ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକାର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ମନ୍ତିମଣ୍ଡଳ ସମ୍ପ୍ରସାରଣ ହେବ। ଆଜି ଅପରାହ୍ନରେ କର୍ଣ୍ଣାଟକା ସରକାରରେ ନୂଆ ମନ୍ତ୍ରୀ ସାମିଲ ହେବେ। ମୁଖ୍ୟତଃ ଦୁଇ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସମ୍ପ୍ରସାରଣ କରାଯାଉଛି। ଲୋକସଭା ନିର୍ବାଚନ ପରେ ଜେଡିଏସ ଓ କଂଗ୍ରେସ ଦଳର ଅନେକ ଅସନ୍ତୁଷ୍ଟ ନେତା ବିଜେପିକୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ଏହି ଦଳ ବଦଳ ସମ୍ଭାବନାକୁ ନଜରରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଉଛି।
କର୍ଣ୍ଣାଟକା ବିଧାନସଭାରେ ମେଣ୍ଟ ସରକାରର ସଂଖ୍ୟା ୧୧୭ ରହିଥିବା ବେଳେ ସରକାର ଗଢ଼ିବା ପାଇଁ ୧୧୩ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ବିଜେପି ପାଖରେ ଏକାକୀ ୧୦୫ ବିଧାୟକ ରହିଛନ୍ତି। କଂଗ୍ରେସ-ଜେଡିଏସର କିଛି ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ସୂଚନା ମିଳିବା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିକଟରେ କଂଗ୍ରେସର ବରିଷ୍ଠ ନେତା କେସି ବେନୁଗୋପାଲ ଆସି ମନ୍ତ୍ରିମଣ୍ଡଳ ବୃଦ୍ଧି କରିବାକୁ କୁମାରସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ।