ନୂଆଦିଲ୍ଲୀ: ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତାରେ ରହିଛି ତୃଣମୂଳ କଂଗ୍ରେସ। ଲୋକସଭା ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ଅଧିକ ଆସନ ଜିତିବା ପରେ ବିଧାନସଭା ନିର୍ବାଚନ ବେଳେ ଏଠାରେ ମମତା ସରକାରଙ୍କୁ ଗାଦିଚ୍ୟୁତ କରିବ ବୋଲି ହୁଙ୍କାର ଦେଉଛି। ଏଥିପାଇଁ ବିଜେପି ଫୁଙ୍କିପୁଙ୍କି ପାଦ ରଖି ଆଗକୁ ମଧ୍ୟ ବଢ଼ୁଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ବେଳେ ଯେମିତି କିଛି ଭୁଲ୍ ନରହିଯାଏ ସେଥିପାଇଁ ଦେଶର ଶାସକ ଦଳ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛି।
ରାଜ୍ୟରେ ମିଶନ ୨୫୦ ଲକ୍ଷ୍ୟ ରଖିଛି ବିଜେପି। ମମତା ମଧ୍ୟ ବିଜେପିର ଏହି ମିଶନକୁ ଚେକ୍ ଦେବା ପାଇଁ ଦେଶର ଜଣାଶୁଣା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳର ନିର୍ବାଚନୀ ଦାୟିତ୍ୱ ଦେଇଛନ୍ତି। ଏବେ ମମତା ବାନାର୍ଜୀ ‘ମାଁ, ମାଟି ଓ ମାନୁଷ’ର ନାରା ଦେଉଛନ୍ତି। ଏଥିସହ ବଙ୍ଗାଳୀ ଅସ୍ମିତାକୁ ମଧ୍ୟ ସେ ଗୁରୁତ୍ୱ ଦେଉଛନ୍ତି। ଅନେକ ରାଲିରେ ବିଜେପିକୁ ରାଜ୍ୟ ବାହାରର ଦଳ କୁହନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ରାଜନୀତି ରଣନୀତି ପ୍ରସ୍ତୁତ କରିବାରେ ସବୁଠୁ ମାହିର କୁହାଯାଉଥିବା ଅମିତ ଶାହଙ୍କ ରଣନୀତି ହରିଆଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଫଳ ହୋଇଛି। ତେଣୁ ପଶ୍ଚିମବଙ୍ଗରେ ଯେଭଳି କୌଣସି ଭୁଲ ନରୁହେ ସେଥିପାଇଁ ଏବେ ନିଜେ ବଙ୍ଗଳା ଭାଷା ଶିଖୁଛନ୍ତି। ଜଣେ ଶିକ୍ଷକ ମଧ୍ୟ ସେ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ରାଲିରେ ଉଦବୋଧନ ଦେବା ବେଳେ ପଶ୍ଚିମ ବଙ୍ଗବାସୀଙ୍କ ମନ ଜିଣି ହେବ ବୋଲି ବିଜେପି ଚିନ୍ତା କରିଛି।
ପଶ୍ଚିମବଙ୍ଗ ବିଜେପିର ଜଣେ ପ୍ରମୁଖ ନେତା କହିଛନ୍ତି, ଏହା କିଛି ନୂଆ କଥା ନୁହେଁ। ଶାହ ଦେଶର ୪ଟି ଭାଷା ବାବଦରେ ଅଧ୍ୟୟନ କରୁଛନ୍ତି। ବଙ୍ଗଳା, ତାମିଲ ସହିତ ଆଉ ଦୁଇଟି ଆଞ୍ଚଳିକ ଭାଷା ସେ ଶିଖୁଥିବା କହିଛନ୍ତି। କହି ରଖୁଛୁ, ଶାହ ଦେଶର ଅନେକ ଭାଷାକୁ ଏବେ ଶିଖି ସାରିଛନ୍ତି। ଏଥିସହ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ନିଜକୁ ରିଲାକ୍ସ କରିବା ପାଇଁ ସେ ଯୋଗ ଏବଂ ଶାସ୍ତ୍ରୀୟ ସଙ୍ଗୀତର ସାହାରା ନିଅନ୍ତି।
ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗରେ ୨୯୪ ବିଧାନସଭା ଆସନ ରହିଛି। ବିଜେପି ଏବେ ମିଶନ ୨୫୦ ରଖିଛି। ଲୋକସଭା ନିର୍ବାଚନରେ ବିଜେପି ୪୨ ଲୋକସଭା ଆସନରୁ ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ତୃଣମୂଳ କଂଗ୍ରେସ ୨୨ଟି ଆସନରେ ବିଜୟୀ ହୋଇଥିଲା। ଟିଏମସି ଯଦିଓ ୪ଟି ଅଧିକ ଆସନ ଜିତିଛି ହେଲେ ପୂର୍ବ ଲୋକସଭା ନିର୍ବାଚନ ତୁଳନାରେ ବିଜେପି ଢେର ଅଧିକ ଆସନ ଜିତିଥିବାରୁ ଆଗାମୀ ଦିନରେ ଟିଏମସି ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ ବିଜେପି।