ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଯୋଗୁ ଆଜି ସକାଳ ୮.୩୦ ସୁଦ୍ଧା ୪୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବର୍ତ୍ତମାନ ୪୨୦ ଛୁଇଁଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮୦ରୁ ବଢଦ୍ଧି ପାଇ ୧୨,୭୫୯ରେ ପହଞ୍ଚିଛି। ତେବେ ଏଯାଏ ଏମାନଙ୍କ ମଧ୍ୟରୁ ୧୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ବର୍ତ୍ତମାନ ମଧ୍ୟ ୧୦,୮୨୪ ଜଣ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ନିକଟବର୍ତ୍ତୀ ହୋଇଛି। ଏଠାରେ ସଂଖ୍ୟା ୨,୯୧୯ ରହିଛି। ଏହି ରାଜ୍ୟରେ ସର୍ବାଧିକ ୧୮୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଯାଏ ୨୯୫ ଜଣ ସୁସ୍ଥ ହେଲେଣି। କରୋନା ଜନିତ ମୃତକଙ୍କ ସଂଖ୍ୟା ମଧ୍ୟପ୍ରଦେଶରେ ୫୩, ଗୁଜରାଟରେ ୩୬, ଦିଲ୍ଲୀରେ ୩୨, କର୍ଣ୍ଣାଟକାରେ ୧୩, ପଞ୍ଜାବରେ ୧୩, ତାମିଲନାଡୁରେ ୧୪, ତେଲେଙ୍ଗାନାରେ ୧୮, ଉତ୍ତର ପ୍ରଦେଶରେ ୧୩ ଓ ପଶ୍ଚିମବଙ୍ଗରେ ୭ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୩୩ ଓ ମୃତ୍ୟୁସଂଖ୍ୟା ୩୯୩ ରହିଥିଲା।
ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ଦିଲ୍ଲୀରୁ ଖୁସି ଖବର ଆସିଛି। ଗତକାଲି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟାର ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀରେ ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଦିଲ୍ଲୀରେ ଶେଷ ଖବର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୮, ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୮ ଏବଂ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨୦ ଏବଂ ରାଜସ୍ଥାନରେ ୧,୦୨୩ ଛୁଇଁଛି। ଖୁସିଖବର ସ୍ୱରୂପ ପୁଦୁଚେରୀର ମାହେ ଜିଲ୍ଲାରେ ଗତ ୨୮ ଦିନରେ ଜଣେ ମଧ୍ୟ ଆକ୍ରାନ୍ତ ଚିହ୍ନଟ କରାଯାଇନି। ଏହିଭଳି ୩୨୫ ଜିଲ୍ଲା ବର୍ତ୍ତମାନ କରୋନାମୁକ୍ତ ହୋଇସାରିଲେଣି। ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଏଯାଏ ଆଇସିଏମ୍ଆର ୨,୯୦,୪୦୧ ନମୁନା ପରୀକ୍ଷା କରିଛି।
ବିଶ୍ୱସ୍ତରରେ ଏଯାଏ ୨.୦୬ ମିଲିଅନ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଏହି କାରଣରୁ ୧,୩୭,୦୦୦ ଜୀବନ ଯାଇଛି। ଜନ୍ହପକିନ୍ସ ବିଶ୍ୱବିଦ୍ୟାଳୟ ତଥ୍ୟ ଅନୁଯାୟୀ ଆମେରିକାରେ ସର୍ବାଧିକ ୬,୩୮,୦୦୦ ଆକ୍ରାନ୍ତ ରହିଛନ୍ତି ଏବଂ ୩୦୦୦୦ ଲୋକ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।