ମୁମ୍ବାଇ: ମହାରାଷ୍ଟ୍ରର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆରେ ଜଙ୍ଗଲ ଭିତରେ କାର୍ ସେଡ୍ କାମକୁ ସ୍ଥଗିତ ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏବାବଦରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୁମ୍ବାଇ ମେଟ୍ରୋ କାମ ଚାଲୁ ରହିବ। କିନ୍ତୁ କାର୍ ସେଡ୍ ନିର୍ମାଣ କାମ ସେ ସଂକ୍ରାନ୍ତ ବିଭାଗ ସମୀକ୍ଷା କରିବ।”
କାମ ଅଟକାଇବା ନେଇ ସେ କହିଛନ୍ତି, “ମୁଁ ଆଜି କାର୍ ସେଡ୍ କାମ ବନ୍ଦ କରିଛି। ଆଗାମୀ ଘୋଷଣା ଯାଏ କୌଣସି ଗଛ କି ପତ୍ରଟିଏ ବି କଟିବ ନାହିଁ।” ଉଦ୍ଧବ ଶପଥ ନେବାର ଗୋଟିଏ ଦିନ ପରେ ଏହି ଘୋଷଣା କରିଛନ୍ତି।
ତେବେ ନିଜ ମୁଖ୍ୟମନ୍ତ୍ରୀତ୍ୱ ନେଇ ସେ କହିଛନ୍ତି, “ଏଯାଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପରି ଅନୁଭବ ହୋଇନି। ଏହି ପଦ ସହ ଖାପ ଖୁଆଇବା ପାଇଁ ସମୟ ଲାଗିବ। ଏଯାଏ ମୁଁ ବିଧାନ ଭବନ ମଧ୍ୟ ଦେଖିନି। ମୁଁ ହଠାତ୍ ମୁଖ୍ୟମନ୍ତ୍ରୀ ହୋଇଯାଇଛି। କିନ୍ତୁ ଦାୟିତ୍ୱ ଛାଡ଼ିବାର ନାହିଁ।”
ସୂଚନାଯୋଗ୍ୟ ଯେ, ଏହି ଜଙ୍ଗଲରେ ମୋଟ ୫ ଲକ୍ଷ ଗଛ ଅଛି। କାର୍ ସେଡ୍ ପାଇଁ ଗଛ କଟାକୁ ନେଇ କଡ଼ା ବିରୋଧ ପରେ ସୁପ୍ରିମ୍କୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। କିନ୍ତୁ ଏହା ପୂର୍ବରୁ ୨୧୦୦ ଗଛ କଟି ସାରିଥିଲା। ମହାରାଷ୍ଟ୍ରରେ ସେତେବେଳେ ବିଜେପି ଏବଂ ଶିବସେନାର ମେଣ୍ଟ ସରକାର ଥିଲା।