ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସନ୍ଦୀପ ଦୀକ୍ଷିତ୍ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସନ୍ଦୀପ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ଙ୍କର ପୁଅ। ସନ୍ଦୀପ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଦେଶୀ କମ୍ପାନୀଙ୍କ ଏଜେଣ୍ଟ।
ସନ୍ଦୀପଙ୍କର ଏହି ମନ୍ତବ୍ୟ ଏକ ଭିଡିଓ ଜରିଆରେ ସାମ୍ନାକୁ ଆସିଛି। ଏଥିରେ ସେ କହିଛନ୍ତି, ‘ମୋଦି ବର୍ତ୍ତମାନ ବିଦେଶୀ କମ୍ପାନୀଗୁଡ଼ିକର ଏଜେଣ୍ଟ ପାଲଟି ଯାଇଛନ୍ତି। ଲାଗୁଛି ଯେମିତି ସେ ବିଦେଶୀ କମ୍ପାନୀଗୁଡ଼ିକର ନୂଆ ବଡ଼ଲାଟ୍ ଭାବେ କାମ କରୁଛନ୍ତି।’ ଏଥି ସହ ସେ ଅଭିଯୋଗ କରିଛନ୍ତି ଯେ, ମୋଦି ଦେଶକୁ ପୁଞ୍ଜିପତିଙ୍କ ନିକଟରେ ବିକ୍ରି କରି ଦେଇଛନ୍ତି।
ନିକଟରେ ମୋଦି ଡାଭୋସ୍ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହାକୁ ନେଇ ସନ୍ଦୀପ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଆଉ କିଛି ନୁହେଁ, କେବଳ ଶିଳ୍ପପତିମାନଙ୍କର ଏକ କ୍ଲବ୍। ଏଠାରେ କିପରି ପୁଞ୍ଜିନିବେଶ କରି ଟଙ୍କା ଉପାର୍ଜନ ହେବ, ସେ ବିଷୟରେ ଆଲୋଚନା ହୋଇଥାଏ।
କେବଳ ଏତିକି ନୁହେଁ, ସନ୍ଦୀପ ଅଭିଯୋଗ କରିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ଓ ବିଜେପି, ଦେଶକୁ ବିଭିନ୍ନ ବର୍ଗରେ ବିଭାଜିତ କରିବାକୁ ଚାହୁଁଛନ୍ତି। ସେ ଦେଶକୁ ସାମ୍ପ୍ରଦାୟିକ ଆଧାରରେ ଭାଗ କରିଦେବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ଦେଶରେ ଯେଉଁ ହିଂସା ବଢ଼ିବ, ବିଜେପି ସେଥିରୁ ରାଜନୈତିକ ଫାଇଦା ଉଠାଇବ।