲି ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ଗେହଲଟ। ଏହି ସରକାର ଭାଙ୍ଗିବା ପ୍ରୟାସରେ ଜଣେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି ବୋଲି ଗେହଲଟ କହିଛନ୍ତି।
ଗେହଲଟ ଲେଖିଛନ୍ତି, କରୋନା ମହାମାରୀ ବେଳେ ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା। ଏହି ସମୟରେ ରାଜସ୍ଥାନରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ ହେଉଛି। ଏହି ଷଡ଼ଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ରହିଥିବା ଗେହଲଟ ଦାବି କରିଛନ୍ତି। ଏହାବାଦ ତାଙ୍କ ଦଳର କିଛି ନେତା ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ୍ ଥିବା କହିଛନ୍ତି ଗେହଲଟ। ଏମିତିକି ବିଧାୟକ କିଣା ହେଉଛି ବୋଲି ଗେହଲଟ କହିଛନ୍ତି। ଏଭଳି କରିବା ଗଣତନ୍ତ୍ରର ମୂଲ୍ୟବୋଧକୁ ହରାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ବିଧାୟକ ସରକାର ଭାଙ୍ଗିବା ପାଇଁ ପ୍ରୟାସ କରୁଛି। ବିଧାୟକ କିଣା ମାମଲାର ଏକ ଅଡିଓ ଟେପ କଂଗ୍ରେସ ଜାରି କରିଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ରହିଥିବା କଂଗ୍ରେସ ଦାବି କରିଛି। ଏ ନେଇ ଏସଓଜି ମଧ୍ୟ ଶେଖାଓ୍ୱତଙ୍କୁ ନୋଟିସ୍ କରିଛି। ତେବେ ଶେଖାଓ୍ୱତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଡିଓ ଟେପର ସତ୍ୟତା ଦେଉ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ଜାରି କରିଥିବା ଅଡିଓ ଟେପ ସୋଶାଲ ମିଡିଆରୁ ପାଇଥିବା ଦାବି କରିଛି। ଅନ୍ୟପଟେ ରାଜସ୍ଥାନ ସରକାର ବିଧାୟକଙ୍କ ଅଡିଓ ଟେପ ରେକର୍ଡିଂ କରୁଛି ବୋଲି ବିଜେପି ଦାବି କରିଛି। ଏ ନେଇ ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି।