ଏକଜିଟ୍‌ ପୋଲ୍‌: ରାଜସ୍ଥାନକୁ ଫେରିବ କଂଗ୍ରେସ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଡ଼ା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ପରେ ପୁଣିଥରେ କଂଗ୍ରେସ ରାଜସ୍ଥାନରେ ବିଜେପିକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବ। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ସରକାର ଗଠନ କରିବା ସେତେଟା ସହଜ ହେବନି। ଏହି ଦୁଇ ରାଜ୍ୟରେ ଝୁଲା ବିଧାନସଭା ଗଠନ ହେବାର ସମ୍ଭାବନା ରହିଛି। କିନ୍ତୁ ପୂର୍ବପରି ତେଲେଙ୍ଗାନା ଟିଆର୍‌ଏସ୍‌ ଦଖଲରେ ରହିବ। ଅନ୍ୟପକ୍ଷରେ କଂଗ୍ରେସ ହାତରୁ ମିଜୋରାମ ଖସିଯିବ। ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏମିତି କିଛି ଫଳାଫଳ ସାମ୍ନାକୁ […]

re

Hemant Lenka
  • Published: Friday, 07 December 2018
  • , Updated: 07 December 2018, 09:14 PM IST

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ପରେ ପୁଣିଥରେ କଂଗ୍ରେସ ରାଜସ୍ଥାନରେ ବିଜେପିକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବ। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ସରକାର ଗଠନ କରିବା ସେତେଟା ସହଜ ହେବନି। ଏହି ଦୁଇ ରାଜ୍ୟରେ ଝୁଲା ବିଧାନସଭା ଗଠନ ହେବାର ସମ୍ଭାବନା ରହିଛି। କିନ୍ତୁ ପୂର୍ବପରି ତେଲେଙ୍ଗାନା ଟିଆର୍‌ଏସ୍‌ ଦଖଲରେ ରହିବ। ଅନ୍ୟପକ୍ଷରେ କଂଗ୍ରେସ ହାତରୁ ମିଜୋରାମ ଖସିଯିବ।
ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏମିତି କିଛି ଫଳାଫଳ ସାମ୍ନାକୁ ଆସିଛି। ତେବେ ଆସନ୍ତା ୧୧ ତାରିଖରେ ୫ ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇବା ପରେ କିଏ ସରକାର ଗଠନ କରୁଛି ଏବଂ କିଏ କ୍ଷମତାଚ୍ୟୁତ ହେଉଛି ତା’ହା ଜଣାପଡ଼ିବ।

ମଧ୍ୟପ୍ରଦେଶ
ଆମେ ଯଦି ଏକଜିଟ୍‌ ପୋଲ୍‌ ଫଳାଫଳକୁ ବିଚାରକୁ ନେବା ତା’ହେଲେ ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ହେଲା କ୍ଷମତାରେ ଥିବା ବିଜେପି ସରକାରଙ୍କୁ ବିରୋଧୀ କଂଗ୍ରେସ କଡ଼ା ଟକ୍କର ଦେବ। ୧୦ଟି ସର୍ଭେ ସଂସ୍ଥାର ଫଳାଫଳ ଅନୁଯାୟୀ, ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନରୁ କଂଗ୍ରେସ ୧୧୧ଟି, ବିଜେପି ୧୦୯ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ପାଇବ। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୧୬। ତେଣୁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ।

୨୦୧୩ରେ ବିଜେପି ମଧ୍ୟପ୍ରଦେଶରେ ୧୬୫ଟି, କଂଗ୍ରେସ ୫୮, ବିଏସ୍‌ପି ୪ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନ ପାଇଥିଲେ।

ଛତିଶଗଡ଼
ମଧ୍ୟପ୍ରଦେଶର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ବିଜେପି କ୍ଷମତାରେ ରହିଥିଲା। କିନ୍ତୁ ସର୍ଭେ ସଂସ୍ଥାର ଏକଜିଟ୍‌ ପୋଲ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରମଣ ସିଂହ କ୍ଷମତା ଦଖଲ କରିବା ଆଶା କ୍ଷୀଣ। ଏଠାରେ କଂଗ୍ରେସ ସବୁକିଛି ଓଲଟପାଲଟ କରିବାର ସମ୍ଭାବନା ରହିଛି। ସେହିପରି ଅଜିତ ଯୋଗୀଙ୍କ ଜେସିସି ଏଠାରେ କିଙ୍ଗ ମେକର ବନିପାରେ। ୧୦ଟି ସଂସ୍ଥାର ଏକଜିଟ୍‌ ପୋଲ ଫଳାଫଳ ଅନୁଯାୟୀ, ଛତିଶଗଡ଼ରେ ଝୁଲା ବିଧାନସଭା ହେବ।

୯୦ ବିଧାନସଭା ଆସନରୁ ବିଜେପିକୁ ୪୧ଟି, କଂଗ୍ରେସକୁ ୪୩, ଅଜିତ ଯୋଗୀ ଓ ମୟାବତୀ ମେଣ୍ଟକୁ ୪ଟି ଓ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିପାରେ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ୨୦୧୩ରେ ବିଜେପି ଏଠାରେ ୪୯, କଂଗ୍ରେସ ୩୯ ଓ ବିଏସ୍‌ପି ମେଣ୍ଟ ଗୋଟିଏ ଆସନରେ ଜିତିଥିଲା।

ରାଜସ୍ଥାନ
ରାଜସ୍ଥାନରେ କଂଗ୍ରେସକୁ ସଫଳତା ମିଳିବ। ଦୀର୍ଘ ୫ ବର୍ଷ ପରେ ଦଳ ବିଜେପି ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିବ ବୋଲି ୧୨ଟି ସଂସ୍ଥାର ଏକଜିଟ୍‌ ପୋଲରୁ ଜଣାପଡ଼ିଛି। ୧୯୯ ବିଧାନସଭା ଆସନରୁ କଂଗ୍ରେସ ଏକାକୀ ୧୧୦ଟି, ବିଜେପି ୭୮ଟି ଓ ଅନ୍ୟାନ୍ୟ ଦଳ ୧୧ଟି ଆସନରେ ଜିତିବେ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଠାରେ ମ୍ୟାଜିକ ନମ୍ବର ୧୦୦।
୨୦୧୩ରେ ବିଜେପି ଏଠାରେ ୧୬୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ୨୧ ଓ ଅନ୍ୟାନ୍ୟ ଦଳ ୧୩ଟି ଆସନ ପାଇଥିଲେ।

ତେଲେଙ୍ଗାନା
ଆଗୁଆ ବିଧାନସଭା ଭାଙ୍ଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଙ୍କ ରଣନୀତି ସଫଳ ହୋଇଛି। ସେ ପୁଣିଥରେ ତେଲେଙ୍ଗାନାରେ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ରାଜ୍ୟର ୧୧୯ଟି ବିଧାନସଭା ଆସନରୁ କେସିଆରଙ୍କ ଟିଆର୍‌ଏସ୍‌ ଏକାକୀ ୬୬ଟି ଆସନରେ ଜିତିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିପରି କଂଗ୍ରେସ ମେଣ୍ଟ ଏଠାରେ ୩୯ଟି ଓ ବିଜେପି ମାତ୍ର ୫ଟି ଆସନ ପାଇପାରେ ବୋଲି ପୂର୍ବନୁମାନ କରାଯାଇଛି। ଏଠାରେ ମ୍ୟାଜିକ ନମ୍ବର ହେଉଛି ୬୦।

୨୦୧୪ରେ ଟିଆର୍‌ଏସ୍‌ ୬୩, କଂଗ୍ରେସ ୨୧, ଟିଡିପି ୧୫, ବିଜେପି ୫, ଏଆଇଏମଆଇଏମ ୭, ୱାଇଏସ୍‌ଆର୍‌ କଂଗ୍ରେସ ୩ ଓ ଅନ୍ୟାନ୍ୟ ଦଳ ୫ଟି ଆସନ ପାଇଥିଲେ।

ମିଜୋରାମ
ମିଜୋରାମ ଏଥର କଂଗ୍ରେସ ହାତରୁ ଖସିଯିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପୂର୍ବନୁମାନ କରାଯାଇଛି। ତେବେ ଏଠାରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିନପାରେ। କିନ୍ତୁ ଏମ୍‌ଏନ୍‌ଏଫ୍‌ ୧୬-୨୦ଟି ଆସନ ପାଇଁ ବୃହତ ଦଳ ହେବ। କଂଗ୍ରେସ ୧୪ରୁ ୧୮ଟି ଆସନ ପାଇପାରେ। ବିଜେପି ଏଠାରେ ଖାତା ଖୋଲି ପାରିବ ନାହିଁ ବୋଲି ଏକଜିଟ୍‌ ପୋଲରୁ ଜଣାପଡ଼ିଛି। ୪୦ଟି ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧।

Related story