ଖଣ୍ଡଯୁଦ୍ଧ ପରେ ମୁଣ୍ଡ ନୁଆଁଲା ପୁଲିସ୍‌, ଦିଲ୍ଲୀରେ ପ୍ରବେଶ ପାଇଁ ଚାଷୀଙ୍କୁ ଅନୁମତି

ନୂଆଦିଲ୍ଲୀ: ଦୁଇ ଦିନ ଧରି ପ୍ରବଳ ସଂଘର୍ଷ ପରେ ମୁଣ୍ଡ ନୁଆଁଇଛି ପୁଲିସ୍‌। ଚାଷୀଙ୍କ ବାଟ ଓଗାଳିବାକୁ ପୁଲିସ ତାର ବାଡ଼ ସହ ଟିୟର ଗ୍ୟାସ ମାଡ଼ କରିଥିଲା। ତଥାପି ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ପୁଲିସ୍‌ ପଛକୁ ହଟିଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ପକ୍ଷରୁ ଚାଲିଥିବା ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ଶେଷରେ ରାଜଧାନୀରେ ପ୍ରବେଶ ପାଇଁ ପୁଲିସ୍‌ ଅନୁମତି ଦେଇଛି। ଦିଲ୍ଲୀର ବୁରାରୀସ୍ଥିତ ନିରଙ୍କରୀ ସଙ୍ଗମ ପଡ଼ିଆରେ ଚାଷୀମାନେ ଶାନ୍ତିପୂର୍ଣ୍ଣ […]

f

Hemant Lenka
  • Published: Saturday, 28 November 2020
  • , Updated: 28 November 2020, 08:00 AM IST

ନୂଆଦିଲ୍ଲୀ: ଦୁଇ ଦିନ ଧରି ପ୍ରବଳ ସଂଘର୍ଷ ପରେ ମୁଣ୍ଡ ନୁଆଁଇଛି ପୁଲିସ୍‌। ଚାଷୀଙ୍କ ବାଟ ଓଗାଳିବାକୁ ପୁଲିସ ତାର ବାଡ଼ ସହ ଟିୟର ଗ୍ୟାସ ମାଡ଼ କରିଥିଲା। ତଥାପି ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ପୁଲିସ୍‌ ପଛକୁ ହଟିଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ପକ୍ଷରୁ ଚାଲିଥିବା ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ଶେଷରେ ରାଜଧାନୀରେ ପ୍ରବେଶ ପାଇଁ ପୁଲିସ୍‌ ଅନୁମତି ଦେଇଛି। ଦିଲ୍ଲୀର ବୁରାରୀସ୍ଥିତ ନିରଙ୍କରୀ ସଙ୍ଗମ ପଡ଼ିଆରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ ବୋଲି ପୁଲିସ୍‌ କହିଛି।

ଶୁକ୍ରବାର ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥର ସିଙ୍ଘୁ ସୀମାରେ ଅପରାହ୍ନ ଯାଏ ଚାଷୀ ଓ ପୁଲିସ୍‌ ମଧ୍ୟରେ ପ୍ରବଳ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ପୁଲିସ୍‌ର ଶତ ପ୍ରୟାସ ସତ୍ତ୍ୱେ ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ସଂଘର୍ଷ କରିଥିଲେ। ଶେଷରେ ପୁଲିସ୍‌ ଚାଷୀନେତାମାନଙ୍କୁ ଡାକି ଆଲୋଚନା କରିଥିଲା।

ଆଲୋଚନା ପରେ ହଜାର ହଜାର ଚାଷୀଙ୍କୁ ନିରଙ୍କରୀ ସଙ୍ଗମ ପଡ଼ିଆରେ ଆନ୍ଦୋଳନ କରିବାକୁ ଅନୁମତି ଦେଇଛି। ସିଙ୍ଘୁଠାରୁ ୫୦ କିମି ଦୂର ଟିକରି ସୀମାରେ ମଧ୍ୟ ଆନ୍ଦୋଳନରତ ଚାଷୀଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ୍‌ ପାଣି ମାଡ଼ କରିବା ସହ ଲାଠିଚାର୍ଜ କରିଥିଲା। ଏପରି କି ଟ୍ରକ୍‌ ଦ୍ୱାରା ବ୍ୟାରିକେଡ୍‌ ମଧ୍ୟ କରାଯାଇଥିଲେ।

ହେଲେ ଚାଷୀମାନେ ଟ୍ରାକ୍ଟର ଲଗାଇ ପୁଲିସ୍‌ କରିଥିବା ଟ୍ରକ୍‌ ବ୍ୟାରିକେଡ୍‌କୁ ହଟାଇ ଦେଇଥିଲେ। ସ୍ଥିତି ବିଗୁଡ଼ୁ ଥିବାରୁ ମଧ୍ୟାହ୍ନରେ ପୁଲିସ୍‌ ସେମାନଙ୍କୁ ନିରଙ୍କରୀ ସଙ୍ଗମ ପଡ଼ିଆରେ ଆନ୍ଦୋଳନ କରିବାକୁ ଅନୁମତି ଦେଇଥିଲେ। ପ୍ରଥମେ ସେମାନେ ଏହାକୁ ଗ୍ରହଣ କରି ନଥିଲେ। କିନ୍ତୁ ସିଙ୍ଘୁର ଚାଷୀମାନେ ନିରଙ୍କରୀ ସଙ୍ଗମ ପଡ଼ିଆରେ ଆନ୍ଦୋଳନ ପାଇଁ ରାଜି ହୋଇଥିବାରୁ ଟିକରି ସୀମାରେ ବିକ୍ଷୋଭ କରୁଥିବା ଚାଷୀମାନେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ।

କିଛି ଚାଷୀ ବୁରାରୀରେ ଆନ୍ଦୋଳନ କରିବାକୁ ରାଜି ହୋଇଥିବା ବେଳେ ଆଉ କିଛି ଏବେ ବି ରାସ୍ତାରେ ବସି ରହିଛନ୍ତି। ତେଣୁ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧର ଆଶଙ୍କା ଏବେ ବି ଟଳି ନାହିଁ। କିଛି ଆନ୍ଦୋଳନକାରୀ ଯନ୍ତରମନ୍ତର କିମ୍ବା ରାମଲୀଳା ମଇଦାନରେ ଆନ୍ଦୋଳନ ପାଇଁ ଅନୁମତି ଦେବାକୁ କହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍‌ ଡିସିପି ରାଙ୍କର ଅଫିସରଙ୍କୁ ନେଇ ୧୨ଟି ଟିମ୍‌ ଗଠନ କରିଛି। ସେମାନେ ସ୍ଥିତି ଉପରେ ନଜର ରଖିଛନ୍ତି।

ଅନ୍ୟପକ୍ଷରେ ଆନ୍ଦୋଳନ କରୁଥିବା ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ପାଇଁ କୌଣସି କଟକଣା ରହିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିପରି ହରିଆଣା ପୁଲିସ ପଞ୍ଜାବ ଓ ହରିଆଣା ସୀମାର ବିଭିନ୍ନ ସ୍ଥାନ‌ରୁ ବ୍ୟାରିକେଡ୍‌ ହଟାଇ ଦେଇଛି। ଚାଷୀମାନଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି ଅମ୍ବାଲା ଏସ୍‌ପି ରାଜେଶ କାଲିଆ କହିଛନ୍ତି।

Related story