ନୂଆଦିଲ୍ଲୀ: ବଢ଼ିଲା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହେପାଜତ ଅବଧି। ଡିସେମ୍ୱର ୧୧ ଯାଏ ତାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବୃଦ୍ଧି କରିଛନ୍ତି କୋର୍ଟ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆର୍ଥିକ ନେଣଦେଣ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା।
ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ରାତି ଅଧିଆ ଚିଦାମ୍ୱରମଙ୍କୁ ତାଙ୍କ ଘରୁ ନାଟକୀୟ ଢ଼ଙ୍ଗରେ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ୱର ୫ରୁ ସେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଜେଲରେ ଥିବା ବେଳେ ସିବିଆଇ ମାମଲାରେ ଜାମିନ୍ ପାଇଛନ୍ତି, ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି।
ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଚିଦାମ୍ୱରମ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେବାରେ ଅନିୟମିତତା କରିଥିବା ଅଭିଯୋଗ ରହିଛି। ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଇ ସେ ବ୍ୟକ୍ତିଗତ ଭାବରେ ଆର୍ଥିକ ଲାଭ ପାଇଥିଲେ ବୋଲି ସିବିଆଇ ଏବଂ ଇଡି କହିଛନ୍ତି।