କୋଲକତା: ପଶ୍ଚିମବଙ୍ଗ ଟିଏମସି ଦଳର ଏମ୍ପି ତଥା ଅଭିନେତ୍ରୀ ନୁସରତ ଜହାଁ ଆଜି କଲିକତାସ୍ଥିତ ଭଗବାନ ଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସରତଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
ନୁସରତ ଭଗବାନ ଜଗନ୍ନାଥଙ୍କ ଆରତି କରିଥିଲେ। ଏହାପରେ ମମତାଙ୍କ ସହ ମିଶି ସେ ରଥ ଟାଣିଥିଲେ। ନବବିବାହିତା ନୁସରତଙ୍କ ସ୍ୱାମୀ ନିଖିଳ ଜୈନ ମଧ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ମୁଣ୍ଡରେ ଓଢଣା, ସିନ୍ଥିରା ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ଓ ହାତରେ ଲାଲ ଚୁଢି ପିନ୍ଧି ବହୁତ ସୁନ୍ଦର ଲାଗୁଥିଲେ ନୁସରତ ।
ଓଢଣାକୁ ନେଇ ନୁସରତଙ୍କୁ କିଛି ଲୋକ ସମାଲୋଚନା କରିଥିବା ବେଳେ ସେ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ମୁଁ ସବୁ ଧର୍ମକୁ ସମ୍ମାନ କରେ। ମୋତେ ନେଇ ଅଯଥାରେ ବିବାଦ ସୃଷ୍ଟି କରାଯାଉଛି।
ଉଲ୍ଲେଖଯୋଗ୍ୟଯେ, ନୁସରତ, ସିନ୍ଦୂର, ମଙ୍ଗଳସୂତ୍ର ପିନ୍ଧିବା ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ତାଙ୍କ ବିରୋଧରେ ଫତୱା ଜାରି କରାଯାଇଥିଲା। ହେଲେ ସେ ଏହାକୁ ଖାତିର କରି ନଥିଲେ।
https://twitter.com/ANI/status/1146678068603424768
ନୁସରତ କିଛି ଦିନ ପୂର୍ବେ ତୁର୍କୀରେ ବିବାହ କରିଥିବା ବେଳେ ଆଜି ତାଙ୍କର ଗ୍ରାଣ୍ଡ ରିସେପସନ ପାର୍ଟି ରହିଛି। ଏହି ପାର୍ଟିରେ ବହୁ ନାମୀଦାମୀ କଳାକାର ଓ ରାଜନେତା ଯୋଗ ଦେବେ ବୋଲି ଜଣାଯାଇଛି।