ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିରେ ପାଦ ଦେବା ପରେ କିଛି ଦିନ ହେବ ବିରୋଧୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ସାଧାରଣ ସମ୍ପାଦିକା ଏବଂ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଅନେକ ବିଜେପି ନେତା ତାଙ୍କୁ ସମାଲୋଚନା କରିଛନ୍ତି।
ବିଜେପି ନେତା କୈଳାସ ବିଜୟଭାର୍ଗୀୟ କହିଛନ୍ତି ଯେ, ଗାନ୍ଧି ପରିବାର ପାଖରେ ନିର୍ବାଚନ ଲଢ଼ିବାକୁ ଆଉ ସେମିତି କେହି ଖାସ୍ ବ୍ୟକ୍ତି ନାହାନ୍ତି। ତେଣୁ ଦଳ ଚକଲେଟ୍ ଚେହେରାକୁ ଅବତୀର୍ଣ୍ଣ କରି ନିର୍ବାଚନ ଲଢ଼ିବାକୁ ଚାହୁଁଛି। କୈଳାସ କହିଛନ୍ତି ଯେ, କେତେବେଳେ କେଉଁ କଂଗ୍ରେସ ନେତା କହୁଛନ୍ତି ଯେ, ମଧ୍ୟପ୍ରଦେଶରୁ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଲଢ଼ନ୍ତୁ। ପୁଣି ଇନ୍ଦୋରରୁ ସଲମାନ୍ ଖାନ୍ ଦଳୀୟ ଟିକେଟରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜାରି ରହିଛି।
ଏବେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ଭରଷା କରିଛି। ସେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଲଢ଼େଇ ପାଇଁ କଂଗ୍ରେସ ପାଖରେ ନେତା ନାହାନ୍ତି। ତେଣୁ ଦଳ ଏମିତି ଚକୋଲେଟ୍ ଚେହେରା ମାଧ୍ୟମରେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛି। ଯଦି ରାହୁଲଙ୍କ ଉପରେ ଆତ୍ମବିଶ୍ୱାସ ଥାନ୍ତା ତେବେ ପ୍ରିୟଙ୍କାକୁ କେବେ ସକ୍ରିୟ ରାଜନୀତିକୁ ଆସିବାକୁ ପଡ଼ିନଥାନ୍ତା। ସେହିପରି ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି।
ସେ କହିଛନ୍ତି ଯେ ମତେ ପ୍ରିୟଙ୍କା ଗାନ୍ଧି କେବଳ ସୁନ୍ଦର ଦେଖାଯିବା ଛଡ଼ା ତାଙ୍କର ଆଉ କୌଣସି ଗୁଣ ଦେଖାଯାଉ ନାହିଁ। ପ୍ରକୃତୀ ତାଙ୍କୁ ସୁନ୍ଦରୀ କରିଛି। ହେଲେ କଂଗ୍ରେସ ମନେ ରଖିବା ଉଚିତ୍ ଯେ, ସୁନ୍ଦରତାରୁ ଭୋଟ୍ ମିଳେ ନାହିଁ। ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୪ ତାରିଖରୁ ପ୍ରିୟଙ୍କା ବିଧିବଦ୍ଧଭାବେ ସକ୍ରିୟ ରାଜନୀତିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ସେ, ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇବେ। ମୌନୀ ଅମାବାସ୍ୟା ଅବସରର ତଥା ‘ଦ୍ୱତୀୟ ସାହି ସ୍ନାନ’ ଅବସରରେ ପ୍ରୟାଗରାଜସ୍ଥିତ ସଙ୍ଗମସ୍ଥଳୀରେ ସେ ବୁଡ଼ ପକାଇବେ ଏବଂ ଏହାପରେ କାର୍ଯ୍ୟକ୍ରମରେ ଯୋଗଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।