ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଆଜି ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ। ଗତବର୍ଷ ଅକ୍ଟୋବର ୩ରେ ଜଷ୍ଟିସ୍ ଗୋଗୋଇ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ଅଯୋଧ୍ୟା ରାୟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଆରଟିଆ ପରିସର ଭୁକ୍ତ ହେବା, ରାଫେଲ ଦୁର୍ନୀତି ଆଦି ବଡ଼ ବଡ଼ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।
ସେହିପରି ଆସନ୍ତାକାଲି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ପାଖାପାଖି ବର୍ଷେ ୫ ମାସ ତାଙ୍କ କାର୍ଯ୍ୟକାଳ ରହିବ। ୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ବୋବଡେ ୨୦୨୧ ଏପ୍ରିଲ୍ ୨୩ରେ ଅବସର ଗ୍ରହଣ କରିବେ।
୧୯୭୮ରେ ବୋବଡେ ବାର୍ କାଉନସିଲରେ ଯୋଗଦେଇଥିଲେ। ୨୦୦୦ ମସିହାରେ ସେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ। ୨୪ ଏପ୍ରିଲ, ୧୯୫୬ ଜଷ୍ଟିସ୍ ବୋବଡେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।