ନାଶିକ୍: ଶିବସେନା ପାରମ୍ପରିକ ଭାବେ ‘ହିନ୍ଦୁତ୍ୱ’ ରାଜନୀତିକୁ ପଛରେ ଛାଡ଼ି ଧର୍ମ ନିରପେକ୍ଷତା କଥା କହୁଥିବା କଂଗ୍ରେସ ଏବଂ ଏନ୍ସିପି ସହ ମେଣ୍ଟ କରିଛି। କିନ୍ତୁ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରିପାରିନାହିଁ ଏହି ଦଳ। ପ୍ରଥମରୁ ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ବାହ୍ୟଚାପ କାରଣରୁ ରାଜ୍ୟସଭାରେ ଭୋଟିଂରୁ ଓହରିଯାଇଥିଲା ସିନା କିନ୍ତୁ କେବଳ ସର୍ତ୍ତର ଆଳ କରି ଖୋଲାଖୋଲି ଏଯାଏ ବିରୋଧ କରିପାରିନାହିଁ। ତେବେ ବର୍ତ୍ତମାନ ବିଜେପିର ରାଜନୀତିକ ଅଳିନ୍ଦରୁ ଏଭଳି କିଛି ସନ୍ଦେଶ ଆସିଛି ଯାହାକି ଶିବସେନାର ଘରବାହୁଡ଼ା ଚର୍ଚ୍ଚାକୁ ଜୋର କରିଛି।
ଶନିବାର ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ବିଜେପି ନେତା ଆଶିଷ ଶେଲାର କହିଛନ୍ତି, ଶିବସେନା ଯଦି ‘ନାଗରିକତା ସଂଶୋଧନ ଆଇନ’ ଲାଗୁ ବାବଦରେ ଏହାର ମେଣ୍ଟ ସହଯୋଗୀ ଏନ୍ସିପି ଏବଂ କଂଗ୍ରେସକୁ ସାମ୍ନା କରିବ ବିଜେପି ରାଜନୀତିକ ସାଲିସ କରିବାକୁ ପ୍ରସ୍ତୁତ ଅଛି।
ସେ କହିଛନ୍ତି, ବିଜେପି ପାଇଁ ପ୍ରଥମେ ରାଷ୍ଟ୍ର ତାପରେ ଆଉ ଯାହା। ଅନ୍ୟପକ୍ଷରେ ଏହି ଆଇନ ଲାଗୁ କରିବା ମହାରାଷ୍ଟ୍ର ଏବଂ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରରେ ବହୁତ ପାକିସ୍ତାନୀ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି। ସେମାନଙ୍କୁ ବାହାର କରାଯିବା ଦରକାର। ଏଥିପାଇଁ ନାଗରିକତା ଆଇନ ତୁରନ୍ତ ଲାଗୁ କରିବାକୁ ଆମେ ଉଦ୍ଧବ ଠାକ୍ରେଙ୍କୁ ଆହ୍ୱାନ କରୁଛୁ। ତେବେ ଏଥିପାଇଁ ଯଦି ଶିବସେନାକୁ ମେଣ୍ଟ ଭାଙ୍ଗିବାକୁ ପଡ଼େ ବିଜେପି ବୁଝାମଣା କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ସରକାର ବଞ୍ଚାଇବା ପାଇଁ ଚିନ୍ତା କର ନାହିଁ। ଯଦି ତୁମେ ଏହି ଆଇନ ପାଇଁ ସରକାରରୁ ବାହାରି ଆସୁଛ, ଏଥିରେ କିଛି ଭୟଭୀତ ହେବାର ନାହିଁ। ସେମାନଙ୍କୁ ତୁମ ଅସଲି ଶକ୍ତି ଦେଖାଇଦିଅ।” ସେ ଏ ଅବସରରେ ଆହୁରି ମଧ୍ୟ କହିଥିଲେ, ଶିବସେନା ସରକାର ବଞ୍ଚାଇବାକୁ ଯାଇ ଜାତୀୟ ସ୍ୱାର୍ଥକୁ ବଳି ନଦେଉ।