ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ଙ୍କର ଆଜି ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା।
୧୯୩୮ ମସିହା ମେ’ ୧୯ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ ପ୍ରେସିଡେନ୍ସୀ)ରେ ସେ ଜନ୍ମ ହୋଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଓ ସେଠାରେ ପଢ଼ିବା ବେଳେ ହିଁ ତାଙ୍କର ପ୍ରଥମ ନାଟକ ‘ଯଯାତି’ ଲେଖିଥିଲେ। ୧୯୬୧ ମସିହାରେ ସେ ଏହି ନାଟକଟି ଲେଖିଥିଲେ। ତାଙ୍କର ଅନ୍ୟତମ ପ୍ରସିଦ୍ଧ ନାଟକ ହେଉଛି ‘ତୁଗ୍ଲକ୍’, ଯାହା ସେ ୧୯୬୪ ମସିହାରେ ଲେଖିଥିଲେ। ସେହିପରି ତାଙ୍କର ଆଉ ଏକ ପ୍ରସିଦ୍ଧ ନାଟକ ହେଉଛି ‘ହୟାଭଦାନ’। ଏହି ନାଟକକୁ ସେ ୧୯୭୨ ମସିହାରେ ଲେଖିଥିଲେ। ସେ କନ୍ନଡ଼ ଭାଷାରେ ନାଟକ ଲେଖୁଥିଲେ। ତାଙ୍କ ନାଟକଗୁଡ଼ିକ ଇଂରାଜୀ ଭାଷା ସହିତ ଅନେକ ଭାରତୀୟ ଭାଷାକୁ ମଧ୍ୟ ଅନୁବାଦିତ ହୋଇଛି।
ନାଟକ ସହିତ ଗିରିଶ ଚଳଚ୍ଚିତ୍ର ଜଗତରେ ବି ସକ୍ରିୟ ଥିଲେ। ୧୯୭୦ ମସିହାରେ କନ୍ନଡ଼ ଫିଲ୍ମ ‘ସମସ୍କାର’ ଜରିଆରେ ସେ ଡେବ୍ୟୁ କରିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ସେ ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି।
‘ନିଶାନ୍ତ’, ‘ମନ୍ଥନ’, ‘ସ୍ୱାମୀ’, ‘ପୁକାର’, ‘ଇକ୍ବାଲ୍’ ଓ ‘ଡୋର୍’ ଭଳି ଚର୍ଚ୍ଚିତ ହିନ୍ଦୀ ଫିଲ୍ମରେ ସେ କାମ କରିଛନ୍ତି।ସଲମାନ ଖାନ୍ଙ୍କ ଅଭିନୀତ ‘ଏକ୍ ଥା ଟାଇଗର୍’ ଓ ଏହାର ସିକ୍ୱେଲ୍ ‘ଟାଇଗର ଜିନ୍ଦା ହୈ’ରେ ବି ସେ ଅଭିନୟ କରିଥିଲେ।
ସ୍ୱର୍ଗତ କର୍ଣ୍ଣାଡ଼ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍ଟିଆଇଆଇ)ର ନିର୍ଦ୍ଦେଶକ ଭାବେ ୧୯୭୪ ରୁ ୧୯୭୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
୧୯୭୪ରେ ଗିରିଶ କର୍ଣ୍ଣାଡଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୧୯୯୨ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୯୮ରେ ତାଙ୍କୁ ସାହିତ୍ୟ କ୍ଷେତ୍ରରେ ଦିଆଯାଉଥିବା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା।
ତାଙ୍କ ମୃତ୍ୟୁରେ ବିଶ୍ୱବିଖ୍ୟାତ ଲେଖକ ଅମିତାଭ ଘୋଷଙ୍କଠାରୁ ଆରମ୍ଭ କରି ନାଟକ, ଫିଲ୍ମ ଓ ସାହିତ୍ୟ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି।