ଢାକା: ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ତାଙ୍କୁ ପୋଡ଼ି ମାରିଦିଆଯାଇଥିବା ମାମଲାରେବାଂଲାଦେଶରେ ଏକ କୋର୍ଟ ୧୬ ଜଣଙ୍କୁ ମୃତ୍ୟୁଦଣ୍ଡ ରାୟ ଦେଇଛନ୍ତି। ବାଂଲାଦେଶ ରାଜଧାନୀ ଢାକାଠାରୁ ୧୬୦ କିଲୋମିଟର ଦୂର ଫେନି ସହରର ଏହି ଘଟଣାରେ ୧୯ ବର୍ଷ ବୟସର ନୁସରତ୍ ଜହାଁ ରାଫିଙ୍କୁ ଏଭଳି ଭାବେ ହତ୍ୟା କରାଯାଇଥିଲା। ନୁସରତଙ୍କ ମୁଖ୍ୟ ଶିକ୍ଷକ ଏବଂ ତାଙ୍କର ୨ ଜଣ ସହପାଠୀ ମଧ୍ୟ ଏହି ମାମଲାର ଅଭିଯୁକ୍ତ।
ଏହି ଘଟଣା ପରେ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ବିଭିନ୍ନ ମହଲରେ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏହାପରେ ତ୍ୱରିତ ଉପାୟରେ ଏହି ମାମଲାର ଶୁଣାଣି ସରିଥିଲା। ସରକାରୀ ଓକିଲ ହାଫିଜ୍ ଅହମ୍ମଦ ଏହି ରାୟକୁ ନେଇ କହିଛନ୍ତି, ଏହା ପ୍ରମାଣିତ କରୁଛି ହତ୍ୟା କରି କେହି ଖସିଯିବେନି। ପ୍ରତିପକ୍ଷ ଓକିଲ କହିଛନ୍ତି ଉପରିସ୍ଥ କୋର୍ଟରେ ଏହା ବିରୋଧରେ ଆବେଦନ କରିବେ।
ତଦନ୍ତରୁ ଜଣାପଡ଼ିଥିଲା, ତାଙ୍କୁ ଚୁପ୍ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିରେ ତାଙ୍କର ସହପାଠୀ ଏବଂ ତାଙ୍କ ସମ୍ପ୍ରଦାୟର ବହୁ କ୍ଷମତାଶାଳୀ ବ୍ୟକ୍ତି ସାମିଲ ଥିଲେ। ୩ ଜଣ ଶିକ୍ଷକ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏତଦ୍ବ୍ୟତୀତ ପ୍ରଥମେ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇ ହାଜତ ଭିତରୁ ନୁସରତ୍ଙ୍କ ହତ୍ୟା ଆଦେଶ ଦେଇଥିବା ମୁଖ୍ୟ ଶିକ୍ଷକ ସିରାଜ ଉଦ୍ ଦୌଲା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି।
ଯୌନ ନିର୍ଯାତନା ଘଟଣା ପରେ ନୁସରତ୍ଙ୍କୁ ଥାନାକୁ ଯିବାକୁ ସମର୍ଥନ ଦେଇଥିବା ତାଙ୍କ ପରିବାର ଏବେ ପୁଲିସ୍ ସୁରକ୍ଷାରେ ଅଛନ୍ତି। ସେମାନଙ୍କ ଜୀବନକୁ ଭୟ ରହିଥିବା ନେଇ ନୁସରତ୍ଙ୍କ ଭାଇ ମହମ୍ମୁଦୁଲ ହାସନ୍ ନୋମାନ୍ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣମାନେ ଜାଣିଛନ୍ତି ସେମାନେ ମୋତେ କୋର୍ଟରୁମ୍ ଭିତରେ ଧମକାଇଥିଲେ। ଆମ ସୁରକ୍ଷା ନିଶ୍ଚିତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ ପୁଲିସ୍ ମୁଖ୍ୟଙ୍କ ନିକଟରେ ଦାବି କରୁଛି।
ବିଚାରପତି ଏହି ରାୟ ଶୁଣାଇବା ପରେ କିଛି ଦୋଷୀ ଲୁହ ଗଡ଼ାଇଥିଲେ ଏବଂ ଅନ୍ୟ କେତେଜଣ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଚିତ୍କାର କରିଥିଲେ। ସୂଚନାଯୋଗ୍ୟ ଯେ, ଏଭଳି ମାମଲାରେ ବାଂଲାଦେଶରେ ଖସିଯିବାର ହାର ବହୁତ। ଏପରିକି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥାଏ ବୋଲି ବିବିସିର ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଏହି ଅଭିଯୁକ୍ତମାନେ ମଧ୍ୟ ନୁସରତଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।