ଦକ୍ଷିଣ ଓ ପଶ୍ଚିମ ଭାରତରେ ପ୍ରଳୟଙ୍କରୀ ବନ୍ୟା, ମୃତ୍ୟୁସଂଖ୍ୟା ୯୭ ଛୁଇଁଲା

ନୂଆଦିଲ୍ଲୀ: ଅବିଶ୍ରାନ୍ତ ଭାରୀ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକାରେ ମହାରାଷ୍ଟ୍ର, କେରଳ, ଗୁଜରାଟ ଓ କର୍ଣ୍ଣାଟକାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଇତି ମଧ୍ୟରେ ବନ୍ୟା ଯୋଗୁ ଏହି ରାଜ୍ୟଗୁଡ଼ିକରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏବେ ବି ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି। ଉଦ୍ଧାରକାରୀ ଦଳ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣୁଥିଲେ ହେଁ ଲୋକଙ୍କ […]

mh

Hemant Lenka
  • Published: Saturday, 10 August 2019
  • , Updated: 10 August 2019, 10:36 PM IST

ନୂଆଦିଲ୍ଲୀ: ଅବିଶ୍ରାନ୍ତ ଭାରୀ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକାରେ ମହାରାଷ୍ଟ୍ର, କେରଳ, ଗୁଜରାଟ ଓ କର୍ଣ୍ଣାଟକାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ଇତି ମଧ୍ୟରେ ବନ୍ୟା ଯୋଗୁ ଏହି ରାଜ୍ୟଗୁଡ଼ିକରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏବେ ବି ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି। ଉଦ୍ଧାରକାରୀ ଦଳ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣୁଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ଧରୁନି। ଆଗକୁ ଏସବୁ ପ୍ରାନ୍ତରେ ମୌସୁମୀ ପ୍ରଭାବରେ ଆହୁରି ୨୪ରୁ ୪୮ ଘଣ୍ଟା ବର୍ଷା ହେବାର ଥିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନକୁ ୨୫୦ଟି ଉଦ୍ଧାରକାରୀ ଟିମ୍ ପଠାଇଛନ୍ତି।

ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କେରଳ। ଯୁଆଡ଼େ ଚାହିଁଲେ ବି ସବୁଆଡ଼େ ବନ୍ୟାର କରାଳ ଚିତ୍ର ଦେଖିବାକୁ ମିଳୁଛି। ୱାୟନାଡର ପୁଥୁମାଲା ଗାଁରେ ପ୍ରବଳ ବର୍ଷା ଯୋଗୁ ମାଟି ଧସିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୁପ ତଳୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଲଗାଣ ବର୍ଷା ଏହି ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ୨ ଦିନ ମଧ୍ୟରେ କେରଳର ପ୍ରାୟ ୮୦ଟି ସ୍ଥାନରେ ଭୂସ୍ଖଳନ ହୋଇଛି।

ବର୍ଷା ଓ ବନ୍ୟାରେ ୪୮ଜଣଙ୍କ ଜୀବନ ଯାଇଥିବାବେଳେ ୭ ଜଣ ନିଖୋଜ ଅଛନ୍ତି। ୯୮୮ଟି ରିଲିଫ୍ କ୍ୟାମ୍ପରେ ଲକ୍ଷେରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇଛି। କୋଝିକୋଡ଼, ମଲାପୁରମ୍, ୱାୟନାଡ଼ ଜିଲ୍ଲାରେ ସ୍ଥିତି ଅଧିକ ଜଟିଳ ରହିଛି। ସେନା, ନୌସେନା ଓ ଏନଡିଆରଏଫ୍‌ ଟିମ୍‌ ମିଳିତ ଭାବେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ପୁଣି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ସରକାରଙ୍କ ଚିନ୍ତା ବଢ଼ିଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସ୍ଥିତି ସମୀକ୍ଷା କରୁଥିବାବେଳେ ୱାୟନାଡ ସାଂସଦ ରାହୁଲ ଗାନ୍ଧି ଆସନ୍ତାକାଲି ସ୍ଥିତି ସମୀକ୍ଷା ପାଇଁ କେରଳ ଯିବେ ବୋଲି ଜଣାପଡ଼ିଛି। ସେହିପରି ୩ ଦିନ ହେଲା ବନ୍ଦ ଥିବା କୋଚି ବିମାନବନ୍ଦର ଆସନ୍ତାକାଲି ଖୋଲିବାର ସଙ୍କେତ ମିଳିଛି।

ମହାରାଷ୍ଟ୍ରରେ ବି ବନ୍ୟା ପରିସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ୫ଟି ଜିଲ୍ଲା ସାଂଗଲି, କୋହ୍ଲାପୁର, ସୋଲାପୁର, ପୁଣେ ଓ ସତାରାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସାଙ୍ଗଲିରେ ବନ୍ୟା ଯୋଗୁ ରାଜରାସ୍ତାରେ ଏବେ ଡଙ୍ଗା ଚାଲୁଛି। କେତେକ ସ୍ଥାନରେ ଘର ଭିତରେ ୧୦ଫୁଟରୁ ଅଧିକ ଉଚ୍ଚର ପାଣି ସୁଅ ଚାଲିଛି। ଯେଉଁ ମୁଖ୍ୟରାସ୍ତାରେ ଦିନରାତି ଗାଡ଼ି ମୋଟରର କୋଳାହଳ ଲାଗି ରହିଥାଏ, ଏବେ ସେଠାରେ ଡଙ୍ଗା ସାହାଯ୍ୟରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏଠାରେ ହଜାର ହଜାର ଲୋକ ଭୋକ ଉପାସରେ ଘରର ଉପର ମହଲା ନହେଲେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟରେ ଅଦ୍ୟାବଧି ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କର୍ଣ୍ଣାଟକାର ବି ଅବସ୍ଥା କହିଲେ ନ ସରେ। ଏଠି ବି ବନ୍ୟାରେ ୨୪ଜଣଙ୍କ ଜୀବନ ଯାଇଛି। କାଳୀନଦୀ ଆଜି ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୦୨୪ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ବନ୍ୟା କ୍ଷୟକ୍ଷତିର ପରିମାଣ ପ୍ରାୟ ୬ହଜାର କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଟୁଙ୍ଗା ନଦୀ ଉଛୁଳିବାରୁ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ସବୁଠି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ ଅପରେସନ ଚାଳିଛି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆକାଶ ମାର୍ଗରୁ ବନ୍ୟାସ୍ଥିତିର ଅନୁଧ୍ୟାନ କରିଛନ୍ତି।

ଗୁଜରାଟରେ ବି ବନ୍ୟା ସ୍ଥିତି ଏବେ ବି ଗମ୍ଭୀର ରହିଛି। କଛ, ରାଜକୋଟ ଓ ଅହମଦାବାଦର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇରହିଛି। ଏଠାରେ ମଧ୍ୟ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Related story