ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସିଗ୍ନେଚର ପୋଲର ଉଦ୍ଘାଟନ ଉତ୍ସବ ପାଇଁ ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ସରକାର ନିମନ୍ତ୍ରଣ ତ କରିନଥିଲେ, ହେଲେ ସେ ନିଜ ଆଡ଼ୁ ଆସିଯିବାରୁ ତାଙ୍କୁ ଠେଲାପେଲା କରାଯାଇଥିବାର ଅଭିଯୋଗ ଆସିଛି। ଏସମ୍ପର୍କିତ ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଘୂରିବୁଲୁଛି। ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଆପ୍ ବିଧାୟକ ଅମାନ୍ତୁଲ୍ଲା ମନୋଜଙ୍କୁ ଠେଲି ଦେଉଛନ୍ତି, ଯିଏକି ତାଙ୍କ ନିକଟରେ ଚୁପ୍ଚାପ୍ ଛିଡ଼ା ହୋଇଥିଲେ। ଏହା ପରେ ପୁଲିସ୍ ସହିତ ମଧ୍ୟ ମନୋଜ ହାତାହାତି ହୋଇଥିବା ଅଭିଯୋଗ ଆସିଛି।
#WATCH Aam Aadmi Party MLA Amanatullah Khan seen pushing Delhi BJP Chief Manoj Tiwari during the inauguration of Delhi's Signature Bridge (Source: BJP Delhi Chief Manoj Tiwari's office) pic.twitter.com/Vl2CtDqeBX
— ANI (@ANI) November 4, 2018
ସୂଚନାଯୋଗ୍ୟ ଯେ ଏହି ପୋଲ ମନୋଜଙ୍କ ସଂସଦୀୟ କ୍ଷେତ୍ରରେ ହିଁ ନିର୍ମିତ ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ୨୦୦୪ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅଟକି ରହିଥିଲା ଏବଂ ମନୋଜ ପୁଣିଥରେ ଏହାର ଆରମ୍ଭ କରାଇଥିଲେ ବୋଲି ଦାବି କରିଛନ୍ତି।
ସେ କେଜ୍ରିୱାଲଙ୍କୁ ସ୍ୱାଗତ କରିବାକୁ ସେଠାରେ ଛିଡ଼ା ହୋଇଥିଲେ ବୋଲି ମଧ୍ୟ ଏହି ଅବସରରେ କହିଛନ୍ତି। ଆପ୍ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ଉପସ୍ଥିତିରେ ତାଙ୍କୁ ଆକ୍ରମଣ ହୋଇଛି ଏବଂ ଆସନ୍ତା ୪ ଦିନରେ ପୁଲିସ୍ କାହାକୁ କହନ୍ତି ସେକଥା ଜଣାଇଦେବେ ବୋଲି ଧମକାଇଛନ୍ତି। ଏହା ପରେ ସେ ଅମାନ୍ତୁଲ୍ଲାଙ୍କ ନାମରେ ଏଫ୍ଆଇଆର ଦେବେ ବୋଲି ମଧ୍ୟ କହିଛନ୍ତି ଏବଂ ତାଙ୍କର ଜାମିନ୍ ଆବେଦନ ଖାରଜ କରିବାକୁ ମଧ୍ୟ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଆପ୍ ପକ୍ଷରୁ ଏହାର ମୁଖପାତ୍ର ଦିଲ୍ଲୀପ କୁମାର ଅଭିଯୋଗ ଆଣିଛନ୍ତି, “ମନୋଜ ତିୱାରୀ ଏଠାକୁ ଆସି ଗୁଣ୍ଡାଗିରି କରୁଥିଲେ। ବିଜେପି କର୍ମୀମାନେ ଆପ୍ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଆକ୍ରମଣ କରିଛନ୍ତି।”
ଯମୁନା ନଦୀ ଉପରେ ନିର୍ମିତ ଏହି ପୋଲ ପ୍ରଥମ ଆସିମ୍ମେଟ୍ରିକାଲ କେବଲ୍ ଝୁଲା ପୋଲ। ଏହା ଅନେକ ଡେଡ୍ଲାଇନ୍ ମିସ୍ କରିବା ପରେ ଶେଷରେ କେଜ୍ରିୱାଲଙ୍କ ହାତରେ ଉଦ୍ଘାଟିତ ହୋଇଛି। ପୂର୍ବରୁ ଏହି ପ୍ରକଳ୍ପର ସମାଲୋଚନା କରି ତିୱାରୀ କହିଛନ୍ତି, ମାତ୍ର ୬୭୫ ମିଟରର ପୋଲ ପାଇଁ ୧୫୦୦ କୋଟି ଖର୍ଚ୍ଚ ହେଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।