ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀଙ୍କ ନାଁ'ରେ ସଙ୍ଗିନ୍‌ ଅଭିଯୋଗ

ନୂଆଦିଲ୍ଲୀ: ପୂର୍ବତନ କୂଟନୀତିଜ୍ଞ ତଥା ଦେଶର ଉପରାଷ୍ଟ୍ରପତି ଭାବେ ଦୁଇ ଦୁଇ ଥର ଦାୟିତ୍ୱ ତୁଲାଇଥିବା ହମିଦ୍‌ ଅନ୍‌ସାରୀଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି ପୂର୍ବତନ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ (ର’) ଅଧିକାରୀ ଏନ୍‌କେ ସୁଦ୍‌। ସେ କହିଛନ୍ତି ହମିଦ୍‌ ଇରାନ୍‌ରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଥିବାବେଳେ ଇରାନ୍‌ର ତେହରାନ୍‌ରେ ଭାରତର ଗୁଇନ୍ଦା ସଂସ୍ଥା ର’ର ଉପସ୍ଥିତି ବାବଦରେ ତଥ୍ୟ ପ୍ରଘଟ କରିଥିଲେ। ଏହା ର’ ଅଧିକାରୀ ଏବଂ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇ […]

ansari

Subrat Kumar Nayak
  • Published: Monday, 08 July 2019
  • , Updated: 08 July 2019, 03:58 PM IST
ନୂଆଦିଲ୍ଲୀ: ପୂର୍ବତନ କୂଟନୀତିଜ୍ଞ ତଥା ଦେଶର ଉପରାଷ୍ଟ୍ରପତି ଭାବେ ଦୁଇ ଦୁଇ ଥର ଦାୟିତ୍ୱ ତୁଲାଇଥିବା ହମିଦ୍‌ ଅନ୍‌ସାରୀଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି ପୂର୍ବତନ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ (ର’) ଅଧିକାରୀ ଏନ୍‌କେ ସୁଦ୍‌। ସେ କହିଛନ୍ତି ହମିଦ୍‌ ଇରାନ୍‌ରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଥିବାବେଳେ ଇରାନ୍‌ର ତେହରାନ୍‌ରେ ଭାରତର ଗୁଇନ୍ଦା ସଂସ୍ଥା ର’ର ଉପସ୍ଥିତି ବାବଦରେ ତଥ୍ୟ ପ୍ରଘଟ କରିଥିଲେ। ଏହା ର’ ଅଧିକାରୀ ଏବଂ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲା। ସୁଦ ପ୍ରଶ୍ନ କରିଛନ୍ତି, ଏହା ଜାଣି ସୁଦ୍ଧା ତାଙ୍କୁ ଦୁଇ ଦୁଇ ଥର ଉପରାଷ୍ଟ୍ରପତି କାହିଁକି କରାଯାଇଥିଲା?
୨୦୧୦ ମସିହାରେ ବୈଦେଶିକ ଗୁଇନ୍ଦା ସଂସ୍ଥା ର’ରୁ ଅବସର ନେଇଥିବା ସୁଦ୍‌ ଏକ ଟ୍ୱିଟ୍‌ କରି କହିଛନ୍ତି, ସେ ତେହରାନ୍‌ରେ ନିଯୁକ୍ତ ହୋଇଥିବାବେଳେ ଅନ୍‌ସାରୀ ଇରାନରେ ଭାରତର ରାଷ୍ଟ୍ରଦୂତ ଥିଲେ। ତେବେ ଏହି ଟ୍ୱିଟ୍‌ର ଉତ୍ତର ରଖି ବିଜେପି ସାଂସଦ ସୁବ୍ରମଣିଆନ୍‌ ସ୍ୱାମୀ କହିଛନ୍ତି, ଅନ୍‌ସାରୀ ବାମପନ୍ଥୀଙ୍କ ପ୍ରାର୍ଥୀ ଥିଲେ ଏବଂ ୟୁପିଏ ତାଙ୍କୁ ସମର୍ଥନ ଜଣାଇଥିଲା।
ଅନ୍‌ସାରୀ ୧୯୬୧ ମସିହାରେ ବୈଦେଶିକ ସେବାରେ ଯୋଗ ଦେଇଥିଲେ ଏବଂ ଇରାକ୍‌, ମରକ୍କୋ, ବେଲଜିଅମ୍‌ ଓ ସାଉଦି ଆରବରେ କାର୍ଯ୍ୟ କରିଥିଲେ। ସେ ଭାରତୀୟ ରାଷ୍ଟ୍ରଦୂତ ଭାବେ ୟୁଏଇ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇରାନ୍ ଏବଂ ସାଉଦି ଆରବରେ କାର୍ଯ୍ୟ କରିଥିଲେ। ଇରାନ୍‌ରେ ୧୯୯୦ରୁ ୧୯୯୨ ଯାଏ ସେ ରାଷ୍ଟ୍ରଦୂତ ଥିଲେ। ଏହାପରେ ୧୯୯୩ରୁ ୧୯୯୫ ଜାତିସଂଘରେ ସେ ଭାରତ ପକ୍ଷରୁ ସ୍ଥାୟୀ ପ୍ରତିନିଧି ଥିଲେ।
ତେବେ ର’ର କାର୍ଯ୍ୟ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବାରେ ଏହା ପ୍ରଥମ ଥର ନୁହେଁ। ଆଇକେ ଗୁଜରାଲ ପ୍ରଧାନମନ୍ତ୍ରୀ ଥିବା ସମୟରେ ମଧ୍ୟ ପାକିସ୍ତାନରେ ଭାରତ ଗୁଇନ୍ଦାଗିରି କରିବାରେ ସମସ୍ୟା ହୋଇଥିଲା। ର’ ଅଧିକାରୀଙ୍କୁ ପାକିସ୍ତାନରେ କାମ କରିବାରୁ ରୋକାଯାଇଥିଲା। ଏପରିକି ପାକିସ୍ତାନରେ ର’ ଡେସ୍କ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଗୁଜରାଲ କହିଥିଲେ ଭାରତ ପଡ଼ୋଶୀ ଦେଶମାନଙ୍କ ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ମାନ ଜଣାଇ ସେଠାରେ ଗୁଇନ୍ଦାଗିରି କରିବା ଉଚିତ ନୁହେଁ। ୧୯୪୭ ମସିହା ପରଠାରୁ ଭାରତ ପ୍ରତି ଶତ୍ରୁ ମନୋଭାବ ରଖି ଆସିଥିବା ଏକ ରାଷ୍ଟ୍ରରେ ଗୁଇନ୍ଦା ସୂଚନା ଏକାଠି କରିବାର କ୍ଷମତା ର’ଠାରୁ ଛଡ଼ାଇ ନିଆଯାଇଥିଲା। ପଡ଼ୋଶୀ ଦେଶଙ୍କ ସହ ସମ୍ପର୍କ ପାଇଁ ସେ ୫ ସୂତ୍ରୀ ନିୟମ ପ୍ରଣୟନ କରିଥିଲେ ଯାହାକି ‘ଗୁଜରାଲ ଡକ୍ଟ୍ରିନ’ ଭାବେ ପରିଚିତ।
ଆମେରିକୀୟ ରାଜନୀତିକ ବିଶ୍ଲେଷକ ସି କ୍ରୀଷ୍ଟାଇନ୍‌ଙ୍କ ଲିଖିତ ଏକ ପୁସ୍ତକ ଅନୁଯାୟୀ, ପାକିସ୍ତାନ ଏବଂ ଏହାର ସେନାର ଭାରତ ପ୍ରତି ସର୍ବଦା ଶତ୍ରୁତାର ମନୋଭାବ ରହିବ। ସେମାନେ ଭାରତ ବିରୋଧରେ ସ୍ଥାୟୀ ଲଢ଼େଇ ଲଢ଼ିବାକୁ ମନସ୍ଥ କରିଛନ୍ତି। କୁହାଯାଏ ଗୁଜରାଲଙ୍କ  ‘ଗୁଜରାଲ ଡକ୍ଟ୍ରିନ’ ଫଳରେ ଭାରତ ପାକିସ୍ତାନରେ ଉଭୟ କାନ ଏବଂ ଆଖି ବୁଜି ଦେଇଥିଲା। ଏହା ହିଁ କାରଗିଲ ଯୁଦ୍ଧରେ ପାକିସ୍ତାନକୁ ସହାୟକ ହୋଇଥିବା ଚର୍ଚ୍ଚା ହୁଏ।

Related story