ଲଦାଖ: ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନ୍ ଜାରି ରଖିଛି ନିଜର ହରକତ। ଯାହା ଭାରତ ସହିତ ତିକ୍ତତା ବଢ଼ାଇବାକୁ ସୁଯୋଗ ତିଆରି ଦେଉଛି। ହେଲେ ଭାରତ ମଧ୍ୟ ସୀମାରେ ବଢ଼ୁଥିବା ଚୀନର ଦବଦବାକୁ ଦେଖି ସଜାଗ ହେବାର ସମୟ ଆସିଛି।
ଖବର ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଦୁଇ ଭାରତୀୟ ଅଧିକାରୀ କହିଛନ୍ତି ଯେ ଚୀନ୍ ସେନା ଭାରତର ପଶ୍ଚିମ ହିମାଳୟ ଫ୍ଲାସ ପଏଣ୍ଟରେ ଅପ୍ଟିକାଲ ଫାଇବର କେବୁଲର ନେଟୱାର୍କ ବାଛାଇଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ସମସ୍ତ ଆଲୋଚନା ଚାଲୁଥିବା ବେଳେ ଚୀନ୍ ଏବେ ଏଭଳି କରୁଥିବା ଜଣାପଡ଼ିଛି।
ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିକଟରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ଥିବା ହିମାଳୟ ଅଞ୍ଚଳରେ ଏଭଳି କେବୁଲ ଦେଖିବାକୁ ମିଳିଛି। ଏହି ଫାଇବର କେବୁଲ ମାଧ୍ୟମରେ ଚୀନ୍ ସରକାର ନିଜ ସେନା ସହିତ ଯୋଗାଯୋଗ ରଖିଥାଏ। ତେବେ ରଏଟର୍ସର ରିପୋର୍ଟ ଅନୁଯାୟୀ ଚୀନ୍ ବୈଦେଶିକ ମନ୍ତ୍ରାଳୟ ଏ ବାବଦର କୌଣସି ପ୍ରତିକ୍ରିୟା ରଖିନାହିଁ।
ତେବେ ଏହି ହ୍ରଦର ଦକ୍ଷିଣରେ ୭୦ କିଲୋମିଟର ଦୂରରେ ବିମାନ ସହିତ ହଜାର ହଜାର ଭାରତୀୟ ସେନା ଏବଂ ଚୀନ୍ ସେନା ଉପସ୍ଥିତ ରହିଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଅନ୍ୟ ଜଣେ ଭାରତୀୟ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ ଗତ ମାସରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ପରଠାରୁ କୌଣସି ଦେଶ ନିଜର ସୈନ୍ୟ ମାନଙ୍କୁ ଡାକିନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ପୂର୍ବ ପରି ଉତ୍ତେଜନା ପୂର୍ଣ୍ଣ ରହିଛି।
ହ୍ରଦର ଦକ୍ଷିଣ ଭାଗ ବାବଦରେ ଜଣେ ଅଧିକାରୀ କହିଛନ୍ତି ଯେ ଆମର ମୁଖ୍ୟ ଚିନ୍ତା ହେଉଛି ଯେ ସେମାନେ ହାଇ ସ୍ପିଡ୍ ଯୋଗାଯୋଗ ପାଇଁ ଅପ୍ଟିକାଲ୍ ଫାଇବର ରଖିଛନ୍ତି। ଏହା ଜଣା ଯେ ହ୍ରଦର ଦକ୍ଷିଣ ଭାଗରେ ଉଭୟ ଦେଶର ସୈନିକମାନେ କିଛି ମିଟର ଦୂରରେ ମୁହାଁମୁହିଁ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଦକ୍ଷିଣ ଉପକୂଳରେ ଅପଟିକାଲ ଫାଇବର କେବୁଲ ମଧ୍ୟ ବିଛାଉଛନ୍ତି।
ଏଥିସହିତ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାୟ ମାସେ ପୂର୍ବରୁ ପାଙ୍ଗଙ୍ଗ ହ୍ରଦର ଉତ୍ତରାଞ୍ଚଳରେ ଭାରତୀୟ ଗୁପ୍ତଚର ସଂସ୍ଥା ମଧ୍ୟ ସମାନ କେବୁଲ ଦେଖିଥିଲେ। ପ୍ରଥମ ସରକାରୀ ଅଧିକାରୀ କହିଛନ୍ତି ଯେ ପାଙ୍ଗୋଙ୍ଗର ଦକ୍ଷିଣରେ ଥିବା ଉପଗ୍ରହ ଚିତ୍ର ମାଧ୍ୟମରେ ବାଲିରେ ଏକ ଅଜବ ଲାଇନ ଦେଖିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଏ ବାବଦରେ ସତର୍କ ହେବାକୁ କୁହାଯାଇଥିଲା।
ଜଣେ ପୂର୍ବତନ ଭାରତୀୟ ସାମରିକ ଗୁପ୍ତଚର ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ସୁରକ୍ଷିତ ଯୋଗାଯୋଗ ସହିତ ଡକ୍ୟୁମେଣ୍ଟ ଏବଂ ଫୋଟ ପଠାଇବାରେ ମଧ୍ୟ ଅପଟିକାଲ ଫାଇବର କେବୁଲ ସାହାଯ୍ୟ କରିଥାଏ।
ଯଦି ଆପଣ ରେଡିଓରେ କଥା ହୁଅନ୍ତି ତେବେ ଆପଣଙ୍କୁ ଧରିହେବ। ହେଲେ ଅପଟିକାଲ ଫାଇବର ମାଧ୍ୟମରେ ଯୋଗାଯୋଗ ସୁରକ୍ଷିତ। ପ୍ରଥମ ସରକାରୀ ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା ରେଡିଓ ଯୋଗାଯୋଗ ଉପରେ ନିର୍ଭରଶୀଳ।