ଆମେଠି: ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଦଳମାନେ ଏକାଠି ହୋଇ ଦିଲ୍ଲୀ ଶାହୀନ ବାଗରେ ଦେଶ-ବିରୋଧୀ ନାରା ଦେଉଛନ୍ତି। ଆମେଠି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ଏହାକୁ ଲକ୍ଷ୍ୟ କରି ସ୍ମୃତି ଇରାନୀ କହିଛନ୍ତି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟାନ୍ୟ ରାଜନୀତିକ ଦଳମାନେ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ହେବା ପରେ ଏବେ ଶାହିନୀବାଗରେ ଏକାଠି ହୋଇ ଦେଶକୁ ବିଭାଜନ କରିବା ପାଇଁ ଆଗେଇ ଆସିଛନ୍ତି। ଶାହିନୀ ବାଗରେ ଯାହା ବି ଚାଲିଛି ତାହାକୁ ନେଇ ସାରା ଦେଶରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ବୋଲି ସ୍ମୃତି କହିଛନ୍ତି।
ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧତିଥି। ଏହି ଅବସରରେ ଶାହିନୀବାଗରେ ଯାହା ହେଉଛି ତାହା ବାପୁଙ୍କ ପ୍ରତି ଅଭିଶାପ ସଦୃଶ ବୋଲି ସ୍ମୃତି କହିଛନ୍ତି। ଶାହିନୀବାଗ ଆନ୍ଦୋଳନ ପଛରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିଶୋଦିଆଙ୍କର ସମର୍ଥନ ରହିଛି ବୋଲି ସେ କହିଛନ୍ତି।
ସାଧାରଣ ନିର୍ବାଚନରେ ପରାଜୟକୁ ବିରୋଧୀ ସ୍ୱୀକାର କରିପାରୁ ନାହାନ୍ତି। ତେଣୁ ଶାହିନୀବାଗକୁ ସମର୍ଥନ କରି ଦେଶକୁ ବିଭାଜନ କରିବା ପାଇଁ ଏହି ମଞ୍ଚରୁ ନାରା ଦେଉଛନ୍ତି ବୋଲି ସ୍ମୃତି କହିଛନ୍ତି।
ସୂଚନାଯୋଗ୍ୟ, ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକତା ପଞ୍ଜୀକରଣକୁ ବିରୋଧ କରି ମାସେ ହେବ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ନେତୃତ୍ୱ ମହିଳାମାନେ ନେଉଛନ୍ତି। ଫଳରେ ଦିଲ୍ଲୀରୁ ନୋଏଡା ମଧ୍ୟରେ ଯାତାୟାତ ଠପ୍ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଦିଲ୍ଲୀ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଛି ।